Unknown

 

 

 

 

 

 

 

 

 

 

 

ଚାରି ମହଲା

ଶ୍ରୀ ଗୋପୀନାଥ ବେହେରା

 

ଏକ

 

ଝଙ୍କାଳିଆ ଆମ୍ବଗଛ ମୂଳଟାରେ ଲୁଗାକାନିଟା ପାରିଦେଇ ନୟନା ଶୋଇ ଯାଇଛି । ସୁ-ସୁ ହୋଇ ଗରମ ହାଓ୍ୱା । ମଝିରେ ମଝିରେ ବହୁଛି । ଅଦୂରରେ ପଲେ ଗାଈ ଘାସ ଚରୁଛନ୍ତି । ନିର୍ଧମ ଖରାବେଳଟା । କାଉ କୋଇଲିର ସ୍ୱର ଶବଦ ନାହିଁ; ମଝିରେ ମଝିରେ ନଈକୂଳ ଆଡ଼ୁ ଟେଁ-ଟେଁୟା ପକ୍ଷୀଟାର ବିକଟ ଚିତ୍କାର ଶୁଭୁଛି ।

 

ନୟନା-ପନ୍ଦର ବର୍ଷର ଝିଅଟା-ଘରେ ତାର ବୁଢ଼ା ବାପ ଛଡ଼ା ଆଉ କେହି ନାହିଁ । ଏକା ସେ । ଗାଁର ଶମ୍ଭୁ ମିଶ୍ରଙ୍କ ଘରେ କାମଧନ୍ଦା କରେ । ବୁଢ଼ାବାପକୁ ତାର ଖୁଆଏ, ନିଜେ ଖାଏ, ଏମିତି ଦିନ କଟେ । ବୁଢ଼ାବାପ ଜଗୁଆ-ଜଗୁଆ ଯେତେବେଳେ ଥିଲା ଯୁଆନ, ଗର୍ଭିଣୀ ଗାଈ ବାଟ ଛାଡ଼ିଦେଉଥିଲା ତାର ଡାକରେ । ଚାଷୀଘର ପୁଅ ସେ । ଗତର ଖଟାଏ, ଜମି ତାଡ଼େ, ସୁନା-ଫସଲ ଫଳାଏ । ସଂସାରଟି ତାର ସୁରୁଖୁରୁରେ ଚଳିଯାଏ । ଯେତେବେଳେ ଜଗୁଆର ଶନିସପ୍ତା ଯଶା ପଡ଼ିଲ–ସେତେବେଳେ ତାକୁ ଘରଟା ଲାଗିଲା ପିତା । ବାଇଆ ପାଗଳା ହୋଇ ସେ ଘରଛାଡ଼ି ବିଦେଶ ଗଲା; କାହିଁ କେତେଦୂର ରେଙ୍ଗୁନ୍ । ବେଶୀ ଟଙ୍କା କମେଇବ, ଗାଁର ଶମ୍ଭୁମିଶ୍ରଙ୍କ ପରି ସେ ହେବ, ବଡ଼ଲୋକ । ଏହାହିଁ ଥିଲା ତାର ଭାବନା । ଜଗୁଆର ସବୁ ଆଶା ପାଣିଫୋଟକା ପରି କେଉଁଆଡ଼େ ମିଳାଇଗଲା । ମାସ କେଇଟାରେ ଜଗୁଆର ଘରୁ ଠିଚି ଆସିଲା ଘରଣୀ ନେତୀ ବଇଆରରେ ମରିଯାଇଛି । ମୁଣ୍ଡ ତା’ର ଘୂରିଗଲା । ଚାରିଦିଗ ତାକୁ ଶୂନ୍ୟ ଦେଖାଗଲା । ଆକାଶ ତା’ ମୁଣ୍ଡରେ ଛିଣ୍ଡି ପଡ଼ିଲା ପରି ବୋଧକଲା । ଦିନ ରାତି ସବୁବେଳେ ବସି ଭାବିଲା । ମନେପଡ଼ିଲା ତା’ର ଛୋଟ ଝିଅ ନୟନାଟି କଥା । ବରଷକର ଝିଅ–କିଏ ତାକୁ ଦେଖାଚାହାଁ କରୁଥିବ ? କିଏ ତା’ର ନିକିନାମା ବୁଝୁଥିବ ?

 

ଝିଅଟିର କଥା ଭାବି, ଜଗୁଆର ଆଉ ରେଙ୍ଗୁନରେ ରହିବାକୁ ମନ ଲାଗିଲାନି-ଘରକୁ ପଳାଇ ଆସିଲା । ମାଟି ସାଙ୍ଗରେ ମାଟି ହୋଇ ଗତର ଖଟେଇ ଝିଅଟିକୁ ବଞ୍ଚେଇଲା । ଜଗୁଆର ଆଶା ଭରସା ନଥିଲା, ମା’ ଛେଉଣ୍ଡ ଝିଅ ତା’ର ବଞ୍ଚିଯିବ । ଝିଅଟି ବଞ୍ଚିଗଲା ସତ, ଜଗୁଆର କଳ୍ପନା ଆଉ ବାସ୍ତବ ରୂପ ପାଇଲା ନାହିଁ–ସବୁ ଆଶା ମଉଳିଗଲା । ଦିନକୁ ଦିନ ଦରିଦ୍ରତା ତାର ସବୁ ଆଶାରେ ଧୂଳି ପକାଇଲା । ନେତୀ ମଲାପରେ ମାସରେ ବାର ଓପାସ ରହି ଦେଖୁ ଦେଖୁ ସେ ପନ୍ଦରଟି ବର୍ଷ କଟାଇ ଦେଲାଣି । ଜଗୁଆ ମନରୁ ବଡ଼ଲୋକ ହେବାର ସ୍ୱପ୍ନ ଭାଙ୍ଗିଯାଇଛି ।

 

ଘରର କାଣିକଉଡ଼ି ସୁଦ୍ଧା ସେ ବିକି ଭାଙ୍ଗି ଖାଇଛି । କିଛି ନାହିଁ । ଦି’ଖଣ୍ଡି ଭଙ୍ଗା କଂସା ଛଡ଼ା–ଘରକରଣା ସବୁ ହରାଇଛି ଜଗୁଆ । ଦିନଥିଲା, ନିଜେ ଖଟୁଥିଲା, ବଳ ପଡ଼ିଲା ଦିନରୁ ଘରେ ବସିଲା । ସକାଳ ଯାଇ ସଞ୍ଜ ହୁଏ–ଏହିସବୁ କଥା ଭାବି ଜଗୁଆ ଆଖିରୁ ଲୁହଗଡ଼େ । ପୁରୁଣା କଥା ଗୁଡ଼ାକ ମନେପଡ଼ିଲେ ତାର ଭାରି କ୍ରୋଧ ଉଠେ, ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦେ । ଦିନେ ଦିନେ ନୟନା ଆସି ଆଖିରୁ ତାର ଲୁହ ପୋଛିଦିଏ । ବୁଢ଼ାବାପକୁ ତାର ଗାଳିଦିଏ । ଯେତେବେଳେ ଯାହା ହେବାର ଥାଏ ହୋଇଯାଏ–ମିଛଟାରେ ମନ ଦୁଃଖ କଲେ ଲାଭନାହିଁ–କହେ ନୟନା । ସବୁ ବୁଝେ ଜଗୁଆ–ଜାଣି ନ ଜାଣିଲା ପରି ତୁନି ରହେ ।

 

ଖରା ମଳିନ ପଡ଼ିଲାଣି । ଗାଈପଲକୁ ଏକାଠି କରି ନୟନା ସକାଳୁ ଆଣିଥିବା ପାନ ଖିଲିଟା କାନି ଗଣ୍ଠିରୁ କାଢ଼ିଲା । ପାନ ପତର ଟିକେ ହେଲେ ତାର ସବୁହେଲା । ଏଥିପାଇଁ କେତେ ଗାଳି ମିଶ୍ରଙ୍କଠୁଁ ଖାଇଛି–ତଥାପି ସେ ଅମଳଟା ଛାଡ଼ି ପାରୁନି ।

 

ପଛରେ କେତେବେଳୁ କୁଶିଆ ଆସି ଆମ୍ବଗଛ ମୂଳଟାରେ ଠିଆ ହୋଇଛି–ନୟନା ଜାଣେନା ।

 

କୁଶିଆ-ଗାଁର ଗାଈଆଳ ଟୋକା । ଗାଁ ଲୋକଙ୍କର ଗାଈ ଅଡ଼ାଏ, ପେଟକୁ ଗଣ୍ଡାଏ ଖାଏ, ପାନ ପତର ଖାଏ । ବର୍ଷକରେ ଲୁଗା ଦି’ଖଣ୍ଡ ପାଏ, କେଉଁଠୁ କେମିତି ପାଞ୍ଚ ଦଶଟଙ୍କା ମିଳିଲେ–ସେଇ ତାର ଯଥେଷ୍ଟ । ଘରେ କେହିନାହିଁ–ଭଉଣୀ ଭିଣୋଇଙ୍କୁ ଆଶ୍ରା ମାଗିଲା, ଥାନ ଦେଲେନି । ଶେଷରେ ପେଟ ପୋଷିବା ପାଇଁ ଗାଁକୁ ଆସିଲା ଖିଜିମତ୍ କରି ।

 

କୁଶିଆ କୌତୁହଳ ହୋଇ ଆମ୍ବଗଛଟାକୁ ଚଢ଼ିଯାଇ ଗୋଟାଏ ଡାହିଧରି ହଲାଇ ଦେଲା ।

 

ଚମକି ପଡ଼ିଲା ନୟନା ।

 

କେହି ନାହାନ୍ତି–ପବନ ତ ବହୁନି । ଶୂନୁଟାରେ ଗଛଟା ଥରିଗଲା କିମିତି ? ଭୂତ ଚିରୁଗୁଣୀ କଥା ମନେପଡ଼ିଲା ତାର । ଆଉ ଗଛମୂଳେ ନ ରହି, ଗାଈପଲକୁ ଅଡ଼ାଇ ଚାଲିଲା ଶମ୍ଭୁ ମିଶ୍ରଙ୍କ ଘରଆଡ଼େ ।

 

କୁଶିଆ ଜାଣିପାରିଲା–ପ୍ରକୃତରେ ନୟନା ଡରିଯାଇଛି ।

 

ପଛରୁ କୁଶିଆ ଡାକିଲା, “ନୟନା ! ଏ ନୟନା !”

 

ନୟନା କାନ ଦେଲାନି ତା ଡାକରେ । ପଛକଥା ଭୁଲିହୁଏନା ।

 

ପୁଣି ତୁହାଇ ହୋଇ ଡାକ ଛାଡ଼ିଲା କୁଶିଆ, ନୟନା ! ଏ ନୟନା ! ଟିକିଏ ଶୁଣୁ ।

 

ନୟନା ପଛକୁ ଅନାଇ ଦେଇ କହିଲା, “ଅଳପେଇସିଆ କୁଶିଆ, ତୁ ଆଜି ମୋତେ ଡରାଇଲୁ । ରହିଥା, ରହିଥା, ବନା ପ୍ରଧାନ ପିଣ୍ଡାରେ ଯେତେବେଳେ ଶୋଇଥିବୁ, ତୋ ମଜାଟା ବୁଝିଦେବି ।

 

କୁଶିଆ ଜବାବ ଆଉ ଦେଲାନି । ବୁଝିପାରିଲା ନୟନା ରାଗିଯାଇଛି । ଗାଈପଲ ଅଡ଼ାଇ ନୟନା ଗୋହିରୀ ବାଟ ଦେଇ ଚାଲିଗଲା ।

 

ଶମ୍ଭୁମିଶ୍ରେ ଅଚିନ୍ତା ହୋଇ ବୈଠକ ଘରେ ଶୋଇଛନ୍ତି-ପରିଚାରିକା ରଙ୍ଗ ଗୋଟାଏ ପଙ୍ଖା ଧରି ହାଓ୍ୱା କରୁଛି । ପାକଲା ଗାମୁଛାଟା ମିଶ୍ରଙ୍କ ଛାତି ଉପରେ ପଡ଼ିଛି । ଆରଘରେ ମିଶ୍ରଙ୍କ ସ୍ତ୍ରୀ ଲବଙ୍ଗଲତା ପାନ ଭାଙ୍ଗିବାରେ ଲାଗିପଡ଼ିଛନ୍ତି । ସେ ଘରେ ଝିଅ କନକ ତାର ପଢ଼ାବହି ନେଇ ଘଣ୍ଟା ଚକଟା କରୁଛି । ତା ପାଖକୁ ଲାଗି ପଲଙ୍କ ଉପରେ ଶୋଇଛି ବିନୋଦ । ବିନୋଦ ଏକମାତ୍ର ମିଶ୍ରଙ୍କର ଗୋଟିଏ ବୋଲି ପୁଅ । ଉଚ୍ଚ ଶିକ୍ଷିତ, ଭଦ୍ର ସ୍ୱଭାବ, ଅତି ଭଲ । ବୟସ ଅନ୍ଦାଜ କୋଡ଼ିଏ ଭିତରେ । ହାତରେ ଔପନାସିକ କାହ୍ନୁ ଚରଣଙ୍କ ଝଞ୍ଜା ବହିଖଣ୍ଡି ଧରି ପୃଷ୍ଠା ଓଲଟାଇବାରେ ଲାଗିଛି ସେ । ଆଶା ତାର ଅଦମ୍ୟ-କଳ୍ପନା ତାର ବିରାଟ । ମାତ୍ର କିଛି ସେ କରି ପାରୁନି, ଦେଶ ଜାତିର କଲ୍ୟାଣ ପାଇଁ ପ୍ରାଣ ତାର ବ୍ୟାକୁଳ ହୋଇଉଠୁଛି । କଲେଜରୁ ଫେରି ଭାବିଥିଲା ଦେଶପାଇଁ କିଛି ନା କିଛି ସେ ଗୋଟାଏ ଭାର ନେବ; ମାତ୍ର କିଛି କରିପାରିଲା ନାହିଁ, ଏହାହିଁ ତା ଜୀବନରେ ଗୋଟାଏ ମସ୍ତବଡ଼ ଅବଶୋଷ । ଝଞ୍ଜାର ପ୍ରତି ପୃଷ୍ଠାରେ ସେ ନିଜକୁ ହଜାଇ ଦେଇଛି । ତା ଜୀବନରେ ବହି ଯାଉଛି ପ୍ରବଳ ଏକ ଝଞ୍ଜା । ସଙ୍ଗେ ସଙ୍ଗେ ପ୍ରତିଜ୍ଞା କରୁଛି–ଦେଶପାଇଁ, ଜାତିପାଇଁ ଜୀବନ ଉତ୍ସର୍ଗ କରିଦେବ ସେ ।

 

ହଠାତ୍ ବାହାରେ ଗୋଟାଏ କଣ ଶଦ୍ଦଶୁଣି-ବହିଟାରୁ ଆଖି ଫେରାଇଲା ବିନୋଦ ।

 

ଏ କଣ ? କାହିଁକି ପାଟିଗୋଳ ଶୁଭୁଛି ! ଧାଇଁଗଲା ବିନୋଦ । ଦେଖିଲା ଦୁଇଟା କଳିହୁଡ଼ି ସ୍ତ୍ରୀ ଦି’ ଯାଆ ହୁଅନ୍ତି, ଘରର ଧନ୍ଦା ପାଇଟି ନେଇ ପିଲାଛୁଆଙ୍କ ଖାଇବା ପାଇଁ କଳିଟା ଆରମ୍ଭ କରି ଦେଇଛନ୍ତି । ମୁହଁରେ ତାଙ୍କର କଥା କହିବାର ସଂଯତ ନାହିଁ ।

 

ମନେ ମନେ ହସିଲା ବିନୋଦ । ଭାବିଲା କେତେ କଣ ? ଏଇମାନଙ୍କୁ ନେଇ ଆମ୍ଭେମାନେ ଗର୍ବ କରୁଛୁଁ ମନରେ । ଏଇମାନେ ହେଉଛନ୍ତି କୁଳର ଲକ୍ଷ୍ମୀ–ଦେଶକୁ ନୂଆକରି ଗଢ଼ିବାର ପରିକଳ୍ପନା କରି ବସୁଛୁ, କେବଳ ଏଇମାନଙ୍କ ସାହାଯ୍ୟରେ । ସେହି ପରିକଳ୍ପନାର ବାସ୍ତବ ରୂପ କଣ ଏହି ? ଛାଡ଼-ଗୋଟାଏ ଯୋଡ଼ାଏ ସ୍ତ୍ରୀ ଯଦି ଏପରି ମୁଖରା ହୁଅନ୍ତି, ସେଥିପାଇଁ ଯାଏ ଆସେ କଣ ? ସାରା ଦେଶଟାର ନାରୀମାନେ ତ ଏମାନଙ୍କ ପରି ନୁହନ୍ତି ? ତେବେ ଏମାନଙ୍କୁ ବୁଝାଇ ଶୁଝାଇ ଭଲଶିକ୍ଷା ଦେବା ଦରକାର । ଖରାପ ଆଜି ଏମାନେ ହୋଇଛନ୍ତି-ଭଲ ଶିକ୍ଷା ପାଇଲେ ନିଶ୍ଚୟ କାଲି ଏମାନେ ଭଲହେବେ ! ସେମାନଙ୍କ ପାଖକୁ ଗଲା ବିନୋଦ । ଲେଖାଯୋଖାରେ ପୁତୁରା ହେବ । ପଚାରିଲା ସବୁକଥା । ଦୁଇଜଣ ଆପଣା ଆପଣା କଥା ଗୁଡ଼ାକ କହି ବସିଲେ । ବିନୋଦ ସବୁ ଶୁଣିଲା । ପାଠଶାଠ ପଢ଼ିଛି ବୋଲି ତାର ସୁଖ୍ୟାତି ଅଛି । ଗାଁର ସମସ୍ତେ ତାକୁ ମାନନ୍ତି । ବୁଝାଇ ଶୁଝାଇ ଦି’ଜଣଙ୍କୁ ଅନେକ ଉପଦେଶ ଦେଲା ବିନୋଦ । କଳି ଝଗଡ଼ା କରନା । ପରସ୍ପର ପ୍ରତି ସଦ୍‍ଭାବ ରଖ । ହିଂସା, ଈର୍ଷାରେ ସୁନାଘର ଚୂନା ହୁଏ । ଆପଣ ପର ହୁଏ । ଘର କରିଥିଲେ ସବୁକଥା ମାଡ଼ି ଯାକି ଚଳିବାକୁ ପଡ଼େ । ତେବେସିନା ଆଦର୍ଶ ଗୃହିଣୀ ହେବ । ଛି–ଲୋକେ ହସୁଛନ୍ତି ତୁମ କଳି ଝଗଡ଼ା ଦେଖି ! ଘର ଭିତର ମଣିଷ-କଥା କଥାକେ ଆସି ଦାଣ୍ଡରେ, ନିଜର ତ ବୁନିଆଦି ଅଛି !

 

ସବୁ ଶୁଣିଲେ–ବିନୋଦର କଥା ଗୁଡ଼ାକ ଏ କାନରେ ପଶି ସେ କାନରେ ମିଳାଇଗଲା ତାଙ୍କର ।

 

ପଲ୍ଲୀର ଅଶିକ୍ଷିତା ନାରୀ ! ସେ ବା କାହୁଁ ଜାଣିବେ ଏସବୁ କଥାର ଅର୍ଥ ? ଲଜ୍ଜା ସଙ୍କୋଚରେ ବିନୋଦ ପଳାଇ ଆସିଲା ଘରକୁ । ମନଟା କେମିତିକା ହୋଇଗଲା ।

 

ନୟନା ଗାଈପଲ ଗୋଠରେ ଆଣି ବାନ୍ଧୁଛି । ମିଶ୍ରଙ୍କ ଚାକର ଟୋକା ଜଳିଆ ବିଡ଼ା ବିଡ଼ା ଘାସଆଣି ଖୁଣ୍ଟ ମୂଳରେ ପକାଇ–ଖଣ୍ଡିକାଶ ମାରି କହିଲା, “କି ଲୋ ନୟନା ! କଣ ଭାରି ସଅଳ ? ଗାଈଙ୍କ ପେଟ ଆଜି କାହିଁକି ପୁରିନାହିଁ ?”

 

ନୟନା ଆଖି ରଙ୍ଗାକରି କହିଲା, “ତୁଟା କିଏ ରେ ?” ଏତେ ନିକିନାମା ବୁଝିବୁ । ଗାତ ନା ଚୁଲି ?’

 

ଜଳିଆ ନିଠେଇ ହୋଇ ନୟନା ସାଙ୍ଗରେ ପୁଣି ଲାଗିଲା । ନୟନା ଓଠ କାମୁଡ଼ି ଜଳିଆକୁ ଖତେଇ ହୋଇ ମିଶ୍ରଙ୍କ ଖଞ୍ଜା ଭିତରକୁ ପଶିଗଲା । ମିଶ୍ରଙ୍କ ପରିବାରରେ ନୟନା ଆପଣାକୁ ବେଶ୍ ମିଶାଇ ଦେଇ ପାରିଥାଏ । ମିଶ୍ରେ ମଧ୍ୟ ତାକୁ ଖୁବ୍ ସ୍ନେହ ଶ୍ରଦ୍ଧା କରନ୍ତି । ନୟନାର ପାଟି ଶୁଣି ମିଶ୍ରଙ୍କର ନିଦଟା ଭାଙ୍ଗି ଗଲା । ସେଘରୁ ଥାଇ ଡାକ ଛାଡ଼ିଲେ ମିଶ୍ରେ କିଲୋ ନୟନା ! ତୋର କଣ ଆଜି ଏତେ ଡେରି ? ତୁ ପରା ସକାଳୁ କିଛି ଖାଇନୁ ।

 

ନୟନା ସକାଳୁ କିଛି ଖାଇନି-ନ ଖାଇ ରାଗ ତମରେ ଗୋଠରୁ ଗୋଠେ ଗାଈ ବିଲକୁ ଚରାଇବାକୁ ନେଇଗଲା । ଛୁଆଟିବେଳୁ କେତେ ସେ ଗାଈ ରଖିଛି-ସେଥିପାଇଁ ମନରେ ତାର ଦୁଃଖ ନାହିଁ । ଆଜି ସେ ବଢ଼ିଲା ଝିଅଟା । ପରଘରେ ପେଟପାଇଁ ମୁଣ୍ଡ ବିକିଥିଲା ବୋଲି ସିନା ଗାଈପଲ ଜଗିଲା । ଏଇକଥା ଭାଵି ନୟନା ମନରେ ଦୁଃଖ । କାହାକୁ କଣ କହିବ ?

 

ନୟନା ମିଶ୍ରଘରେ ସକାଳୁ ଆସି ସାଇ, ଧନ୍ଦାକରେ-କୁଅରୁ ପାଣିକାଢ଼େ, ଘର ଓଳାଏ ଏମିତି କେତେ କଣ ।

 

ଜଳିଆ କୌଣସି କାମରେ ଚାଲି ଯାଇଥିଲା ବୋଲି-ସକାଳଟାରୁ ମିଶ୍ରେ ନୟନାକୁ ଡାକି କହିଲେ, “ନୟନା ! ଜଳିଆ ଆଜି ଘରେନାହିଁ, ତୁ ଗାଈଗୁଡ଼ାକ ବିଲକୁ ଟିକେ ନେଇ ଯାଆ ।” ଏଇମାତ୍ର କଥା– । କିଛି ଓଜର ଆପତ୍ତି ନ କରି ନୟନା ଗାଈପଲ ଅଡ଼େଇ ନେଇ ଚାଲିଗଲା ବିଲକୁ । ଅନ୍ତରରେ ଥିଲା ତାର ରାଗ ଆଉ କ୍ରୋଧ । ବାହାର ମନରେ ଆନନ୍ଦ ଫୁଟାଇ ସେସବୁକୁ ଘୋଡ଼ାଇ ରଖିଥିଲା ନୟନା । ମିଶ୍ରେ ନୟନାର ମନକଥା ଜାଣନ୍ତି । କହିଲେ, “ନୟନା ! ଯା-ଯା-ଗଣ୍ଡେ ଖାଇଦିଏ-ଯା !”

 

ସକାଳୁ ଖରାଟାରେ ଗାଈପଲ ବାଡ଼େଇ ନୟନା ଶୁଖି କଳାକାଠ ପଡ଼ି ଯାଇଛି । ପେଟରେ ତାର ଭୋକ, ମୁହଁରେ ରାଗ ରଖି କେତେ ସମୟ ସେ ରହିବ ! ନୟନା ଖାଇ ବସିଲା । ମିଶ୍ରେ ମୁହଁରେ ହସ ଫୁଟାଇ ନୟନାକୁ କହିଲେ, “ନୟନା–ଦିନେ ଅଧେ କଣ ଜଳିଆଟା ନ ଥିଲା ବୋଲି ଗାଈପଲ ଟିକେ ନେଇ ଯାଇଥିଲୁ ବିଲକୁ-ତୁ କଣ ସବୁଦିନେ ଗାଈ ରଖୁଛୁ ?” ଘର କରିଥିଲେ ସବୁ ଚଳେ । ନୟନା କିଛି ଆଉ କହିଲାନି ।

 

ସଞ୍ଜନାଗରା ବାଜିଗଲାଣି । ନୟନା ମିଶ୍ରଙ୍କ ଘରେ ଧନ୍ଦାସାରି ଆପଣା ଘରକୁ ଫେରିଲା ।

 

ଦୁଇ

 

ଅଦିନିଆ ବର୍ଷା ଟପ୍ ଟପ୍ ହୋଇ ଝରିପଡ଼ୁଛି । ଜଗୁଆର ଭଙ୍ଗା ଘରଟାର ଚାଳ ଫୁଟି ବରଷା ପାଣି ଘରେ ଲହଡ଼ା ମାରୁଛି । ନୟନା ଗୋଟାଏ ଭଙ୍ଗା କଂସାଧରି ପାଣି ତୋଳିବାରେ ବ୍ୟସ୍ତ । ଘର ଚଟାଣର ଗୋଟାଏ କଡ଼କୁ ବସିଛି ଜଗୁଆ । କେବକାର ଗୋଟାଏ ଖଣ୍ଡିଆ ପିଂକା ଭାଡ଼ିତଳେ ପଡ଼ିଥିଲା, ସେଇଟାକୁ ଲଗାଇ ଜଗୁଆ ଟାଣୁଛି-ପାଖକୁ ତାର ଲାଗି ବସିଛି ରାମ । ରାମ ସୁସ୍ଥସବଳ ଯୁବକ । ବୟସ ଅନ୍ଦାଜ ତିରିଶ । ବିଦେଶ ଯାଇଛି । ପାଞ୍ଚ ଜଣଙ୍କ ସାଙ୍ଗରେ ନ୍ୟାୟ ନିଶାପରେ ବସିଛି । ଗାଁର ମୁଖିଆମାନେ ରାମର ଗୁଣପାଇଁ ତାକୁ ଭଲ ପାଆନ୍ତି । ମଝିରେ ମଝିରେ ରାମର ଆଖି ଦି’ଟା ନୟନା ଉପରେ ପଡ଼ି ଯାଉଛି । ଚମକିପଡ଼ୁଛି ନୟନା । ଜୋରକରି ଓଢ଼ଣାଟା ଟାଣି ଦେଉଛି ମୁଣ୍ଡରେ । ରାମର ପ୍ରାଣ ଅସ୍ଥିର ହୋଇ ପଡ଼ୁଛି ଅମାନିଆ ଆଖି ଦି’ଟା ତାର କଥା ବୋଲ ମାନୁନାହାନ୍ତି ।

 

ନୟନା ଚାହିଁ ନ ଚାହିଁଲା ଭଳି ରାମକୁ ବେଳେ ବେଳେ ଅନାଇଁ ଦେଉଛି । ତା ଚାହାଁଣୀରେ ଫୁଟି ଉଠୁଛି ମନ ଗହିରର ଅକୁହା କଥାର ଲହରୀ । ହୃଦୟ ଅସ୍ଥିର ହେଉଛି-ପ୍ରାଣ ବ୍ୟାକୁଳ ହେଉଛି; ମନେ ମନେ କେତେକଣ ଭାବୁଛି ସେ । ନୟନାକୁ ନେଇ, ସୁଖର ସଂସାର ଗଢ଼ିବ, ସେଥିପାଇଁ ରାମ ଆଜି ପାଗଳ । କେହି ଜାଣନ୍ତିନି-ତା ମନର କଥା । ତାର ବୁକୁ ଉପରେ ଆଜି ଛିଡ଼ା ହୋଇଛି କଳ୍ପନାର ବିରାଟ ତାଜମହଲ । ଦିନ ଦିନ, ରାତି ରାତି ସେ ଭାବୁଛି-ପ୍ରାଣର କଥା କେମିତି ସେ ନୟନାକୁ କହିବ । କେମିତି ତା’ରି ପାଇଁ ସେ ଭୋକ ଶୋଷ ଭୁଲିଛି-ତାକୁ ଆପଣାର କରିବାକୁ । ପ୍ରତି ଭାବନା ଭିତରେ ରାମ ଆଗରେ ଏହିସବୁ ଚିତ୍ର ନାଚି ଯାଉଛି । କେତେବେଳୁ ସେ ଆସିଲାଣି । ଝଡ଼ବର୍ଷାଟା ଅଟକାଇ ଦେଇଛି ତାକୁ ।

 

ଘରକୁ ଲାଗି ତିଆରି ହୋଇଛି ଗୋଟେ ଛୋଟ ଚାଳିଘର । ନଡ଼ା, ଘସି, କୁଟାରେ ସେ ଘରଟା କେଉଁ କାଳରୁ ଅସନା ହୋଇ ପଡ଼ିଛି । ଆଗେ ଜଗୁଆର କେହି କୁଣିଆ ମଇତ୍ର ଆସିଲେ ସେହି ଘରେ ରହୁଥିଲେ । ନୟନା ଦି’ବେଳା ଦି’ମୁଠା ଚାଉଳ ସେହିଘରେ ଫୁଟାଏ । ଭାତ ହାଣ୍ଡିଟି ଚୁଲିରେ ବସାଇ ଦେଇ ନୟନା ଘର ଅଗଣାରୁ ବରଷା ପାଣି ତୋଳିବାରେ ଲାଗିଛି । ତେଣେ ଭାତ ହାଣ୍ଡିରୁ ପାଣି ଶୁଖି ଭଡ଼ଭଡ଼ ହେଲାଣି ଭାତ ଦି’ଟା । ସେ ଆଡ଼ିକୁ ଖିଆଲ ନାହିଁ ନୟନାର ।

 

ଚମ୍ପା ଧୋବଣୀର ଛେଳିଟା ସେହି ଚାଳଘରଟାକୁ ପଶିଯାଇଁ ମେଁ ମେଁ ହେଲା ।

 

ନୟନାର ଖିଆଲ ପଡ଼ିଗଲା । ଦୌଡ଼ିଯାଇ ଭାତ ହାଣ୍ଡିଟା ଚୁଲିରୁ ଓହ୍ଲାଇ ପକାଇଲା । ଆଉ ଟିକେ ଯାଇଥିଲେ ସବୁ ଶେଷ ହୋଇ ଯାଇଥାନ୍ତା । ନୟନା ଜିଭ କାମୁଡ଼ି ପକାଇଲା ।

 

ଦୂରବୋଉ ଦାଣ୍ଡରେ ଚାଲି ଯାଉଁ ଯାଉଁ ଘର ଭିତରକୁ ପଶିଆସି କହିଲା, “ସାରିଲୁ ଲୋ ଝିଅ ସାରିଲୁ–ଏଡ଼େ ମଟିକିଟା ଲୋ ତୁ, ଭାତ ହାଣ୍ଡିଟା ପୋଡ଼ି ଯାଉଛି, ଦାଣ୍ଡଟାକୁ ବାସ ମହକୁଛି ପଡ଼ି ।” ନୟନା ଦୂରବୋଉ ମୁହଁକୁ ଅନାଇଁ ଟିକିଏ ହସିଦେଲା । ଦୂରବୋଉ ବୁଝିଲା ନୟନାଟାର ସବୁବେଳେ ମଟକି ଢଙ୍ଗ । ପର ଘରକୁ ଗଲେ କେମିତି କଣ କରିବୁ ଲୋ ନୟନା ?

 

ନୟନା ସବୁ ଶୁଣିଲା, ଭୁଲ୍‍ଟା ତ କରି ପକାଇଛି କଣ ବା କହିବ ?

 

ଦୂରବୋଉ ଚାଲିଗଲା । ଚୁଲିରେ ଶାଗ କଡ଼େଇଟା ବସିଛି । ଚୁଲିଟା ଲିଭି ଯାଇଥିବାରୁ ବେଳେ ବେଳେ ତୁଷ ମୁଠାଏ ମୁଠାଏ ଚୁଲି ଭିତରକୁ ଛାଟି ଦେଉଛି ନୟନା । ମନ ଭିତରେ ତାର ଗୋଟାଏ ଭାବନାପୋକ ରହି ମଝିରେ ମଝିରେ ତାକୁ ବିଚଳିତ କରୁଛି । ଏକୁଟିଆ ହୋଇ ବସିଗଲେ, କେତେଆଡ଼ୁ, କେତେଚିନ୍ତା ତା ମୁଣ୍ଡରେ ଆସି ଢୁକୁଛି । ନୟନାର ମନକଥା କିଏ ଆଉ ବୁଝିବ ? କଣ ସେ ଚାହେଁ ?

 

ବର୍ଷା ଥମିଗଲାଣି ।

 

ରାମ ଜଗୁଆ ସାଆନ୍ତ ସାଙ୍ଗରେ ଦୁଃଖ ସୁଖ ହେଉଛି । ଘରେ ଧାନ ନାହିଁ, ଲୁଗାପଟା ନାହିଁ, ନୟନାର ଦରବାଟା ଛିଣ୍ଡି ଗଲାଣି, କେମିତି ସେ ଚଳିବ-ଜଗୁଆ ରାମ ଆଗରେ ଏସବୁ କଥା କହିବାରେ ଲାଗିଛି । ରାମ ଦରଦ ମିଶା ସ୍ୱରରେ ତାହା ସମର୍ଥନ କରୁଛି ।

 

ଜଗୁଆ ସାଆନ୍ତ ମୁହଁଖୋଲି ଧାନ ମାଗନ୍ତା ଯଦି, ସେ ତାକୁ ନିଶ୍ଚୟ ଦିଅନ୍ତା-ମନେ ମନେ ଭାବୁଛି ରାମ । ଅଭାବ ତାର କେବେ ନାହିଁ । ଜମି ତିନିମାଣ । ନିଜେ ଦିହ ବଦଳିଆ କରି ଚାଷକରେ । ଘରେ ଖାଇବାକୁ କେହି ନାହିଁ । କଲିକତା ଯାଇ ଦି’ ପଇସା ହାତପାଣ୍ଠି କରି ରଖିଛି । ଭଲରେ ମନ୍ଦରେ କେହି ରାମକୁ ଧାନ ଚାଉଳ ସାହାଯ୍ୟ ମାଗିଲେ, ରାମ କେବେ ଫେରାଇ ଦିଏନା-। ଜଗୁଆ ଦୁଃଖରେ ରାମ ମନ ତରଳିଗଲା । ନିଶ୍ଚୟ ଆଜି ସେ ଧାନ ଦଶଗୌଣୀ ଜଗୁଆ ସାଆନ୍ତକୁ ଆଣି ଦେଇଯିବ । ତା ପାଖରେ ଧାନ ଥାଉଁ ଥାଉଁ ଭୋକରେ ତାଙ୍କୁ ରଖାଇ ଦେବନି ସେ-। ଘରେ ଟ୍ରଙ୍କଟାରେ କେତେ ଧୋତି, କେତେ ଶାଢ଼ୀ ବାସିକରି କର୍ପୂର ଦେଇ ରଖିଛି । ଖଣ୍ଡେ ଭଲଶାଢ଼ୀ ବାଛି ବାଛି ପିନ୍ଧିବାକୁ ଦେବ ନୟନାକୁ । ସେ ଗୁଡ଼ାକ ଆଉ କିଏ ବା ଭୋଗକରିବ ?

 

ଆଗରେ ବିରାଟ କଳ୍ପନା । କଳ୍ପନାକୁ ରୂପ ଦେବାପାଇଁ ରାମର ପ୍ରାଣ ଅସ୍ଥିର ହୋଇ ପଡ଼ିଲା ।

 

ବର୍ଷା ଥମି ଯାଇଛି-ଆକାଶରେ ମେଘ ଖଣ୍ଡେ ଖଣ୍ଡେ କଅଁଳା ବାଛୁରୀ ପରି ଡିଆଁ ମାରୁଛନ୍ତି । ରାମ ଆକାଶକୁ ଚାହିଁଲା । କଳାମେଘ ଖଣ୍ଡକୁ ଖଣ୍ଡ ଭାସି ଚାଲିଛି-ଚଞ୍ଚଳ, ଅସ୍ଥିର ଗତିରେ, ସତେ ଯେପରି କା’ର ମନକୁ ଜୟ କରିବାକୁ ଅଭିଯାନ ସାଜି । ମନଟା ଅସ୍ଥିର ହେଉଛି ରାମର । ଏହି ଅସ୍ଥିରତା ଭିତରେ ରାମ ଆଶାର ବନ୍ଧବାନ୍ଧି ଘରକୁ ତାର ଫେରିଗଲା ।

 

ଆକାଶକୁ ସର୍ବାଙ୍ଗ ସୁନ୍ଦର କରି ଧାଡ଼ି ଧାଡ଼ି ହୋଇ ବଗପଲ ଡେଣା ମେଲାଇ ଉଡ଼ିଗଲେ ।

 

ଆକାଶ ପୁଣି ଗର୍ଜି ଉଠିଲା-ଢୋ-ଢୋ-ଢୋ ।

 

ତିନି

 

କିରେ ନଟ, ତୋର ପାଠ ପଢ଼ାରେ କଣ ଆଉ ମନନାହିଁ ? ନିଧୂମ ଖରାବେଳଟା, କିଛି କାମ ଧନ୍ଦା ମିଳିଲାନି-ଖାଲି ତାସ୍ ଖେଳ ।

 

ନଟ ଚାହିଁଦେଲା, ଦରଜା ସାମ୍ନାରେ ଛିଡ଼ା ହୋଇଛି ବିନୋଦ । ନଟ ବେଶ୍ ଶାନ୍ତଶୀଳ ପିଲାଟି-ବିନୋଦର କକା ପୁଅ ଭାଇ । ମାଇନର ସେକେଣ୍ଡ କ୍ଳାସରେ ପଢ଼େ । ସ୍କୁଲ ଛୁଟି ଥିବାରୁ-ସାଙ୍ଗ ସାଥି ନେଇ ତାସ ଖେଳରେ ଲାଗିଯାଇଛି । ଲଜ୍ଜାରେ ନଟ ମୁହଁ ଲାଲ ପଡ଼ିଗଲା । କଣ ସେ ଜବାବ ଦେବ ? ଉପାୟ କିଛି ପାଇଲାନି । ହାତରେ ଧରିଥିବା ତାସକୁ ତଳେ ଫୋପାଡ଼ି ଦେଇ ଭଲ ପିଲାଟି ପରି ଘରକୁ ଚାଲିଗଲା ।

 

ବିନୋଦ ଦାଣ୍ଡରେ କାହାକୁ ଅପେକ୍ଷା କଲାପରି ଟହଲ ମାରୁଛି, ପଛରେ ତାର ଗୋଟାଏ ବିଲାତି କୁକୁର ଜିଭଟାକୁ ଲହ ଲହ କରି ଏପଟ ସେପଟ ଛୁଟୁଛି । କେଉଁଠି କେମିତି ଖଡ଼ ଖଡ଼ ଶବ୍ଦ ଶୁଣି କୁକୁରଟା ବେଳେ ବେଳେ ଚିତ୍କାର କରି ଉଠୁଛି । ବିନୋଦ ତା ପିଠି ଥାପୁଡ଼ାଇ ଚୁ ଚୁ କରିବାରେ ଲାଗିଛି ।

 

କିରେ ବିନୋଦ ! ଏମିତି ଖରାଟାରେ ଦାଣ୍ଡରେ କାହିଁକି ଏପଟ ସେପଟ ହେଉଛୁ ?

 

ବିନୋଦ ଚାହିଁଲା–ଭାଗବତ କକେଇ ବାଡ଼ି ଠୁକ୍ ଠୁକ୍ କରି ମୁଣ୍ଡରେ ଓଦା ଗାମୁଛାଟା ପକାଇ ଛୁଟିଛି କେଉଁଆଡ଼େ । ବିନୋଦ ପଚାରିଲା, “କକେଇ କେଉଁଆଡ଼େ ଯିବକି ?” କେଉଁଆଡ଼େ ଆଉ ଯିବିରେ ପୁଅ, ଯାଉଛି ମାଗୁ ଅବଧାନ କତିକି । ଦି’ପୁଡ଼ିଆ ଔଷଧ ଆଣିବି । କାଲି ରାତିଟାରୁ ମଝିଆ ଝିଅ ରମାଟାକୁ ପୁଣି ଜର । ତାଙ୍କରି ଧନ୍ଦା କରୁ କରୁ ତ ମୋର ଦିନ ଯାଉଛି । ଜୀବନଟାକୁ ଜାଳି ପୋଡ଼ି ସାରିଲେଣି ବାପ !

 

ଭାଗବତ କକେଇ ଚାଲିଗଲେଣି । ବିନୋଦ ପୂର୍ବପରି ଟହଲ ଖାଉଛି ଦାଣ୍ଡରେ । ଶମ୍ଭୁମିଶ୍ରେ ଖଣ୍ଡେ ହାଫ୍ ସାର୍ଟ ପିନ୍ଧି ହାତରେ ଖଣ୍ଡେ ବ୍ୟାଗ୍ ଧରି କେଉଁଆଡ଼େ ବାହାରି ପଡ଼ିଛନ୍ତି ।

 

ବିନୋଦ କିଛି ବୁଝି ପାରିଲାନି-ବାପା ହଠାତ୍ କେଉଁଠିକୁ ବାହାରି ପଡ଼ିଲେ । ଘରକୁ ଯାଇ ବୁଝିଲା ଆଜି ଗୋଟାଏ ମୋକଦ୍ଦମାର ତାରିଖ । ମନେପଡ଼ିଲା ବିନୋଦର ହାଡ଼ିପଧାନ ମୋକଦ୍ଦମା କଥାଟା । ମୋକଦ୍ଦମା-ଗୋଟାଏ ଫାଲତୁ କଥାରେ ମୋକଦ୍ଦମା । କେଉଁ କାଳର କଥାଟା, ସେ ଗାଁର ପଞ୍ଚୁଆତି ଡାକି ମେଣ୍ଟାଇ ଦେଇଥିଲେ କ’ଣ ହୋଇ ନଥାନ୍ତା ! ଅଯଥା ପଇସା ଗୁଡ଼ାକ ପାଣି ଭଳିଆ ଅକାତରେ ପର ବୋହି ନେଉଛନ୍ତି-ଏଥିପାଇଁ ମିଶ୍ରେ ବଡ଼ ଚିନ୍ତିତ । କାହାକୁ ବା କହିବେ ? ନିଜର ମାନ ମର୍ଯ୍ୟାଦା ରକ୍ଷା କରିବା ପାଇଁ-କେବେ ସେ ମୁଣ୍ଡ ତଳକୁ ନୁଆଁଇବେ ନାହିଁ । ଗୋଟାଏ ଛାର ପ୍ରଜା ! ତାର ପୁଣି ଗୋଛାଏ ଦିମାକ !

 

ବିନୋଦ ସବୁ ଶୁଣିଛି–ସବୁ ଜାଣିଛି–ମାତ୍ର ବାପାଙ୍କର ଇଚ୍ଛା ବିରୁଦ୍ଧରେ କିଛି ସେ କରି ପାରୁନାହିଁ–କରିବା ଯେ ତା ପକ୍ଷରେ ଘୋର ଅନ୍ୟାୟ ହେବ ।

 

ହାଡ଼ି ପଧାନ–ଗରିବ ହେଲେ କଣହେବ ? ମୁହଁ କଡ଼ାଏ ପାଇଛି । ରାଜା ମୁହଁରେ ସାରା କଥାରେ ଖାଡ଼ା ଖାଡ଼ା ଜବାବ ଦେବା ଲୋକ ସେ । ସେ କାହିଁକି ଡରିବ ? ଖଜଣା ପାଉତିରେ ଗଣ୍ଡଗୋଳ କରି, ଟଙ୍କା ପଇସା ରଖି ତାକୁ ମାସ ମାସ ଧରି ଭଣ୍ଡାଇଛି ଶମ୍ଭୁମିଶ୍ର । ବଡ଼ଲୋକ ବୋଲି ମୁହଁ ଖୋଲି ତା ଆଗରେ କିଛି କହି ପାରିନାହିଁ ହାଡ଼ି ପଧାନ । ଶେଷରେ ଦଶ ବର୍ଷର ଖଜଣା ବାକୀ ପକାଇ କୋର୍ଟରେ ନାଲିଶ କରିଛି ତା ନାଆଁରେ । ମିଶ୍ରଙ୍କ ପାଖରେ କେତେ ସେ ନିଉନ ହୋଇଛି-କେତେ କାନ୍ଦିଛି, ଆପଣଙ୍କ ଟିପା ଖାତାଟା ଦେଖନ୍ତୁ ସାଆନ୍ତେ-ପ୍ରତିବର୍ଷ ମୁଁ ଖଜଣା ଆପଣଙ୍କୁ ଦେଇଛି । ସବୁ କଥାକୁ ବେଖାତିରି କରି ଉଡ଼ାଇ ଦେଇଛି ଶମ୍ଭୁମିଶ୍ର । ଘରର ଛପର ବିକାହେଉ ବରଂ ସେ ଶମ୍ଭୁମିଶ୍ର ସହିତ ମୋକଦ୍ଦମାରେ ଲଢ଼ିବ । ବିଚାରତ ଅଛି । ହାଡ଼ି ପଧାନର ଏହାହିଁ ଜିଦ୍ ।

 

କୁହୁଡ଼ିରେ ପହଁରିବା ସାରହେବ ସିନା ! ଲାଭ କଣ ? ବିନୋଦକୁ ବଡ଼ ବାଧିଲା–ବାପା ଆଜି କେନ୍ଦ୍ରାପଡ଼ାରୁ ଫେରନ୍ତୁ–ନିଶ୍ଚୟ ମୋକଦ୍ଦମା ରଫା କରି ଦେବାକୁ କହିବ ସେ । କଣ ବା କଥା-। ସାମାନ୍ୟ ବୋଲି ବ୍ୟାପାରଟା । ଏହି ଗାଆଁରେ ସେ ମେଣ୍ଟାଇ ଦେବ । କେତେ କେତେ ବଡ଼ କଥା ଗାଆଁରେ ନ ମେଣ୍ଟୁଛି । ଜିଦ୍ ତ ଗୋଟାଏ ଜିଦ୍ । ଏହି ଜିଦ୍ ପାଇଁ ମଣିଷ ପଶୁପାଲଟି ଭାଇ ବୁକୁରେ ଭୁସୁଛି ଛୁରୀ–ମଣିଷ ବଡ଼ ସ୍ଵାର୍ଥପର ।

 

ଗାଁ ସେ ମୁଣ୍ଡରେ ଡିବି ଡିବି ହୋଇ ନାଗରାଟା ବାଜିଉଠିଲା । ଗାଆଁର ପିଲାଏ ଯିଏ ଯେଉଁଠି ଥିଲେ ନାଗରା ବଜା ଶୁଣି ଧାଇଁଲେ । ବିନୋଦ ଘର ଝଞ୍ଜା ଭିତରୁ ବାହାରକୁ ବାହାରି ଆସିଲା । କନକ ସାଇ ଭିତରୁ ବାହାରି ପଡ଼ିଲା–ସାଙ୍ଗରେ ଅଛି ରଙ୍ଗ ।

 

ବିନୋଦ ପଚାରିଲା–କନକ କେଉଁଆଡ଼େ ଯିବୁ ?

 

ଆର ମୁଣ୍ଡରେ ହଟ ହେଉଛି–ହଟ ଦେଖି ଯିବି ।

 

କନକକୁ କୋଳକରି ରଙ୍ଗ ହଟଦେଖାଇ ନେଇଗଲା । ବିନୋଦ ଦାଣ୍ତ ଅଗଣାରେ ଠିଆ ହୋଇଛି–

 

ଦାଣ୍ଡରେ ଚାଲି ଯାଉ ଯାଉ କୋକିଳା ମା ଡାକିଲା, ବିନୋଦ ଆସ ହଟ ଦେଖିଯିବା । କୋକିଳା ମା ଲେଖା ଯୋଖାରେ ବିନୋଦର ନୂଆବୋହୂ । ବିନୋଦକୁ ଭଲ ପାଏ ।

 

ବିନୋଦ କହିଲା, “ହଟ କେଉଁମାନେ କରୁଛନ୍ତି ନୂଆବୋହୁ ?”

 

ତମେ ଯମା ଜାଣି ନଥିବ ? ବଡ଼ ଜାଣିଶିଆଣିଆ ମଣିଷ ।

 

ନାହିଁ ମ–ମୁଁ ଜାଣିଲି କେମିତି ।

 

ଗଡ଼ଜାତରୁ କେଳାକେଲୁଣୀ ପଲେ ଆସିଛନ୍ତି–ଭାରି ଭଲ ହଟ କରୁଛନ୍ତି । ସେ ଗାଁରେ କୁଆଡ଼େ ହଟ କରୁଥିଲେ–ମଣିଷ ଥାଟପତ୍ର ହୋଇ ଦେଖୁଥିଲେ । ଆମ ଗାଁରେ ଯେତେବେଳେ ହେଉଛି ଟିକେ ଦେଖିବା କେମିତି ସେମାନେ ନାଟ କରୁଚନ୍ତି !

 

ଦେଖୁନା ତମକୁ କିଏ ବାରଣ କରୁଛି ?

 

ତମେ ଆସୁନ ?

 

ଆମେ ଅନେକ ଦେଖିଛୁ–ଦେଖି ଦେଖି ଏତେ ବଡ଼ । କଟକରେ ମଝିରେ ମଝିରେ ଯେଉଁ ନାଟ ତାମସା ହୁଏ, ନୂଆବୋହୁ ତମେ ଯଦି ଦିନେ ଦେଖିବ, ମନ ତୁମର ତୋଷ୍ ହୋଇଯିବ–ସେ ଖେଳରେ ଟିକେ ଟିକେ ଛୁଆ–ସେମାନେ ଯାହା ଖେଳ କସରତ ଦେଖାନ୍ତି, ଅତି ଆଶ୍ଚର୍ଯ୍ୟ ଧରଣର ସେ ସବୁ ।

 

କଟକ ଖେଳ ତମେ ସିନା ଦେଖିଛ–ଆମକୁ କିଏ ସେସବୁ ଦେଖାଇବ ?

 

ବିନୋଦ ହସି ହସି କହିଲା, “ଚାଲୁନା ନୂଆବୋହୁ ଦେଖିବ କଟକ ଖେଳ କେମିତି ?

 

ମୁହଁରେ ପ୍ରତିହସ ଫୁଟାଇ କୋକିଳା ମା’ ଆରମୁଣ୍ତ ଆଡ଼କୁ ଚାଲିଗଲା ।

 

ଚାରି

 

କୂଅଟାରୁ ପାଣି କାଢ଼ୁ କାଢ଼ୁ ଗରାଟା କୂଅ ଭିତରେ ଖସି ପଡ଼ିଛି । ସୂରୁଯ ଦେବତା ବୁଡ଼ିବାକୁ ହେଲେଣି । ନୟନା ମନ ଦୁଃଖରେ କୂଅ ନନ୍ଦରେ ହାତ ଦି’ଟା ରଖି କୂଅ ଭିତରକୁ ଚାହିଁ ରହିଛି–କ’ଣ ଜବାବ ଦେବ, ସାଆନ୍ତାଣୀଙ୍କ ଆଗରେ ।

କିଏ, ନୟନା କିଲୋ ? ଏମିତି କାହିଁକି ମୁହଁ ଶୁଖାଇ ଠିଆ ହୋଇଛୁ ? କ’ଣ ତୋର ହୋଇଛିକି ? ରାମ କହଲା ।

ରାମକୁ ଅନାଇ ଦେଇ ନୟନା ମୁହଁ ତଳକୁ ପୋତିଦେଲା ।

କଣ କିଛି କହିବୁ ନାହିଁ ? ଲାଜ କରୁଛୁ ? ବଡ଼ ଲାଜକୁଳୀ ହେଇ ଗଲୁଣି । ନୟନା ପାଖକୁ ରାମ ଘୁଞ୍ଚିଆସି ପଚାରିଲା କହ, କାହିଁକି ମନଟି ମାରି ଠିଆ ହୋଇଛୁ ଏଠେଇଁ ।

ନୟନା ଧୀରେ ଧୀରେ ଜବାବ ଦେଲା–ଗରାଟା କୂଅ ଭିତରକୁ ଖସିପଡ଼ିଛି ହାତରୁ ।

ଓଃ–ଏଇ କଥାଟା, ଗରାଟା କାଢ଼ି ଦେବାକୁ କହୁଛୁ ?

ନୟନା ମୁରୁକିହସା ଦେଇ ମୁଣ୍ଡହଲାଇ କହିଲା, “ହୁଁ ।”

କୂଅ ନନ୍ଦରେ ଦି’ଗୋଡ଼ ଦେଇ ଧୀରେ ଧୀରେ କୂଅ ଭିତରକୁ ପଶିଗଲା ରାମ । କୂଅଭିତରୁ ଗରାଟାକୁ ଦି’ବୁଡ଼ାରେ ହାତରେ ଧରି ଉଠାଇଆଣିଲା–ଖୁବ୍ ସାହସରେ । ଉପରୁ ନୟନା ତଟସ୍ତ ହୋଇ ଚାହିଁ ରହିଛି । ମଝିରେ ମଝିରେ ଡାକୁଛି ଗରା ନ ମିଳିଲା ନାହିଁ, ତମେ ପଳେଇ ଆସି ରାମଭାଇ ।

 

ରାମର କୂଅ ଭିତରକୁ ପଶିବାରେ ବେଶ ଅଭ୍ୟାସ ଅଛି । ଆସ୍ତେ ଗରାଟାକୁ ହାତରେ ଧରି ରାମ କୂଅ ନନ୍ଦରେ ଗୋଡ଼ରଖି ଉପରକୁ ଉଠି ଆସିଲା । ଗୋଟାପଣ ପାଣିରେ ଓଦା ସୁଡ଼ୁବୁଡୁ-। ତାଳୁଠାରୁ ତଳିପା ଯାଏ ପାଣି ଥୋପାଥୋପା ହୋଇ ନିଗିଡ଼ି ପଡ଼ୁଛି । ରାମ କହିଲା, “ନିଏ–ଏବେ ଘରକୁ ଯ–ନୋହିଲେ ଆହୁରି ଥରେ କୂଅ ଭିତରକୁ ଫୋପାଡ଼ି ଦିଏ ଗରାଟା ।”

 

ନୟନାର ଶୁଖିଲା ମୁହଁରେ ହସର ଲହଡ଼ି ଖେଲିଗଲା । ସତୃଷ୍ଣ ନୟନରେ ରାମ ମୁହଁକୁ ଥରେ ଚାହିଁଦେଲା–ନୟନା । ସେ ଚାହାଁଣୀରେ ଥିଲା ତା’ର ଅନ୍ତରର କୃତଜ୍ଞତା ।

 

ଅନ୍ଧାର ହୋଇଗଲାଣି–ମୁହଁକୁ ମୁହଁ ଦିଶୁନାହିଁ । ରାମ ପ୍ରାଣରେ ପୂର୍ବ ସ୍ମୃତି ଚେଇଁ ଉଠିଲା । ନୟନାର ହାତଟା ଧରି, ରାମ କ’ଣ କହିବାକୁ ଯାଉଥିଲା–ପାଟିରେ ସବୁ କଥା ତାର ଅଟକି ଗଲା । ଦୂରରୁ ସାଆନ୍ତାଣୀ ଲବଙ୍ଗଲତା ଗଳା ଫଟାଇ ଡାକ ଛାଡ଼ିଲେ–ନୟନା, ନୟନା ! ଭାରି ଗୁମରତ ଲୋ–କୁଅରୁ ପାଣି ତୋଳୁ ତୋଳୁ କଣ ରାତିଟା ପାହିଯିବ ସେଇଠି ? କି ଗପ ଲଗାଇଛୁ ଲୋ !

 

ନୟନା ହାତରୁ ରାମର ହାତ ମୁଠାଟା ଖସି ପଡ଼ିଲା । ନୟନା ଲବଙ୍ଗଲତାଙ୍କ ଡାକ ଶୁଣି ଚମକି ପଡ଼ିଲା । ଚଞ୍ଚଳ ଗରାଟା କାଖରେ ଥୋଇ ସେଇ ଅନ୍ଧାର ଭିତରେ ମିଶ୍ରଙ୍କ ଘରଆଡ଼େ ଚାଲିଲା–ଦିହଟା ତାର ଥରୁଥାଏ । କାଳେ....

 

ରାମ ମନ ଦୁଃଖରେ ଘରକୁ ଫେରିଲା–ସତେ ଯେପରି ତାର ଅନ୍ତର ଭିତରଟାକୁ କିଏ ଗୋଟାଏ ହାତୁଡ଼ିରେ ପିଟିଦେଲା ଖୁବ୍ ଜୋରକରି । ରାମ ମନେ ମନେ ଠିକ୍ କଲାଏଥର ସେ ଜଗୁଆ ସାଆନ୍ତକୁ କହିବ । ଜଗୁଆ ସାଆନ୍ତ ! ଆଉ ତମେ ନୟନାକୁ ମିଶ୍ରଙ୍କ ଘରକୁ ଧନ୍ଦା କରିବାକୁ ପଠାଅ ନାହିଁ । ବାପ ଝିଅ–ପେଟ ଦି’ଟା, ତାଙ୍କଘରେ ନ ଖଟିଲେ କଣ ଅପୋଷା ରହିବ-? ଯଦି ଅଚଳ ହେବ, ମୁଁ ଚଳାଇବି ତମକୁ–ମୁଁ ଦେବି ଖାଇବାକୁ ।

 

ନୟନା କାଖରୁ ଗରାଟା ତଳେ ଥୋଇଦେଲା । ସେଘରେ ଥାଇ ଲବଙ୍ଗଲତା ଡାକ ଛାଡ଼ିଲେ ସଞ୍ଜବଳିତା ଦେଇଦିଏ ନୟନା ସଞ୍ଜବେଳଟା ଗଡ଼ିଗଲାଣି । କେତେବେଳେ ଆଉ ସଞ୍ଜଦେବୁ । ଗୋଡ଼ ଚିପି ଚିପି କନକ ସେ ଘରୁ ଆସି ନୟନା ପାଖରେ ସାଇ ଅଗଣାରେ ଠିଆହେଲା । କନକ ଛଅ ବର୍ଷର ଝିଅ ସେ । ବହୁଦିନ ପରେ ଲବଙ୍ଗଲତାଙ୍କ କୋଳକୁ ସୁନ୍ଦର କରିଛି ଆସି । ମିଶେ ଝିଅଟିକୁ ବଳି ସ୍ନେହ କରନ୍ତି । ଟିକି ପିଲାଟି ସେ–ଏଇ ଦିନରୁ ବଡ଼ ଅଭିମାନ ଶିଖିଲାଣି–ଟିକିଏ କଡ଼ାକଥା କହିଲେ, କାନ୍ଦି କାନ୍ଦି ଧୂଳିରେ ଲୋଟିଯିବ ।

 

ନୟନା ସଞ୍ଜବଳିତାଟା ଲଗାଉଛି । କନକ ନୟନାର ଲୁଗା କାନିଟା ପଛରୁ ଧରିଲା ।

 

ଇଏ କ’ଣ କନକ । କାହିଁକି ଦିକ୍‍ଦାର ମୋତେ କରୁଛୁ । ଉଠିଲୁ ସଞ୍ଜ ବଳିତାଟା ଆରଘରେ ଥୋଇଦେଇ ଆସେ ।

 

କନକ ଶୁଣିଲାନି ନୟନା କଥାକୁ ।

 

ମଲା, ମୋତେ ଛାଡ଼ି ଦେ’ ଟିକିଏ ! କି ପିଲାଟାଏ ମ !

 

କନକ ଅଭିମାନରେ ନୟନାର ଲୁଗା କାନିଟା ଛାଡ଼ିଦେଇ ତଳେ ଧୂଳିରେ ଲୋଟିଗଲା ।

 

ଆଜି ତାର ଅନ୍ତରର ଅଳିକୁ–ନୟନା ଉପେକ୍ଷା କରିଛି । କେଡ଼େ ଶ୍ରଦ୍ଧାରେ ସେ ଆଜି କହିବାକୁ ଆସିଥିଲା–ନୟନା ମାଉସୀକୁ ତାର, ଚନ୍ଦନପୁର ଦେବୀ ଦେଖି ଯିବାପାଇଁ । ଫେରାଇ ଦେଇଛି ତାକୁ ନୟନା । ଅଭିମାନ, କ୍ରୋଧରେ କନକର ଅନ୍ତର ଭରି ଉଠିଲା । କଇଁ କଇଁ ହୋଇ କାନ୍ଦି ଧୂଳିରେ ଗଡ଼ୁଛି କନକ ।

 

ଏ କଣ ମ ? ଦେହଟା ଧୂଳିରେ ଅସନା ଦିଶିଲାଣି । ଉଠିପଡ଼ । ଆ–ନୟନା ତଳୁ କନକକୁ ଉଠାଇ ଆଣି ତାର ଦିହ ହାତ ଭଲଭାବେ ଝାଡ଼ି ଝୁଡ଼ି ଦେଇ କୋଳକଲା ତାକୁ । କଣ କହୁଛୁ କହନି ।

 

ତୁନିହେଲା କନକ । କଇଁ କଇଁ ହୋଇ ନୟନା କାନ୍ଧରେ ଅଙ୍ଗୁଳିରେ ରେଖା ଟାଣୁ ଟାଣୁ କହିଲା, “ଦେବୀ ଦେଖିଯିବା ।” ନୟନା ଜାଣେ ପ୍ରତିବର୍ଷ ଚନ୍ଦନପୁରେ ଦେବୀ ହୁଅନ୍ତି–ଯାତ ହୁଏ, ନାଟ ତାମସା ହୁଏ । ତିନିଦିନ ଧରି ଖୁବ୍ ଗହଳ ଚହଳରେ ଗାଁଟା କମ୍ପେ । ଛୁଆବେଳେ–ଏଇ କନକ ପରି ହୋଇଥାଏ, କାନ୍ଦି କାନ୍ଦି ଏହାର ପରି ବାପ ପାଖରେ ତାର ଅଝଟ କରେ–ଅଳି କରେ-। ବାପ ତାର ଜାତ ଦେଖାଇ ନିଏ, ମିଠେଇ ଖାଇବାକୁ ଦିଏ, ଖେଳଣା କିଣିଦିଏ । ସବୁ କଥାଗୁଡ଼ାକ ହେଇ କାଲିପରି ଜଣାଯାଉଛି । ସେ ବି ଦିନେ ଏଇମିତି ଥିଲା । ଆଉ ଆଜି....

 

ଭାଇକୁ କହୁନୁ ନେଇଯିବେ ।

 

କେଉଁ ଭାଇ ?

 

ବିନଭାଇ !

 

ବିନଭାଇ ସାଙ୍ଗରେ ନେବାକୁ ନାହିଁକଲା । ସେ କଟକ ଆଡ଼େ ଯାଉଛି ।

 

ନା ଲୋ ହୁଣ୍ଡି, ସାଙ୍ଗରେ ନେବେନାହିଁ ବୋଲି ଭଣ୍ଡି ଦେଉଛନ୍ତି ।

 

ଭଣ୍ତିଦେଉ । ସାଙ୍ଗରେ ନଗଲା ନାହିଁ–ବିନ ଭାଇଟା ଖରାପ, ପ୍ରଭାତୀ ନାନୀ, ନଟଭାଇ ଯାଉଛନ୍ତି–ତୁ ଯିବୁ, ମୋତେ ସାଙ୍ଗରେ ନେବୁ ।

 

ମୁଁ ସାଙ୍ଗରେ ଯିବି ? କିଏ କହୁଛି ?

 

ମୁଁ କହୁଛି ।

 

ନା–ମୁଁ ଯିବିନାହିଁ ।”

 

କନକ ନୟନା କାଖରେ ବସିଥିଲା, ଭଲ ପିଲାଟି ପରି ହରଷ ମନରେ କଥା କହୁଥିଲା-। ନୟନା ଯେମିତି ଦେବୀଦେଖି ଚନ୍ଦନପୁର ଯିବନାହିଁ ବୋଲି କହିଛି–ପୁନରାୟ ଭୋ ଭୋ ହୋଇ କାନ୍ଦିଉଠିଲା ।

 

ଘର ଭିତରୁ ଲବଙ୍ଗଲତା ବାହାରି ପଡ଼ି କହିଲେ,”ନୟନା–କାହଁକି ପିଲାଟାକୁ କନ୍ଦାଉଛୁ ଲୋ ?”

 

ନୟନା କନକର କାନପାଖକୁ ମୁହଁ ଆଣି କହିଲା, “ହଁ ଲୋ କନକ–ତୋତେ ମୁଁ ସାଙ୍ଗରେ ନେଇ ଦେବୀ ଦେଖିଯିବି କାନ୍ଦନା !”

 

କନକ ତୁନିହେଲା ।

 

ସକାଳ ହେଲାଣି । ଚନ୍ଦନପୁର ଦେବୀ ଦେଖିଯିବାପାଇଁ ଛୁଆପିଲାମାନେ ଗାଧୁଆ ପାଧୁଆରେ ବ୍ୟସ୍ତ । କିଏ କେମିତି ଗାଧୁଆ ସାରି ଖାଇବସିଲେଣି ।

 

କାଲି ରାତିରୁ କନକ ଆଖିକୁ ନିଦନାହିଁ । ସେ ମଧ୍ୟ ସକାଳୁ ଉଠି ଗାଧୋଇ ସାରିଲାଣି । ମନଟା ତାର ଅସ୍ଥିର ହୋଇପଡ଼ିଛି । ନଟଭାଇ ପାଖକୁ ଦଶଥର ଯାଉଛି ଆସୁଛି । ପ୍ରଭାତୀ ତାଙ୍କ ସାଇରୁ କୁହାଟ ମାରୁଛି–କନକର ମନଟା ଆହୁରି ଚଞ୍ଚଳ ହୋଇ ଉଠୁଛି ।

 

ଵିନୋଦ ଏଇଥର କଟକରୁ ଆଣିଥିବା ଲତାବସା ରେଶମୀ ଫ୍ରକ୍ ଖଣ୍ଡିକ ଆଉ ପ୍ୟାଣ୍ଟ ଖଣ୍ଡିକ ଆରଘର ଆଲମାରୀ ଭିତରୁ କାଢ଼ି କନକକୁ ପିନ୍ଧାଇ ଦେଲେ ଲବଙ୍ଗଲତା ।

 

ଜାମା ପିନ୍ଧା ସରିଲା । କନକର ମନ ଛନ୍ନଛନ୍ନ ହେଉଥାଏ, କାଳେ ନୟନା ମାଉସୀ ତାର କେଉଁଠିକି ପଳାଇବ । ବେଳେ ବେଳେ ନୟନା ପାଖକୁ ଧାଇଁ ଯାଉଥାଏ–ନୟନା ଏ ସବୁ ଢଙ୍ଗ ଦେଖି ମନେ ମନେ ଭାରି ଖୁସି ହେଉଥାଏ ।

 

“ନୟନା ମାଉସୀ ତୁ କାହିଁକି ଗାଧୋଇ ନାହୁଁ ? ଖାଇ ନାହୁଁ ? ମୋତେ ଠକି ଦେବାକୁ ବସିଛୁ, ମୋ ସାଙ୍ଗରେ ଦେବୀ ଦେଖି ଯିବୁନାହିଁ ?” ଗୋଡ଼ କଚାଡ଼ି କାନ୍ଦିଲା କନକ ।

 

ପ୍ରଭାତୀ, ନଟ, କୁମ କେତେବେଳୁ ଆସି ଠିଆହେଲେଣି କନକ ପାଖରେ । କନକ କଇଁ କଇଁ ହୋଇ କାନ୍ଦୁଛି । ଲବଙ୍ଗଲତା ଯେତେ ବୁଝାଇଲେଣି ଅବୁଝା ତାର ମନ । ସାଙ୍ଗରେ ତାର ନୟନା ମାଉସୀକୁ ଦେବୀ ଦେଖାଇ ନେବ ଜିଦ୍ କରି ବସିଛି ।

 

ନୟନାର ପ୍ରାଣ କାନ୍ଦି ଉଠିଲା । କଅଁଳ ମତି ଛୁଆଟା–ତାର ହୃଦୟ ଆଜି କେଡ଼େ ଉଦାର, କେଡ଼େ ମହାନ୍–ପରକୁ ଆପଣାର କରି କିପରି ସେ ପରୀକ୍ଷାର ସମ୍ମୁଖୀନ ହୋଇଛି । କନକକୁ ତୁନିକଲା ନୟନା । ତରତର ହୋଇ ଗାଧୋଇ ପଡ଼ି ତାଙ୍କରି ଘରେ ଦି’ଗୁଣ୍ଡା ଭାତ ଖାଇଦେଲା । ଲବଙ୍ଗଲତା ଖଣ୍ଡେ ବାସୀକରା ବେଢ଼ାଣ ଆଣି ଦେଲେ । ନୟନା ପିନ୍ଧିବ ନାହିଁ ବୋଲି ବାରଣ କରି କହିଲା,”ଏଇ ଲୁଗାରେ କଣ ଚଳି ଯାଉନି, ପୁଣି ଗୋଟାଏ ବାସୀଲୁଗା କଣ-?”

 

ନା ଲୋ, କେମିତି ଚଳିବ କହନି ! ଏଡ଼େବଡ଼ ଯାତ ଦେଖିଯିବୁ–ଲୁଗାଟା ମଳି କଚକରା ହୋଇଛି, ନିଏ ପିନ୍ଧ୍‍ ।

 

ନୟନା ବେଢ଼ାଣଟା ପିନ୍ଧିଲା । କେଉଁ କାଳରୁ ଗୋଟେ ରେକାବୀରେ ଆଠଅଣା ପଇସା ପକାଇ ଦେଇଥିଲା, ତାଙ୍କରି ଘରେ । ନୟନା ହାତରେ ଊଣ୍ଡାଳିଲା ସେମିତି ସେ ପଇସା ଆଠଣା ପଡ଼ିଛି । କଣହେବ ସାଇତି ରଖି । କାନିରେ ଆଣି ପକାଇଲା ।

 

ଲବଙ୍ଗଲତା ଗୋଟେ ଟଙ୍କା ଆଣି ନୟନା ହାତକୁ ବଢ଼ାଇଦେଲେ ।

 

ନୟନା କହିଲା,”ଏ କଣହେବ ମାଆ ?”

 

ଏ ଟଙ୍କାଟିରେ କନକକୁ ଖିରିମୋହନ କିଣିଦେବୁ । ହେଇ ଆଉ ନିଏ ଆଠଣା । ଏ ଆଠଣାରେ ପେଏଁକାଳି କିଣିଦେବୁ ତାକୁ । ବୁଝି ସାବଧାନ ଖୁବ୍ ହେପାଜତରେ ନେବୁ । ମିଶ୍ରେ ତଳଖଞ୍ଜା ଘରୁ ବାହାରି ପଡ଼ି କହିଲେ, “କନକ ଆଜି କେଉଁଆଡ଼େ ବାହାରି ପଡ଼ିଲୁକି ?”

 

ଯାତ ଦେଖି ବାପା ! ମୋ ପଇସା ଦିଅ–

 

ପଇସା ପରା ମାଆଙ୍କ ପାଖରୁ ନେଲୁ ।

 

ତମେ ଦେବ ନାହିଁକି ?

 

ମାଆ ଦେବେ, ପୁଣି ମୁଁ ଦେବି ।

 

ଭାରି ଶିଆଣା ତମେ । ନା, ମୋ ଟଙ୍କା ଦିଅ ।

 

ମିଶ୍ରେ ଆଉ ଗୋଟେ ଟଙ୍କା କନକ ହାତକୁ ବଢ଼ାଇ ଦେଇ କହିଲେ, “ଆଠଣା ତୋର, ଆଉ ଆଠଣା ନୟନାର ।”

 

କନକ ଖୁସି ହୋଇ ଟଙ୍କାଟା ନୟନା ହାତକୁ ବଢ଼ାଇ ଦେଲା । ନୟନା ସବୁ ଟଙ୍କାଯାକ ଭଲକରି କାନିରେ ଗଣ୍ଠିପକାଇ ବାନ୍ଧିଲା ।

 

ଚନ୍ଦନପୁର ବାଟ ଚାରିକୋଶ ହେବ । ପିଲାଛୁଆ କେଇଟିକୁ ସାଙ୍ଗରେ ନେଇ, ଆଗଭର ହୋଇ ବାହାରି ପଡ଼ିଛି ଫକୀର ।

 

ପ୍ରଭାତୀ, କନକ, ନଟ, କୁନ ଏମାନଙ୍କୁ ସାଙ୍ଗରେ ଧରି ନୟନା ମଧ୍ୟ ବାହାରି ପଡ଼ିଲା । ଅନେକ ବାଟ ଚାଲିବାକୁ ହେବ । ଏତେଗୁଡ଼ା ବାଟ କେମିତି ସେ ଛୁଆ ଗୁଡ଼ାକ ନେଇ ଚାଲିବ ? ନୟନାର ସେଇକଥା ହେଲା ଚିନ୍ତା ।

 

ବାଟ ପାଏ ଚାଲିଛନ୍ତି–କୁଆଡ଼େ କିଛି ନଥିଲା, ଅଦିନିଆ ମେଘଟା ଟପ ଟପ ହୋଇ ଝରି ପଡ଼ିଲା ଆକାଶରୁ । ଗୋଟାଏ ଗଛମୂଳ ଦେଖି ନୟନା ଛୁଆ ପିଲାଙ୍କୁ ନେଇ ଦଣ୍ଡେ ଛିଡ଼ାହେଲା । ଉଡ଼ାମେଘଟା ଉଡ଼ିଯିବ ନାହିଁ ଯେ, ଖାଲି ହଟହଟା କରିବ ନୟନା କହିଲା ।

 

ନଟକୁ ବଡ଼ ଖରାପ ଲାଗିଲାଣି–ଥଙ୍ଗା ଥଙ୍ଗା ହୋଇ ଏଠି ସେଠି ଛିଡ଼ା ହେବାକୁ ଆଉ ଭଲ ଲାଗୁନାହିଁ ତାକୁ । ଆଗଭର ହୋଇ ନଟ ଚାଲିଛି ଟେପା ଟେପା ବରଷା ଭିତରେ ।

 

କିରେ ନଟ, ରହ ଟିକେ । ଏଡ଼େ ଡଗଡଗା ପରି ହେଉଛୁ କାହିକିଁ ? ମେଘ ପରା ବର୍ଷୁଛି ।

 

ନଟର ପାଦ ଅଟକୁ ନାହିଁ ।

 

ନୟନା କନକ, ପ୍ରଭାତୀ, କୁମକୁ ସାଙ୍ଗରେ ନେଇ ସେହି ଟୋପା ଟୋପା ବରଷା ଭିତରେ ଆଗେଇ ଚାଲିଲା ।

 

ଠିକ୍ ଟାଣ ଗାଧୁଆବେଳ ହେବ, ଛୁଆପିଲାଙ୍କୁ ଧରି ନୟନା ଚନ୍ଦନପୁରେ ପହଞ୍ଚିଲା । ଗାଁ ଗୋଟାକ ଝାଞ୍ଜ, ମୃଦଙ୍ଗ, ନାଚ, ଗାନରେ କମ୍ପି ଉଠୁଛି । କେତେଆଡ଼ କେତେ ନୂଆ ନୂଆ ଢଙ୍ଗର ଖେଳ କଣ୍ଢେଇମାନ ବିକ୍ରୀ ଚାଲିଛି । ଯେଉଁଆଡ଼େ ଚାହିଁବ ସିଆଡ଼େ ଖାଲି ଦେଖିବ ଅସୁମାରି ମଣିଷପଲ । କେତେ ଯାଉଛନ୍ତି କେତେ ଆସୁଛନ୍ତି । ଗାଁଟା ଘୋ ଘୋ କମ୍ପୁଛି । ଏ ସବୁ ଦେଖି ନୟନାର ଆଖି ଝଲସିଗଲା, ମନେ ମନେ କେତେକଥା ଭାବିଲା । ଆଜି ଯଦି ରାମଭାଇ ତାର ଆସିଥାନ୍ତା । ...ତା ମନ କ’ଣ ହୋଇଗଲା । ଯାତ୍ରୀଙ୍କ ଗହଳକୁ ନିରୀକ୍ଷଣ କରି ଅନାଇ ଥାଏ ନୟନା । କାଳେ ସେମାନଙ୍କ ଭିତରେ ରାମଭାଇ ତାର ଯାତଦେଖି ଆସିଥିବ ।

 

ନୟନା ଗୋଟିଏ ମନୋହରୀ ଦୋକାନରୁ କନକ ପାଇଁ ପେଁକାଳି କିଣୁଛି । ମଣିଷ ଗହଳି ଭିତରୁ କିଏ ଜଣେ ନୟନାର ହାତ ବାହାଟାକୁ ଧରି ପକାଇ କହିଲା, ‘‘ନୟନା !’’

 

ନୟନା ଚମକିପଡ଼ି ଅନାଇଦେଲା ପଛକୁ । ଛିଡ଼ାହୋଇଛି ରାମଭାଇ ତାର । ମନେ ମନେ ନୟନା ଭାରି ଖୁସି ହୋଇଗଲା ।

 

କେତେବେଳୁ ଆସିଲୁଣି ନୟନା ?

 

ହେଇତ ଆଗେ ଆଗେ ଆସୁଛି । ତମେ କେତେବେଳୁ ଆସିଲଣି ରାମଭାଇ ?

 

ମୁଁ ଆସୁଛି ତୋରି ପଛେ ପଛେ । ଗାଁ ଗୋଟାକ ତୋତେ ଖୋଜି ଖୋଜି ହଇରାଣ ହେଇଗଲି ନୟନା । ଜଗୁଆ ସାଆନ୍ତକୁ ପଚାରିଲି ସେ କହିଲା,” ମିଶ୍ରଘରେ ଥିବ ।” ମିଶ୍ରଙ୍କ ଘରକୁ ଟୁନିକୁ ପଠାଇଲି ସେ ବୁଝିଆସି କହିଲା, “ନୟନା କନକକୁ ସାଙ୍ଗରେ ନେଇ ଚନ୍ଦନପୁର ଯାତ ଦେଖି ଯାଇଛି ।” ଶୁଣି ମନଟା ଖରାପ ହୋଇଗଲା । ଝଟ୍ କର ଗାଧୋଇ ପଡ଼ି ଦି’ଗୁଣ୍ଡା ଖାଇଦେଇ ସିଧା ସିଧା ଛୁଟୁଛି । କେମିତି ତୋତେ ଭେଟିବି ।

 

ନୟନା କହିଲା, “ହଁ–ତମ ମୁହଁ କହି ଦେଉଛି ।”

 

ମୋ’ ରାଣ !

 

ମୁଁ କଣ ତୁମ ରାଣ ପକାଇବାକୁ କହିଲି । ଏ କି କାଳକଥା ମ ? ହଉ ତେବେ ଆସ ରାମଭାଇ ।

 

ଜନଗହଳି ଭିତରେ ଛୁଆପିଲା କିଏ କେଉଁଠି ହଜିଯିବେ ବୋଲି ନୟନା ନିଘା ରଖୁଛି । ନଟ, ପ୍ରଭାତୀ, କୁମ ପାଖକୁ ପାଖ ଲାଗି ଚାଲିଛନ୍ତି । ଆଗେ ଆଗେ ଚାଲିଛି ରାମ ।

 

ଦେବୀଙ୍କ ଦର୍ଶନ ପାଇଁ ଯାତ୍ରୀ ଛୁଟିଛନ୍ତି ପିମ୍ପୁଡ଼ି ଧାରପରି–ବଙ୍ଗଳା ଘରଆଡ଼େ ରାସ୍ତାଟା ଭିଡ଼ ଖାଲି ଭିଡ଼ । ନୟନା ମଝିରେ ମଝିରେ ରାମଭାଇ ଆଡ଼କୁ ଅନାଇଁ ଦେଉଛି । ରାମଭାଇ ତା ଆଖିକୁ ଆଜି କେଡ଼େ ସୁନ୍ଦର ଦେଖାଯାଉଛି । ଧୋବ ଫର ଫର ଲୁଗା, ସିଲିକ୍ ଜାମା, ସୁନାଲଗା ବୋତାମ ଆଜି ଆଖିକୁ ଭାରି ସୁନ୍ଦର ଦିଶୁଛି । ବେଳେ ବେଳେ ରାମ ପକେଟରୁ ରୁମାଲ କାଢ଼ି ମୁହଁ ପୋଛିବାରେ ବ୍ୟସ୍ତ । ନୟନା ଏ ସବୁ ଦେଖି କେତେକଣ ଭାବିବାରେ ଲାଗିଛି । ଆଜି ଯଦି ରାମ ତାର ବର ହୋଇଥାନ୍ତା.....ପାଟିରୁ କଥା ଅଟକି ଯାଉଛି ।

 

ଦେବୀ ଦର୍ଶନ ସରିଲା–ଭିଡ଼ ଭିତରେ ଆଗେଇ ଚାଲିଛନ୍ତି ଯାତ୍ରୀଦଳ । ରାମ ଆଗେ ଆଗେ ଚାଲିଛି, ଗୋଟାଏ ମନୋହରୀ ଦୋକାନ ପାଖରେ ପହଞ୍ଚିଲେ । ରାମ ନୟନାକୁ କହିଲା, ‘‘ଟିକେ ରହ ନୟନା ।” ଦୋକାନ ପାଖକୁ ଆଗେଇ ଯାଇ ପଚାରିଲା ରାମ, ‘‘କାଚ ମିଳିବ ?”

 

ହଁ, ମିଳିବ । ଦାମ୍ ତିନିଟଙ୍କା ।

 

ଦେଖାଅ ।

 

ଦୋକାନୀ କାଚ ଦେଖାଇଲା । ସୁନ୍ଦର କାଚ ନୂଆ ଧରଣର ତିଆରି, ଦେଖିବାକୁ ଚମତ୍କାର । ରାମ ମନକୁ ପାଇଲା, ଏଇକାଚ ନୟନା ହାତରେ ପିନ୍ଧାଇ ଦେବ । ରାମ ନୟନାକୁ ପାଖକୁ ଡାକିଲା । ନୟନା ଆଉ ଆଡ଼ ହୋଇ ରାମ ପାଖକୁ ଆସି ଠିଆହେଲା । ରାମ ନୟନାର ବାଁ ହାତରେ କାଚ ପିନ୍ଧାଇ ଦେଉଁ ଦେଉଁ କହିଲା, “ନୟନା, ଏଟା ମୋର ତୋତେ ପୁରସ୍କାର ।”

 

ନୟନା ତଳକୁ ମୁହଁ ପୋତି ଲଜ୍ୟାରେ ଆଉ କିଛି କହିପାରିଲା ନାହିଁ ।

 

ରାମ ଦୋକାନୀ ହାତକୁ ତିନୋଟି ଟଙ୍କା ବଢ଼ାଇ ଦେଲା । ପୁଣି ଟିକିଏ ଆଗେଇ ଚାଲିଲେ । ନୟନା କନକପାଇଁ ମିଠେଇ କିଣିଦେବାକୁ ରାମକୁ କହିଲା ।

 

ମିଠେଇ ଦୋକାନରୁ ଖିରିମୋହନ କିଣିଦେଲା ରାମ । ଡେରି ହୋଇ ଯାଉଛି ବୋଲି ତରତର ହେଉଛି ନୟନା ।

 

ସମସ୍ତ ଜିନିଷପାତି କିଣା ସରିଲାଣି, ରାମ ଚାଲିଛି ଆଗେ ଆଗେ । ତା ପଛରେ ନୟନା ଛୁଆପିଲାଙ୍କୁ ଧରି ଚାଲିଛି ।

 

ଗୋଟାଏ ଗଛମୂଳେ ବସିପଡ଼ିଲେ ଯାଇଁ–ଛୁଆପିଲାଏ ବୁଲି ବୁଲି ଥକ୍କା ହୋଇ ଯାଇଛନ୍ତି । ଗୁଡ଼ାଏ ବାଟ ଚାଲିବାକୁ ହେବ । କିଛି ନ ଖାଇଲେ ଭୋକରେ ଆଉଟି ହେବେ । ତେଣୁ କିଣିଥିବା ଖାବାର ପିଲାଙ୍କୁ ଖାଇବାକୁ ଦେଲା ନୟନା–ସମସ୍ତେ ଖାଇଲେ ।

 

ସଞ୍ଜ ହୋଇ ଆସିଲାଣି । ଏତେଗୁଡ଼ା ବାଟ କେମିତି ପୁଣି ଚାଲିବାକୁ ପଡ଼ିବ, ଆଖି ପାଉନାହିଁ ଅଳଭା ଗାଁକୁ । ନୟନାକୁ ହେଲାଣି ଭାବନା ।

 

ରାମ କହୁଛି, ରହମ ନୟନା–ଏମିତି ତର ତର ହେଉଛୁ କାହିଁକି ? ଜହ୍ନରାତି ଯିବାତ– ।

 

ନା–ରାମଭାଇ, ତମେ ସାଆନ୍ତାଣୀଙ୍କ କଥା ଜାଣି ନା ? ସେଦିନ ହେଇ ଦେଖିଲ ତ, ଗରାଟା କୂଅ ଭିତରକୁ ପଡ଼ିଗଲା, ତମେ କୂଅ ଭିତରଟାରୁ ଗରାଟା କାଢ଼ି ଦେଉଁ ଦେଉଁ କଣ ସେ କହିଲେ । ସକାଳଟାରୁ ଆସିଛି–ସଞ୍ଜ ହେଲାଣି । ଆହୁରି ଡେରି । ମୋ ମୁଣ୍ଡ ଖାଇବେ ସାଆନ୍ତାଣୀ-

 

ଆଗେ ଆଗେ ନୟନା ଚାଲିଛି । ତା ପଛରେ କୁମ, ତା ପଛକୁ ପ୍ରଭାତୀ । କନକକୁ ନୟନା କାଖ କରିଛି ।

 

ନଟ ଏମାନଙ୍କର ଡେରିହେବା ଦେଖି ଗାଁ ଲୋକ ଯାତଦେଖି ଆସିଥିଲେ ତାଙ୍କ ସାଙ୍ଗରେ ଆଗରୁ ପଳାଇ ଗଲାଣି ।

 

ଆଗପଛ ହୋଇ ଅସୁମାରୀ ଯାତ୍ରୀଦଳ ଛୁଟିଛନ୍ତି । ଅସରନ୍ତି ବାଟ ସରୁନାହିଁ । ତଥାପି ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳି ଯାଉଛି । ଆକାଶରେ ରୂପାଥାଳି ପରି ଜହ୍ନଟା ଉଠିଲାଣି-। ପଥ, ଘାଟ, ଗାଁ ଗଣ୍ଡା ହସି ଉଠୁଛି ।

 

ସରକାରୀ ବନ୍ଧ ମଥାନ ପରି ଛିଡ଼ା ହୋଇଛି । ତାରି ଉପରେ ଚାଲିଛନ୍ତି କେଜାଣି କେତେଲୋକ ।

 

ବାଟ ଦି’କୋଣ ଚାଲି ଆସିଲେଣି–ଭାରି ଥକ୍କା ଲାଗିଲାଣି ନୟନାକୁ । ସମସ୍ତଙ୍କର ମୁହଁଟିମାନ ଶୁଖିଲା ପରି ଦିଶୁଛି । କେମିତି ଘରେ ପହଞ୍ଚିବେ । ନୟନା ଥଙ୍ଗା ଥଙ୍ଗା ହୋଇ ଚାଲୁଛି-। ବେଳେ ବେଳେ ପାଦ ତାର ଅଟକି ପଡ଼ୁଛି ।

 

ରାମ କହୁଛି, “ନୟନ–ଗୋଡ଼ ଥକି ଗଲାଣି କି ? କାହିଁକି ପଛଘୁଞ୍ଚା ମାରୁଛୁ ?”

 

ହଁ, ବଡ଼ ଥକ୍‍କା ଲାଗିଲାଣି ରାମଭାଇ । ଟିକେ ବସିବା ।

 

ପଟ୍ଟାମୁଣ୍ଡାଇ ବଜାରର ଝାପ୍‍ସା ଆଲୋକ ପଡ଼ିଛି ସଡ଼କ ଆଗକୁ । ରାମ କହିଲା–“ନୟନା, ପଟ୍ଟାମୁଣ୍ଡାଇ ପୋଲ ପାଖରେ ବସିବା । ଆଉ ଟିକେ ଆଗେଇ ଆ– ।”

 

ନୟନା କୋଳକୁ ଆଉଜି ବସିଛି କନକ । ପୋଲ ଉପର ପାଖର କେନାଲ ପାଣି ପାହାଡ଼ର ଝରଣା ପରି ତଳ ଆଡ଼କୁ କଳ କଳ ହୋଇ ବିକଟ ଚିତ୍କାର କରି ବହି ଯାଉଛି । କୌତୁକ ହୋଇ ପ୍ରଭାତୀ, କୁମ ପୋଲ ତଳକୁ ଅନାଇଁ ରହିଛନ୍ତି ।

 

ରାମ ପାଖକୁ ଲାଗି ବସିଚି ନୟନା । ପ୍ରାଣରେ ତାର ଅସରନ୍ତି ପବନା । ରାମ ଭାଇଟି ତା’ର କେଡ଼େ ଖାସା ମଣିଷ ।

 

ରାମ ନୟନାର ଅଲରା ବାଳ କେରାକରେ ଆଙ୍ଗୁଳି ମାରୁ ମାରୁ କହିଲା, “ନୟନା– ! ପ୍ରକୃତରେ ମୁଁ ଯେ ତୋତେ କେତେ ଭଲପାଏ, ତୋତେ ତାହା ଆଜି ପ୍ରକାଶ କରି କହିବାକୁ ମୋର ହୃଦୟରେ ଭାଷା ନାହିଁ ।”

 

ନୟନା,–ଗୋଟେ କଥା ପଚାରିବି ।

 

କି କଥା ? କହୁନା ।

 

ମୋ ହୃଦୟରେ ବଡ଼ ଆଘାତ ଲାଗୁଚି । ତୁ ଆଉ ମିଶ୍ରଘର ଧନ୍ଦା କରିବାକୁ ଯାଆନା । ପେଟବୋଲି ଦି’ଟା ଖୁବ୍‍ ପୋଷିହେବ । ରାମ ନୟନାର ମୁହଁକୁ ଅନାଇଁ ଦେଲା । ତା’ର ଦି ଆଖିରୁ ଝରଝର ହୋଇ ଦି’ଟୋପା ଲୁହ ଗଡ଼ିପଡ଼ୁଚି ।

 

‘‘ଛି–କାନ୍ଦୁଛୁ ନୟନା !”

 

ନୟନା କାନ୍ଦୁଚି–ପ୍ରାଣରେ ଆଜି ତାର ଆଘାତ ଲାଗିଚି । ଗରିବ ଘରେ ଜନମ ହୋଇ ସୁଖ ଖୋଜିଲେ କାହୁଁ ବା ପାଇବ ? ଅନ୍ତରର ଅତି ଗୋପନ କଥା–ଯେଉଁକଥା ଏପରି ଦରଦୀ ହୋଇ କେହି ତାକୁ କେବେ ପଦେ ପଚାରି ନାହିଁ । ଆଜି ରାମ ଭାଇର ସେଇ କେଇପଦ କଥାରେ ହୃଦବନ୍ଧ ତାର ଭାଙ୍ଗି ଗଲା; ଅସରନ୍ତି ବନ୍ୟା ପରି ଥପ୍ ଥପ୍ ହୋଇ ଗଡ଼ି ପଡ଼ିଲା ଆଖିରୁ ତାର ତତଲା ଲୁହ ।

 

ରାମ ବୁଝିଲା ନୟନା ଆଜି କାହିଁକି କାନ୍ଦୁଚି ? ପ୍ରକୃତରେ ମିଶ୍ରଘରେ ଧନ୍ଦା କରିବାକୁ ତାର ମନ ନାହିଁ । ମନ ନଥିଲେ କଣ ହେବ, ପେଟ ଭୋକତ ମାରିବାକୁ ହେବ ? ଏଣୁ ସେ ପରଘର ଖିଜିମତ୍ କରୁଚି । ମନକଥା ତାର କିଏ ବୁଝିବ ?

 

ନୟନା ଆଖିରୁ ଲୁହ ପୋଛୁ ପୋଛୁ କହିଲା, ‘‘ପରଘରେ ଖିଜିମତ୍ କରିବା ମୋ କପାଳରେ ରାମଭାଇ !”

 

ରାମ ଦୀର୍ଘ ନିଃଶ୍ୱାସ ପକାଇ କହିଲା, ‘‘କପାଳ ନୁହେଁ ଲୋ, କପାଳ ନୁହେଁ । ଜୀବନର ସୁଖର ପ୍ରଦୀପ ଦିନେ ଜଳି ଉଠିବ–ଅନ୍ଧାର ଘର ତୋର ସବୁଦିନ ପାଇଁ ହସି ଉଠିବ ।”

 

ନୟନା କହିଲା, ‘‘କେଜାଣି ରାମଭାଇ ଭଗବାନ ଜାଣନ୍ତି ।”

 

ରାତି ଅନେକ ହୋଇ ଗଲାଣି ଚାଲ ନୟନା–ଛୁଆପିଲାଗୁଡ଼ାକ ବସୁ ବସୁ ଢୋଳେଇ ପଡ଼ିଲେଣି ହେଇତ ।

 

ନୟନା ଉଠି ପଡ଼ିଲା–କୁମ, ପ୍ରଭାତୀ ଦି’ଜଣଙ୍କ ଘୁମ ଭାଙ୍ଗି ଦେଲା ରାମ । ସରକାରୀ ବନ୍ଧଦେଇ ଗାଁ ଆଡ଼େ ପୁଣି ଆଗେଇ ଚାଲିଲେ ସେମାନେ ।

 

ପାଞ୍ଚ

 

ରାତି ପାହି ଗଲାଣି । ସକାଳର ଝାପ୍‍ସା ଆଲୋକରେ ରାତ୍ରିର ମଳିନତା ଭାଙ୍ଗି ଗଲାଣି-। ଏ ଡାଳ ସେ ଡାଳ ହୋଇ କାଉ ଗୁଡ଼ାକ କା-କା-ଭାବୁଛନ୍ତି । ରାମ ନିତି ଦିନିଆଁ ପରି କୋଦାଳଟା ଧରି ବିଲକାମକୁ ବାହାରି ପଡ଼ିଚି । ନବିନା ତାର ହଳ ବଳଦ ନେଇ ଦି’ ଅଚା ବିଲ ହଳ କଲାଣି । ଟଭି ପତର ଟିକିଏ ପାଟିରେ ଯାକି ମୂଲ ଲାଗିବାକୁ ବାହାରି ପଡ଼ିଲାଣି । ଗାଁଟାର ଲୋକେ ଯେଝା ଯେଝା କାମରେ ଲାଗିଗଲେଣି । ଯୁଆଡ଼େ ଦେଖିବ ପ୍ରକୃତିର ଲୀଳା ଲାଗିଚି ।

 

ତଳ ପାଟରେ କୁହାଟ ଛାଡ଼ିଚି ଶଙ୍କରା–ପତର ଟିକେ ଭୁଲି ଯାଇଚି ବୋଲି କାମରେ ତାର ମନ ଲାଗୁନି ।

 

ଦାମାଦି ଖାଡ଼ି ଟିକିଏ କାନ୍ତର ଦିଏନା ।

 

ଦାମ ଅଣ୍ଟାରୁ ପତର ମେଞ୍ଚାଏ କାଢ଼ି ଶଙ୍କରା ହାତକୁ ବଢ଼ାଇ ଦେଉଚି । ପୁଣି ଚାଲିଚି ଏକ ଧ୍ୟାନ ଏକ ଲୟରେ କାମ–ଖାଲି କାମ ।

 

ହାଡ଼ି ପଧାନ କୋଦାଳଟା ଧରି କିଆରୀର ଉଚ୍ଚ ଖାଲ ସମାନ କରିବାରେ ଲାଗିଚି । ଝିଅ ବାଲୁରୀ ପାଖ କିଆରୀରୁ ଶାଗ ତୋଳୁଚି । ଘୁଁ ଘୁଁ ଶବ୍ଦକରି ଆକାଶରେ ଉଡ଼ାଜାହାଜଟା ଉଡ଼ିଗଲା । ତଳ ପାଟରେ କେଜାଣି କେତେ ଗାଈ ଛନକାରେ ଡିଆଁ ମାରିଲେ । ବାଲୁରୀ ବାପାକୁ ତାର ହାତଠାରି ଆକାଶକୁ ଦେଖାଇ ଦେଉଚି–ହେଇ ବାପା ଗୋଟେ ଉଡ଼ାଜାହାଜ । ହାଡ଼ି ପଧାନ କାମରେ ବ୍ୟସ୍ତ । ଝିଅ କଥାରେ କେବଳ ହଁ ହଁ ମାରୁଚି ।

 

ପାଖ କେନାଲ ସଡ଼କ ଉପରେ ବଳିଆ ଚାଲିଚି, ସଫା ଧୋତି ଖଣ୍ଡେ ପିନ୍ଧିଚି । କାନ୍ଧରେ ପାକଲା ଗାମୁଛା । ବେକ ଟେକି ଚାହିଁଲା ହାଡ଼ି ପଧାନ ।

 

କି ରେ ବଲି, କୁଆଡ଼େ ଉଦା ଖାଇ ଯିବୁକି ?

 

ବଳିଆ ଅନାଇଲା କେନାଲ ସଡ଼କ ତଳକୁ । ଖଣ୍ତେ ଦୂରରେ ହାଡ଼ି ପଧାନ ବିଲକାମ କରୁଚି ।

 

କିଏ ହାଡ଼ିଆଦା– ? ଯାଉଚି ଟିକେ କାଠିଆପଡ଼ା । କେଉଁ କାଳରୁ ବୁଲୀନାନୀ ଘରକୁ ଯାଇନାହିଁ, ଖବର ଉପରେ ଖବର କେତେ ଦେଲାଣି, ଟିକିଏ ହେଲେ ତଅର ମିଳୁନାହିଁ ଯିବାକୁ । ଆଜି ଧନ୍ଦା କିଛି ନଥିବାରୁ ସଅଳ ଯାଉଚି ଆରବେଳା ଫେରିବି ।

 

ହାଡ଼ି ପଧାନ–ଆରେ ବଳି, ଭଉଣୀ ଘରଟାକୁ ଯାଉଛୁ–ଲୁଗା କାନିରେ ଗଣ୍ଠି ନାହିଁ, କଣ କହିବେ ?

 

ବଳିଆ–କଣ କରିବି ଦାଦା ? ଆଜିକାଲି କଣ ମିଳୁଛି ଯେ ନେବି । ବୋଉତ ବୋଉ । ଦିଇନି ପରଘର ପାଇଟି କରି ଦିନ ଯାଉଛି । ତଥାପି ନିଅଣ୍ଟ । ମାଆ ପୁଅ ବୋଲି ପେଟ ଦି’ଟା । ଦେଖୁଛ ତ ଦାଦା, ଜିନିଷପାତି କିପରି ମହଙ୍ଗା–ଟଙ୍କାରେ ଧାନ ଚାରିସେର । ଲୁଗାଖଣ୍ଡେ ପିନ୍ଧିବାକୁ ମିଳୁନାହିଁ । କେମିତି ଚଳିବାକୁ ହେବ ବୁଦ୍ଧି ଦିଶୁନାହିଁ । କଣ ଅଛି ଯେ କାନ୍ଧରେ ଯାଉଁଳି କରି ଭଉଣୀ ଘରକୁ ନେଇଯିବି ?

 

ହାଡ଼ିପଧାନ–ହଁ ରେ ପୁଅ, ସେହି ଅଭାବ ପ୍ରେତ ତ ସମସ୍ତଙ୍କୁ ଗ୍ରାସିଛି । ଯୁଆଡ଼େ ଅନା ସିଆଡ଼େ ଖାଲି ଅଭାବ । ତୋତେ କଣ ଏକଲା ପଡ଼ିଛି କିରେ ? ସାରା ଦେଶଟା ଯାକ ଅଭାବ । ହଉ ଯା–ଯା ଆରବେଳା । ପରା ଫେରି ଆସିବୁ ।

 

ହଁ ହାଡ଼ିଆ ଦା–ଆରବେଳା ଫେରି ଆସିବି । ବଳିଆ ସଡ଼କେ ସଡ଼କେ ସିଧା ସଳଖ ଆଗକୁ ପାଦ ତାର ବଢ଼ାଇଲା । ହାଡ଼ିପଧାନ ପୁଣି କାମରେ ଲାଗିଲା । କୋଦାଳଟାରେ ଚୋଟେ ଚୋଟେ ପକାଇ ଘାସ ଗଛ ଗୁଡାକ ଝାଡ଼ି ହିଡ଼ ମୁଣ୍ଡକୁ ଫୋପାଡ଼ିବାରେ ଲାଗିଛି । ରାମ ସେଇବାଟେ ସଡ଼କ ଉପରେ ଚାଲିଛି–ତାର ତଳପାଟ ଜମି ହିଡ଼ ଗୁଡ଼ାକ ଭାଙ୍ଗି ଯାଇଛି, ମେଞ୍ଚାଏ ମେଞ୍ଚାଏ କାଦୁଅ ପକାଇ ଦେଇ ଆସିବ । କାନ୍ଧରେ କୋଦାଳଟା ପଡ଼ିଛି ।

 

“କି ରେ ରାମ କୁଆଡ଼େ ? ତଳପାଟ ଯିବୁକିରେ ? ହାଡ଼ି ପଧାନ ବିଲରୁ ଡାକ ଛାଡ଼ିଲା-।”

 

ରାମ–ହଁ ଅଜା ! ତଳପାଟକୁ ଯାଉଛି ।

 

ହାଡ଼ି ପଧାନ–ରାମ ଇଆଡ଼େ ଟିକେ ଆ ।

 

ରାମ–ନାହିଁ ଅଜା ଡେରି ହୋଇ ଯାଉଛି, କେତେବେଳେ ଆଉ କାମ କରିବି ?

 

ହାଡ଼ି ପଧାନ–ହଉ, ଟିକେ ଶୁଣି ଯା–କାମ କରିବୁ ତ, ଦିନ କଣ ପଳାଇ ଯାଉଛି ।

 

ରାମ ମୁହଁରେ ହସ ଫୁଟାଇ କହିଲା, ‘‘ହଁ ଅଜା, ସେଇଥି ପାଇଁ ପରା କେହି ନ ଉଠୁଣୁ ତମେ ଆସି ବିଲରେ । ଦିନ ପଳାଇ ଯାଉନି–ରହୁଛି ? କଣ କହୁଛ କୁହ ?” ରାମ ସଡ଼କ ଭାଙ୍ଗି ହାଡ଼ିପଧାନ କିଆରୀ ପାଖରେ ଆସି ଠିଆହେଲା ।

 

ହାଡ଼ିପଧାନ–କଣ ଆଉ କହିବି ରେ ରାମ ? ତୁ କଣ ସବୁ ଜାଣୁ ନା । ଖୁଡ଼ିଟା ତୋର କି ହିନସ୍ତା ହେଉଛି । ଦି’ହାତରେ ବାତ । ଏହି ଛୋଟ ଝିଅଟାକୁ ନେଇ ଅଲଣା ଦରଶିଝା ନିଜେ ଶିଝାଇ ଖାଉଛି । ଦେଖିଲୁ ତ–ମୋ ପରା ବ୍ୟକ୍ତି, କଣ କରୁ ନଥିଲା । ଆଉ ଆଜି.... ।

 

“ହଁ, ଅଜା–ଯେତେବେଳେ ଯାହା ଘଟୁଟି ।” ମଣିଷ ହାତରେ କଣ ଅଛି ? ମୁଁ ଅଙ୍ଗେ ନିଭେଇଚି । ଦେଖିଲତ ଏକା ସାଙ୍ଗରେ ଗଛ କାଟିଲା ପରି ମାଆ ବାପ ଚାଲିଗଲେ ବଇଆରରେ ମୁଁ ସେତେବେଳେ ଛୁଆ–କେତେ ହିନସ୍ତାରେ ଦିନ କାଟିଚି । ଭଉଣୀ ଭିଣୋଇଙ୍କ ଘରକୁ ଗଲି, ସେ ପଚାରିଲେ ନାହିଁ । ପର ଦେଖି ଆହା କଲେ ।

 

ହାଡ଼ିପଧାନ–ପରଠାରୁ ଆଶା ଆଶ୍ୱାସନା ମିଳେରେ, ପରଠାରୁ ଆଶା ଆଶ୍ୱାସନା ମିଳେ । ଆପଣା ହୁଏ ପର । ଏହି ଦୁନିଆର ନୀତି ।

 

ରାମ–ଅଜିତ ଦେଖୁଛ ଅଜା ! ମୁଁ ତ ଅଛି, ମୋରି ହାତକୁ କେତେଲୋକ ଅନାଇଁଛନ୍ତି । ସେହି ଭଉଣୀ ଭିଣୋଇ ଆଜି ଖୋଜା ଲୋଡ଼ା କରିବାକୁ ଧାଇଁଛନ୍ତି । ବିପଦବେଳେ କେହି ମୁହଁ ଦେଖେଇବେନି–ସମ୍ପଦରେ ସମସ୍ତେ କହିବେ ଆପଣାର । କଥା କହୁଁ କହୁଁ ରାମ ଆଖି ଲୁହରେ ଭରିଗଲା । ରାମ ମୁହଁକୁ ଅନାଇଁ ହାଡ଼ିପଧାନ କହିଲେ–“ଏ କ’ଣ ରାମ, ତୁ କାନ୍ଦୁଛୁ ?” ପାଗଳଟା କି’ରେ ? ତୋର ଆଉ ଚିନ୍ତା କେଉଁଥିରେ ? ଭଗବାନ କଲେ ହେଇ କାଲି ତୋର ଦୁଃଖ ଯିବ । ଆଜି ହାତକୁ ଦି’ହାତ ହୋଇନୁ–ସେଇ ସେତକ ବଢ଼ିଗଲେ ତୁ ତ ନିଦକ ।

 

“ହଁ ଅଜା–ସେଇ ସେତକ କାମପାଇଁ ମୋର ଭାବନା ।” ହେଲେ... । ଦେଖୁଛ ତ ! ଶାଗ ଖିଆକୁ ପେଜଖିଆ ଦେଖି ପାରୁନି । ତମରି କଥାରୁ ତମେ ବୁଝୁନା ? ଶମ୍ଭୁମିଶ୍ର ଗାଁର ବଡ଼ଲୋକ, ଅନ୍ୟାୟଟାରେ କଣ କଲା ?

 

“ହଁ ରେ ରାମ, ଅନ୍ୟାୟ ନୁହେଁତ ଆଉ କଣ ?” ଟଙ୍କା ବଳରେ ମଣିଷକୁ ପୋକ ମାଛିପରି ମନେ କରନ୍ତି । ତାଙ୍କ କଥା ଆଉ କହନା ।

 

ଡେରି ହେଲାଣି ଅଜା, ତୁମେ କାମରେ ଲାଗ ମୁଁ ଯାଉଚି । ରାମ ତର ତର ହୋଇ ତା’ର ବିଲକୁ ଚାଲିଗଲା ।

 

ହାଡ଼ିପଧାନ ବିଲକାମ ସାରି, ଝିଅ ବାଲୁରୀକି ଡାକିଲା–‘‘ମାଅ ବାଲୁ, ଚାଲ୍ ଘରକୁ ଯିବା ।”

 

ବାଲୁରୀ ଶାଗ ପାଚିଆଟା ହାତରେ ଧରି ସଡ଼କ ଉପରକୁ ଉଠି ଆସିଲା । ବାପ ଝିଅ ଦୁହେଁ ଘରଆଡ଼େ ଆଗେଇ ଚାଲିଲେ ।

 

ପାଟ ବିଲରୁ ହଳୁଆ ଟକଳ ଫୁଟାଇ ପ୍ରାଣ ମତାଣିଆ ସଙ୍ଗୀତର ଧାରା ଛୁଟାଇ ଦେଲା–‘‘ରାମଲଇକ୍ଷଣରେ ଗଲେ ମୃଗମାରି...ଇ ।”

 

ଛଅ

 

ମିଶ୍ରଙ୍କ ବଙ୍ଗଳାଘର ଲୋକ ଗହଳିରେ ଭରିଯାଇଛି । ପାଖ ଆଖ ଗାଁରୁ ଭଦ୍ରଲୋକମାନେ ଆସିଛନ୍ତି । ନାନାଆଡ଼ୁ ନାନା ଆଲୋଚନା ଚାଲିଛି । ମିଶ୍ରେ ଗୋଟାଏ ପାଖକୁ ବସିଛନ୍ତି । ହାଡ଼ି ପଧାନ ଦରଜା ସାମ୍ନାରେ ବସିଛି । ଦୀନବନ୍ଧ ରାଉତରା ପାଖ ଗାଁର ମୁଖିଆ ଲୋକ । ପାଞ୍ଚଲୋକେ ମାନନ୍ତି, ପଇସା ଅଛି, ନାଆଁ ଅଛି ହାଡ଼ିଆକୁ ପଚାରିଲେ, ‘‘ମିଶ୍ରଙ୍କର ଖଜଣା କେତେଟଙ୍କା ଦେଇଦେ । କୋର୍ଟ କଚେରୀକୁ ଯାଇ କାହିଁକି ଟଙ୍କା ଗୁଡ଼ାକ ମିଛେ ମିଛେ ପାଣିକି ଫିଙ୍ଗୁଛୁ ? ମେଣ୍ଟାଇ ଦିଏ ଅଡ଼ୁଆଟା ।”

 

ସାଆନ୍ତେ ମୁଁ କଣ ନାହିଁ କରୁଚି ? ମେଣ୍ଟାଇ ଦେବାପାଇଁ । ଗରିବ ମୁଣ୍ଡ ଟଙ୍କା କାହୁଁ ପାଇବି ମାମଲା କରିବି ?

 

ଦୀନବନ୍ଧୁ ରାଉତରା ଗୁମ୍ ମାରି ମିଶ୍ରଙ୍କୁ କହିଲେ, ‘‘ହାଡ଼ିପଧାନ ମେଣ୍ଟାଇ ଦେବାକୁ କହୁଚି । କଣ କହୁଛ କୁହନି ମିଶ୍ରେ ?”

 

ମିଶ୍ରେ, ମୁଁ କଣ ଅମତ ହେଉଛି ମେଣ୍ଟାଇବାକୁ । ତେବେ ମୋର ଖଜଣା ବିଷୟଟା କଣ ହେବ ?

 

ଦୀନବନ୍ଧୁ ରାଉତରା ଆଉ ମୁଖିଆ ଲୋକମାନଙ୍କ ସହିତ ଆଲୋଚନା କରି ବସିଲେ ।

 

ବିଚାରରେ ସାବ୍ୟସ୍ତ ହେଲା, ଶମ୍ଭୁମିଶ୍ରେ ହାଡ଼ିପଧାନ ନାମରୁ ମୋକଦ୍ଦମାଟା ଉଠାଇ ଆଣିବେ । ହାଡ଼ିପଧାନ ଯେମିତି ଜମି ତା’ର ଚାଷ କରୁଛି, ସେମିତି କରିବ । ମିଶ୍ରଙ୍କର ଦଶବର୍ଷର ଖଜଣା ଦାବୀ ପରିବର୍ତ୍ତେ ଚାରିବର୍ଷ ଖଜଣା ହାଡ଼ିପଧାନକୁ ଦେବାକୁ ପଡ଼ିବ । ଉଭୟଙ୍କୁ ପଚରାଗଲା– ।

 

ବିନା ଆପତ୍ତିରେ ଉଭୟେ ସମ୍ମତି ଦେଲେ ।

 

ମିଶ୍ରେ ତହିଁଆରଦିନ କୋର୍ଟକୁ ଯାଇ ମୋକଦ୍ଦମାଟା ରଫା କରିଦେଲେ । ମିଶ୍ରଙ୍କ ମୁଣ୍ଡରୁ ଗୋଟାଏ ମସ୍ତବଡ଼ ବୋଝ ଓହ୍ଳାଇଲା । ସ୍ୱସ୍ତିର ନିଃଶ୍ୱାସ ପକାଇଲେ ମିଶ୍ରେ ।

 

ଲବଙ୍ଗଲତା ନାକ ଛିଞ୍ଚାଡ଼ିଲେ–ମିଶ୍ରଙ୍କୁ ଗାଳି ଗୁଲଜ କଲେ । ମୁଁ ପ୍ରଥମରୁ କହୁଛି କୋର୍ଟ କଚେରୀ ଦୁଆରକୁ ଯାଅନା । ଟଙ୍କା ପଇସା ପରକୁ ଖୁଆଅନା । ଶେଷରେ କଣ ହେଲା ?

 

ଆରେ ହେବ ଗୋଟେ କଣ ? ମୁଁ କେବଳ ବିନୋଦର ଏକଜିଦିଆ ଢଙ୍ଗ ପାଇଁ ମୋକଦ୍ଦମାଟା ରଫା କରିଦେଲି ସିନା ନଚେତ୍ ମୋର କଣ ମନଥିଲା ? ଦେଖିଥାନ୍ତି ହାଡ଼ିଆର କେତେ ପିତ୍ତ ।

 

ଥାଉ ତମର ପୁରୁଷ ପଣ । ଏଇଆ ଜାଣ ନା ଆଉ କିଛି । ମୁହଁଟାକୁ ଫଣ ଫଣ କରି ଲବଙ୍ଗଲତା ଚାଲିଗଲେ ଆର ଘରକୁ ।

 

ସାନଖଞ୍ଜା ମାଟୁ ଘରଟା । ସେ ଘରେ ମିଶ୍ରଙ୍କର ଆସବାବପତ୍ର ରହେ । ପୁରୁଣା ପଲଙ୍କ ଖଣ୍ଡେ ପଡ଼ିଛି । କେଉଁ କାଳରୁ ପୁରୁଣା ତସ୍‍ପୀରି ଦି’ ଚାରିଟା କାନ୍ଥରେ ଟଙ୍ଗା ହୋଇଛି । ସେଥିରେ ବଲୁରୀବସା ଗୁଡ଼ାକ ଓହଳିଛି । ନୟନା ଗୋଟି ଗୋଟି କରି ତସ୍‍ପୀରି ଗୁଡ଼ାକ ହାତରେ ଧରି ଝାଡ଼ଣରେ ଝାଡ଼ୁଛି । ତା ପାଖକୁ ଲାଗି ଛିଡ଼ା ହୋଇଛି ମିଶ୍ରଙ୍କର ଟହଲକରା ଚାକରାଣୀ ରଙ୍ଗ-। ରଙ୍ଗର ବୟସ ତିରିଶ ସେପଟ । ତାକୁ ଯେତେବେଳେ ଅଠର ବର୍ଷ, ସେତେବେଳେ ତାର ଗେରସ୍ତ ପୁଅ ମରିଛି । ମରିନାହିଁ ଯେ–ରଙ୍ଗ ଉପରେ ଦୁନିଆ ଗୋଟାକର ବୋଝ ଲଦି ଦେଇ ଯାଇଚି । ପେଟ ଗଣ୍ଡାକ ପାଇଁ ସେ ପରଘରେ ଖିଜିମତ୍ ନକଲେ ଚଳୁନି ।

 

ଲବଙ୍ଗଲତା ଘର ଭିତରକୁ ପଶି ଆସିଲେ– ।

 

‘‘କି ଲୋ ନୟନା ! କଣ ଦିନସାରା ଝାଡ଼ୁଥିବୁ ଏଇ ଘରଟାକୁ ? ଚଞ୍ଚଳ ଆସିଲୁ ଖମାର ଘରକୁ ।

 

ମଲା ମ– ! ଏଟା ଏଠି ଠିଆ ଠାକୁରାଣୀ ହେଇଚି କାହିଁକି ? ରଙ୍ଗ–ଏ ରଙ୍ଗ ।

 

ରଙ୍ଗ ତର ତର ହୋଇ ଲବଙ୍ଗଲତା ପଛରେ ଯାଉଁ ଯାଉଁ ଜବାବ ଦେଲା–‘‘କଅଣ ।’’

 

ଆସିବୁତି ଲୋ ଚଞ୍ଚଳ ।

 

‘‘ଲୋ କନକ, କନକ !”

 

କନକ ଘର ଭିତରୁ ବାହାରି ଆସିଲା । ହାତରେ ତା’ର ଆଲୁମିନିୟମର ଖଣ୍ଡେ ଛୋଟ ସୁଟ୍ କେଶ–ନୂଆ ଡିଜାଇନ୍‍ରେ ତିଆରି । ସେଇଟିକୁ ବିନୋଦ କଟକରୁ ଆଣିଥିଲା । କନକ ସେଇଥିରେ ବହିପତ୍ର ରଖି ସ୍କୁଲକୁ ବାହାରି ପଡ଼ିଚି ।

 

ନେଇ ଯିବୁତି ଲୋ ରଙ୍ଗ, କନକକୁ ସ୍କୁଲରେ ଛାଡ଼ିଦେଇ ଆସିବୁ ।

 

ରଙ୍ଗ କନକ ହାତରୁ ଆଲୁମିନିୟମର ଛୋଟ ସୁଟ୍ କେଶଟା ନେଇ କନକକୁ କାଖରେ ବସାଇ ସ୍କୁଲଆଡ଼େ ଚାଲିଗଲା ।

 

ନୟନା କେତେବେଳୁ ଲବଙ୍ଗଲତାଙ୍କ ପଛଆଡ଼େ ଛିଡ଼ା ହୋଇଛି, ତାଙ୍କର ନଜର ନାହିଁ ।

 

ମିଶ୍ରେ ଘର ଭିତରେ ଚମଡ଼ା ସୁଟକେଶଟା ଖୋଲି କଣ କାଗଜ ପତ୍ର ଖେଳାଇବାରେ ଲାଗିଛନ୍ତି । ବାରି ଦରଜା ସାମ୍ନାରେ ରଥିଆ ମାଆ ଧୋବଣୀଟା ମସିଆ ଲୁଗା ନେବାପାଇଁ ଠିଆ ହୋଇଛି । ଦାଣ୍ଡ ଦରଜା କଡ଼କୁ ନକ୍ଷୀ ଗୋଖଣୀଟା ମାଛ ଶିଇରାଟା ଧରି ସାଆନ୍ତାଣୀ ମାଛନେବ–ମାଛ; ଡାକିବାରେ ଲାଗିଛି । ମିଶ୍ରେ ବଡ଼ ମାଛଭକ୍ତ । ଏଣୁ ଗୋଖଣୀଟା ଜାଣେ ଏଠାରେ ସବୁ ମାଛତକ ଏକାଥରେ କଟିଯିବ । ସେ କାହିଁକି ଆ’ ତା’ ଦୁଆରେ ଧାରଣା ଦେଇ ଠିଆ ହୋଇ ଖୋସାମତ୍ କରିବ । ହଠାତ୍ ଦାଣ୍ଡ ଦୁଆରେ ସାଇକେଲଟାର ଘଣ୍ଟି ବାଜିଲା ଟ୍ରିଂ-ଟ୍ରିଂ-ଟ୍ରିଂ । ମିଶ୍ରେ ସୁଟକେଶଟା ବନ୍ଦ କରିଦେଲେ । ଲବଙ୍ଗଲତା ଘରଭିତରେ କଣ କରୁଥିଲେ, ଆଡ଼ ଉହାଡ଼କୁ ଚାଲିଗଲେ ।

 

ବାହାରୁ ପୋଷ୍ଟ ପିଅନ ଡାକିଲା–ଆଜ୍ଞା ଟଙ୍କା ଆସିଛି ନିଅନ୍ତୁ । ମିଶ୍ରେ ଘରଭିତରୁ ବାହାରି ଆସିଲେ ଦାଣ୍ଡ ଦରଜା ପାଖକୁ ।

 

ମିଶ୍ରଙ୍କୁ ଦେଖି, ପିଅନ ବ୍ୟାଗ ଭିତରୁ ପୁଳାଏ ମନିଅର୍ଡ଼ର ଫର୍ମ ବାହାର କରି ପକାଇଲା-

 

ମିଶ୍ରେ କହିଲେ, ସାଇକେଲଟା ପିଣ୍ଡା କଡ଼କୁ ଡେରିଦିଅ ।

 

ପିଅନ ସାଇକେଲଟା ପିଣ୍ଡା କଡ଼କୁ ରଖୁ ରଖୁ ମିଶ୍ରଙ୍କ ହାତକୁ ମନିଅଡ଼ର ଫର୍ମ ଖଣ୍ତିକ ବଢ଼ାଇ ଦେଲା ।

 

ମିଶ୍ରେ ଫର୍ମ ଉପରେ ଥରେ ଆଖି ପକାଇ ନେଲେ । ଦୁଇଶହ ଟଙ୍କା ଗୋବର୍ଦ୍ଧନ ରାଉତ ମାଲୟରୁ ପଠାଇଛି । କେବେ ସେ ସିଂଗାପୁର ଯାଇଥିଲା, ବାଟଖର୍ଚ୍ଚ ନିଅଣ୍ଟ ପଡ଼ିବାରୁ ମିଶ୍ରଙ୍କୁ ହ୍ୟାଣ୍ଡଲୋଟ ଖଣ୍ଡେ ଲେଖିଦେଇ ଦୁଇଶହ ଟଙ୍କା କରଜ ନେଇଥିଲା । ଦି’ବରଷ ହୋଇଗଲାଣି । ଆଜି ସେ ଟଙ୍କା ପଠାଇଛି ।

 

ମିଶ୍ରେ ଫର୍ମରେ ସଇ କରିଦେଲେ । ପୋଷ୍ଟପିଅନ ମିଶ୍ରଙ୍କ ହାତକୁ ଦୁଇଶହ ଟଙ୍କା ଗଣି ବଢ଼ାଇ ଦେଲା ।

 

ମିଶ୍ରେ ଆଉଥରେ ଟଙ୍କା ଗଣି କହିଲେ, “ଠିକ୍ ଅଛି ।” ପୋଷ୍ଟପିଅନ ସାଇକେଲଟା ଚଢ଼ି ଚାଲିଗଲା ।

 

ଲବଙ୍ଗଲତା ପଚାରିଲେ, ‘‘କିଏ ଟଙ୍କା ପଠାଇଛି କି ?”

 

ସେହି ମ–ତାତନାର ଗୋବର୍ଦ୍ଧନ । ସିଂଗାପୁର ଯିବାକୁ ଟଙ୍କା ଅଭାବ ପଡ଼ିଲାରୁ ହ୍ୟାଣ୍ଡଲୋଟ ଲେଖିଦେଇ ଟଙ୍କା ଦୁଇଶହ ନେଇ ନଥିଲା ? ସେହି ଟଙ୍କା ପଠାଇଛି ।

 

ଓଃ, ଏତେଦିନେ ତା’ର ଟଙ୍କା ଦେବାକୁ ମନେପଡ଼ିଲା ! କାମ ମେଣ୍ଟିଗଲେ କାଶିଆ କିଏ–କପିଳା କିଏ ? ଏହି ତ ଲୋକଙ୍କର ଢଙ୍ଗ । କୁହନି ଭଲା, ତମେ କଣ ଶୁଣି ନଥିବ ? ଘରକୁ ତାର କେତେଥର ଟଙ୍କା ପଠାଇଲାଣି ।

 

ମିଶ୍ରେ କହିଲେ, ‘‘ସବୁ ଜାଣେ ଲବଙ୍ଗଲତା । ଲୋକଙ୍କର ଅଭାବ ଅସୁବିଧା ତ ଅଛି । ଛାଡ଼– ।

 

କଣ ମ ଛାଡ଼ି । ସବୁ କଥା ଗୁଡ଼ାକ ତମେ ଏମିତି ଉଡ଼ାଇ ଦେଉଛ ।

 

ନା ନା–ତମେ ଯମା ବୁଝନା କଥାଟା ଲବଙ୍ଗଲତା ।

 

ହଉ–ନ ବୁଝିଲି ନାହିଁ । ତମେ କଣ ବୁଝୁଛ ବୁଝ । ମୁହଁ ଫଣ ଫଣ କରି ଲବଙ୍ଗଲତା ଦାଣ୍ତ ଆଡ଼କୁ ଚାଲିଗଲେ । ଗୋଖଣୀକି ଦେଖି ଲବଙ୍ଗଲତା କହିଲେ, “ମଲା ଏଟା ସେଇ ବେଳରୁ ଏଠି ବସି ରହିଚି । ଦେଖି କି ମାଛ ଆଣିଛୁ ?”

 

ଗୋଖଣୀ ମାଛ ସି’ରାଟାରୁ କନାଟା କାଢ଼ି ପକାଇ କହିଲା, “ହେଇ ଦେଖୁନା ସାଆନ୍ତାଣୀ । ଜୀଅନ୍ତା ମାଛ ଛଟ ଛଟ ହେଉଛନ୍ତି । ଖାଲି ତମରି ଘରପାଇଁ ଆଣିଚି ।”

 

ହଁ ଲୋ ହଁ, ଆମରି ଘରପାଇଁ ଆଣିଛୁ, ବେଶ୍ କରିଛୁ । କେତେ ଦାମ ହେଲା କହିଲୁ ?

 

ସାଆନ୍ତାଣୀ, ଦାମ୍ ଆଉ କଣ କହିବି ? ଘରେ ଭାତ ନାହିଁ; ଧାନ ଟଙ୍କାଟିର ଦେବ ।

 

ହଉ– । ଲବଙ୍ଗଲତା ମାଛ ପାଚିଆଟା ନୟନା ହାତକୁ ବଢ଼ାଇ ଦେଲେ । ନୟନା ମାଛ ପାଚିଆଟା ରଖୁ ରଖୁ ଡାକିଲା ରଙ୍ଗ ଲୋ ରଙ୍ଗ । ଏହି ତଳ ଖଞ୍ଜାରେ ମାଛ ପାଚିଆଟା ରହିଲା, ବନାଇ ଦେବୁ । ବାରିଦୁଆରୁ ରଥିଆ ମା’ ଡାକ ଛାଡ଼ିଲା–ସାଆନ୍ତାଣୀ ମୋତେ ଡେରି ହେଉଚି, ଲୁଗା କଣ ଅଛି ଦେଇଦିଅ ।

 

ନୟନା ମଇଳା ଲୁଗା କେତେଖଣ୍ତ ରଥିଆ ମାଆ ପାଖକୁ ପକାଇ ଦେଇ କହିଲା, ‘‘ନେଇ ଯା ।”

 

ସାତ

 

ସଞ୍ଜବେଳ ଗଡ଼ି ଗଲାଣି, ରୂପା ଥାଳି ପରି ଆକାଶରେ ପୂର୍ଣ୍ଣିମା ଜହ୍ନଟା ହସି ଉଠୁଛି । ସାଇ ଅଗଣାରେ ମାଡ଼ିଛି କେତେଟା ଜହ୍ନିଲଟା । ନେନ୍ଥି ନେନ୍ଥି ବଡ଼ ଛୋଟ ହୋଇ ଫଳିଛି ତହିଁରେ ଅସୁମାରି ଫଳ । ନୟନା ଅଗଣାରେ ବସିଛି । ବସିନାହିଁ ଯେ, ବସି ବସି ତା ଜୀବନରେ ସ୍ୱପ୍ନ ଦେଖୁଛି । ଜୀବନ୍ତ ସ୍ୱପ୍ନ । ବୟସର ରଙ୍ଗିନ୍ ଛାୟା–ତାକୁ ଆଜି ବିଭୋର କରିଛି । ହର୍ଷ–ବିଷାଦର ଝାପ୍‍ସା ଆଲୋକ ପ୍ରାଣରେ ତା’ର ଆଶାର ଢେଉ ଖେଳାଇଚି । ପ୍ରତିକ୍ଷଣରେ ତା’ ଜୀବନରେ ଆସୁଛି ଗୋଟାଏ ପରିବର୍ତ୍ତନର ତୁମୂଳ ଝଡ଼ । ଥଳକୂଳ ପାଉନାହିଁ–ଦିଗହରା ହୋଇ ସେ ଖୋଜୁଛି କେଉଁଠି ତାର ପଥ ?

 

ସ୍ୱପ୍ନ ତାର ଭାଙ୍ଗି ଯାଉଛି ବାସ୍ତବରେ ପହଞ୍ଚି ଦେଖୁଚି, ମିଶ୍ରଙ୍କର ଆଟୁଘର । ସୁନା ରୂପା ଜିନିଷପାତି । ଯାହାକୁ ନେଇ ସେ ଦିନ ରାତି ଘାଣ୍ଟି ଚକଟି ହୁଏ । ପରହୋଇ ଆପଣାର ଭଳି କାମ କରେ । ସକାଳ ଯାଇ ସଞ୍ଜ ବିତେ ।

 

ଜଗୁଆ ବୟସର ପରିପକ୍ୱତାରେ ସବୁ ହରାଇଲାଣି । ଦୁନିଆଁର ମୋହ–ମାୟା ଛାଡ଼ି ଯାଇଚି ତାର । ଛିଡ଼ି ପାରିନି କେବଳ ନୟନାଟି ପାଖରୁ । ଆପଣାର ଝିଅବୋଲି ପ୍ରାଣଦେଇ ଭଲ ପାଇଚି ତାକୁ–ଖୁବ୍ ଭଲ ପାଇଚି । ଆଗକୁ ପଛକୁ ସେଇ ତାର ସବୁ । ସେ ବି ଦେଖୁଚି ନୟନାର ଭବିଷ୍ୟତ ସ୍ଵପ୍ନ । ଏହି ଭବିଷ୍ୟତ ସ୍ୱପ୍ନଦେଖି ମଣିଷ ଦୁର୍ଗମ ପଥ ଅତିକ୍ରମ କରେ । ମରୁଭୂମିରେ ଝରଣା ବୁଝାଏ । ସାମାନ୍ୟ କୁଟାଖଣ୍ଡେ ଧରି ନଦୀର ଅଥଳ ଭ ପାରହୁଏ ।

 

ଜଗୁଆର ସ୍ୱପ୍ନ ଭାଙ୍ଗି ଯାଉଚି–ମନର ଚଳନ୍ତା ପଥରେ ପଡ଼ି ଯାଉଚି ଗୋଟାଏ ବିରାଟ ବନ୍ଧ । ପ୍ରାଣ ତାର ବ୍ୟଥିତ ହେଉଚି । ଆଗରେ ଦେଖିବାକୁ ପାଉଚି ତାର ସେହି ଭଙ୍ଗା କୁଡ଼ିଆ ଖଣ୍ଡି–କେତେକ ଆସବାବ ପତ୍ର ।

 

ଘର ଭିତରକୁ ଜହ୍ନର ଝାପ୍‍ସା ଅଲୋକ ପଡ଼ିଚି । ଘରର ଗୋଟାଏ କଡ଼କୁ ବସିଚି ଜଗୁଆ । ତା ପାଖକୁ ଲାଗି ବସିଚି ହାଡ଼ିପଧାନ । କେତେଆଡ଼ୁ କେତେକଥା ଆଲୋଚନା ଚାଲିଚି । ଦୁଃଖ ସୁଖ ଚାଲିଚି । ମଝିରେ ମଝିରେ ହାଡ଼ିପଧାନ ଖେଁ ଖେଁ ହୋଇ କାଶୁଚି । କେଉଁକାଳରୁ ଧଇଁ କାଶଟା ନଥିଲା ପୁଣି ଦେଖା ଦେଇଚି ।

 

ଜଗୁଆ କହିଲା, “ଆଚ୍ଛା ! ହାଡ଼ି ତୋର ସେ ମୋକଦ୍ଦମାଟା ରଫା କରି ଦେଲୁତ ?” ସେଦିନ ମୁଁ ଶୁଣିଲି ତୁ କାଡ଼େ ଜିଦ୍ କରି ବସିଥିଲୁ ମୋକଦ୍ଦମା ରଫା କରିବୁ ନାହିଁ ।

 

ରାମ, ରାମ, ମୁଁ କାହିଁକି ସେ କଥା କହିବାକୁ ଯିବି ? ତମେ କଣ ବୁଝିନା ଜଗୁଆ ଭାଇ, ମିଶ୍ରଙ୍କ କଥା । ପାଞ୍ଚଜଣ ଭଦ୍ରଲୋକ ଆସି ଆଡ଼ୁଆଟା ଯେତେବେଳେ ମେଣ୍ଟାଇ ଦେଲେ–ମୁଁ କାହିଁକି ଆପତ୍ତି କରିବି । ଗରିବ ମୁଣ୍ଡ ମୋର, କାହିଁ ବଳ ? ମୋକଦ୍ଦମାରେ ଲଢ଼ିବି । ଖାଲି ଗୋଟାଏ ଜିଦ୍ ପାଇଁ ସିନା ଏମିତି ହେଲା ? ପର ପଇସା ଗୁଡ଼ାଏ ଖାଇଗଲେ ।

 

ହଁ ରେ ହାଡ଼ି, ଏ ଗୁଡ଼ାକ ଖାଲି ମୁତ୍‍ଫରକା କଥା । କିଛି କୁଆଡ଼ୁ ନ ଥିବ, ଏଣୁ ତେଣୁ କେତେକଣ ଯୁଟିଯିବ । ସବୁ ଦଶା କଥାରେ, ଦଶାକଥା ।

 

ହଁ ଭାଇ, ଦଶା ନୁହେଁତ ଆଉ–କ’ଣ ? ହେଇ ଦେଖିଲ ନା ଆମ ବାଲୁରୀ ବୋଉକୁ । ଶୂନେ ଶୂନେ ହାତ ଦି’ଟା ଫୁଲିଗଲା । ଭାବିଲି କାମଧନ୍ଦା କରି ଫୁଲିଫାଲି ଯାଇଚି । ଯେତେ ଯୁଆଡ଼ୁ ଓଷଦ ମୂଳିକା ଦେଲିଣି, ହାତ ଦିଟା ତାର ସେଇମିତି ଫୁଲି ରହିଚି । ଟିକିଏ ଭଲ ହେବାକୁ ନାହିଁ । ମାଗୁ ଅବଧାନ ଓଷଦ ଆଉ କାଟୁ କରୁନି । ଭାବିଚି ଏଇଥର ତାକୁ କଟକ ନେଇଯିବି । କଣ କହୁଚ କୁହନି ଜଗୁଆ ଭାଇ । କେତେ ମଣିଷ ଆଉ ହିନସ୍ତା ହେବ, ଝିଅଟା ମୋର ନଥିଲେ ମୋ ଅବସ୍ଥା କାଠିକରପାଠ ହୁଅନ୍ତାଣି । ଯେତେହେଲେ ସେ ତ ଛୁଆଟା । –କଣ ଆଉ କରିବ ? ଗଣ୍ଡେ ଫୁଟାଇ ଆମ ଦି’ଜଣଙ୍କ ପାଖରେ ଥୋଉଚି । ଈଶ୍ୱରଙ୍କୁ ଡାକୁଚି ବାଲୁରୀ ବୋଉଟି ମୋର ଭଲ ହୋଇ ଯାଆନ୍ତାକି ? କେଡ଼େ ସୁନ୍ଦର ଚେହେରା ତାର ଆସି କଣ୍ଟା ହେଲାଣି । ଜଗୁଆ ଭାଇ ! ଖୁଁ-ଖୁଁ-ଖୁଁ ।

 

ନୟନା, ମାଆ ଟିକେ ନିଆଁ ଦେଲୁ ପିଂକାଟା ଲଗାଏଁ । ହାଡ଼ି ପଧାନ କହିଲା ।

 

ନୟନା ସାଇ ଅଗଣାରେ ବସିଥିଲା । ଧଡ଼ପଡ଼ ହୋଇ ଉଠି ଚୁଲିରୁ ଖଣ୍ଡେ ନିଆଁ କାଢ଼ିନେଇ ହାଡ଼ିପଧାନକୁ ବଢ଼ାଇ ଦେଲା ।

 

ପିଂକାଟା ଲଗାଉ ଲଗାଉ, ହାଡ଼ିପଧାନ ଦି’ଥର କାଶିଦେଲା–ଖୁଁ-ଖୁଁ ଜଗୁଆ ଭାଇ–ମୋ ଦୁଃଖ କାହାଣୀ କଣ ତମକୁ କହିବି ? ଦୁଃଖୀର ଦୁଃଖ ସବୁଦିନେ । ଯାହା ଈଶ୍ୱର କରିବେ ।

 

ହଁ, ଯଗୁଆ ଭାଇ ! ନୟନାଟି କଥା କ’ଣ ବୁଝୁଛ ? ସେ କଣ ଏମିତି ମିଶ୍ରଙ୍କ ଘରେ ପାଇଟି କରି ବଅସ ସାରିବ ? କେତେବେଳେ କେଉଁକଥା–ବାଡ଼ୁଆ ଝିଅଟା କେଉଁଠି ଦେଖିଚାହିଁ ଦେଇଦିଅ । ଏମିତି ମୋତେ କାହିଁକି ଭଲ ଦେଖାଯାଉନି ।

 

ଜଗୁଆ ଗୁମ୍ ମାରି ବସି ରହିଲା । କିଛିକ୍ଷଣ ପରେ ଦୀର୍ଘନିଃଶ୍ୱାସ ପକାଇ କହିଲା, “ହଁ ରେ ହାଡ଼ି, ନୟନା କଥା ମୋର ଅଥୟ ହୋଇ ପଡ଼ିଚି ।” କଣ କରିବି ? କିଛି ବୁଝି ପାରୁନାହିଁ । ଦେଖୁ ଦେଖୁ ଦିନତ ଗଡ଼ି ଚାଲିଚି । ସେ ତ କାହାକୁ ଅପେକ୍ଷା କରୁନି । ଝିଅଟାର ଭବିଷ୍ୟତ ଚିନ୍ତାକରି ଥଳକୂଳ ପାଉନାହିଁ ମୁଁ । ହାତରେ ଧନଥିଲେ ଯାହାକିଛି କରନ୍ତି । ଆଚ୍ଛା ହାଡ଼ି, କେଉଁଠି ହେଲେ ତୁ ଗୋଟାଏ ବନ୍ଦୋବସ୍ତ କରି ଦିଏ ନା । ମୁଁ ଆସି ବୁଢ଼ାହେଲି । ଝିଅଟିକି ଏତେଦିନ ଧରି ବଢ଼ାଇ କୁଢ଼ାଇ ଆଣିଲି, ମୋ ଆଖି ଆଗରେ ସେହି ଗୋଟିଏ ବୋଲି ଦୀପ । ଝିଅ ଯେଉଁଠି, ମୁଁ ସେଇଠି । ଏମିତି ଗୋଟେ ପାତ୍ର ଠିକ୍ କର । ଯେମିତି ଝିଅଟି ମୋର ଭଲରେ ରହିବ ।

 

ଜଗୁଆ ଭାଇ ! ପାତ୍ର ଆଉ ବୁଝିବି କ’ଣ ? ରାମଟି ପାଇଁ କରୁନା ? ଖୁ-ଖୁଁ-ଖୁଁ ।

 

ଜଗୁଆ ଗୁମ୍ ମାରି କହିଲା, “ନୟନାଟି ରାମପାଇଁ ହେଲେ ଭଲ ହୁଅନ୍ତ । ।” ମୁଁ ଆଗରୁ ସେଇକଥା ମନେ ମନେ ଭାବୁଥିଲି । ହାଡ଼ି, ତୁ କଥା ବାହାନାରେ ରାମକୁ ଡାକି ପଚାରେ । ତାର ଏଥିରେ ମତ କଣ ।

 

ଖୁଁ, ଖୁଁ, ଏଇ ଗୋଟାଏ କଥା ରାମକୁ ପଚାରିବି । ଜଗୁଆ ଭାଇ, ତମେ ମୋତେ ଯବାବ ଦିଅ–ମୁଁ ରାମକଥା ଜାଣେ । ତାର ବନ୍ଦୋବସ୍ତ କରିବି ।

 

ହଉ–ତୋ ଉପରେ ଏ ଭାର୍‍ଟା ରହିଲା ।

 

ହାଡ଼ିପଧାନ ଘରକୁ ତାର ଚାଲିଗଲା । ନୟନା ସାଇ ଅଗଣାରେ ବସି ସବୁ ଶୁଣୁଥାଏ । ପ୍ରାଣ ତାର ନାଚିଉଠିଲା ଆନନ୍ଦରେ ଭାବି ସ୍ୱପ୍ନର ରଙ୍ଗିନ ପରଦା ଆଢ଼ୁଆଳରେ ସେ ଦେଖିଲା ସୁନାର ସଂସାରଟି ତାର ନୂଆହୋଇ ଗଢ଼ି ଉଠିଛି ।

 

ଆଠ

 

ପ୍ରାଣରେ ଲାଗିଛି ବାଧା–ସବୁ କଳ୍ପନା ଗୁଡ଼ାକ ପାଣି ଫୋଟକା ପରି କେଉଁଆଡ଼େ ଉଭେଇ ଯାଇଚି । ସନ୍ତପ୍ତ ହୋଇ ମଥାଟା ତଳକୁ ରଖି ଭାବୁଚି–କ’ଣ ବିନୋଦ । ନୂଆ ଉଦ୍ୟମ, ନୂଆ ଉତ୍ସାହ ଘେନି କେତେ କଣ ସେ କରିବାକୁ ବାହାରିଥିଲା, କିଛି କରି ପାରିଲା ନାହିଁ ।

 

କଟକରେ ଥିଲାବେଳେ ସେ ଗୋଟାଏ ଦରଖାସ୍ତ କରି ଦେଇଥିଲା ସେକ୍ରେଟେରୀଏଟକୁ । ହଠାତ୍ ଇଣ୍ଟରଭିୟୁ ଆସିଯାଇଚି । ତାକୁ ଗ୍ରାମଛାଡ଼ି ଯିବାକୁ ହେବ, ସହରରେ ରହିବାକୁ ପଡ଼ିବ ।

 

ଜୀବନର ଭବିଷ୍ୟତ କେତେ କଣ ଆଗରେ । ବି.ଏ. ସାର୍ଟିଫିକେଟ ପାଇଛି ଚାକିରିଟା ନିଶ୍ଚୟ ତାର ପ୍ରୟୋଜନ । ସେକ୍ରେଟେରୀଏଟ୍‍ରେ ସେ ଗୋଟାଏ ବଡ଼ ଅଫିସର ହେବ । ଆଗରେ ଆଶାର ଅସୀମ ପ୍ରେରଣା ମନକୁ ତାର ଅସ୍ଥିର କରୁଛି । କିଛି ସ୍ଥିରକରି ପାରୁନାହିଁ ସେ । ଖିଆପିଆ ଭୋକଶୋଷ ସବୁ ବନ୍ଦ ।

 

ଲବଙ୍ଗଲତା ଦେଖିଲେ ବିନୋଦ ବୈଠକ ଖାନାରେ ମୁହଁ ଶୁଖାଇ ବସିଛି । ମନରେ ଫୁର୍ତ୍ତି ନାହିଁ । ଯେତେହେଲେ ପୁଅ ମନକଥା ମାଆ ଜାଣେ । ଲବଙ୍ଗଲତା ପଚାରିଲେ, “‘ବିନୋଦ ! ତୋର କଣ ହୋଇଛି କି ? ଏମିତି ମୁହଁ ଶୁଖାଇ ବସିଛୁ ?”

 

କଥା ଲୁଚାଇବା ବାହାନାରେ ବିନୋଦ କହିଲା, “ଦେହଟା କାହିଁକି ଭଲ ଲାଗୁନି ।”

 

ଲବଙ୍ଗଲତା ଆଗରୁ ସବୁକଥା ଜାଣନ୍ତି । କହିଲେ, “କିରେ ତୁ କଣ ପାଗଳଟା କି ? ଆମର ଚାକିରୀ ଫାକିରୀ ଦର୍କାର ନାହିଁ । ଆମ ଘରେ ପର ଖଟି ଖାଉଛନ୍ତି, ଆମର କଣ ଅଭାବ ପଡ଼ୁଛିକି–ପେଟଚିନ୍ତା ତୋତେ ଏତେ ବାଧିଗଲା । କଟକକୁ ଚାକିରୀ କରି ଯିବୁ !

 

ବିନୋଦ ମଥା ହଲାଇ କହିଲା,–‘‘ନାହିଁ ମା–ମୋତେ କଟକ ନିଶ୍ଚୟ ଯିବାକୁ ପଡ଼ିବ ।”

 

ହାର୍ଦ୍ଦିକ ଇଚ୍ଛା ନ ଥିଲେହେଁ ବାପାଙ୍କର ତାଡ଼ନା ତାକୁ କଟକ ଯିବାକୁ ବାଧ୍ୟ କରୁଛି । ଏଣୁ ସେ ମାଆଙ୍କ ମତରେ ଏକମତ ହୋଇ ପାରୁନି ।

 

ପ୍ରାଣରେ ତାର ତୁମୂଳ ଝଡ଼ଝଞ୍ଜା । ନା–ତାକୁ କଟକ ଯିବାକୁହିଁ ପଡ଼ିବ । ଗୋଟାଏ ଜିଦ୍, ଗୋଟାଏ ମତ । ଲବଙ୍ଗଲତା ବୁଝିଲେ ଏସବୁ କାରଣ ମୂଳରେ କିଛି ନା କିଛି ରହସ୍ୟ ଅଛି, ଆଚ୍ଛା–ବିନୋଦ ! ଯଦି ତୁ କଟକ ଯିବାକୁ ଏତେ ଜିଦ୍ କରୁଛୁ, ଯାଆ–ମୋର ଆପତ୍ତି ନାହିଁ । ଏଇଛୁଣା ଚାଲ ଗଣ୍ଡେ ଖାଇଦେଇ ଆସିବୁ । ମୁହଁ ଶୁଖି କଳାକାଠ ପଡ଼ିଲାଣି, କେତେବେଳେ ଗଣ୍ଡେ ଖାଇଥିଲୁ । ଲବଙ୍ଗଲତା ରୋଷାଇ ଘର ଭିତରକୁ ଯାଇ ବିନୋଦର ଖାଇବା ପାଇଁ ଯୋଗାଡ଼ କଲେ ।

 

ବିନୋଦ ବୈଠକ ରୁମ୍‍ରୁ ଉଠିଯାଇ ଘରଆଡ଼କୁ ଚାଲିଗଲା ।

 

ରାତି ଦଶଟା–ଖଟ ଉପରେ ମିଶ୍ରେ ଶୋଇ ଶୋଇ କଣ ଗୁଡ଼ାଏ ଭାବୁଛନ୍ତି । ଚାକରାଣୀ ରଙ୍ଗ ମିଶ୍ରଙ୍କ ଶୋଇବା ଘରେ ଲଣ୍ଠନଟା ଥୋଇ ଦେଇ ଫେରି ଆସିଲା ଖଞ୍ଜା ଭିତରକୁ । ମିଶ୍ରଙ୍କ ପାଖକୁ ଲାଗି ଶୋଇଛି କନକ । ଲଣ୍ଠନଟା ମିଞ୍ଜି ମିଞ୍ଜି ହୋଇ ଜଳୁଛି ।

 

ଲବଙ୍ଗଲତା ଘର ଭିତରକୁ ପଶି ଆସିଲେ ହଠାତ୍ । ମିଶ୍ରେ ମୁହଁଟେକି ଚାହିଁ ଅଳ୍ପ ହସିଦେଲେ ।

 

ଲବଙ୍ଗଲତା କହିଲେ,”କଣ ଆଖିରେ ନିଦ ଆସୁନି ?”

 

ମିଶ୍ରେ ରସିକତା କରି କହିଲେ, “କେମିତି ନିଦ ହେବ, ତମେ ପରା ଆସିନା ।”

 

ମଲା ମ–ତମର ସବୁଦିନେ ଏଇ ପରିପରା କଥା ଗଲା ନାହିଁ । ହଉ ହଉ, ଏଣେ ଟିକେ କାନଦେଇ ଶୁଣ ।

 

କ’ଣ ଶୁଣିବି ।

 

ତମେ ବିନୋଦକୁ କିଛି କହିଛ କି ?

 

ନା ତ, ମୁଁ କିଛି କହିନାହିଁ ।

 

ମୁଁ ଦି’ଦିନ ହେଲା ଦେଖୁଛି ତାର ମନ ମେଜାଜ କାହିଁକି ବଦଳି ଯାଇଛି । ଆଜି ମୋ ପାଖରେ ସେ ଜିଦ୍ କରି ବସିଛି–କଟକକୁ କଣ ଗୋଟାର ଚାକିରୀ କରି ଯିବ । କି ଚାକିରୀ ସେ କରିବ ?

 

ତମେ ଏପରି କଥା କୁହନା ଲବଙ୍ଗଲତା । ବିନୋଦ ଲାଗି ମୋର ବହୁ ଟଙ୍କା ଖର୍ଚ୍ଚ ହୋଇଛି । ମୋ ପାରୁପର୍ଯ୍ୟନ୍ତ ତାକୁ ବି.ଏ. ପାସ୍ ଟା କରାଇଲି । ଏଣିକି ସେ ନିଜ ଧନ୍ଦା ନିଜେ ଦେଖୁ । ମୁଁ ତ ଆସି ବୁଢ଼ାହେଲି, ଚାକିରୀ ବାକିରୀ କରି ଦି’ପଇସା ରୋଜଗାର କରୁ । ଘରେ ବସି ଲାଭ କ’ଣ ?

 

ଘରେ ଜମି ବାଡ଼ିର ଖବର ଅନ୍ତର ବୁଝିଲେ କଣ ହୁଅନ୍ତା ନାହିଁ ? ପୁଅଟାକୁ ପାଠ ପଢ଼ାଇଛ ବୋଲି ତମର ଗୋଟାଏ ଜିଦ୍ ସେ ଚାକିରୀ କରୁ । ହଉ, କଣ କରୁଛ କର–ଲବଙ୍ଗଲତା ବିଛଣାରେ ଯାଇ ଶୋଇଲେ । ଲଣ୍ଠନର ଆଲୁଅଟା ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ମିଶ୍ରେ ଲଣ୍ଠନ୍‍ର ଆଲୁଅଟା ଲିଭାଇ ଦେଇ ଶୋଇପଡ଼ିଲେ, ଘଣ୍ଟାରେ ଟଂ ଟଂ ହୋଇ ବାରଟା ବାଜିଲା ।

 

ସକାଳ ହେଲାଣି । ବିନୋଦ ବିଛଣାରୁ ଉଠି ଆପଣା ନିତ୍ୟକର୍ମ ସାରି ଦେଲାଣି । ଲବଙ୍ଗଲତା ବିନୋଦର ଆବଶ୍ୟକୀୟ ଜିନିଷପତ୍ର ସଜାଡ଼ି ଦେବାରେ ଲାଗିଛନ୍ତି । ଚୁଡ଼ା, ଚାଉଳ, ଘିଅ ଇତ୍ୟାଦି.... ।

 

କଟକ ଯିବା ଖବର ପାଇ ବିନୋଦର କେତେ ବନ୍ଧୁ ବିଦାୟ ଦେବାକୁ ଆସୁଛନ୍ତି । ଏମାନଙ୍କୁ ଦେଖି ବିନୋଦ ପ୍ରାଣରେ କେତେ ଆଘାତ ଲାଗୁଛି । ଏଇମାନେ....

 

ଏଇମାନଙ୍କୁ ନେଇ ବିନୋଦ ଗ୍ରାମରେ ସେବାକେନ୍ଦ୍ର ଖୋଲିବାକୁ କଳ୍ପନା କରିଥିଲା । କଳ୍ପନାକୁ ରୂପରେଖ ଦେବାପାଇଁ କେତେ ସେ ଉଦ୍ୟମ ନ କରିଛି ? ସବୁ ଆଜି ତାର ବିଫଳ । ସବୁ ଆଜି ତାର ବ୍ୟର୍ଥ । କର୍ତ୍ତବ୍ୟର ଉତ୍ପୀଡ଼ନରେ ସେ ଆଜି ଗ୍ରାମ ଛାଡ଼ି ଦୂର ବିଦେଶକୁ ଚାଲିଯାଉଛି । ପଛରେ କେବଳ ପଡ଼ିରହିଛି ପ୍ରାଣଭରାବେଦନା । ଯେଉଁ ବେଦନା ଆଜି ତାର ଅନ୍ତର ପଟରେ ଅଲିଭା ଦାଗ ରଖିଛି ।

 

ସୁନାର ସୂର୍ଯ୍ୟ ଆକାଶଟାକୁ ଲୋହିତ କରି ଉଠିଲାଣି । ସମସ୍ତଙ୍କ ପ୍ରାଣରେ ନୂଆ ଦିନପାଇଁ ନୂଆର ଲହଡ଼ା ଢେଉ ମାରୁଛି । ନୂତନ ପ୍ରେରଣା, ନୂତନ ଉତ୍ସାହ ସମସ୍ତଙ୍କ ପ୍ରାଣରେ ଖେଳି ଗଲାଣି । ପୁଣି ଆପଣା ଆପଣା କାମରେ ଲାଗିପଡ଼ିବେ । ସକାଳ ଯାଇ ସଞ୍ଜ ହେବ । ଏଇଠି କର୍ମମୟ ଜୀବନର ଅବସାନ । ପୁଣି ସଞ୍ଜ ଯାଇ ସକାଳ ଆସିବ । କର୍ମମୟ ଜୀବନର ପୁଣି ଚାଲିବ ଖେଳ । ଶେଷ ତା’ର ନାହିଁ ।

 

କାଳେ କନକ ନିଦରୁ ଉଠିଲେ ଅଝଟ କରି କାନ୍ଦିବ, ସେଥିପାଇଁ ବିନୋଦ ଆଗରୁ ତରତର ହୋଇ ଘରୁ ବାହାରିପଡ଼ିଲା ।

 

ମିଶ୍ରେ ଆଗରୁ ମଟର ଷ୍ଟାଣ୍ଡକୁ ଚାଲି ଗଲେଣି । ଜଳିଆ ଟ୍ରଙ୍କ୍‍ଟା ଓ ବେଡ଼ିଂଟା ନେଇ ମିଶ୍ରଙ୍କ ସାଥିରେ ଚାଲି ଯାଇଛି । ଲବଙ୍ଗଲତା ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ ଚାଲ ଚାଲ ହୋଇ ବିନୋଦ ପଛରେ ଆସିଲେ । ବିନୋଦ ମାଆଙ୍କ ଠାରୁ ବିଦାୟ ନେଲା–ମୁଣ୍ଡ ପାଦତଳେ ଲଗାଇ । ଲବଙ୍ଗଲତା ଲୁହ ଛଳଛଳ ଆଖିରେ ବିନୋଦକୁ ବିଦାୟ ଦେଲେ ।

 

ଆଗକୁ ମୁହଁ କରି ବିନୋଦ ଚାଲିଛି । ଦୁଃଖରେ ଅନ୍ତର ତାର ଭାଙ୍ଗି ପଡୁଛି । ବିନୋଦର ଗତିପଥକୁ ଅନାଇଁ ରହିଛନ୍ତି ଲବଙ୍ଗଲତା । ଏକ ଧ୍ୟାନ, ଏକ ଲୟରେ । ଗାଁ ଶେଷ ଅଙ୍କାବଙ୍କା ରାସ୍ତାରେ ବିନୋଦ ଆଗେଇ ଚାଲିଛି । ଗତିପଥ ତାର ଅଦୃଶ୍ୟ ହୋଇ ଗଲାଣି । ଲବଙ୍ଗଲତା ଦୁଇ ଆଖିରୁ ଲୁହପୋଛି–ବ୍ୟଥିତ ପ୍ରାଣରେ ଘରକୁ ଫେରିଲେ ।

 

କନକ ନିଦରୁ ଉଠି କେତେ କାନ୍ଦିଲା–ବିନୋଦ ଭାଇକୁ ତାର କେତେ ଖୋଜିଲା । ଲବଙ୍ଗଲତା ନାନାଆଡ଼ୁ ନାନା କଥା କହି ବୋଧକଲେ ତାକୁ ।

 

ପୁନିଆଁ ମାଆଟା ଧାନ କୁଟୁଣୀ । ମିଶ୍ରଙ୍କର ଧାନ କୁଟେ । ସକାଳୁ ଆସି ଲବଙ୍ଗଲତାଙ୍କୁ ପଚାରୁଛି, “ସାଆନ୍ତାଣୀ ! ପୁଅ ଆଜି କଣ କଟକ ଗଲେ ?”

 

ଲବଙ୍ଗଲତା କହିଲେ, “ହଁ, ଆଜି କଟକ ଗଲା । ଚାକିରୀ କରିବ ।”

 

ଚାକିରୀ କଥା ଶୁଣି ପୁନିଆ ମା ନାକଟାକୁ କେମିତିକା କରିଦେଇ ମନେ ମନେ କହିଲା, ‘‘ଯାର ଯେତେ ଧନ, ତାର ତେତେ ଲୋଭ ।” ମିଶ୍ରଙ୍କର କ’ଣ ନାହିଁ ? ପୁଣି ପୁଅ କଟକରେ ଚାକିରୀ କରିବ ।

 

ରଙ୍ଗ ସେଘରୁ ଥାଇ ଡାକିଲା–‘‘ଆସିବୁତି ଲୋ ପୁନିଆ ମା”–ପୁନିଆ ମା ଢିଙ୍କିଘରକୁ ଚାଲିଗଲା ।

 

ଗାଧୁଆ ବେଳ । ଲବଙ୍ଗଲତା ବାସିକରା ଲୁଗା ଗୁଡ଼ାକ ବାକ୍‍ସରୁ କାଢ଼ି ଖରାରେ ଦେଉଛନ୍ତି । ମିଶ୍ରେ ପହଞ୍ଚିଲେ ।

 

ଲବଙ୍ଗଲତା ପଚାରିଲେ, “ବିନୋଦକୁ ଛାଡ଼ିଦେଇ ଆସିଲ ତ ?”

 

ହଁ, ଗାଡ଼ି ଚଢ଼ାଇ ଦେଇ ଆସିଲି ତାକୁ ।

 

କନକ ବାପା ପାଖରେ ଆସି ମିଠେଇ ପାଇଁ ଅଳିକଲା ।

 

ମିଶ୍ରେ ବ୍ୟାଗ୍‍ରୁ ଖିରିମୋହନ ଭାଣ୍ଡଟା ତା ହାତକୁ ବଢ଼ାଇ ଦେଲେ ।

 

କନକ ହସିଉଠିଲା ।

 

ନଅ

 

ଗାଁର ଆଖଡ଼ା ଘର-ନିତି ସଞ୍ଜ ହେଲେ ଛୁଆ ପିଲା, ବୁଢ଼ା, ଟୋକା ସଭିଙ୍କର ଆଡ଼ା ଲାଗେ । ସଞ୍ଜ ପହରୁ ଯାହାର ପାଳି ପଡ଼ିଥିବ, ସେ ବତୀ, ତେଲ, ଓସ୍ତାଦ୍ ସିଧା-ଚାଉଳ ସେରେ, କଖାରୁ ଖଣ୍ଡେ, ମୁଗ ଦି’ଟା, ଲଙ୍କା, ଲୁଣ, ତେଲ ଓ ହଳଦୀ ସବୁ ଆଣି ପହଞ୍ଚାଏ । ନିଜ ନିଜ ଭିତରେ ପାଳିକରି ଓସ୍ତାଦ୍‍କୁ ରାନ୍ଧି ଦିଅନ୍ତି । ଘରଟାରେ ଆଖଡ଼ା ଧମାଧମ୍ ଚାଲେ । ଏମିତି ମଉଜ ମଜ୍‍ଲିସ୍‍ରେ ଗାଁର ଲୋକେ ଦିନ କାଟନ୍ତି ।

 

ରାମର ଆଜି ପାଳି ପଡ଼ିଛି । ଓସ୍ତାଦ୍ ପାଇଁ ଚାଉଳ, ମୁଗ, ଲଙ୍କା, ଫୁଟଣ ସବୁ ଆଣି ରୋଷଘରେ ରାନ୍ଧଣା ଆରମ୍ଭ କରି ଦେଇଛି । ତରତର ହେଉଛି କେମିତି ସେ ରାନ୍ଧଣାଟା ସାରିଦେଇ ଆଖଡ଼ାରେ ଠିଆହେବ । ରାବଣ ବଧ ସୁଆଙ୍ଗରେ ରାବଣ ପାଟ ନେଇଛି ।

 

ଯତରା ମୋଟେ ଥାଏ ଆଉ ଦି’ଦିନ । ଗାଁରେ ଯାତ୍ରା ହେବ । ଗାଁ ଲୋକେ କେମିତି ଭଲ କହିବେ ସେଥିପାଇଁ ଭୋକ ଶୋଷ ଭୁଲି ସମସ୍ତେ ଲାଗି ପଡ଼ିଛନ୍ତି ।

 

ରାନ୍ଧଣା ସରିଗଲା–ରାମକୁ ଡାକରା ପଡ଼ିଲା । ଆଖଡ଼ାରେ ତାର ଅଭିନୟ ଦେଖିବାକୁ ସମସ୍ତେ ଚାହିଁ ରହିଥାନ୍ତି । ବାଜା ବାଜିଉଠିଲା–ରାମ ଆଖଡ଼ାରେ ଛିଡ଼ା ହେଲା । ତା’ ପାଟ୍ ଖୁବ୍‍ ଭଲ ହେଇଛି–ଓସ୍ତାଦ୍ କହିଲେ । ସମସ୍ତେ କହିଲେ ରାମ ଏଇଥର ମେଡ଼େଲ୍ ପାଇବ ।

 

ରାତି ଅଧ–ଆଖଡ଼ା ଭାଙ୍ଗିଲା, ସମସ୍ତେ ଘରକୁ ଫେରିଲେ । ଫୂର୍ତ୍ତି ଆନନ୍ଦ ସମସ୍ତଙ୍କ ମନରେ । ଆଉ ଦିନ ଦୁଇଦିନ ରହିଲା ଯାତରା ।

 

ହଇରେ ରାମ ! ଏତେ ରାତିଟାରେ କେଉଁଆଡ଼େ ଯାଇଥିଲୁ କି ? ଅଇଁଠା ହାତଟା ଧୋଉ ଧୋଉ ହାଡ଼ି ପଧାନ କହିଲା ।

 

କେଉଁଆଡ଼େ ଆଉ ଯିବି ଅଜା ? ହରିଛଡ଼ା କୀର୍ତ୍ତନ ଅଛି ? ଆଖଡ଼ାକୁ ଯାଇଥିଲି ।

 

ହାଡ଼ିପଧାନ–‘‘ତୋର ତ ଆଖଡ଼ା ସବୁଦିନେ । କାହିଁ ଦିନେତ ତୋ ଯାତରା ଦେଖାଇଲୁ ନାହିଁ ?”

 

କି ଯାତରା ଦେଖିବ ଅଜା ? ପିଲା ଛୁଆ ଗୁଡ଼ାକ, ଯେମିତି ଯାଣୁ ସେମିତି କରୁଛୁ । ତମ ମନକୁ କଣ ଯିବ ?

 

ହଇରେ ରାମ, ତୁ ଇଆଡ଼େ ଆସିଲୁ ?

 

ରାମ ହାଡ଼ିପଧାନ ପାଖକୁ ଗଲା– ।

 

ଆରେ ରାମ–ତୁ ଏଇ ଯାତରା ସୁଆଙ୍ଗରେ ମାତିଥିବୁ, ନା ମଣିଷ ହୋଇ ଘର ସଂସାର କରି ଥାଇତି ହେବୁ ?

 

ରାମ ତଳକୁ ମୁହଁ ପୋତି ଠିଆହୋଇ ରହିଲା ।

 

ଦେଖୁ ଦେଖୁ ତ ତିରିଶ ଧକା ବଅସ ଆସି ହେଲାଣି । ସେ ଚିନ୍ତା କଣ ମୁଣ୍ଡରେ ତୋର ପଶୁଚି ? ଖାଲି ଏଇମିତି ଆଖଡ଼ା କରି ବୁଲିଲେ କ’ଣ ହେବ ? ଦେଖ୍ ମୁଁ ପାତ୍ରୀଟିଏ ଠିକ୍ କରିଛି । ହାତକୁ ଦି’ହାତ ହେଇପଡ଼ । ବାପ ଅଜାଙ୍କ ନାମ ରହୁ । କ’ଣ କହୁଛୁ କହନି ?

 

“କ’ଣ ଆଉ କହିବି ଅଜା ? ତମ କଥାରେ ମୁଁ କଣ ନାରାଜ ଅଛି, ତମେ ଯାହା କରିବ-।”

 

ମୁରବୀ ପଣିଆ ଦେଖେଇ ହାଡ଼ିପଧାନ କହିଲା, ‘‘ରାମ, ହାତରେ କେତେଟଙ୍କା ରଖିଛୁରେ ?” ବାହାଘରଟା ତ ଖାଲି ହାତରେ ହେଇ ଯିବନି, ଟଙ୍କା ଦର୍କାର ।

 

ମୁରୁକି ମୁରୁକି ହସି ରାମ କହିଲା, “ନା ଅଜା, ଟଙ୍କା ପଇସା ହାତରେ ମୋର କାହିଁ ?” ଯାହାଥିଲା ସେ ସବୁ ସରିଗଲାଣି । ମୋଟେ ପଚାଶଟି ଅଛି ।

 

କିରେ, ପଚାଶ ଟଙ୍କାରେ କଣ ବାଆଘର ହେବ ? ଟଙ୍କା ପଇସା ହାତରେ ରଖ; ଆସନ୍ତା ଫଗୁଣରେ ବାଆଘରଟା କରିନେବା, ମୁଁ ଜଗୁଆ ଝିଅ ନୟନାଟି ପାଇଁ କଥା ପକାଇଛି । ବୁଝିଲୁ ଯଦି ସେଠି ହୋଇଯାଏ ଭାରି ଭଲହେବ । ବାପ ଝିଅ ଦୋ'ଟି । ଘରକୁ ତୁ ହେବୁ ମାଲିକ । ଝିଅଟି କଥା ତ କହିବାର ନୁହେଁ–ଗୋଟିଏ ଚାଉଳରେ ଗଢ଼ା ଚମ୍ପା ଚାଙ୍ଗୁଡ଼ି ।

 

ରାମର ପ୍ରାଣ ଆନନ୍ଦରେ ନାଚି ଉଠିଲା । ଯେଉଁ ନୟନାକୁ ସେ ପାଇବା ପାଇଁ ନୀରବରେ କେତେ ଲୁହ ଢାଳିଛି ଆଖିରୁ । ସୁଖର ସଂସାରଟି ଗଢ଼ିବା ପାଇଁ ଦିନ ଦିନ, ରାତି ରାତି, କେତେ ସେ ଭାବନା କରି ନ ବସିଛି ! ସେହି ନୟନାଟି ଆଜି ତାର ହୃଦୟର ରାଣୀ ହେବ । କେଜାଣି ଜଗନ୍ନାଥ ଜାଣନ୍ତି । ମନେ ମନେ ଜଗନ୍ନାଥଙ୍କ ପାଦପଦ୍ମ ତଳେ ମୁଣ୍ଡ ନୁଆଁଇ ଦେଲା । ଅଜଣା ପୁଲକରେ ପ୍ରାଣ ତାର ଥରେ ନାଚିଉଠିଲା ।

 

ଆକାଶରେ ଜହ୍ନଟା ବୁଡ଼ିବାକୁ ବସିଲାଣି । ରାମ କହିଲା, ‘‘ଅଜା ଡେରି ହେଲାଣି ମୁଁ ଯାଉଛି ।”

 

ହାଡ଼ି ପଧାନ କହିଲା, ‘‘ହଉ ଯା ।”

 

ରାମ ତା ଘରକୁ ଚାଲିଗଲା ।

 

ହାଡ଼ିପଧାନ ଖଣ୍ଡେ କୁଟା ଧରି ଦାନ୍ତ ଖୁଣ୍ଟୁ ଖୁଣ୍ଟୁ ପିଣ୍ଡାଉପରେ ବସି ବାଲୁରୀକି ଡାକିଲା, ‘‘ବାଲୁରୀ; ମାଆ ପିଂକା ଟିକେ ଲଗାଇ ଆଣିଲୁ ।” ଖୁଁ ଖୁଁ ।

 

ବାରି ପଛଆଡ଼ୁ ପହଡ଼ିକିଆ ବିଲୁଆ ଗୁଡ଼ା ଡାକ ଛାଡ଼ିଲେ–ହୁକେ ହୋ, ହୁକେ ହୋ । ଘର ଭିତରୁ ବାଲୁରୀବୋଉ ଡାକିଲା କୁଆଡ଼େ ଗଲ ମ ! ମତେ ଟିକିଏ ଉଠାଇ ବସାଅ ।

 

ହାଡ଼ିପଧାନ ପିଣ୍ତାରୁ ଉଠି ସାଇ ଭିତରକୁ ପଶିଗଲା । କେତେ ତାର ସେବା କରିବ ? ବଡ଼ ଦିକ୍‍ଦାର ଲାଗିଲାଣି ତାକୁ । ହାତ ଦି’ଟାର ଫୁଲା ଟିକିଏ କମୁନାହିଁ । ଯେମିତି ଥିଲା, ସେମିତି-। ତା ଅଣ୍ଟା ଧରି ଉଠାଇଲା ହାଡ଼ିପଧାନ । ଯାହା ଟିକେ ଭାତଗଣ୍ଡେ ଖାଉଥିଲା, ଚାରିଦନ ହେବ ଖାଡ଼ାଖାଡ଼ି ଓପାସ ।

 

ବାଲୁରୀ ବୋଉ ବିଛଣାରେ ତକିଆକୁ ଭରାଦେଇ ବସିଲା । ବାଲୁରୀ ପିଂକାଟାକୁ ଚୁଲିରୁ ଲଗାଇ ଆଣି ବାପ ହାତକୁ ବଢ଼ାଇ ଦେଲା । ହାଡ଼ିପଧାନ ପିଂକାଟା ଟାଣୁ ଟାଣୁ କାଶିଲା, ଖୁଁ-ଖୁଁ-ଖୁଁ ।

 

ଜୀବନର ଚଳନ୍ତି ପଥରେ କେତେ ବାଧାବିଘ୍ନ ଆସି ପହଞ୍ଚେ । ମଣିଷ ବୁଝି ମଧ୍ୟ ବୁଝି ପାରେନା, ଏହା ପଛରେ ନିୟତିର ଇଙ୍ଗିତ ଅଛିବୋଲି । ଦୋଷ ଢାଳେ ଭାଗ୍ୟ ଉପରେ । ଏହି ଭାଗ୍ୟ ଉପରେ ସବୁ ଦୋଷ ଚାପି ମଣିଷ ହୁଏ ମୁକ୍ତ ନିର୍ଦ୍ଦୋଷ । ହାଡ଼ିପଧାନ ବୁଝି ପାରିଲା–ଏଟା ତା ଭାଗ୍ୟ ! ତା ନ ହୋଇଥିଲେ ଏତେଆଡୁ ଏତେ ଓଷଧ ଆଣି ବାଲୁରୀ ବୋଉ ହାତରେ ଦେଲାଣି ଟିକେ କ’ଣ ଭଲ ହୁଅନ୍ତା ନାହିଁ ! ଦେଖୁ ଦେଖୁ ଛଅମାସ ଆସି ହେଲାଣି, ମଣିଷଟା ଅଚଳ ହୋଇ ଘରେ ବସିଲା । କହି ହାଡ଼ି ପଧାନ ବ୍ୟସ୍ତ ହୁଏ ।

 

ଏ ସବୁ ଦେଖି ବାଲୁରୀବୋଉ ବିଛଣାରେ ଶୋଇ ଶୋଇ ଆଖିରୁ ଲୁହ ଗଡ଼ାଏ, କପାଳରେ ହାତମାରେ ।

 

ସବୁ ଆଶା ଭରସା ଛାଡ଼ିଛି ହାଡ଼ିପଧାନ । ଶେଷ ଉପାୟ ପ୍ରଭୁଙ୍କ ଆଶ୍ରାନେଇ ହରିବଂଶ ପୁରାଣଟିଏ ତା ଘରେ ବସାଇବ । ପ୍ରଭୁଙ୍କର ସୁଦୟା ହେଲେ ନିଶ୍ଚେ ତା ବାଲୁରୀ ବୋଉ ଭଲ ହୋଇଯିବ । ଆନନ୍ଦରେ ପ୍ରାଣ ତାର ନାଚି ଉଠିଲା ।

 

ହାଡ଼ିପଧାନ ବାଲୁରୀବୋଉକୁ କହିଲା, “କଣ କହୁଛୁ ବାଲୁରୀବୋଉ, କହନି–ଖୁଁ, ଖୁଁ, ହରିବଂଶ ପୋଥିଟିଏ ବସାଉଛି । ଯେତେଯୁଆଡୁ ଓଷଧ ଆଣିଦେଲି, ହାତ ଦିଟାର ଫୁଲା ତ ଯମା କମିଲା ନାହିଁ । ତାଙ୍କରି ଶରଣ ଯିବା, ମାରିଲେ ମାରିବେ, ତାରିଲେ ତାରିବେ ।

 

ଯାହାକୁ ରଖନ୍ତି ହରି ତାକୁ ମାରେ କିଏ,

 

ଯାହାକୁ ମାରନ୍ତି ହରି ତାକୁ ରଖେ କିଏ ।

 

ବାଲୁରୀବୋଉ ଅସ୍ପଷ୍ପ ଗଳାରେ କହିଲା, “ତମେ ପୋଥି ବସାଇବାକୁ ବାହାରିଚ ଏତେ ଟଙ୍କା ପାଇବ କାହୁଁ ?”

 

ହାଡ଼ି ପଧାନ କହିଲା, ଜମି ମାଣେ ବନ୍ଧକ ଦେଇ ଟଙ୍କା ଆଣିବି ।

 

ନା, ନା, ତା କରନା, ମୋ ଝିଅଟା ଅନାସ୍ତା ହେବ ।

 

ଝିଅକଥା ଦେଖାଯିବ । ଆଗ ଜୀବନ ବଞ୍ଚୁ । ହରି ହେ ! ତୁମେ ଭରସା–କହି ଦୀର୍ଘ ନିଃଶ୍ୱାସ ପକାଇଲା ହାଡ଼ିପଧାନ ।

 

ହଉ ! ତମ ଇଚ୍ଛା କଣ କରୁଛ କର । ଉ ହୁ, ଭଗବାନ–ମରିଗଲି–ଅଚଳ ହାତ ଦି’ଟାକୁ ବାଲୁରୀବୋଉ ଛାତି ଉପରକୁ ଟିକେ ଉଠାଇ ଆଣିଲା । ରାତି ଅନେକ ହେଲାଣି । ବାଲୁରୀ କେତେବେଳୁ ଶୋଇ ପଡ଼ିଲାଣି । ହାଡ଼ିପଧାନ ବିଛଣାକୁ ଯାଇ ଶୋଇ ପଡ଼ିଲା ଦଣ୍ଡକ ପାଇଁ ।

 

ଦଶ

 

ବର୍ଷକରେ ଥରେ–ପ୍ରତି ପୁରପଲ୍ଲୀରେ ରଜ ମଉଛବ ହୁଏ । ଆବାଳବୃଦ୍ଧବନିତାଙ୍କ ପ୍ରାଣରେ ଆନନ୍ଦର ଢେଉ ଖେଳିଯାଏ । ନିରାନନ୍ଦ ପ୍ରାଣରେ ମଧ୍ୟ କ୍ଷଣକ ପାଇଁ ଆନନ୍ଦ ଜାଗିଉଠେ-। ରଜ ତିନିଦିନ ଗାଁ ସାରା କମ୍ପି ଉଠେ । ଯାତ୍ରା, ଥିଏଟର, ତାସ୍, ପଶା, ବାଗୁଡ଼ି ଖେଳରେ ଭେଣ୍ଡିଆ ଟୋକାଏ ମାତି ଯାଆନ୍ତି । ଝିଅ ପିଲାମାନେ ମଧ୍ୟ ପୁଚିଖେଳ, ଦୋଳିଖେଳ, ସଙ୍ଗୀତ ବୋଲାରେ ଆନନ୍ଦ ଅନୁଭବ କରନ୍ତି । ବେଶ-ପୋଷାକ ଗହଣା ଗଣ୍ଠିରେ ଛାଇହୋଇ ଝିଅ-ବୋହୂମାନେ ଗାଁ ବୁଲି ଯାଆନ୍ତି । ଏ ସବୁ ଦେଖି ପ୍ରାଣ ପ୍ରାଚୁର୍ଯ୍ୟରେ ଭରିଉଠେ ।

ରଜ ମଉଛବ ଆଜି-ନୟନା ମିଶ୍ରଘର କାମକୁ ଯାଇନାହିଁ । ବାସକରା ବେଢ଼ାଣ ଖଣ୍ଡେ ପିନ୍ଧିଛି, ମଥାରେ ଟିକିଲିଟିଏ ଲଗାଇଛି । ଭାରି ସୁନ୍ଦର ସେ ଦେଖାଯାଉଛି । ନୟନା ମନେ ମନେ ଭାବୁଛି, ସେ କିପରି ଅଜି ଅନିନ୍ଦ୍ୟ ସୁନ୍ଦରୀ ହେଇଛି–ରାମଭାଇକୁ ଦେଖାଇବ । ରାମଭାଇ ତା ରୂପକୁ ପ୍ରଶଂସା କରିବ । ଏମିତି କେତେ କ’ଣ ।

ରାମ ରଜପର୍ବଟା ପାଇଁ ଖିଆପିଆ ଭୁଲିଯାଇଛି । ବାଗୁଡ଼ି ଖେଳରେ, ତାସ ଖେଳରେ ସବୁଠି ତାର ଜିତାପଟ । ଏଣୁ ସାଙ୍ଗ ଟୋକାଏ ରାମ ଉପରେ ଭାରି ରାଗ କରୁଛନ୍ତି ।

ଖରା ବେଳଟା–ପାଶୁରୀ ବୋଉ ଅଗଣାଟାରେ ପୁଚି ଖେଳର ଝୁଙ୍କ୍ ଲାଗିଚି ଝିଅ ବୋହୂମାନଙ୍କର । ଅଭିଆଡ଼ି ଝିଅ ଗୁଡ଼ାକ ଏପଟ ସେପଟ ଦି’ଧାଡ଼ି ହୋଇ ପୁଚି ଖେଳୁଛନ୍ତି । ସେମାନଙ୍କ ଭିତରେ ନୟନାର ଜିତାପଟ । ତା ଛାତି କୁଣ୍ଢେମୋଟ ହୋଇଯାଉଚି । ସେ ମନେ ମନେ ଭାବୁଚି ତାର ଏ ସୁଖ୍ୟାତି ରାମଭାଇ ଦେଖନ୍ତାକି....

ଏହାଛଡ଼ା ଗୀତ ବୋଲା ବି ଚାଲିଚି । ସମସ୍ୱରରେ ପ୍ରତ୍ୟେକ କୁମାରୀ ଗାଉଛନ୍ତି– ।

ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ

ଆସିଛି ରଜ ଲୋ-ଘେନି ନୂଆ ସଜବାଜ ।

ରାଶିରୁ ଛାଡ଼ିଲା ଚୋପା

ଗୋଡ଼ରେ ଘେନିଛୁ ସରୁ ଅଳତା

ସରୁ ଅଳତା ଲୋ-ମଥାରେ ସିନ୍ଦୁର ଟୋପା

ପାଚିଲା ବଇଁଚ କୋଳି

ବେକରେ ନାଇଛୁ ଗଜରା ମାଳି

ଗଜରା ମାଳି ଲୋ-ଝୁଲାଅ ରଜର ଦୋଳି ।

ପଣସ ପାଚିଲା ବନେ

ବନ ପୋଡ଼ିଗଲେ ଦୁନିଆଁ ଜାଣେ

ଦୁନିଆଁ ଜାଣେ ଲୋ-ମନ କଥା କିଏ ଜାଣେ ।

ଶଙ୍ଖ ମଲ୍ଲ ମଲ୍ଲ ଗିନା

ଦରଜ ଜାଣେ ଲୋ-ଦରଦୀ ସିନା

ଦରଦୀ ସିନା ଲୋ ବଣିଆ ଚିହ୍ନେଟି ସୁନା ।

 

ଗୀତ ଗାଇବା ସରିଲା–ପୁଚିଖେଳ ଭାଙ୍ଗିଲା । ଝିଅ ବୋହୂମାନେ ଆପଣା ଆପଣା ଘରକୁ ଫେରିଲେ ।

 

ପାଶୁରୀ ବୋଉ ଡାକିଲା ନୟନାକୁ “ଆଲୋ ହେ ନୟନା ଶୁଣିଗଲୁ ।”

 

ନୟନା ପାଶୁରୀ ବୋଉ ପାଖକୁ ଯାଇ କହିଲା, “କାହିଁକି ଡାକୁଛୁ ଆଈ ।”

 

ପାଶୁରୀ ବୋଉ ଲେଖାଯୋଖାରେ ନୟନାର ଆଈ ହୁଏ । କହିଲା, “ଆଲୋ ଟୋକୀ, ଗାଁରେ ତୋର ବାହାଘର ଲାଗିଚି । ରାମକୁ ଯଦି ବାହାହେବୁ–ଏ ପଣ ସବୁ ଦେଖାଇବୁ ଆଉ କେମିତି ?”

 

ହେତ୍–କେମିତିକା ଆଈଟା ମ !

 

ହଁ ଲୋ ଟୋକୀ, ହଁ, ଯମାରୁ ମନ ଥିବ କି ?

 

ନୟନା କିଛି ନ କହି ଘରକୁ ପଳାଇ ଆସିଲା । ଦାଣ୍ଡଟାରେ ଆସୁ ଆସୁ ଦେଖିଲା–କିଏ ଜଣେ ବାବୁ ଧୋବ ଲୁଗା, ଧୋବ କାମିଜ, ଆଖିରେ ଚଷମା, ଗୋଡ଼ରେ ଯୋତା ପିନ୍ଧି ଗାଁ ଭିତରକୁ ଆସୁଚି । ତା ସାଙ୍ଗରେ ମାଇପିଟାଏ କାଖରେ ଗୋଟିଏ ପିଲା, ଦେହ ହାତରେ ସୁନା ଗହଣା ଛାଇ ହୋଇଚି । ନୟନା ପାଖକୁ ଆଗେଇ ଆସିଲେ ସେମାନେ । ନୟନା ସ୍ତ୍ରୀ ଲୋକଟିକୁ ଦେଖି ଦୋ’ ଦୋ’ ଚିହ୍ନା ହେଲା । ଆହୁରି ପାଖକୁ ସେମାନେ ଆସି ଗଲାରୁ, ନୟନା ଚିହ୍ନିଲା–“ଦାମ ରାଉତ ଝିଅ ପ୍ରମିଳା ।” ତାରି ସାଙ୍ଗ, ଦି’ବରଷ ହେଲା ସାଙ୍ଗ ଛାଡ଼ିଚି । ତା କୋଳରେ ଆଜି ଛୁଆ । କିନ୍ତୁ ସେ ଆଜି... । ଦି’ ବରଷ ତଳର ତାରତମ୍ୟ । ଏହାରି ଭିତରେ ଏତେ ପରିବର୍ତ୍ତନ । କଳ୍ପନା କରି ପାରିଲାନି ନୟନା, ପ୍ରାଣ ତାର କାନ୍ଦି ଉଠିଲା । ଆଡ଼ ଆଡ଼ ହୋଇ ନୟନା ଚାଲି ଯାଉଥିଲା– ।

 

ପ୍ରମିଳା ହସ ହସ ମୁହଁରେ ନୟନାକୁ ଡାକିଲା, ନୟନା, ନୟନା– ।

 

ନୟନା ପ୍ରମିଳା ପାଖକୁ ଯାଇ କହିଲା, “କିଏ ପ୍ରମିଳା କିଲୋ । ମୁଁ ପୋଡ଼ାମୁହିଁ ଚିହ୍ନି ପାରୁନାହିଁ ତୋତେ ।”

 

ପ୍ରମିଳା କହିଲା, ‘ଭଲଅଛୁ ନୟନା ?”

 

ନୟନା କହିଲା ହଁ, ଆଉ କିଛି ଜବାବ ଦେଇ ପାରିଲା ନାହିଁ । ନାରୀ ହୃଦୟ ତାର ଭାଙ୍ଗି ପଡ଼ିଲା । ନିଜର ଭବିଷ୍ୟତ କଥାକୁ ଭାବି ନୟନାର ଦି’ ଆଖିରୁ ଝରି ପଡ଼ିଲା ଦି’ଟୋପା ଲୁହ ।

 

ନୟନାର ଅନ୍ତର କଥା ବୁଝି ପାରିଲା ନାହିଁ ପ୍ରମିଳା । ସୁଖର ଅମରାବତୀ ତା ଅନ୍ତରକୁ ଅପହୃତ କରିଥିଲା । ଘରକୁ ଚାଲିଗଲେ ସେମାନେ ।

 

ନୟନା ଲୁଗାକାନିରେ ଲୁହ ପୋଛୁ ପୋଛୁ ଘରକୁ ଫେରିଲା । ମନଟା ତାର କେମିତିକା ହୋଇ ଯାଉଚି । ଭୋକ ଶୋଷ କୁଆଡ଼େ ମିଳାଇ ଗଲାଣି ।

 

ଜଗୁଆ ସକାଳୁ କିଛି ଖାଇନି, ଝିଅକୁ ଅନାଇଁ ବସିଚି । ନୟନା ଘରେ ପହଞ୍ଚିଲା । ଜଗୁଆ ନୟନାକୁ ଡାକିଲା ପାଖକୁ । ନୟନା ଜଗୁଆ ପାଖରେ ଛିଡ଼ାହୋଇ କହିଲା, “କଣ ବାବା ।”

 

ମାଆ ଭୋକ ଲାଗିଲାଣି ଗଣ୍ଡାଏ ଭାତ ବାଢ଼ିଆଣେ ଖାଇବା ।

 

ନୟନା ରୋଷଘରୁ ଭାତ କଂସାଏ ବାଢ଼ିଆଣି ବାପ ପାଖରେ ତାର ଥୋଇଦେଲା । ସକାଳର କଦଳୀଭଜା ଦି’ଖଣ୍ଡି କଂସାପାଖରେ ଦେଇ ଜଗୁଆକୁ କହିଲା, “ଖାଆ ବାପା !” ଟିକେ ଦୂରେଇ ଠିଆ ହେଲା ନୟନା ।

 

ଜଗୁଆ ନୟନାକୁ ଅନାଇଁ ହାତଟେକି ଭାତକଂସା ପାଖରେ ବସି ରହିଲା ।

 

କଣ ବାବା ଖାଉନା !

 

ତୁ ସେଠି ଠିଆହେଲୁ କାହିଁକି, ଖାଇବୁ ଆ ।

 

ନା ବାବା–ଭୋକ ଲାଗୁନାହିଁ, ଖାଇବି ନାହିଁ ।

 

ତା ହେଲେ ଭାତକଂସାଟା ନେଇ ଯା–ମୁଁ ଖାଇବି ନାହିଁ ।

 

ଜଗୁଆ ଛୁଆଟିକାଳୁ ଝିଅକୁ ସାଙ୍ଗରେ ଖୁଆଇଛି, ବଢ଼ାଇଛି, ଦିନେ ଯଦି ନୟନାର ମିଶ୍ରଘରୁ ଆସିବାର ଡେରିହୁଏ, ଜଗୁଆବ୍ୟସ୍ତ ହୋଇପଡ଼େ । ପେଟକୁ ତାର ଭାତ ଯାଏନା । ଆଜି କେମିତି ସେ ଏକା ଏକା ଖାଇବ ? ଝିଅଟା ଓପାସ ରହିବ ।

 

ନୟନା ବୁଝିଲା ବାପ ତାର ଖାଉନାହିଁ । ଭାତକଂସା ପାଖରେ ବସିଲା ।

 

ଜଗୁଆ କହିଲା, “ଖାଆ– ।” ନୟନା ଜଗୁଆ ସାଙ୍ଗରେ ଖାଇ ବସିଲା ।

 

ଖରା ମଳିନ ପଡ଼ିଲାଣି । ପୁଣି ପିଲା ଛୁଆ, ବୁଢ଼ା, ଟୋକା ସମସ୍ତଙ୍କର ମେଳା ଲାଗିଲାଣି । ଏଠି ସେଠି ପୁଞ୍ଜା ପୁଞ୍ଜା ହୋଇ ଖେଳରେ ଲାଗି ପଡ଼ିଛନ୍ତି ସେମାନେ । ଗାଁଟାର ସବୁଲୋକେ ଏକାଠି ଜମା ହୋଇଛନ୍ତି ।

 

କୌଣସି କଥାରେ ନୟନାର ମନ ଲାଗୁନି । ବେଳେ ବେଳେ ରାମଭାଇ କଥା ଭାବୁଛି-। ରାମ-ରାମ ହେବ ତାର ବର । କଥା ପଡ଼ିଛି । ପ୍ରଭୁ କରନ୍ତେ ରାମ ତାର ବର ହୁଅନ୍ତାକି ? ଆଖିରୁ ଲୁହ ଗଡ଼ି ପଡ଼ୁଚି ।

 

ଆଲୋ ନୟନା ! ପୁଚି ଖେଳି ଯିବୁ ଆ-ଟଭା ଡାକିଲା ।

 

ଦିହ ହାତ ପରାସ ହେଇ ଯାଇଚି, କେଉଁଠିକି ଯିବିନାହିଁ । ତୁ ଖେଳିବୁ ଯା-ନୟନା କହିଲା ।

 

ଟଭା ଭାରି ଜିଗର ଲଗାଇଲା–ନାହିଁ ତତେ ଯିବାକୁ ହେବ ନୟନା–ଏତେବଡ଼ ଦିନଟାରେ ତୁ ଘରେ ବସି ରହିବୁ ? କେମିତିକା କଥା ମ ? ହେଇପରା ସୁମୀନାନୀ, ସୋଦରା, ପାଶୁରୀ ତୋ ଯିବା ଡେରିହେବା ଦେଖି ଆସିଲେଣି ତୋତେ ନେବାପାଇଁ ।

 

ଅନାଇଁ ଦେଲା ନୟନା–ସତକୁ ସତ, ସୁମୀ, ସୋଦରା, ପାଶୁରୀ ଆସି ଦାଣ୍ଡରେ ଠିଆ ହୋଇଛନ୍ତି । ନୟନା ମୁରୁକି ହସି କହିଲା, “ତମେ ସବୁ ଏଠି ଠିଆ ହେଇଛ କାହିଁକି ? ଦରବୁଢ଼ୀ ବଅସରେ ଆଉ ଗୋଟା ପୁଚିଖେଳ । ତମେ ଖେଳିବ ଯାଆ । ମୋ ଦିହଟା କାହିଁକି ଭଲ ଲାଗୁନି, ମୁଁ ଯିବିନାହିଁ ।”

 

ସୋଦରା କହିଲା, “ଏତେଗୁଡ଼ା କହନାଲୋ ନୟନା ! କେହି ଶୁଣିବେ ।” ସକାଳ ମଣିଷ ଘଣ୍ଟାକ ଭିତରେ ଏମିତି ବଦଳି ପଡ଼ିବୁ ବୋଲି ଜାଣି ନଥିଲି । ଆସିବୁତି ଚଞ୍ଚଳ ଏଡ଼େବଡ଼ ରଜ ପର୍ବଟାରେ ତୁ ନ ଖେଳିଲେ କ’ଣ ଖେଳ ଜମିବ ?

 

ନୟନାର ଲୁଗା କାନିଟା ଧରି ପାଶୁରୀ ଟାଣିଲା । କେମିତି ସେ ନଯିବ ? ବାଧ୍ୟହୋଇ ନୟନା ତାଙ୍କ ସାଙ୍ଗରେ ପୁଚି ଖେଳିବାକୁ ଗଲା । ଖେଳରେ ତାର ମନ ଲାଗୁ ନଥାଏ । ସବୁବେଳେ ମନଟା ଚଞ୍ଚଳ ହେଉଥାଏ । ଖେଳୁ ଖେଳୁ ଚଗଲା ମନଟା ତାର ଦୁନିଆ ସାରା ଘୂରି ଆସୁଥାଏ–ବାପ, ମାଆ, ସ୍ୱାମୀ, ସ୍ତ୍ରୀ ଘର ସଂସାର କେଡ଼େ ସୁନ୍ଦର ! କେଡ଼େ ବିରାଟ । ସେ ଯେପରି ଆଜି ଅନ୍ତରରେ ହାଡ଼େ ହାଡ଼େ ଅନୁଭବ କରୁଛି । ଜୀବନଟା କ’ଣ ତାର ଏମିତି ହା ହୁତାଶରେ କଟିଯିବ-! ଭାବନା ନଦୀର ଅସରନ୍ତି ସ୍ରୋତ ବହିଚାଲିଛି–କାହିଁ କେତେ ଦୂରକୁ । ନୟନା ମୁହଁରେ ବିରସର ଭାବ ଫୁଟି ଉଠିଛି । ସାଙ୍ଗସାଥି ମେଳରେ ଯେତେ ଲୁଚାଇବାକୁ ଚେଷ୍ଟା କରୁଛି ପାରୁନାହିଁ ସେ । ଖେଳରେ ମନ ନାହିଁ । କେତେଥର ହାରିଗଲାଣି । ସାଙ୍ଗମାନେ ହସୁଛନ୍ତି, ଏ ଖେଳରେ ତାର ମନ ନାହିଁ, ସରାଗ ନାହିଁ । ସେ ଚାହୁଁଛି ଜୀବନର ଗୋଟାଏ ଆଉକିଛି ନୂଆଖେଳ । ଯେଉଁ ଖେଳରେ ପ୍ରାଣରେ ତା’ର ପୁଲକ ଆସିବ, ସ୍ପନ୍ଦନ ଆସିବ । ସେ ଖେଳରେ ହାରିଗଲେ ସୁଦ୍ଧା ସେ ହେବ ସୁଖୀ, ସେ ହେବ ଆନନ୍ଦିତ ।

 

ଏଗାର

 

ହାଡ଼ି କ’ଣ ବୁଝିଲୁ କହନି । ନୟନା ମୋର ଝିଅ–ତୋର କ’ଣ ଝିଅ ନୁହେଁ ?

 

ହାଡ଼ିପଧାନ ସିଧା ସଳଖ ମହନି ଦୋକାନ ଆଡ଼େ ଛୁଟିଛି । ଜଗୁଆର କଥା କେଇପଦ ଶୁଣି ପାଦ ତାର ଅଟକି ଗଲା । ଫେରି ଆସିଲା ଜଗୁଆ ପାଖକୁ । ପିଣ୍ଡା କଡ଼କୁ ଛିଡ଼ା ହୋଇ ପଚାରିଲା, “କ’ଣ କହୁଛ ଜଗୁଆ ଭାଇ ?”

 

କ’ଣ ଆଉ କହିବି, ସେହି କଥା ମ ! ନୟନା ବିଷୟରେ ରାମକୁ ପଚାରିଥିଲୁ ହାଡ଼ି ?

 

ହଁ ଜଗୁଆ ଭାଇ, ରାମକୁ ପଚାରିଥିଲି ସେ ରାଜିଅଛି । ତମେ ଏ କଥାଟା ଆଉ କାହାକୁ ଶୁଣାଅ ନାହିଁ । ଯେତେବେଳେ କାମଟା ହେବ, ସେତେବେଳେ ଲୋକେ ଆପେ ଆପେ ଶୁଣିବେ । ଦେଖୁନା ଲୋକ ଗୁଡ଼ାଙ୍କର ଢଙ୍ଗ । କାଳେ ମାମଲତକୁ......ଖୁଁ ଖୁଁ ଦେଖ–ଜଗୁଆ ଭାଇ, ଆଉ ଗୋଟିଏ କଥା, ଏଇକ୍ଷଣି ରାମହାତରେ ଟଙ୍କାପଇସା ନାହିଁ । ଆସନ୍ତା ଫଗୁଣ ମାସକୁ ବିଭାଘରଟା ରଖିଦିଅ, ଧାନ ଅମଳ ଦଖଲ ସରିଥିବ, ହାତରେ ପାଞ୍ଚପଇସା ତାର ଥିବ–ସେତେବେଳକୁ ସବୁକଥା ।

 

ମୁଁ କ’ଣ ଅମତ ଅଛି ହାଡ଼ି ? ଏତେଦିନ ଗଲା–ଆଉ ମାସ କେତେଟା !

 

ମୁଁ ରାମକୁ ମହାପ୍ରସାଦ ନିବନ୍ଧ କରାଇ ଦେବି । କ’ଣ କହୁଛ ଜଗୁଆ ଭାଇ ।

 

ହେଲା ତୋ’ରି କଥା–ରାମକୁ ଡାକି ଆଣିବୁ ।

 

ହଉ, ଥାଆ ଜଗୁଆ ଭାଇ । ଖୁଁ ଖୁଁ, ମୁଁ ମହନା ଦୋକାନକୁ ଦୋକତା ପତର ପାଇଁ ଯାଉଛି । ପତର ଟିକେ ନାହିଁ ପାଟି ପିତା ଲାଗିଲାଣି । ହାଡ଼ିପଧାନ ଚାଲିଗଲା ମହନା ଦୋକାନ ଆଡ଼େ ।

 

ପିଣ୍ଡାରେ ବସିଛି ଜଗୁଆ । ମନେ ମନେ ଭାବୁଛି କେତେଆଡୁ କେତେକଥା । ଜଗୁଅବଧାନ କାଖରେ ପାଞ୍ଜିବିଡ଼ାଟା ଧରି ଚାଲିଯାଉଛି ଦାଣ୍ତରେ ।

 

ଜଗୁଆ ଡାକିଲା–ହେ ମଇତ୍ର, ମଇତ୍ର ।

 

ଜଗୁଅବଧାନ ପଛକୁ ଅନାଇଲା ଜଗୁଆ ତାକୁ ଡାକୁଛି । ଜଗୁଆ ବସିଥାଏ ପିଣ୍ଡାରେ । ଜଗୁଅବଧାନ ତା ପାଖରେ ଆସି ବସିଲା ।

 

“ଆଚ୍ଛା ମଇତ୍ର ଆମ ନୟନାର ଜାତକଟା ଟିକେ ଦେଖିଦେବ ।”

 

ହଁ, ହଁ, ନ ଦେଖିବି କାହିଁକି ? ଆମର ପେଶା ସେଇଆ ।

 

ଆଲୋ ମା ନୟନା !

 

ନୟନା ଘର ଭିତରୁ ବାହାରି ପଡ଼ି କହିଲା, “କ’ଣ ବାବା !”

 

ତୋ ଜାତକଟା ପେଡ଼ିରେ ଅଛି ଆଣିଲୁ । ନୟନା ପେଡ଼ି ଭିତରୁ ଜାତକଟା ଆଣି ଜଗୁଆ ହାତକୁ ବଢ଼ାଇଦେଲା ।

 

ହେଇ ନିଅ ମଇତ୍ର–ନୟନାର ଜାତକଟା ।

 

ଜଗୁ ଅବଧାନ ଜାତକଟାରେ ଥରେ ଆଖି ବୁଲାଇନେଲା ଖୋଳରୁ ଚଷମାଟା କାଢ଼ି ଆଖିରେ ଭଲକରି ପିନ୍ଧି କହିଲା–“ମଇତ୍ର, ଏଇଟି ତ ମୋରି ହାତ ତିଆରି ।”

 

ହଁ ମଇତ୍ର–ତମରି ହାତ ତିଆରି ପରା ! ଦେଖୁ ଦେଖୁ ନୟନାଟିକି ମୋର ଅଠର ବର୍ଷ ପୂରିଗଲା ଏଇ ଭୋଦୁଅରେ ।

 

ଅଣ୍ଟାରୁ ମାଟି ଖଡ଼ିଟା ବାହାର କରି ପିଣ୍ଡାରେ କ’ଣ ଗୁଡ଼ାଏ ଲେଖିଲା ଜଗୁ ଅବଧାନ । ଜଗୁଆ କିଛି ବୁଝି ପାରୁ ନଥାଏ । ଜଗୁ ଅବଧାନ କ’ଣ କହିବ, ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁ ରହିଥାଏ । ଜଗୁଅବଧାନ ଆଖିରୁ ଚଷମାଟା କାଢ଼ି ପକାଇ ବାଁ ହାତରେ ଧରିଲା । ଟିକିଏ ଗମ୍ଭୀର ହୋଇ କହିଲା, “ବୁଝିଲ ମଇତ୍ର । ବର୍ତ୍ତମାନ ନୟନାର ଯଶାଟା ଭଲନାହିଁ । ଜନ୍ମଶନି, ଶରୀରେ କ୍ଳେଶ; ମାନ ହାନି ।”

 

ଆଚ୍ଛା ମଇତ୍ର–ତାର ବିଭାଘରଟା କେବେ ଲେଖୁଛି ? ଜଗୁଅବଧାନ ଉପରକୁ ମୁହଁ ଟେକି ଅଳ୍ପ ସମୟ ଭାବି କହିଲା, “ବିବାହଟା ତାର ହୋଇପାରେ ।” ରବି ଏବଂ ବୃହସ୍ପତି ଦୁହିଁଙ୍କର ମିଳନ ଲେଖୁଛି, ଏହି ଚାରିମାସ ଭିତରେ । ପାତ୍ରଟିର ଘର ତୁମ ଘରର ଦକ୍ଷିଣ ଦିଗକୁ । ଜାତକଟା ଜଗୁଅବଧାନ ଜଗୁଆ ହାତକୁ ବଢ଼ାଇ ଦେଲା ।

 

ଜଗୁଆ ପିଣ୍ଡାରୁ ଥାଇ ନୟନାକୁ ଡାକିଲା ମା ନୟନା ଶୁଣିଗଲୁ ।

 

ନୟନା ପିଣ୍ଡା ପାଖରେ ଆଡ଼ ଆଡ଼ ହୋଇ ଠିଆହେଲା ।

 

ଘରେ ଚାଉଳ କ’ଣ ଅଛି ଆଣି ଦେଲୁ ମା ।

 

ନୟନା ଚାଉଳ ଘୁମରୁ ଅଧକୁଞ୍ଚା ଚାଉଳ ଆଣି ଜଗୁ ଅବଧାନ ଗାମୁଛା କାନିରେ ଓଜାଡ଼ି ଦେଲା ।

 

ଆଚ୍ଛା ମଇତ୍ର, ଯାଉଛି । ଜଗୁ ଅବଧାନ ଚାଲିଗଲା ।

 

ଜଗୁଆ ଜାତକଟା ନୟନା ହାତକୁ ବଢ଼ାଇ ଦେଇ କହିଲା, “ଯତ୍ନକରି ରଖିଦିଏ ମା ।”

 

ନୟନା ଜାତକଟା ନେଇ ଭିତରକୁ ଚାଲିଗଲା ।

 

ହାତରେ ମନ୍ଦାର ଫୁଲରୁ ପେନ୍ଥାଏ ଧରିଛି ଟଭି । ଧୋବ କଇଁଫୁଲ ଦାନ୍ତ କେତେଟାରୁ ହସ ଫୁଟି ଉଠୁଛି ତା’ର । ଷୋଳ ବରଷର ଅଭିଆଡ଼ି ଝିଅଟା ।

 

ନୟନା ବସିଛି ଘରର ଚଟାଣ ତଳେ ଗୋଟାଏ କଡ଼କୁ ।

 

ଟଭି ଡାକିଲା–ଆଲୋ ନୟନା, ଆ–ପୋଖରୀକୁ ଗାଧୋଇ ଯିବା ।

 

ନୟନା ଅଳସ ମାରି କହିଲା, “ରହ ମ ! ଆଉ ଟିକିଏ ଯାଉ, ଏତିକି ବେଳୁ ଗାଧୋଇବା ପାଇଁ ଉଚ୍ଛନ୍ନ । ଟଭି ହାତରୁ ମନ୍ଦାରଫୁଲ ପେନ୍ଥାଟା ଛଡ଼ାଇ ନେଲା ନୟନା । ରଙ୍ଗିଣୀ ମନ୍ଦାର ଦେଖିବାକୁ ଭାରି ସୁନ୍ଦର । ଆଗ୍ରହ ହେଲା ନୟନାର, ଫୁଲ ପେନ୍ଥାଟା ଟଭି ଦିଅନ୍ତାକି ମଥାରେ ଖୋସନ୍ତା ତା’ର । ଆଲୋ ଟଭି ! ଏ ମନ୍ଦାରଫୁଲ କେଉଁଠୁ ପାଇଲୁ ଲୋ । ଆମ ଗାଁରେ ତ ନାହିଁ ?

 

ଆମ ଗାଁରେ ନାହିଁ ତ ଆଉ କେଉଁ ଗାଁରେ ଅଛି ଲୋ ! ହର-ପାର୍ବତୀ ମଠରେ ମନ୍ଦାର ଗଛ ବୋଝେଇ ହେଇଚି । ଗଛର ଫୁଟନ୍ତା ଫୁଲ ଗୁଡ଼ିକୁ ଦେଖିଲେ ମନ ଲୋଭେଇ ଯାଏ । ଆମ ବନା ଯାଇଥିଲା ମଠଆଡ଼େ । ଏହି ଫୁଲ ପେନ୍ଥାଟା ସେଇ ଆଣିଛି ।

 

ଭାରି ସୁନ୍ଦର ଫୁଲ, ନୁହେଁ ଟଭି ?

 

ମଲାମୋର–ଫୁଲରେ ତ ଭାରି ରସ ଲାଗିଛି ତୋର । ଆସିବୁତି ଡେରି ହେଲାଣି ଗାଧୋଇ ଯିବା । ନୋହିଲେ ମୁଁ ଯାଉଚି ତୁ ଥାଆ । ଟଭି ମୁହଁରେ ଅଭିମାନ ଫୁଟାଇ ଚାଲିଗଲା ।

 

ନୟନା ପଛରୁ ଯାଇ ଟଭିର ଲୁଗା କାନିଟା ଟାଣିଧରି କହିଲ, “ରହିଥା ମୋତେ ଛାଡ଼ିଦେଇ ଏକା ଏକା ଯିବୁ ?”

 

ଟଭିର ପାଦ ଅଟକି ଗଲା, ଦୁହିଁଙ୍କର କ୍ଷୀର ନୀର ସମ୍ବନ୍ଧ । କ୍ଷଣକରେ ରାଗ ଅଭିମାନ–କ୍ଷଣକରେ ମିଳାମିଶା ।

 

ସାଙ୍ଗହୋଇ ପୋଖରୀକୁ ଦି’ଜଣ ଗାଧୋଇ ଗଲେ ।

 

ରାମ କାନ୍ଧରେ ପଡ଼ିଛି ଗୋଟାଏ ନେଳିଆ ରଙ୍ଗର କରିଲୋପାଟଣା ଗାମୁଛା । ମୁଣ୍ଡ ଟେରୀଟା ବେଶ୍ ବାଗେଇ ଦେଇଛି । ପାନ ଖାଇ ଦାନ୍ତ କେତେଟାକୁ ରଙ୍ଗେଇ ଦେଇଛି ସେ । ମନରେ ଆନନ୍ଦ–ପ୍ରାଣରେ ପ୍ରଫୁଲ୍ଲତା... ।

 

ପୋଖରୀ ଆଡ଼ି ଉପରେ ପାଦ ଅଟକି ଗଲା ରାମର । କେଉଁଆଡ଼େ ସେ ଯିବ, କେଉଁଠି ତା’ର ଲକ୍ଷ୍ୟ, ବୁଝି ପାରିଲା ନାହିଁ–ସବୁ ତା’ର ଗୋଳମାଳ ହୋଇଗଲା ।

 

ନୟନାର ଆଖି ପଡ଼ିଗଲା ରାମ ଉପରେ । ପୋଖରୀ ଆଡ଼ିର ଗୋଟାଏ କଡ଼କୁ ଓଢ଼ଣା ଟାଣି ଲାଜରେ ଠିଆହେଲା ନୟନା । ଦେହ ତା’ର ଶଙ୍କି ପଡ଼ିଲା, ରାମ ହେବ ତା’ର ବର । କେମିତି ସେ ଲାଜ ସରମ ନ କରିବ ? ଲୋକେ କ’ଣ କହିବେ ।

 

ରାମ ଥରକୁ ଥର ନୟନାକୁ ଚାହିଁ ଦେଉଥାଏ–ସତେ ମ ନୟନାଟି କେଡ଼େ ସୁନ୍ଦର ! ମୁହଁଟି ଫୁଟନ୍ତା ପଦ୍ମ ପରି । ସତେ କ’ଣ ସେ ତାକୁ ପାଇବ ! ପ୍ରାଣରେ ଜିଜ୍ଞାସାର ଚିହ୍ନ ।

 

ପାଣି ଚଳାଏ ଧରି ନୟନା ଉପରକୁ ପକାଇଦେଲା ଟଭି । ଗହିରା ପୋଖରୀଟା, ଥଳକୁଳ ପାଉନି । ବେକେପାଣିରେ ପଶି ଟଭି ଡାକିଲା ନୟନାକୁ ।

 

ନୟନା ପୋଖରୀର ଜଙ୍ଘେପାଣିକୁ ପଶିଗଲା, ବଡ଼ ଡରକୁଳୀ ସେ ।

 

ଆଉ ଟଭି ଟଭିଟା ସବୁଥିରେ ପାରଗ । ଯେମିତି ସାହସ–ସେମିତି ବଳ ।

 

ରଘୁ ମହାଳିକ ଚୂଡ଼ା ଟୋକେଇଟା କାନ୍ଧରେ ଥୋଇ ଗାଁ ଆଡ଼େ ଛୁଟିଛି । ବଡ଼ ଚଗଲାଟା ସେ, ବଅସ ଚାଳିଶ ସରିକି ହେଲାଣି, ତଥାପି ପର ଝିଅ ବୋହୂ ଦେଖିଲେ ଆଖି ଦି’ଟା ତାର ମାଛ ଶୁଖୁଆ ପରି ଲାଖିଯାଏ । ଟଭିକୁ କଣ କହିବାକୁ ଯାଉଥିଲା ସେ, ରାମ ଓପରେ ନଜର ପଡ଼ିଯିବାରୁ କିଛି କହିପାରିଲା ନାହିଁ । ଆପଣା ବାଟ ଧରି ଚାଲିଗଲା ।

 

ରାମ ରଘୁ ମହାଳିକ ପଛରେ ଗାଁ ଗୋହିରୀ ଆଡ଼କୁ ଫେରିପଡ଼ିଲା ।

 

ନୟନା ମନେ ମନେ ବଡ଼ ଦୁଃଖକଲା । କାଳେ ରାମ କ’ଣ ଭାବିଥିବ ।

 

ଟଭି ନୟନାର ଲୁଗା କାନିଟା ଟାଣୁ ଟାଣୁ କହିଲା, “ନୟନା, ତୋ ବରକୁ ଅଟକାଇ ରଖିଲୁ ନା ଲୋ ?”

 

ଧେତ୍ ପୋଡ଼ାମୁହିଁ, ତୋରି ବର ।

 

ହଁ ଲୋ ହଁ, ମୋରି ବର । ମୁଁ ପରା ଆଡ଼ିଟା ଓପରେ ଆଡ଼ ଆଡ଼ ହୋଇ ଲାଜ କରୁଥିଲି–ନୁହେଁ ?

 

ତୋତେ ଆଉ ବଳନାହିଁ ଟଭି । ଲୁଗାଟା ପାଲଟୁ ପାଲଟୁ ନୟନା କହିଲା ।

 

ଗାଧୁଆ ସରିଲା ଦିଜଣ ଘରକୁ ଫେରିଲେ । ଟଭି ଚାଲି ଯାଉ ଯାଉ କହିଲା, “ନୟନା, ମୋ ମନ୍ଦାର ?”

 

ନୟନା ମନ୍ଦାର ଫୁଲଟା ହାତରେ ଧରି ଘରଭିତରକୁ ଦୌଡ଼ି ପଳାଇ ଯାଇ କବାଟଟା କିଳିଦେଲା ।

 

ଟଭି ବାହାର କବାଟ ଫାଙ୍କରେ ମୁହଁ ରଖି କହିଲା, “ହଉ ଥାଆ ନୟନା !”

 

ବାର

 

ଲବଙ୍ଗଲତା ଘରେ ଶୋଇଛନ୍ତି । କାଲିଠାରୁ ଦେହଟା ତାଙ୍କର ଭଲ ନାହିଁ ।

 

ରଙ୍ଗ ଲବଙ୍ଗଲତାଙ୍କର ଦେହ ହାତ ଆଉଁସି ଦେଉଛି ।

 

କନକର ସ୍କୁଲ ବନ୍ଦଥିବାରୁ ବୈଠକ ଘରେ ପୁରୁଣା ପଢ଼ା ଘୋଷୁଛି । ମିଶ୍ରେ ଲବଙ୍ଗଲତାଙ୍କ ଶୋଇବା ଘରକୁ ପଶି ଆସିଲେ । ରଙ୍ଗ ଆଡ଼ ଆଡ଼ ହୋଇ ଠିଆ ହେଲା । ମିଶ୍ରେ ଲବଙ୍ଗଲତାଙ୍କ ଦେହରେ ହାତ ପକାଇ କହିଲେ, “ତମର କଣ ହୋଇଛି କି ?”

 

ଦେହଟା ଭଲ ଲାଗୁନି, ଜର ଜର ଲାଗୁଛି ।

 

ଆଚ୍ଛା ତମେ ଶୋଇରୁହ, ମୁଁ ଟିକେ ଆସୁଛି ଦାଣ୍ଡରୁ । ବାହାରେ ଦାଣ୍ଡ ଦରଜା ସାମ୍ନାରେ ଠିଆ ହୋଇଛି ନୟନା । ମୁହଁଟି ତା’ର ଶୁଖି ଯାଇଛି ।

 

ମିଶ୍ରେ ପଚାରିଲେ, “କ’ଣ ତୋର ହୋଇଛିକି ନୟନା ?’’

 

ବାବା ବେମାର ।

 

କେବେଠୁ ?

 

କାଲିଠାରୁ ।

 

କ’ଣ କହୁଛୁ ?

 

ନୟନା ନୀରବ, କ’ଣ ଆଉ ସେ କହିବ !

 

କହ ?

 

ବାବାକୁ ଜର, ମୁଁ କାମକୁ ଆସି ପାରିବି ନାହିଁ ।

 

ମିଶ୍ରେ ଗୁମ୍ ମାରି କହିଲେ, “ଆଚ୍ଛା– ।”

 

ମିଶ୍ରେ ଘର ଭିତରକୁ ଫେରି ଯାଉଥିଲେ ନୟନା କହିଲା, “ସାଆନ୍ତେ ମୋ ଖଟଣୀ ପାଉଣା ଗଣ୍ଡାକ ଦିଅ । ହାତରେ ପଇସା ନାହିଁ, ବାବା ପାଇଁ ଓଷଦ ଆଣିବି ।”

 

ତୋର ପାଉଣା କେତେ ହେଉଛି ?

 

ପୁରା ମାସକର ସାଆନ୍ତେ ବାରଟଙ୍କା ।

 

ମିଶ୍ରେ ଘରୁ ବାରଟଙ୍କା ଆଣି ନୟନା ହାତକୁ ବଢ଼ାଇ ଦେଲେ ନୟନା ଟଙ୍କା କେତୋଟି ଧରି ଫେରିଆସୁଛି ମିଶ୍ରେ ପଛରୁ ଡାକିଲେ, “ନୟନା, ଏ ନୟନା ! ଶୁଣୁ ।”

 

ନୟନା ଡର ଡର ହୋଇ ମିଶ୍ରଙ୍କ ପାଖକୁ ଗଲା । କାଳେ ମିଶ୍ରେ କ’ଣ କହିବେ ।

 

ନୟନା ବାବା ତୋର ଭଲ ହୋଇଗଲେ କାମ ଧନ୍ଦାକୁ ଆସିବୁ ?

 

ହଉ ସାଆନ୍ତେ ।

 

ପରଘରେ ଧନ୍ଦା ପାଇଟି ନକଲେ ତ ଚଳୁନାହିଁ, କ’ଣ କରିବ ସେ ? ବୁଢ଼ା ବାପଟା ତାର ଜରରେ ପଡ଼ିଛି–ତା ସେବା କରିବ–ନା ମିଶ୍ରଘର ଧନ୍ଦା କରିବାକୁ ଯିବ । ଦୁଇଟା ପ୍ରଶ୍ନ ତା ଆଖି ଆଗରେ ଦେବାଲ ପରି ଠିଆ ହେଲା । ଶେଷରେ ମିଶ୍ରଘର ଧନ୍ଦାର ଦେବାଲ ଭାଙ୍ଗି ପଡ଼ିଲା–ବୁଢ଼ା ବାପର ସେବାକଲା ନୟନା । ଜରୁଆ ମଣିଷଟା ଭଗବାନ ଯାହା କରିବେ । ସେ ଧାଇଁ ଯାଇଥିଲା ମିଶ୍ରଙ୍କୁ ସବୁକଥା କହି ତାର ପାଉଣାଟଙ୍କା କେତେଟା ଘେନି ଆସିବ, ଘେନିତ ଆସିଲା । ଟଙ୍କା ବାରଟା ମିଶ୍ରେ ସିନା ଦେଇଦେଲେ, କାଳେ କଣ ମନରେ ଭାବିଥିବେ । ବାଟରେ ଆସୁ ଆସୁ ନୟନା ଭାବୁଛି ।

 

ଖରା ଭାରି ଜୋର ପଡ଼ିଛି । ଦାଣ୍ଡରେ ବାଲି ତାତିଗଲାଣି । ନୟନା ଅଣନିଃଶ୍ଵାସି ହୋଇ ଧାଇଁଛି ଘରଆଡ଼େ । ବାପ ତା’ର ଚାହିଁ ବସିଥିବ । ଓଷଦ ତାକୁ ଖୁଆଇବ ।

 

“କିଏ ନୟନା ।”

 

ଚମକି ପଡ଼ିଲା ନୟନା । ଆଗକୁ ଚାହିଁଦେଲା ରାମ ଠିଆ ହୋଇଛି ତାଙ୍କ ଦାଣ୍ଡ ଦରଜା ସାମ୍ନାରେ । ହାତରେ କ’ଣ ଗୋଟାଏ ଧରିଛି । ଲାଜରେ ମୁଣ୍ଡ ନଇଁଗଲା ନୟନାର । କ’ଣ ବା ଜବାବ ଦେବ । ଚାରିଆଡ଼କୁ ଅନାଇଁଲା, କେହିନାହିଁ । ରାମ ପାଖକୁ ତାର ଚାଲି ଆସିଲା । ହାତରେ ଧରିଥିବା କଣ ଗୋଟାଏ ଶିଶି ନୟନା ହାତକୁ ବଢ଼ାଇ ଦେଉ ଦେଉ କହିଲା, “ଏ ଔଷଧ ବାପାଙ୍କୁ ଖାଇବାକୁ ଦେବୁ, ଦିନରେ ଦି’ଥର । ସକାଳେ ଆଉ ସଞ୍ଜେ ।” ମୁଁ ସଞ୍ଜ ବେଳକୁ ଯିବି ।

 

ନୟନା ଛୋଟ ଉତ୍ତରଟିଏ ଦେଲା “ହୁଁ ।” କୃତଜ୍ଞତାରେ ଅନ୍ତର ତା’ର ଭରି ଯାଇଥିଲା । ନୟନା ଚାଲିଗଲା ।

 

ରାମ ଏକଧ୍ୟାନ, ଏକ ଲୟରେ ତାର ସୁନ୍ଦର ମନ୍ଥର ଗତିପଥକୁ ଚାହିଁରହିଲା ।

 

ପାଖ ପଡ଼ୋଶୀ ରାଉତ ସାଇରୁ ଖିଲିଖିଲି ହୋଇ କିଏ ଦି’ଜଣ ହସି ଉଠିଲେ । ରାମ କିଛି ବୁଝି ପାରିଲା ନାହିଁ । ଭାବିଲା କାଳେ କିଏ.... ? ଅଣ ନିଃଶ୍ୱାସି ହୋଇ ଘର ଭିତରକୁ ପଳାଇ ଗଲା ।

 

ତେର

 

ସଞ୍ଜ ପହର ଗଡ଼ିଗଲାଣି–ମୁହଁକୁ ମୁହଁ ଦିଶୁନାହିଁ । ଅନ୍ଧାର–ଖାଲି ଅନ୍ଧାର ।

 

ଜଗୁଆର ଦେହ ଟିକେ ଭଲଅଛି । କାନ୍ଥକୁ ଆଉଜି ଜଗୁଆ ବସିଛି । ନୟନା ଚାଉଳ ଦି’ଗଉଣୀ ଧରି କୁଲାଟାରେ ପାଛୁଡ଼ୁଛି । ବାହାରେ ହାଡ଼ିପଧାନ ଖୁଁ ଖୁଁ କାଶି ଡାକିଲା–

 

“ଜଗୁଆ ଭାଇ !”

 

ଅସ୍ପଷ୍ଟ ଗଳାରେ ଜଗୁଆ ଉତ୍ତର ଦେଲା, “କ’ଣ ?” ଘର ଭିତରକୁ ପଶି ଆସିଲା ହାଡ଼ି ପଧାନ, ତା ପଛରେ ରାମ । ରାମ ଥଙ୍ଗେଇ ଥଙ୍ଗେଇ ଦୂରରେ ଠିଆହେଲା ।

 

କିରେ ସେଠି ଠିଆହେଲୁ ? ଆଡ଼କୁ ଆ ।

 

ରାମ ଘର ଭିତରକୁ ଆସିଲା । ଜଗୁଆ ଚଟ ଦିଖଣ୍ଡି ଆଣି ପକାଇ ଦେଲା । ହାଡ଼ିପଧାନ, ରାମ ଦିଖଣ୍ଡି ଚଟରେ ଦି’ଜଣ ବସିପଡ଼ିଲେ । ବନ୍ଧୁର ମାନନା, କିଛିକ୍ଷଣ ପରେ ନୟନା ମୁଣ୍ଡରେ ଓଢ଼ଣା ଟାଣି ପାନ ଦି’ଖଣ୍ଡି ଆଣି ଦେଇଗଲା ।

 

ଜଗୁଅର ମନଟା ଆଜି ଭାରି ଫୂର୍ତ୍ତି ଲାଗୁଛି । ଘରଟା ଅନ୍ଧାର ଦେଖି ନୟନା ତେଲ ଦୀପଟା ଲଗାଇ ଦେଲା । ବଡ଼ ଲାଜ ଲାଗୁଥାଏ ତାକୁ । ରାମ ଘର ଭିତଟାରେ ବସିଛି–କେମିତି ସେ ସାମ୍ନାରେ ଯିବା ଆସିବା କରିବ ? ଘରର ଧନ୍ଦା କରିବ ? ନୟନା ଚାଳିଘରେ ଯାଇ ବସିଲା । ଭାବନା–ଖାଲି ଭାବନା ! ମୁଣ୍ଡରେ ତାର ଅସରନ୍ତି ଭାବନା.... ।

 

ଜଗୁଆ ଭାଇ ! ଦେହ ତମର କିମିତି ଅଛି ?

 

ଭଲ ଅଛି । କଣ ଟିକେ ସର୍ଦ୍ଦିହୋଇ ଜର ହୋଇ ଯାଇଥିଲା, ବୁଢ଼ା ବଅସରେ ଆଉ ବା କି ଆଶା ? ଯେତେହେଲେ ପାକଲା ତାଳ, ନିଜେ ବୁଝି ପାରୁନାହୁଁ–ତୋରି କଥାରୁ ।

 

ହଁ, ଜଗୁଆ ଭାଇ–ବଅସ ରହିଲେ ସବୁ ରୋଗ ମାଡ଼ିବସନ୍ତି । ଖୁଁ ଖୁଁ ଖୁଁ ।

 

“ଆରେ ହାଡ଼ି, ବାଲୁରୀ ବୋଉ କେମିତି ଅଛି ?

 

କାହିଁକି ତା କଥା ପଚାରୁଛ ଜଗୁଆ ଭାଇ ? ଦେଖୁ ଦେଖୁ ତ ଛଅମାସ ଆସି ହେଲା ବିଛଣାରେ ପଡ଼ିଛି । ସତେ କ’ଣ ସେ ଭଲହେବ ? ଭଗବାନ ଜାଣନ୍ତି । ହରିବଂଶ ପୋଥିଟିଏ କାଲିଠାରୁ ବସାଇଛି । ହାତରେ ଗୋଟାଏ ପଇସା କଉଡ଼ି ନାହିଁ । ବଡ଼ପରା ମହାଜନ ଘରେ ଜମି ବନ୍ଧକ ପକାଇ ପଚାଶଟି ଟଙ୍କା ଆଣିଛି–ସେଇଥିରେ ତଳିହାତ କରି ମେଣ୍ଟାଇ ନେବି । ଗରିବ ମୁଣ୍ଡ, ଟଙ୍କା କାହୁଁ ପାଇବି, ବେଶୀ ଆୟୋଜନ କରିବି ।

 

ଜଗୁଆ ହାଡ଼ିପଧାନ କଥା ଶୁଣି ଗୋଟାଏ ଦୀର୍ଘ ନିଃଶ୍ଵାସ ପକାଇଲା । ତୋର ଆଉ ବଳ କଣ ହାଡ଼ି ! ତୁ ଆଉ ବା କଣ କରନ୍ତୁ ?

 

ହଁ ଜଗୁଆ ଭାଇ ! ସେଇଆ ପରା ମୋର ଶେଷ ଉପାୟ । ଡାକ୍ତର, ବଇଦର ଦବାଇ ପାଣି ସବୁ ଛାଡ଼ିଲି–ସେହି ହରିଙ୍କି ଭରସା କରି । ଏଣିକି ତା’ ଭାଗ୍ୟ...ଖୁଁ ଖୁଁ ଖୁଁ ।

ପାଖ ଚାଲିଘରୁ ନୟନା କାନପାରି ସବୁ ଶୁଣୁଥାଏ । ଗାଁ ସେ ମୁଣ୍ଡ ମଙ୍ଗଳା ଘରୁ ଆଳତୀ ଘଣ୍ଟା ବାଜି ଉଠିଲା । ସମସ୍ତେ ହାତଯୋଡ଼ି ପ୍ରଣାମ କଲେ ।

ହାଡ଼ି ପଧାନ କହିଲା–ଜଗୁଆ ଭାଇ ! କ’ଣ କହୁଛ କୁହନି । ରାମକୁ ହେଇ ସାଙ୍ଗରେ ଆଣିଛି ଦେଖୁଛ ।

ଅଣ୍ଟାରୁ ମହାପ୍ରସାଦ ପୁଡ଼ିଆଟି ବାହାର କରି ହାଡ଼ି ପଧାନ ଥୋଇଦେଲା ଆଗରେ ।

କିରେ ରାମ କଣ କହୁଛୁ କହୁନୁ ?

କ’ଣ ଆଉ କହିବି ଅଜା, ତମକୁ କଣ ମୋ କଥା ଅମାଲୁମ ?

ହଉ, ତେବେ ଆସ ମହାପ୍ରସାଦ ପାଅ ।

ଜଗୁଆ ଭାଇ ନିଅ ।

ରାମ ତୁ ନିଏ ।

ସମସ୍ତେ ମହାପ୍ରସାଦ ପୁଡ଼ିଆଟି ଖୋଲି ଭୋଗ ଟିକିଏ ଟିକିଏ ପାଇଲେ । ବିଭାଘର ସ୍ଥିର ହୋଇଗଲା ମହାପ୍ରସାଦ ନିର୍ବନ୍ଧରେ ।

ରାମ ହେବ ନୟନାର ବର । କଥାହେଲା ରାମର କେହିନାହିଁ, ସେ ଜଗୁଆ ଘରେ ଘରଜ୍ୱାଇଁ ହୋଇ ରହିବ । ଚାଲିଘରୁ ଥାଇ ନୟନା ଖୁସି ହେଉଛି । ଆନନ୍ଦ ତା’ର କହିଲେ ନସରେ-

କଥାବାର୍ତ୍ତା ସରିଲା, ହାଡ଼ି ପଧାନ କହିଲା, “ଜଗୁଆ ଭାଇ ଯାଉଛୁ ।”

ଜଗୁଆ କହିଲା, “ହାଡ଼ି ଏମିତି କଣ ହୁଏ ? ଆଜି ଯାହା ଆମ ଗରିବ ଘରେ ଶାଗ ମୁଗ ହେଇଛି–ଗଣ୍ତେ ଖାଇଯାଅ ।”

ନା ଜଗୁଆ ଭାଇ ଡେରି ହେଲାଣି, ଏହି କଣ ହେଲାନି ?

ରାମ ଘର ଭିତରେ ବସି ଭାବୁଛି–କେତେ କ’ଣ ଭାବୁଛି । ଏଇ ଜଗୁଆ ସାଆନ୍ତେ ଆଙ୍କରି ସାଙ୍ଗରେ କେତେ ଥଟ୍ଟା ତାମସା ନ ହେଉଥିଲା । ଦିନରେ ପାଞ୍ଚଥର ସେ ଏ ଘରକୁ ଆସୁ ନଥିଲେ ମନ ତାର କେମିତିକା ହୋଇ ଯାଉଥିଲା । ଆଉ ଆଜି....ଆଜି ମୁଣ୍ଡ ଲଜ୍ୟାରେ ନଇଁ ଯାଉଛି ଜଗୁଆକୁ ଦେଖି । ଜଗୁଆ ଯେ ତା’ର ଶ୍ୱଶୁର !

ଏଇ ନୟନା–କେତେ କଥା ସେ ତାକୁ ନ କହିଛି ? କେତେ ଦୁଃଖ ସୁଖ ନ ହୋଇଛନ୍ତି ଦି’ଜଣ । ଆଜି......ଆଜି ତାକୁ ନୟନା ଦେଖି ମୁଣ୍ଡରେ ଦିହାତ ଓଢ଼ଣା ଟାଣୁଛି । ଦିନ ଏମିତି ପୁଣି ଆସେ.... । ମନେ ମନେ ଭାରି ଖୁସି ହେଉଛି ରାମ ।

କିରେ ରାମ ଯିବା ଚାଲ୍ ।

ରାମର ଭାବନା ଭାଙ୍ଗିଗଲା । ହଁ ଅଜା, ଡେରି ହେଉଛି ଯିବା ଚାଲ ।

ଜଗୁଆ କେତେକରି କହିଲା, କେତେ ଅଟକାଇଲା ଦିଜଣଙ୍କୁ । କେମିତି ବା ସେମାନେ ରହିବେ ? ଇଜତ୍ ଅଛି–ମାନଅଛି, ନୂଆକରି ବନ୍ଧୁ ହେଉଛି ରାମ । କେମିତି ସେ ଆଗତୁରା ତା ଘରେ ଖାଇବ ? ଲୋକେ କଣ କହିବେ ?

ହାଡ଼ି ପଧାନ ଉଠି ପଡ଼ିଲା ଯିବାପାଇଁ । ରାମ ଉଠିପଡ଼ି ଜଗୁଆ ପାଦତଳେ ମୁଣ୍ଡ ନୁଆଁଇ ଦଣ୍ଡବତ କଲା । ଜଗୁଆ କଲ୍ୟାଣ କଲା । ରାତି ଅନେକ ହୋଇ ଗଲାଣି । ହାଡ଼ି ପଧାନ ରାମ ଦି’ଜଣ ଘର ଆଡ଼କୁ ମୁହାଁଇଲେ । ଦାଣ୍ଡ, ଦରଜା ପାଖକୁ ଜଗୁଆ ବଳାଇ ଦେବାକୁ ଆସି, ଘର ଭିତରକୁ ପୁଣି ଫେରିଗଲା ।

ନୟନା ଚାଳିଘରୁ ସାଇ ଅଗଣାକୁ ପଶିଆସିଲା । ଜଗୁଆ କହିଲା, “ମାଆ ନୟନା–ତୁ ଏଣିକି ମିଶ୍ରଘର ଧନ୍ଦାକୁ ଯିବୁନାହିଁ ।”

କାହିଁକି ?

ନାହିଁ ମା, ଯିବାଟା ଅସୁନ୍ଦର ଦେଖାଯିବ । ବଢ଼ିଲାର ଝିଅଟା ପେଟ ପୂରୁନାହିଁ ବୋଲି ସିନା ତାଙ୍କ ଘର ଧନ୍ଦା କରିବାକୁ ଯାଉଛି । ମୁଁ ଯଦି ଖଟି ପାରୁଥାନ୍ତି... । ଜଗୁଆ ଆଖିରୁ ଲୁହ ଗଡ଼ି ପଡ଼ିଲା–ଠପ୍ ଠପ୍ ଠପ୍ ।

ଛି–ବାବା ତମେ କାନ୍ଦୁଛ ? ମୁଁ ଧନ୍ଦାକୁ ନଗଲେ ଖାଇବା କ’ଣ ?

ଆଖିରୁ ଲୁହ ପୋଛୁ ପୋଛୁ ଜଗୁଆ କହିଲା, “ଭଗବାନ ଭରସା । ପେଟ ଦିଟା କଣ ଅପେକ୍ଷା ରହିବ ?”

ଜଗୁଆ ଉଠିପଡ଼ି ଭାଡ଼ିତଳୁ ମାଟି ବେକାଟା ଘେନିଆସି ଝଣ୍ କରି ଓଜାଡ଼ି ଦେଲା ନୟନା ଆଗରେ । କେଉଁ କାଳରୁ ସେ ନୟନାର ବାହାଖର୍ଚ୍ଚ ପାଇଁ ଆଠଅଣା ଟଙ୍କାଏ କରି ପକାଇ ରଖିଥିଲା । ତାକୁ ସାଇତି ରଖି କଣ ହେବ ?

ଗଣ ମା ।

ନୟନା ଆଣି, ଦୋଣୀ, ସୁକି, ଟଙ୍କା ମିଶାଇ ଗଣିଲା ସତୁରୀ ।

ବାବା ସତୁରୀ ଟଙ୍କା ।

ସ–ତୁ–ରୀ । ନୟନା ଚମକି ପଡ଼ିଲା ।

ନିଏ ମା, ରଖ, ତୋରିପାଇଁ ମୋର ଏ ବୁଢ଼ା ବଅସର ଶେଷ ସମ୍ବଳ । ଏଇ ଟଙ୍କା ଖର୍ଚ୍ଚ କରି ଘରେ ବସି ଖାଆ ।

ଆଉ ମୋଟେ ମାସ ତିନିଟା–ଫାଲ୍‍ଗୁନ । ଝିଅଟାକୁ ଶେଷ ବେଳଯାଏ ଖଟାଇବି ?

ନୟନା ଆଖିରୁ ଲୁହ ଠପ୍ ଠପ୍ ହୋଇ ଗଡ଼ିପଡ଼ିଲା । କି ସ୍ନେହ... । ଅନ୍ତର ଭକ୍ତିରେ ପୂରିଉଠିଲା ତାର । ବାପକୁ କୁଣ୍ଢାଇ ଧରି ଛୁଆଙ୍କ ପରି କଇଁକଇଁ ହୋଇ କାନ୍ଦିଲା ନୟନା । ବାବା–ବାବା ମୋର ।

ଦାଣ୍ଡରୁ କାହାର ପାଟି ଶୁଭିଲା, ଜଗୁଆ–ଜଗୁଆ ଅଛୁ ।

ଜଗୁଆ ଜବାବ ଦେଲା, “ହଁ ।”

ମିଶ୍ରେ ଜଗୁଆର ସାଇ ଭିତରକୁ ପଶିଆସିଲେ । ନୟନା ତରତର ହୋଇ ଅଣି ଦୋଣୀ, ସୁ’କୀ ଗୁଡ଼ାକ ବେକା ଭିତରେ ପୂରାଇଦେଲା ।

ଜଗୁଆ ମିଶ୍ରଙ୍କୁ ଦେଖି ଚମକି ପଡ଼ିଲା ।

“ଆଜ୍ଞା ! ଆପଣ ସାଆନ୍ତେ !”

ହଁ, ଆସିଛି ତୋରି ପାଖକୁ ଜଗୁଆ ।

କାହିଁକି ଆଜ୍ଞା ?

ନୟନା ଆଉ କାମଧନ୍ଦାକୁ ଯାଉନି, କାରଣ କଣ ?

ଜଗୁଆ ହାତ ମଳି ମଳି କହିଲା, “ସାଆନ୍ତେ ବାଡ଼ୁଅ ଝିଅଟା ମୋର କେତେ କାହାନ୍ତର ଆଉ ଖଟିବ ? ସେଇ ଦିନରୁ ମୁଁ ତ ବିଛଣାରେ ପଡ଼ିଛି । ଆଜି ଦେହ ଟିକେ ଭଲଅଛି–ସେ ତ ମୋରି ସେବାରେ ବ୍ୟସ୍ତ ଆଜ୍ଞା ।”

ତେବେ କଣ କହୁଛ ଜଗୁଆ ?

ଆଜ୍ଞା କଣ ଆଉ କହିବି ? ଝିଅ ମୋର ଆଉ ଧନ୍ଦା କରିବାକୁ ଯିବନାହିଁ । ଗରିବ ମୁଣ୍ଡ ପେଟକୁ ଦାନା ନାହିଁ ବୋଲି ସିନା ଝିଅଟା ମୋର ଦାଣ୍ଡରେ ଖଟୁଛି । ଆଜ୍ଞା, ଆଜିକାଲିକାର କଥା ତ ସବୁ ଜାଣନ୍ତି । ମୁଁ ଯଦି ପାରୁଥାନ୍ତି ।

ଦାଣ୍ଡ କ’ଣ ? ଘରେ ମଣିଷ ପରି ରହିଥିଲା । ତାକୁ କେହି କିଛି ତ କହିନାହାନ୍ତି ।

ନା, ସାଆନ୍ତେ ମୁଁ କା’ର ଦୋଷ ଦେଉନାହିଁ । ଝିଅଟି ମୋର ସମସ୍ତଙ୍କ ସୁଗୁଣ ଗାଏ ।

ମିଶ୍ରେ ନୀରବରେ ଚାଲିଗଲେ କିଛି ନ କହି ।

ଜଗୁଆର ମନଟା ପାପ ଛୁଇଁଲା । ଏତେବଡ଼ ଲୋକଟା–ଗାଁର ମୁଖିଆ, ପଇସାବାଲା, ଜମିଦାର, କାଳେ କେଉଁ କଥା ?

ଜଗୁଆ ଘର ଭିତରେ ଗୁମ୍ ମାରି ବସିଗଲା ।

ନୟନା ଜଗୁଆ ପାଖକୁ ଆସି ଛିଡ଼ାହୋଇ କହିଲା, “ବାବା ତମେ କ’ଣ ଭାବୁଛ ମ ?”

ଜଗୁଆ କହିଲା, “ନାହିଁ ନୟନା, ଭାବିବି ଆଉ କ’ଣ ?”

 

ଚଉଦ

 

ଆଲୋ ରଙ୍ଗ, ତୁ ଏଡ଼ିକି ମଟିକିଟା ଲୋ ? କେମିତି ଘରକରି ଗିରସ୍ତ ପୁଅ ନେଇ ରହିଥିଲୁ ?

 

କ’ଣ କହିବ ରଙ୍ଗ, ହାତରୁ ତ ଖସିପଡ଼ିଛି ଦୁଧବଢ଼ାଟା । ଭୁଲ୍ ଟା ତ କରି ପକାଇଛି । ରଙ୍ଗ ସଙ୍କିପଡ଼ି ଗୋଟାଏ କଡ଼କୁ ଛିଡ଼ାହେଲା ।

 

ଲବଙ୍ଗଲତା ମୁହଁଟାକୁ ଏଡ଼େକରି କହିଲେ, “ଗେଣ୍ଠା ହେବ; ଏଗୁଡ଼ାକ ଯାହା ଘରେ ଥିବେ ତା ଘର ନିହାଲ । ପୁଅଟା ମୋର ଏତେଦିନ ପରେ ଫେରୁଚି, ଘରେ ଟୋପାଏ ଦୁଧ ନାହିଁ । ବେକାଏ ଦୁଧ ସାଇଟାରେ ଲହଡ଼ା ମାରୁଚି ।”

 

ଜଳିଆ, ଜଳିଆ ମ !

 

ଜଳିଆ ବାହାରେ କେଉଁଠି ଥିଲା, ଜବାବ ଦେଲା–କ-ଅଣ ।

 

ଗାଈ ବିଲରୁ ଆସିଲେଣି ?

 

ହଁ, ମା–ଆସିଲେଣି ।

 

ବଢ଼ାଟା ନେଇଯିବୁଟି, ଦୁଧ ଦୁହିଁଅଣିବୁ ।

 

ଜଳିଆ ବଢ଼ାଟା ନେଇ ଗୁହାଳକୁ ଗାଈ ଦୁହିଁବା ପାଇଁ ଚାଲିଗଲା ।

 

ଦୁଧବଢ଼ାଟା ଭାଙ୍ଗିଯାଇଚି, ସାଇଟା ଅସନା ଦିଶୁଚି । ରଙ୍ଗ ଗୋଟାଏ ଛିଣ୍ଡା ଲୁଗାରେ ତଳେ ପଡ଼ିଥିବା ଦୁଧ ପୋଛିବାରେ ଲାଗିଚି । ସାଆନ୍ତାଣୀ ଆଜି ଗୁଡ଼ାଏ ଗାଳି ଦେଇଛନ୍ତି ତାକୁ । ମନ ଭାରି ଖଟା ହୋଇଯାଇଚି ରଙ୍ଗର । କୌଣସି ନା କୌଣସି ଭୁଲ୍ କରିବସିଲେ, ଲବଙ୍ଗଲତା ଚାକର–ଚାକରାଣୀଙ୍କ ଉପରେ ପ୍ରଭୁତ୍ୱ ଦେଖାନ୍ତି ଏହିପରି ।

 

ଗାଈ ଦୁହିଁ ଜଳିଆ ଦୁଧବଢ଼ାଟା ଆଣୁ ଆଣୁ ସାଇ ଅଗଣାରେ ଆଣ୍ଠେଇ ପଡ଼ିଲା । ଦୁଧବଢ଼ାଟା ଭାଙ୍ଗିଯାଇ–ବାଟଟା ପିଚ୍ଛିଳ ହୋଇ ଯାଇଥିଲା; ପାଦ ଦି’ଟା ତାର ତା’ରି ଉପରେ ପଡ଼ି ଖସିଗଲା । କାଳେ କିଏ ଦେଖିଲା କି ? ଛନ୍ନଛନ୍ନ ହୋଇ ଅନାଇଁ ଦେଲା ଜଳିଆ । ବଡ଼ ଲାଜ ଲାଗିଲା ତାକୁ, ତରତର ହୋଇ ଦୁଧ ବେଢ଼ାଟା ହାତରେ ଧରି ଜଳିଆ ଆର ଖଞ୍ଜାକୁ ଚାଲିଗଲା ।

 

ନୂଆ ସାଇକେଲଟା ମିଶ୍ରଙ୍କ ପିଣ୍ଡାକୁ ଡେରା ହୋଇଚି । ଗାଁର ପିଲା, ଛୁଆ, ବୁଢା, ବୁଢ଼ୀ ଜମା ହୋଇଛନ୍ତି ଆସି । କିଏ କେତେ ପ୍ରକାର ସୁଖ୍ୟାତି ଗାଉଛନ୍ତି ବିନୋଦର । ବିନୋଦ କଟକରୁ ଫେରିଚି–ଘର ଭିତରେ ଥାଇ ମିଶ୍ରେ ଲବଙ୍ଗଲତାଙ୍କୁ କହୁଛନ୍ତି, “ଦେଖିଲ ତ, ପୁଅ ପାଠ ପଢ଼ିଥିଲା ବୋଲି ସିନା.... ।”

 

କନକ ଭାଇ ପାଖରେ ବସି କଟକର କେତେଆଡ଼ୁ କେତେ ଗପ ଶୁଣୁଚି । ବିନୋଦ ଆଜି ବର୍ଷକ ପରେ ଗାଁକୁ ଫେରିଚି । ମନରେ ତା’ର ଆନନ୍ଦ । ଏହି ବର୍ଷ ଗୋଟାକର କେତେକଥା–ମନରେ ପଡ଼ୁଚି ତାର । ସେ ସବୁ କେଉଁ ଅତୀତରେ ମିଶିଗଲାଣି, କେବଳ ରହିଚି ଗୋଟାଏ ସ୍ମୃତିର ଭଙ୍ଗା ନମୁନା । ସେ ମନ, ସେ ପ୍ରାଣ ଯେପରି ବିନୋଦ କେଉଁଠି ହଜାଇ ବସିଚି । ନିଜର ଭବିଷ୍ୟତ ନେଇ ବିନୋଦ ବର୍ତ୍ତମାନ ବ୍ୟସ୍ତ । ଭବିଷ୍ୟତ–ବିରାଟ ଭବିଷ୍ୟତ । ଏହି ଭବିଷ୍ୟତକୁ କେନ୍ଦ୍ର କରି ସେ ଧନୀହେବ, କୋଠା ତୋଳିବ, ବିଳାସ–ବ୍ୟସନରେ ରହିବ । କି ପରିବର୍ତ୍ତନ !

 

ପୁଅଟା କେତେବେଳୁ ଆସି ଘରେ ବସିଚି, କଣ’ ତମେ କରୁଛ ଲବଙ୍ଗଲତା ? ଲବଙ୍ଗଲତା କେତେଖଣ୍ଡି ପୁରି, ଟିକେ ଡାଲି, ତରକାରି ଗୋଟେ ଥାଳିରେ ଆଣି ବିନୋଦ ପାଖରେ ଦେଇ କହିଲେ, “ଖାଆ ବାପ ।”

 

ବିନୋଦ ଖାଇ ବସିଲା ।

 

ଲବଙ୍ଗଲତା ଗୋଟାଏ କାଚ ଗ୍ଲାସରେ ଦୁଧ ଗ୍ଲାସେ ଆଣି ବିନୋଦ ହାତକୁ ବଢ଼ାଇ ଦେଇ କହିଲେ, “ଏତକ ପିଇ ଦେ ।”

 

ବିନୋଦ ଦୁଧ ଗ୍ଲାସଟା ଧରି ଢକଢକ କରି ଦି’ଥରରେ ପିଇଦେଲା । ରଙ୍ଗ ସେ ଘରୁ ଥାଇ କାନେଇଁ କାନେଇଁ ବିନୋଦକୁ ଅନାଇଁ ଥାଏ ।

 

ଗୋଟାଏ ବର୍ଷ ତଫାତ୍ । ବିନୋଦ ଆଖିରେ ସବୁ ଯେପରି ନୂଆପରି ଦିଶୁଚି । ପଲ୍ଲୀର ପ୍ରକୃତିକୋଳରେ ସେ ନିଜକୁ ନିଜେ ହରାଇ ବସୁଚି । କ୍ଷଣକ ଆନନ୍ଦ–କ୍ଷଣକ ମୋହ ଘେନି ଗର୍ବ ଅନୁଭବ କରୁଚି ସେ ।

 

ମିଶ୍ରଙ୍କର ମନୋଭାବ ବଦଳିଯାଇଚି । ବିନୋଦ ପ୍ରତି ସ୍ନେହ ଶ୍ରଦ୍ଧା ଆଗ ଅପେକ୍ଷା ଢେର୍ ବଢ଼ିଯାଇଚି ।

 

ଦେଖୁ ଦେଖୁ ଆଖି ପିଛୁଡ଼ାକେ ମାସ ଗୋଟିଏ ତାର ତିରିଶଟି ଦିନର ସଙ୍କେତ ଘଣ୍ଟା ବଜାଇ ଚାଲିଗଲା । ବିନୋଦର ପ୍ରାଣ ଥରିଉଠିଲା । ତା’ର ଛୁଟି ପୂରିଗଲାଣି । ପୁଣି ତାକୁ କର୍ମମୟ ଜୀବନକୁ ଫେରିଯିବାକୁ ହେବ ! ଆଖି ସାମ୍ନାରେ ନାଚିଗଲା ସହରର ମଧୁର ସନ୍ଧ୍ୟା । ବିରାଟ ଅଟ୍ଟାଳିକା ଭେଦୀ-ପ୍ରାଣଭରା ଜୀବନ-ସଙ୍ଗୀତ । କାହିଁ ? ତୃପ୍ତି ସେଥିରେ ନାହିଁ–ଶାନ୍ତି ତ ନାହିଁ । ତଥାପି ଜୀବନର ଭବିଷ୍ୟତକୁ ବଞ୍ଚାଇବାକୁ ହେବ । ଗୋଟାଏ ଲକ୍ଷ୍ୟ, ଗୋଟାଏ ପଥ, ବିରାଟ ତାର ଚିନ୍ତା.... ।

 

ବିନୋଦର ଭାବନା ଭାଙ୍ଗିଗଲା–ସକାଳ ସୂର୍ଯ୍ୟର କଅଁଳ ଆଲୋକ ପଡ଼ିଛି । ଗାଁଗଣ୍ଡା, ଘର-ଦ୍ଵାର, ଗଛ-ପତ୍ର, ବାରି-ବଗିଚା ସବୁ ହସି ଉଠିଲା । ବିନୋଦ କଟକ ବାହାରି ପଡ଼ିଲା ।

 

ମିଶ୍ରେ କହିଲେ, “ଆଉ କିଛିଦିନ ରହ ବିନୋଦ ?”

 

ଲବଙ୍ଗଲତା ଦରଦଭରା କଣ୍ଠରେ କହିଲେ, “ମୋଟେ ମାସ ଗୋଟାକ ପାଇଁ ଆସିଥିଲୁ-?”

 

ବିନୋଦ ସବୁ ଶୁଣିଲା, ଅନ୍ତରରେ ତାର ଭାଷା ନଥିଲା; କ’ଣ ସେ ପ୍ରତ୍ୟୁତ୍ତର ଦେବ ।

 

ପନ୍ଦର

 

ହେ, ତମେ ଶୁଣିଲଣି ନା ?

 

“କ’ଣ କହୁନା ।”

 

ମିଶ୍ରେ ପାନଖିଆ ମସିଆ ଦାନ୍ତ କେତେଟାରେ ହସ ଫୁଟାଇ କହିଲେ, “କାଲି ଶତପଥୀଏ କହୁଥିଲେ ଏଥର ତାଙ୍କ ଝିଅ ସୁରମାର ବିଭାଘର ଦେଉଛନ୍ତି ।”

 

‘‘ହେଲା କ'ଣ ?’’

 

ହେବ କ’ଣ ? ବିଭାଦେବେ ଯେ–ଏ ପର୍ଯ୍ୟନ୍ତ ପାତ୍ର କେଉଁଠି ସ୍ଥିର କରି ନାହାନ୍ତି । ଯଦି ସେଇଟି ଆମ ବିନୋଦ ପାଇଁ ହୁଅନ୍ତା–ଭଲ ହୁଅନ୍ତା ନାହିଁ ?

 

ମୁଁ କଣ ନାହିଁ କରୁଛି ? ଝିଅଟି ଦେଖିବାକୁ ଚମ୍ପା ଚାଙ୍ଗୁଡ଼ି ପରି । ପାଠ ଦି’ ଅକ୍ଷର ପଢ଼ିଛି, ଶାନ୍ତ ପିଲାଟି, ଏମିତି ପିଲାଟିଏ ଆମ ଘରକୁ ତ ଦରକାର ।

 

ତା ହେଲେ ମୁଁ ଶତପଥୀଙ୍କ ସାଙ୍ଗରେ କଥା ପକାଏ ।

 

ଲବଙ୍ଗଲତା କହିଲେ, “ହଁ କଥା ପକାଅ, ସେ କ’ଣ କହୁଛନ୍ତି ?”

 

ମିଶ୍ରେ ଶତପଥୀଙ୍କ ସହିତ କଥା ପକାଇଲେ । ବିନା ଆପତ୍ତିରେ ଶତପଥୀଏ ଜବାବ ଦେଲେ । ବିଭାଘର ସ୍ଥିର ହୋଇଗଲା ।

 

ବିଭାଘର ଥାଏ ପନ୍ଦର ଦିନ । ମିଶ୍ରେ ବିନୋଦ ପାଖକୁ ଚିଠି ଲେଖିଲେ ।

 

ବିନୋଦ ଚିଠି ପଢ଼ି ଆଶ୍ଚର୍ଯ୍ୟ ହୋଇଗଲା । ସେ କଳ୍ପନା କରି ନଥିଲା ଏତେ ଚଞ୍ଚଳ ତାର ବିଭାଘରଟା ସ୍ଥିର ହୋଇଯିବ ବୋଲି । କିଛି ସ୍ଥିର କରିପାରିଲା ନାହିଁ ସେ । ଭାବନାର ଅସରନ୍ତି ଢେଉରେ କାହିଁ କେତେଦୂର ଭାସିଗଲା ବିନୋଦ ।

 

ସେଦିନ ସଅଳ ସଅଳ ଅଫିସକୁ ବାହାରିପଡ଼ିଛି । ପୂନରାୟ ଗୋଟାଏ ଟେଲିଗ୍ରାମ ପାଇଲା–ବାପା ଲେଖିଛନ୍ତି, ତୋର ବିବାହ ସ୍ଥିର ହୋଇଗଲା, ଶୀଘ୍ର ଘରକୁ ଆସିବୁ ।

 

କଣ ସେ କରିବ ? କିଛି ଉପାୟ ପାଇଲାନି । ଗୋଲକଧନ୍ଦାରେ ପଡ଼ିଲା ପରି ଅସ୍ଥିର ହେଲା ମନଟା ତାର । ଅଫିସରେ କାମ କରିବାକୁ ମନ ଲାଗିଲାନି ସେଦିନ ।

 

ତହିଁ ଆରଦିନ ସକାଳେ ବିନୋଦ ବସାରେ ଚା’ ଖାଉଛି । ନିଜେ ମିଶ୍ରେ ଆସି ପହଞ୍ଚିଲେ । ବାପାଙ୍କୁ ଦେଖି ବିନୋଦ ଚମକି ପଡ଼ିଲା । ବୁଝିବାକୁ ଡେରି ହେଲାନି ତାକୁ–ବାପାଙ୍କ ଆଗମନର ଉଦ୍ଦେଶ୍ୟଟା କଣ ? ବିନୋଦ ବାପାଙ୍କୁ ନମସ୍କାର କଲା ।

 

ମିଶ୍ରେ ବିନୋଦକୁ କହିଲେ, “ଟେଲିଗ୍ରାମ ପାଇଥିଲୁ ବିନୋଦ ?”

 

ବିନୋଦ କିଛିକ୍ଷଣ ନୀରବ ରହି କହିଲା, “ହଁ ।” ମନେ ମନେ କେତେ କ'ଣ ଭାବିଥିଲା ସେ ବାପାଙ୍କୁ ମନା କରିଦେବ–ନାହିଁ ବାପା ! ତୁମେ ଫେରିଯାଅ, ବର୍ତ୍ତମାନ ମୁଁ ବିବାହ କରିବିନି । ତା ଗଳା କିଏ ଚାପି ଧରିଲା ପରି ମନେକଲା । କିଛି କହି ପାରିଲାନି । କାଳେ ବାପାଙ୍କ ମନରେ ଦୁଃଖ ହେବ । ତାଙ୍କ ଇଚ୍ଛା ବିରୁଦ୍ଧରେ ସେ କେବେ କୌଣସି କଥା କହିନି । ଆଜି ଏମିତି ସାହସଟା କିପରି କରିବ ?

 

ବିନୋଦ ବାପାଙ୍କ ଖବର ଅନ୍ତର ବୁଝି ଅଫିସକୁ ବାହାରି ପଡ଼ିଲା । ଆଜି ସେ ଅଫିସରୁ ଛୁଟି ମଞ୍ଜୁର କରାଇ ଆଣିବ । ବାପା ଯେତେବେଳେ ନେବା ପାଇଁ ନିଜେ କଟକ ଆସିଛନ୍ତି; ଉପାୟ କ’ଣ ? ବିନୋଦ ଆଉ କୌଣସି ପ୍ରତିବାଦ କରି ପାରିଲା ନାହିଁ । ଅଫିସରୁ ଛୁଟି ଏକମାସ ପାଇଁ ମଞ୍ଜୁର କରାଇ ବିନୋଦ ବାପାଙ୍କ ସହିତ ଘରକୁ ଫେରିଲା । ମନରେ ତାର ଆନନ୍ଦ ନାହିଁ, ସରାଗ ନାହିଁ । ଯେପରିକି ସେ ବାଧ୍ୟବାଧକତାରେ ଘରକୁ ଫେରୁଛି । କେଜାଣି କାହିଁକି ମନଟା ତାର ସ୍ଥିରକରି ପାରୁନାହିଁ ବିନୋଦ ! ଦିନେହେଲେ ବିବାହଟା ତ କରିବାକୁ ହିଁ ହେବ । ତେବେ ସେଥିପାଇଁ ଏତେ ବୀତସ୍ପୃହ କାହିଁକି ? ପ୍ରାଣରେ ଶତ ପ୍ରଶ୍ନ–ଶତ ଜିଜ୍ଞାସାର ଚିହ୍ନ କାହିଁକି ?

 

ଲବଙ୍ଗଲତା ପାଖକୁ ଲାଗି ବସିଛି ବିନୋଦ ।

 

ଲବଙ୍ଗଲତା ପଚାରିଲେ, “ଆଚ୍ଛା ବିନୋଦ, ତୋ ମୁହଁଟା କାହିଁକି ଶୁଖିଗଲାପରି ଦିଶୁଛି-? କ’ଣ ମନ ଭଲନାହିଁ ?”

 

ବିନୋଦ ମାଆଙ୍କ ପାଖରେ ସବୁ କଥାଗୁଡ଼ା ଗୋପନ ରଖିବାକୁ ଚେଷ୍ଟାକରି ମୁହଁରେ ଶୁଖିଲା ହସ ଫୁଟାଇ କହିଲା, “ନାହିଁ ତ ମାଆ ! ମୋର କିଛି ହୋଇନାହିଁ ।”

 

ଲବଙ୍ଗଲତା କହିଲେ, “ସବୁ ଜଣେରେ ସବୁ ଜାଣେ । ତୋ ମନକଥା ଯଦି ମୁଁ ନଜାଣିବି–ତେବେ ଆଉ ଜାଣିବ କିଏ ? ହେଇ ନିଏ ।”

 

ଲବଙ୍ଗଲତା ହାତରେ ଧରିଥିବା ପ୍ରଭାର ଫଟୋ ଖଣ୍ଡିକ ବିନୋଦ ହାତକୁ ବଢ଼ାଇ ଦେଲେ ।

 

ବିନୋନ ଥରେ ଆଖି ପକାଇ ନେଲା ଫଟୋ ଉପରେ । ମନେ ମନେ ବେଶ୍ ଆନନ୍ଦିତ ହୋଇଗଲା–“ବେଶ୍ ଚମତ୍କାର ଛବି ଖଣ୍ଡିକ ତ ମାଆ !”

 

ହଁ, ଚମତ୍କାର ଛବି ତ । ମନକୁ ଯାଏ ?

 

ବିନୋଦ ନୀରବ..... ।

 

ଲବଙ୍ଗଲତା ମନେ ମନେ ଖୁସି ହୋଇ ଆର ଖଞ୍ଜକୁ ଚାଲିଗଲେ ।

 

ପଲଙ୍କ ଉପରେ ଏକା ଏକା ବସିଛି ବିନୋଦ । ଏହି ଛବି ଖଣ୍ଡିକ–ଯାହାକୁ ମାଆ ତାର ହାତକୁ ବଢ଼ାଇ ଦେଇ କହିଲେ, “ମନକୁ ଯାଏ !” ଚିହ୍ନିବାକୁ ଡେରି ହେଲାନି ବିନୋଦକୁ–ଏ ଛବିଖଣ୍ଡି କାହାର ?

 

ଥରେ ନୁହେଁ, ଦି’ଥର ନୁହେଁ, ଯେତେଥର ସେ ଛବି ଖଣ୍ତିକ ଉପରେ ଆଖି ପକାଉଛି । ସେତେଥର ସେ ଶାନ୍ତି ପାଉଛି ତହିଁରୁ । ଆହାଃ–କେଡ଼େ ସୁନ୍ଦର ଚେହେରାଟି । ଯାହାକୁ ନେଇ ସେ ଭବିଷ୍ୟତ ଜୀବନ ଗଢ଼ି ବସିବ, ତାହାର ପ୍ରତିଚ୍ଛବି । ଗର୍ବରେ ଫୁଲି ଉଠୁଛି ବିନୋଦ । ଏଇଥିପାଇଁ ସେ ଏତେ ପ୍ରତାରଣା କରୁଥିଲା, ଛଳନା କରୁଥିଲା–ବିବାହ କରିବନି ବୋଲି ।

 

ନା ସେ ବିବାହ କରିବ । ପ୍ରାଣକୁ ଶାନ୍ତି କରିବ, ଶୀତଳ କରିବ ।

 

ରଙ୍ଗ ଗୋଟାଏ ଥାଳିରେ ଲୁଚି କେଇଖଣ୍ଡ, ତରକାରି, ଡାଲି ଟିକେ, ଭଜା ଦି’ଖଣ୍ଡି ଆଣି ବିନୋଦକୁ ଡାକିଲା, “ଆସ ଖାଇବ ।” ବିନୋଦ ମୁହଟେକି ଅନାଇଲା, ରଙ୍ଗ ଖାଇବାକୁ ଡାକୁଛି । ପଛରେ ଲବଙ୍ଗଲତା ଛିଡ଼ା ହୋଇଛନ୍ତି । ଵିନୋଦ ପ୍ରଭାର ଫଟୋଖଣ୍ଡିକ ପଲଙ୍କ ତକିଆ ଉପରେ ଡେରିଦେଇ ଖାଇବାକୁ ଗଲା । ସତେ ଯେପରି ମନଟା ତାର ସେହି ଫଟୋ ଖଣ୍ଡିକରେ ଲାଖିଯାଇଛି–ମୁଗ୍‍ଧ ହୋଇ ଥରକୁ ଥର ଚାଲି ଯାଉଁ ଯାଉଁ ଫେରିପଡ଼ି ଅନାଉଛି ସେ ଫଟୋ ଖଣ୍ଡିକୁ ।

 

ରାତ୍ରିର ଅନ୍ଧକାର ଭେଦକରି ଞ୍ଚି ଞ୍ଚି ଟା ରାବି ଉଠିଲା ।

 

ଦି’ଖଣ୍ଡ ଲୁଚି ଖାଇଦେଇ ବିନୋଦ ଶୋଇବାକୁ ଚାଲିଗଲା ।

 

ତହିଁ ଆରଦିନ । ଆପଣା ଆପଣା କାମରେ କିଏ କୁଆଡ଼େ ଲାଗିଯାଇଛନ୍ତି । ମିଶ୍ରେ ବଡ଼ ବ୍ୟସ୍ତ ହୋଇଛନ୍ତି । କାଲି ମଙ୍ଗନ, ପୁଅ ବିଭାଘର ସବୁ ଆୟୋଜନ ତାଙ୍କରି ଉପରେ । ଖିଆ-ପିଆ ଭୋକ-ଶୋକ ସବୁ ଭୁଲିଗଲେଣି ।

 

ଲବଙ୍ଗଲତା କେତେଥର ଡାକିଲେଣି ଖାଇବା ପାଇଁ–ସେ କଥାରେ ତାଙ୍କର ଖିଆଲ ନାହିଁ ।

ବିନୋଦ ତଳ ଖଞ୍ଜାରେ ବସି କ’ଣ ଗୁଡ଼ାଏ ଚିଠି ପତ୍ର ଲେଖିବାରେ ବ୍ୟସ୍ତ । ବୋଧହୁଏ ବିଭାଘର ନିମନ୍ତ୍ରଣ ପତ୍ର ।

କନକ ଭାଇ ପାଖରେ ବସି, ଭାଇକୁ ସାହାଯ୍ୟ କରୁଛି । କେଉଁ ଏକ ଅଜଣା ଆନନ୍ଦରେ ଅନ୍ତର ତା’ର ନାଚି ଉଠୁଚି । କେବଳ ସେ ଏତିକି ବୁଝୁଛି–ତାର ନୂଆବୋହୂ ଆସିବ । ତାକୁ ଖେଳାଇବ, ଗେଲ କରିବ ।

କାମରେ ବ୍ୟସ୍ତ ଥାଇ ମଧ୍ୟ ବେଳେବେଳେ ବିନୋଦର ପ୍ରାଣ ପୁଲକି ଉଠୁଛି । ଅଜଣା ମୋହ, ଅଜଣା ଆକର୍ଷରେ ଛନ୍ଦି ହେଇ ପଡ଼ୁଛି ସେ ।

ସାତ ଅହିଏ ମଙ୍ଗୁଳିବା ପାଇଁ ଆସିଲେ । ହଳଦୀ ମଖା ଧୋତି ପିନ୍ଧିଲା ବିନୋଦ । ବାଜା ପେଁକାଳି ବାଜି ଉଠିଲା । ଗାଁ–ଗୋଟାକର ଲୋକେ ଛୁଟିଆସିଲେ ବିନୋଦର ବିଭାଘର ଦେଖିବେ ।

ରାତି ହେଲା–ରୋଷଣୀ ଲାଗିଲା, ଗୋଟିପିଲା ନାଚିଲେ, ତେଲେଙ୍ଗି ବାଜା ବାଜିଲା, ଡ୍ରମ୍ ବାଜିଲା, କଟକରୁ କେତେ ନାଚ ଆସିଥିଲେ ସେ ସବୁ ନାଚିଲେ । ଗାଁ ଗୋଟାକ ମଣିଷ ଥାଟପତ୍ର ଭାଙ୍ଗିଲେ । ବର ବାହା ହୋଇଗଲା ମଟର ଚଢ଼ି ସମସ୍ତେ କହିଲେ ଯାହାହେଉ ମିଶ୍ରେ ଏତେଦିନକେ ପୁଅ ବାହାଘରରେ ବହୁତ ପଇସା ଉଡ଼ାଇଲେ ।

ଖୁବ୍ ଜାକଜମକରେ ବାହାଘରଟା ହୋଇଗଲା । ବିନୋଦ ଅନେକ ଯାନିଯୌତୁକ ପାଇଲା–ଖଟ, ପଲଙ୍କ, ଘଡ଼ି, ସାଇକେଲ, ଜାମା ଜୋତା ।

ଗାଁର ବୁଢ଼ା ବୁଢ଼ୀ କହୁଛନ୍ତି, “ଏମିତି ବାହାଘର କରନ୍ତି କେଇଟା ଲୋକ ? ଏମିତି ଯୌତୁକ ପାଆନ୍ତି କେଇଟା ଲୋକ ? ବିନୋଦ ପାଠ ପଢ଼ିଥିଲା ବୋଲି ଆଜି ସିନା... ।”

ନିଜ ପୁଅର ସୁଖ୍ୟାତି ଶୁଣି ମିଶ୍ରଙ୍କର ଛାତି କୁଣ୍ଢେମୋଟ ହୋଇଯାଉଛି ।

ଘରକୁ ପରମାସୁନ୍ଦରୀ ବୋହୂଟିଏ ପାଇ ଲବଙ୍ଗଲତା ଆନନ୍ଦରେ ନାଚି ଉଠିଲେ ।

ରଙ୍ଗର ଆନନ୍ଦ କହିଲେ ନସରେ । ସେ ଆଜି ନୂଆ ଲୁଗା ଖଣ୍ଡେ ପାଇଛି । –କେତେଆଡୁ କେତେ ଚିଜ ପାଇଛି ।

କିନ୍ତୁ ମନଟା ଫିକା ପଡ଼ିଯାଇଛି କନକର । ଏଡ଼େବଡ଼ ଆନନ୍ଦରେ ସେ ତା’ର ନୟନା ମାଉସୀକୁ ଦେଖିବାକୁ ପାଉନି । ଯିଏ ତାକୁ ଖେଳାଏ–ଗେଲ କରେ, ମନେ ମନେ ଖୋଜୁଛି । ଏତେ ମଣିଷ ଭିତରେ, କେଉଁଠି ହେଲେ ସେ ତା ମୁହଁ ଦେଖିବାକୁ ପାଉନି । ତା ମନକଥା କିଏ ବା ଆଉ ବୁଝିବ ?

ଗାଁ ସେ ମୁଣ୍ଡରେ ପେଁକାଳିଟା ବାଜି ଉଠିଲା । ଢାଉଁ ଢାଉଁ ହୋଇ ବାଜା କୋରିଏ ବାଜି ଉଠିଲା । ସମସ୍ତେ କହିଲେ ଆଜି ନୟନାର ବାହାଘର । ନୟନାର ବାହାଘର ଦେଖିବା ପାଇଁ ଛୁଆ, ପିଲା, ବୁଢ଼ା, ବୁଢ଼ୀ ଧାଇଁଲେ ।

କନକ କାନ୍ଦଣାରେ ଘର ଫଟାଉଛି ନୟନା ମାଉସୀର ବାହାଘର ଦେଖିଯିବ । ତା ନୟନା ମାଉସୀ ବାହା ହେଉଛି । ଅଝଟ ଦେଖି ରଙ୍ଗ କନକକୁ କାଖରେ ବସାଇ ନୟନାର ଘରଆଡ଼େ ଆସିଲା ।

 

ନୟନା ବେଦୀ ଉପରେ ବସିଛି–ମୁଣ୍ଡରେ ତାର ଓଢ଼ଣା । ନୟନା ପାଖକୁ ବରବେଶ ସାଜି ବସିଛି ରାମ । ଭୋକ ଉପାସରେ ମୁହଁ ତାର ଶୁଖିଲା ପଡ଼ିଛି । ବ୍ରାହ୍ମଣ ମନ୍ତ୍ରପାଠ କରି ବର-କନ୍ୟାଙ୍କୁ ଆଶୀର୍ବାଦ କରୁଛି । ହୋମରେ ଘୃତାହୁତି ଦେଉଛି । ବେଳେବେଳେ ତୁଣ୍ଡରୁ ଦୀର୍ଘ ଉଚ୍ଚାରଣରେ ବାହାରି ପଡୁଛି, ରାବଣେସ୍ୟ ମନ୍ଦୋଦରୀ ଯଥାଃ...... ।

 

କନକ ଏ ସବୁ ଦେଖି କିଛି ବୁଝି ପାରୁନି । ମଣିଷ ଜୀବନର ଏହି ମୁହୂର୍ତ୍ତଟି ଯେ କେଡ଼େ ଶୁଭ ମୁହୂର୍ତ୍ତ, ଅଜ୍ଞାନ ବାଳିକା କାହୁଁ ବା ବୁଝିବ ସେ କଥାର ମର୍ମ ? ସ୍ନେହବନ୍ଧନରେ ଯାହାର ଅନ୍ତର ସବୁବେଳେ କିଣା ।

 

କନକ ନୟନାକୁ ବେଦୀ ଉପରେ ଦେଖି ଚିତ୍କାର କରି ଉଠିଲା । ମୋ ନୟନା ମାଉସୀ–ମୋ ନୟନା ମାଉସୀ ପାଖକୁ ଯିବି । କେହି ସେ କଥାର ଅର୍ଥ ବୁଝିପାରିଲେ ନାହିଁ ।

 

ତାକୁ ସାନ୍ତ୍ୱନା ଦେବାକୁ ରଙ୍ଗ ଦାଣ୍ଡକୁ ଭିଡ଼ି ଘେନିଗଲା । ସାଇଟାଯାକର ଲୋକେ ତଟସ୍ଥ ହୋଇ ଅନାଇଁ ରହିଲେ । କନକ ପ୍ରାଣର ଅକୁହା ଭାଷା-ମର୍ମନ୍ତୁଦ ବେଦନା ସେ–ବେଦୀ ପୀଠରୁ ବୁଝିପାରିଲା ନୟନା । ଭାବିଲା କେହି ଯଦି ତାକୁ କହନ୍ତା–ନୟନା, ତୁ କନକକୁ ପାଖକୁ ଆଣି କୋଳ କର । ସେ ଛୁଟିଯାନ୍ତା କନକ ପାଖକୁ ରଙ୍ଗ କାଖରୁ ଛଡ଼ାଇ ଘେନିଆସି କୋଳ କରନ୍ତା ତାକୁ । କିନ୍ତୁ ସେ ପାରିବ ନାହିଁ... । ଏ ଯେ ବେଦୀ ! ନିୟମକୁ କେମିତି ବ୍ୟତିକ୍ରମ କରିବ-?

 

ବିଭାଘର ଶେଷ ହୋଇଗଲାଣି । ନୟନା ଆଜି କେତେ ଗହଣା ପିନ୍ଧିଛି । ନିଜର ରୂପକୁ ସେ ଚିହ୍ନି ପାରୁନାହିଁ । ସେଦିନ ଯାତ କଥା ଆଜି ବି ମନେପଡୁଛି ତା’ର ...ଏଇ ରାମ ! ଏଇ ରାମକୁ ସେ ଦେଖି ମନେ ମନେ କହିପକାଇଥିଲା, ରାମ ତା’ର ବର ହୁଅନ୍ତା କି ! ରାମ ଆଜି ତା'ରି ବର । ଗର୍ବରେ ଛାତି କୁଣ୍ଢେ ହୋଇଯାଉଛି ।

 

ରାମ ନୟନା ରୂପରେ ମୁଗ୍‍ଧ ହେଉଛି । ପ୍ରାଣରେ ତା’ର ପୁଲକର ଢେଉ ଖେଳି ଯାଉଛି । ସେ ଆଜି ସୁଖା, ନୟନାକୁ ସେ ସୁଖୀ କରି ପାରିଛି ।

 

ଷୋହଳ

 

ଆକାଶରେ ଫାଳିକିଆ ଜହ୍ନଟା ଠୋ ଠୋ ହସି ଉଠୁଛି । ସାଇ ଅଗଣାରେ ଜଗୁଆ ମଶିଣାଟା ପକାଇ ଦେଇ ଶୋଇ ଯାଇଛି । ରାମ ଆଖଡ଼ା ଘରଆଡ଼େ ବୁଲି ଯାଇଛି । ନୟନା ଚୁଲି ପାଖରେ ବସି ଚୁଲି ଜାଳୁଛି ।

 

ହାଡ଼ି ପଧାନ ଖୁଁ ଖୁ କାଶି–ସାଇ ଅଗଣା ଭିତରକୁ ପଶି ଆସିଲା ।

 

ଜଗୁଆ ମଶିଣାରୁ ଉଠି ବସିଲା–କିଏ, ହାଡ଼ି କି ରେ ?

 

ହଁ ।

 

ତୋର ତ ଆଉ ଦେଖା ନାହିଁ ?

 

ସବୁବେଳେ କାମରେ ବ୍ୟସ୍ତ । ବେଳ କାହିଁ ପାଉଛି ? ଜଗୁଆ ଭାଇ, ନୟନାର ତ ବାହାଘର ସାରିଲ–ଏଣିକି ବସି ଗଣ୍ଡେ ଗଣ୍ଡେ ଖାଅ ।

 

ହଁ ରେ ଭାଇ; ବସିକରି ଗଣ୍ଡେ ଗଣ୍ଡେ ଖାଇବା ଛଡ଼ା ମୁଁ ଆଉ କ’ଣ କରିବି ଏ ବୁଢ଼ା ବଅସରେ ?

 

ପାଗଳା କିଣା ସେଠୀ ଦାଣ୍ଡରେ ଚାଲି ଯାଉଁ ଯାଉଁ ଘର ଭିତରକୁ ପଶି ଆସିଲା । ଜଗୁଆ ଦା–ମୋ ଘିଇପିଠା କାହିଁ ?

 

ଜଗୁଆ ଚମକି ପଡ଼ି କହିଲା, “କିଏରେ ?”

 

ଜଗୁଆ ସେଠୀ ଠୋ ଠୋ ହୋଇ ହସିଦେଲା ତା ଦି’କେରା ଦାନ୍ତରେ । ଜଗୁଆ ଦା–ମୁଁ କୀଣା ।

 

କିଏ କୀଣା ? କିରେ ଏତେଦିନ ଯାଏ କେଉଁଠି ଥିଲୁ ? ବାହାଘର ଗଲାଣି କେବୁଠୁଁ–ଆଜି ମାଗୁଛୁ ଘିଇପିଠା ।

 

କୀଣା ମୁହଁଟା ଗେରା ଗେରା କରି ଚାଲିଗଲା ।

 

ହାଡ଼ି ପଧାନ ହସିଦେଇ କହିଲା, “ଯାଉ ପାଗଳଟା !”

 

ରାତି ଅନେକ ହୋଇ ଗଲାଣି । ହାଡ଼ି ପଧାନ ତା ଘରକୁ ଫେରି ଗଲାଣି । ଜଗୁଆ ଖାଇ ପିଇ ନିଦରେ ଶୋଇଯାଇଛି ।

 

ନୟନା ଭାତ ହାଣ୍ଡିଟା ଚୁଲି ଉପରେ ରଖିଦେଇ ଅଗଣାରେ ଶୋଇଛି । ରାମ ଆଖଡ଼ାରୁ ଫେରି ସାଇ ଅଗଣାକୁ ଅନାଇଁ ଦେଲା ନୟନା ଶୋଇଛି । ଆକାଶର ତୋଫା ଜହ୍ନଟାର ଆଲୁଅ ବିଚ୍ଛାଡ଼ି ହୋଇ ପଡ଼ିଛି ଏକାବେଳେକେ ନୟନାର ମୁହଁ ଉପରେ ।

 

ରାମ ମୁଗ୍‍ଧ ନୟନରେ ଥରେ ତାର ସୁନ୍ଦର ମୁହ ଖଣ୍ଡିକୁ ଅନାଇଲା । ନୟନା ଆଜି ତା’ ଆଖିକୁ କେଡ଼େ ସୁନ୍ଦର, ଦେଖା ଯାଉଛି । ରାମ ଧୀରେ ଧୀରେ ନୟନା ପାଖକୁ ଲାଗି ବସିଲା । କେଉଁ ଏକ ଅଜଣା ପରସରେ ନୟନାର ଚାଉଁକା ନିଦଟା ଭାଙ୍ଗିଗଲା । ଆଖିମଳି ଅନାଇଲା ନୟନା । ମୁହଁରେ ମୃଦୁହାସ୍ୟ ଫୁଟାଇ କହିଲା, “ତମେ ଏମିତି କପଟିଆ ?” କେତେବେଳୁ ଆସିଲଣି ମୋତେ ଟିକେ ଡାକି ଦେଉନାହିଁ ? ତେଣେ ଭାତ ଗଣ୍ଡାକ ଶୁଖି ଭୁଜା ହୋଇଗଲାଣି । ଚାଲ ଖାଇବ ଚାଲ ।

 

ରାମ ଖାଇବାକୁ ଉଠି ପଡ଼ିଲା । ଆଜି ତରକାରୀଟା ଭାରି ଭଲ ଲାଗୁଛି ନୟନା–ଖାଉ ଖାଉ ରାମ କହିଲା ।

 

ହଉ ମ; କେତେ ଚେଙ୍ଗେଇ ହେଉଛ ଚଞ୍ଚଳ ଖାଇଦିଅ । ରାତି ଅନେକ ହୋଇଗଲାଣି ।

 

ରାମ ଖାଉ ଖାଉ କହିଲା, “ନୟନା ତୁ ପରା ଖାଇନୁ; ଆ–ମୋ ସାଙ୍ଗରେ ଗଣ୍ଡେ ଖାଇଦେ ।”

 

ନୟନା ମୁରୁକିହସା ଦେଇ କହିଲା, “ଏ କି ଜଳଜଳା କଥା ମ ! ତମେ ଖାଇସାର ମୁଁ ଖାଇବି ।”

 

ରାମ ଶୁଣିଲା ତା କଥାକୁ । ନୟନାର ହାତଟାକୁ ଟାଣିଆଣି ଭାତ ଥାଳି ପାଖରେ ବସାଇଲା ତାକୁ ।

 

କାଳେ ରାମ ମନରେ ଦୁଃଖ ହେବ, କେମିତି ସେ ଉଠିଯିବ । ନୟନା ବାଧ୍ୟ ହୋଇ ଭାତ ଦି’ଗୁଣ୍ଡା ପାଟିକୁ ନେଇ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ।

 

କ’ଣ ଖିଆ ହୋଇଗଲା ?

 

ଛୋଟିଆ ହୁଁ ଟିଏ କଲା ନୟନା ।

 

ରାମ ଖାଇ ସାରିଲାଣି । ନୟନା ବତିଟା ଲଗାଇ ଘରେ ବିଛଣା କରିଦେଲା । ରାମ ଶୋଇ ଶୋଇ ଭାବୁଛି–କେତେ କ’ଣ ତାର ଭାବନା । ଆଖିକୁ ତାର ନିଦନାହିଁ, ଉତ୍ତଳା ଯୌବନ, କେଉଁ ଏକ ସ୍ୱର୍ଗୀୟ ଆକର୍ଷଣରେ ସେ ଛନ୍ଦି ହୋଇ ପଡ଼ିଛି ।

 

ନୟନା ଖାଇପିଇ ସାରି ଘରକୁ ଶୋଇବାକୁ ଆସିଲା ।

 

ରାମ ସତେ ଯେପରି ତାର ଗତିପଥକୁ ଅପଲକ ନୟନରେ ଚାହିଁ ରହିଥିଲା ।

 

କ’ଣ ତମକୁ ନିଦ ହେଉନାହି ?

 

ନିଦ କେମିତି ହେବ କହନି । ମନ ପ୍ରାଣ ସବୁ ତୋରି ପାଖରେ ବନ୍ଧା ।

 

ହଉ, ହଉ, ଶୋଇପଡ଼ । ଏତେଗୁଡ଼ା କୁହନା–କିଏ ଶୁଣିବ ।

 

ନୟନା ରାମର ଆଖି ଦି'ଟାକୁ ବୁଜି ଧରିଲା । ରାମ ନୟନାକୁ ପାଖକୁ ଭିଡ଼ିନେଇ କହିଲା, “ଶୁଅ ।”

 

ନୟନା ଭଲ ପିଲାଟି ପରି ଶୋଇପଡ଼ିଲା ।

 

ଏମିତି ଦିନପରେ ଦିନ ମାସପରେ ମାସ ଗଡ଼ି ଚାଲିଲା । ଦି’ବରଷ ପରେ–ଆଜି ନୟନା କୋଳରେ ଶିଶୁ । ପ୍ରାଣ ତା’ର ଆନନ୍ଦରେ ନାଚି ଉଠୁଛି ।

 

ଜଗୁଆର ଆନନ୍ଦ କହିଲେ ନ’ସରେ ।

 

ହାଡ଼ି ପଧାନ ଗାଁ ଦାଣ୍ଡରେ ଚାଲି ଯାଉଁ ଯାଉଁ କହିଲା, “ଜଗୁଆ ଭାଇ । ଦୁଃଖ କରିଥିଲେ ସୁଖ ପାଆନ୍ତି । ତମେ ସିନା ଦୁଃଖ ପାଇଥିଲ ବୋଲି ଆଜି ଏ ସବୁ ସୁଖ ଦେଖୁଛ ।”

 

ଜଗୁଆ ଦୀର୍ଘ ନିଃଶ୍ୱାସ ପକାଇ କହିଲା, “ହଁରେ ଭାଇ–ହଁ ! କେତେ ଦୁଃଖ ଏହି ଦେହ ମୋର ନ ସହିଛି । ସେ ସବୁ କଥା ଆଜି ମୋର ଆଖି ଆଗରେ ନାଚି ଯାଉଛି । ନୟନାଟି ମୋର ବରଷକର–ମାଆ କେମିତି ତାର ବଇଆରରେ ମରିଗଲା । ମୁଁ ଥାଏ ରେଙ୍ଗୁନରେ । ଆଉ ସେ ବେଳର କଥା... ।” କହୁଁ କହୁଁ ଜଗୁଆ ଆଖିରୁ ଲୁହ ଗଡ଼ି ପଡ଼ିଲା ।

 

ହାଡ଼ି ପଧାନର ମନଟା କେମିତିକା ହୋଇଗଲା । ପାଦ ତାର ଅଟକି ଗଲା । ପଛକଥା ଗୁଡ଼ାକ ଭାବୁଛ କାହିଁକି–ଜଗୁଆ ଭାଇ । ଯିଏ ଯାଇଛି–ଯାଇଛି । ରୁକୁଣା ରଥ ଅଣ ଲେଉଟା ।

 

ଜଗୁଆ ଆଖିରୁ ଲୁହ ପୋଛୁ ପୋଛୁ କହିଲା, ପଛକଥା ନ ଭାବିବି ଆଉ କେମିତି ? ଏହି ଜୀବନଟା ପରାରେ ଏହି ଜୀବନଟା ପରା ସେ ସବୁ ଅଙ୍ଗେ ନିଭେଇଛି । ପଛକଥା କେମିତି ଭୁଲି ହେବ ? “ପଛକଥା ଭୁଲିହୁଏନା– ।”

 

ଘର ଭିତରେ ନୟନା ପୁଅଟିକୁ ଦୁଧ ପେଇ ଦେଉଁ ଦେଉଁ ଛୁଆଟା କାନ୍ଦି ଉଠିଲା କ୍ୱାଁ–କ୍ୱାଁ–କ୍ୱାଁ ।

 

Unknown

ଦ୍ୱନ୍ଦ

ଏକ

 

କମାଳପୁର ଗାଁଟି କଟକ ଜିଲାର ଏକ ଅଖ୍ୟାତ ପଲ୍ଲୀ । ସେହି ଗାଁରେ କୃଷ୍ଣମୋହନ ଚୌଧୁରୀଙ୍କ ଘର । ସ୍ତ୍ରୀ କଳ୍ପନାମୟୀ, ପୁଅ ଜଗଦୀଶ, ଝିଅ କମଳା । ଜଗଦୀଶ ପିଲାଟି ଦିନରୁ ଯେମିତି ଥିଲା ରାଗୀ–ସେମିତି ଥିଲା ଜିଦ୍‍ଖୋର ଉଦ୍ଧତ । ତଥାପି କୃଷ୍ଣମୋହନ ବାବୁ ପୁଅଟିକୁ ଭଲ ପାଆନ୍ତି । ଭଲ ପାଇବା ତାଙ୍କର ଗୋଟେ ସ୍ୱଭାବ । ଜଗଦୀଶ ଏ ବର୍ଷ ଆଇ, ଏ, ରେ ନାମ ଲେଖାଇଛି । ଏଥି ମଧ୍ୟରେ ତାର ବିବାହ ହୋଇ ଯାଇଛି । ବାପ ମାଆଙ୍କର ଆନନ୍ଦ କହିଲେ ନ ସରେ । କିଏ ଜାଣିଥିଲା ଏହି ଆନନ୍ଦ ଭିତରେ ଏମିତି ହଳାହଳ ପ୍ରଚ୍ଛନ୍ନ ଭାବରେ ରହିଛି ବୋଲି !

 

ଜଗଦୀଶ ସମାଜ ଠାରୁ ନିର୍ଯ୍ୟାତନା ପାଇଛି । ନିର୍ଯ୍ୟାତନା ନୁହେଁ ତ ଆଉ କଣ ?

 

ସମାଜର କଦର୍ଯ୍ୟ ଗଣ୍ଡି ଭିତରେ ଏମିତି ଗୋଟାଏ କଣ୍ଢେଇ ଖେଳକୁ ସେ ବିବାହ ବୋଲି କୌଣସିମତେ ସ୍ୱୀକାର କରି ପାରିବ ନାହିଁ । ଆଭିଜାତ୍ୟର ପଥରବନ୍ଧ ଭାଙ୍ଗି ଯାଇଛି ବନ୍ୟାର ପ୍ଲାବନରେ । ଜଗଦୀଶର ଗର୍ବୀତ ମଥା ଚୁର୍‍ମାର ହୋଇଛି । ଆଗାମୀ ସ୍ୱପ୍ନର ମୋହ ତୁଟି ଯାଇଛି । ଭାବନା ଜୁଆର ତାକୁ ଭସାଇ ନେଇଛି, ବଙ୍ଗୋପସାଗରର ଘୂର୍ଣ୍ଣାୟୁ ଜଳର ପ୍ଳାବନ ଭିତରକୁ ।

 

ସେ ଆଜି ମ୍ରିୟମାଣ ।

 

ମାଆ ଡାକିଲେ–ଜଗଦୀଶ ଉଠ୍ ।

 

ଜଗଦୀଶ ଉଠିଲାନାହିଁ ରାଗ ଆଉ ଛଳରେ ।

 

ମାଆ କାନ୍ଦ କାନ୍ଦ ହୋଇ କହିଲେ–

 

ମୋ ବାପଟା ! ଚକି ପାଣି କହୁଣୀକି ବହି ଯାଇଛି । ବୃଥାଟାରେ ତୁ ମନଟାକୁ କାହିଁକି ଏମିତି ବିରସ କରୁଛୁ ? ପାଠଶାଠ ପଢ଼ିଛୁ । ଦୁନିଆଁର ଭଲମନ୍ଦ ସବୁ ବୁଝୁ । ଜାଣି ଶୁଣି ଏପରି ଯଦି କରିବୁ....

 

ଜାଣି ଶୁଣି ମୁଁ ଏପରି କିଛି କରିନାହିଁ ମା ! କରିଛ ତୁମେ । ତୁମରି ପାଇଁ ମୋ ଜୀବନଟା....ଆଉ କହି ପାରିଲା ନାହିଁ ଜଗଦୀଶ ।

 

ଲୁହବୋଳା ମୁହଁଟାକୁ ପୋଛୁ ପୋଛୁ କଳ୍ପନାମୟୀ କହିଲେ, ଜଗଦୀଶ–ମୋ ବାପଟା ! ଗଣ୍ଡେ ଖାଇ ଦେଇ ଆସିବୁ ଆ ! ଯା’ ହେବାର ହେଇ ଯାଇଛି । ମିଛେ ମିଛେ ଭୋକ ଓପାସରେ ପ୍ରାଣଟାକୁ ଦହଗଞ୍ଜ କରନା । ପଦ୍ମା ପରି ବୋହୂ ଅଛନ୍ତି କୋଟିକରେ ଗୋଟିଏ । କ’ଣ ସେ ନଆଣିଛି । ଖଟ, ପଲଙ୍କ, ସୁନା, ରୂପା ଖୁବ୍ ଆଣିଛି । ଦେଖିବାକୁ ବୋହୂ ମୋର ଚମ୍ପାଚାଙ୍ଗୁଡ଼ି ପରି-। ହେଲେ ପାଠ ଦି’ଅକ୍ଷର ପଢ଼ିନାହିଁ । ପାଠ ଯେ ନ ପଢ଼ିଛି ସେ କ'ଣ ଘର ସଂସାର କରୁନାହିଁ ? ଛିଃ, ମୋ ବାପଟା ! ଭାତ ଉପରେ ରାଗ କରି କେହି ରହି ପାରିନାହିଁ ।

 

ପାଠ ଯେ ନ ପଢ଼ିଛି ସେ କ’ଣ ଘର–ସଂସାର କରୁନାହିଁ ? ସେ ଘର ସଂସାର କରୁଛି-? ମଣିଷ ହିସାବରେ ସଂସାରରେ ବଞ୍ଚି ରହୁଛି ? କେଜାଣି ? ଜଗଦୀଶ ମୋଟେ ବିଶ୍ଵାସ କରି ପାରିଲା ନାହିଁ । ନିଜ ମନକୁ ମନ ବାରମ୍ବାର ପ୍ରଶ୍ନ କଲା । କିନ୍ତୁ ପ୍ରଶ୍ନର ଜବାବ ମନ ଭିତରୁ ସେ ପାଇପାରିଲା ନାହିଁ । ବ୍ୟଥାତୁର ପ୍ରାଣଟା ଚିଙ୍ଗୁଡ଼ି ମାଛ ପରି ଛଟପଟ ହେବାକୁ ଲାଗିଲା ।

 

ଜଗଦୀଶ ପୂର୍ବପରି ଖଟ ଉପରେ ଶୋଇ ରହି କହିଲା–“ମାଆ ! ତୁମେ ଚାଲିଯାଅ ମୋ ପାଖରୁ । ତୁମ କଥା ଶୁଣିବାକୁ ମୁଁ ଚାହେଁ ନା ।”

 

ଜଗଦୀଶର ଏହି କଥାଟା ସ୍ନେହମୟୀ ଜନନୀର ଅନ୍ତରର ସୂକ୍ଷ୍ମ-ତନ୍ତ୍ରୀରେ ଯାଇ ଆଘାତ କଲା । ଠପ୍–ଠପ୍ ହୋଇ କଳ୍ପନାମୟୀଙ୍କ ଆଖିରୁ ଲୁହ ନିଗିଡ଼ି ପଡ଼ିଲା । ବିଶେଷ କିଛି ନ କହି ସେ ଆର ଘର ଖଞ୍ଜାକୁ ଚାଲିଗଲେ । ଅନ୍ତର ଭିତରେ ତାଙ୍କର ଗୋଟାଏ ତୁମୂଳ ଝଡ଼ ପିଟିଗଲା । ସେ ଦିଗହରା ହୋଇଗଲେ ।

 

ମୁହଁ ଟେକି ଅନାଇଁଲା ଜଗଦୀଶ । ମାଆ ଆଖିରୁ ଲୁହ ନିଗାଡ଼ି, ଆର ଘରକୁ ଚାଲି ଯାଉଛନ୍ତି । କ’ଣ କରିବ ? ଭାବନା ଘୂର୍ଣ୍ଣନ ଭିତରେ ଜଗଦୀଶର ମଥା ଚକ୍ର ଖାଇଲା । କିଛି ସେ ସ୍ଥିର କରି ପାରିଲା ନାହିଁ ।

 

ସତେ କ’ଣ ସେ ପଦ୍ମାକୁ ନେଇ ସୁଖମୟ ସଂସାର ଗଢ଼ି ପାରିବ ? –ନା ପାରିବ ନାହିଁ ସେ କେମିତି ବା ପାରିବ ? ଜୀବନର ଏଡ଼େ ନିଗୂଢ଼ ସଂପର୍କ, ସତେ କ’ଣ ସିଏ ଜାଣୁ ଜାଣୁ ତିକ୍ତ କରିଦେବ ? ଦେଖୁ ଦେଖୁ ତ ପନ୍ଦରଟା ଦିନ ବିତି ଗଲାଣି; ପଦ୍ମାର ସେ କିଛି ପରିବର୍ତ୍ତନ ଦେଖି ପାରୁନି । ନା-ନା ଆଉ ହେବନି । ବୃଥା ଚେଷ୍ଟା-ବୃଥା ଭାବନା । ତକିଆରେ ମୁଣ୍ଡ ରଖି ଜଗଦୀଶ ଛୁଆଙ୍କ ପରି କଇଁ କଇଁ ହୋଇ କାନ୍ଦିଲା ।

 

ଘରର ଗୋଟାଏ କୋଣକୁ ପଦ୍ମା ବସି ରହିଛି । ଲାଜ ପାଇଁ ମୁଣ୍ଡରେ ସେ ଓଢ଼ଣା ଟାଣିଛି । ପଲ୍ଲୀ ଗାଁର ଝିଅ-ପଲ୍ଲୀର ଗତାନୁଗତିକ ପ୍ରଥାକୁ ସେ ପାଳନ କରିଛି । ଏହା ନବବଧୂର ଧର୍ମ । ସବୁଦିନେ ଏମିତି ଲଜ୍ୟା କ’ଣ ସେ କରୁଥିବ ? ନୂଆ ହୋଇ ଶାଶୁଘରକୁ ଆସିଛି କେମିତି ବା ଏତେ ଚଞ୍ଚଳ, ଶାଶୁ-ଶ୍ୱଶୁର-ସ୍ୱାମୀ ଏମାନଙ୍କୁ ମୁହଁ ଟେକି ଚାହିଁବ ?

 

ବିଂଶ ଶତାବ୍ଦୀର ଯୁବକ-ଜଗଦୀଶକୁ ଏ ସବୁ ଅତି ଖରାପ ଲାଗୁଛି । ସେଥିପାଇଁ ସେ ଆକାଶ ପାତାଳ କେତେ କ’ଣ ଭାବିବାରେ ଲାଗିଛି ।

 

ମାତ୍ରୀ ପଦ୍ମା ଅବଗୁଣ୍ଠନାବତୀ ହେଲେ କ’ଣ ହେବ, ସେ ଆଜି ଜାଣି ପାରିଛି–“ସ୍ଵାମୀ ତା’ ପ୍ରତି ଅସନ୍ତୁଷ୍ଟ ।” ସ୍ୱାମୀଙ୍କୁ ସେ ସନ୍ତୋଷ କରି ପାରିନାହିଁ–ସ୍ୱାମୀ ଚିତ୍ତକୁ ସେ ଜୟ କରିପାରିନି-। କାହିଁକି ସେ ପାରିନି ଏ ପ୍ରଶ୍ନର ଜବାବ କିଏ ତାକୁ ଦେବ ?

 

ଥରକ ପାଇଁ ସେ ଚେଷ୍ଟା କରିଛିକି ? ବୋହୂ ହୋଇ ଆସିଛି ନାରୀର ଧର୍ମ ପାଳନ କରିବାକୁ । ପରକୁ ଆପଣାର କରି ଶିଖିବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରିଛି । ଏଟାତ ଜଗତର ନୀତି । ସବୁ ଝିଅ ଅଜଣା ଅଶୁଣା ଘରକୁ ଯାଆନ୍ତି; ଅଜଣା ଅଶୁଣା ଘରେ ନିଜର ବାସଘର ରଚନ୍ତି । ଶାଶୁ, ଶ୍ୱଶୁର, ସ୍ୱାମୀ ଦିଅର, ସଭିଙ୍କ ମନରଞ୍ଜନ କରି ଆପଣାର ସୁନାର ସଂସାର ଗଢ଼ନ୍ତି ।

 

ପଦ୍ମା ତାହାହିଁ କରିବାକୁ ଚେଷ୍ଟା କରିଛି–ହେଲେ ଦିନ କେଇଟାର କଥା.... । ଏତେ ଚଞ୍ଚଳ ସବୁ କଥା ଗୁଡ଼ିକ କେମିତି ସେ ଆୟତ କରିପାରିବ ? ସାଂସାରୀକ ଧର୍ମାନୁଯାୟୀ ସ୍ଵାମୀଙ୍କର ସେତ ସେବା କରି ଆସିଛି । ତେବେ କାହିଁକି–କାହିଁକି ଏତେ ସ୍ଵାମୀଙ୍କର ମନ ଊଣା ?

 

ଜଟିଳ ପ୍ରଶ୍ନକୁ ସମାଧାନ କରି ପାରିଲାନି ପଦ୍ମା । ସେହି ଅବଗୁଣ୍ଠନ ତଳେ ନିରବରେ ଆଖିରୁ ଲୁହ ଢାଳିଲା ।

 

ଜଗଦୀଶ ପଦ୍ମା ଆଡ଼କୁ ଥରେ ଅନାଇଲା । ପୁଣି ଭାବନା ବଢ଼ି ଉଠିଲା କେତେ କେଜାଣି ? ମନର ଶତ ପ୍ରଶ୍ନବାଚକ ବିରାଟ ବନ୍ଧ ତୋଳି ତା’ ସାମନାରେ ଆସି ଠିଆ ହେଲା । ନାଁ–ଆଉ ସହି ପାରିବନି ସେ ।

 

ଓଃ କି ଯନ୍ତ୍ରଣା !

 

କମଳା–କମଳା !

 

ସେଘରୁ କମଳା ଧୀର ପଦକ୍ଷେପରେ ଧାଇଁ ଆସିଲା ।

 

କଣ ଭାଇ ।

 

ଗ୍ଲାସେ ପାଣି ଦେଲୁ ।

 

ହୁଁ ଭାରି ଶୋଷ । ଚାଲ ଚାଲ ଖାଇବ ଚାଲ । ଭୋକ ଓପାସରେ ଏମିତି ଶୋଇ ରହିଛ କାହିଁକି ?

 

ପଦ୍ମା ଆଡ଼କୁ ଅନାଇ କମଳା ଡାକିଲା ।

 

ନୂଆବୋଉ ଆସମ–ଭାଇକି ଟିକିଏ ଡାକ । ସେ ରାଗିଛନ୍ତି ପରା । ପଦ୍ମା ଆଖିରୁ ଗଡ଼ିପଡ଼ୁଥିବା ସଦ୍ୟ ଲୁହ ଟୋପାକ ଲୁଗା କାନିରେ ପୋଛି ପକାଇ ଜଗଦୀଶର ଶୋଇବା ଖଟ ପାଖରେ ଆସି ନୀରିହ ପରି ଛିଡ଼ା ହୋଇ ରହିଲା ।

 

ବିରକ୍ତ ହୋଇ ଜଗଦୀଶ କହିଲା,

 

କାହିଁକି ତାକୁ ଡାକିଲୁ କମଳା ? କଣ ସେ କରିବ ?

 

ତୁମକୁ ପିଇବାକୁ ପାଣି ଦେବ ।

 

ତୁ କଣ ପାରିବୁ ନାହିଁ ?

 

ପାରିବି ନି କାହିଁକି ? ନୂଆବୋଉ ଥାଉଁ ଥାଉଁ ମୋ ହାତରୁ ପାଣି ପିଇବ କାହିଁକି ?

 

“ଯାଅ ନୂଆବୋଉ, ଯାଅ ମ–” ପାଣିଗ୍ଲାସେ ଭାଇଙ୍କି ଆଣି ଦିଅ ।

 

କାହିଁକି ଏତେ ଲାଜ କରୁଛ ?

 

ପଦ୍ମା ଆର ଖଂଜାକୁ ଗଲା ପାଣି ଗ୍ଲାସେ ଆଣିବାକୁ ।

 

କମଳା ଡାକିଲା–ଭାଇ,

 

ଜଗଦୀଶ ଦୀର୍ଘ ନିଃଶ୍ୱାସ ପକାଇ କହିଲା କଣ କମଳା ।

 

କେତେବେଳୁ ପାଣିଗ୍ଲାସେ ହାତରେ ଧରି ଛିଡ଼ା ହୋଇଛି ନୂଆବୋଉ ।

 

ନିଅ ପାଣି ପିଅ ।

 

ଜଗଦୀଶ ପଦ୍ମା ହାତରୁ ପାଣି ଗ୍ଲାସଟା ଝିଙ୍କି ନେଲା । ସତେ ଯେପରି ସେ ପଦ୍ମାକୁ ଦେଖି ରାଗରେ ଜର୍ଜରିତ ହୋଇଯାଉଛି । ସଦ୍ୟ ବିଷ ଦେହଟାରେ ଦଣ୍ତକ ଭିତରେ ଚରିଗଲେ ମଣିଷ ଯେପରି ଛଟପଟ ହୁଏ ଜଗଦୀଶର ଦେହଟା ସେହିପରି ହୋଇଗଲା ।

 

ଦି’ ଢୋକ ପାଣି ପିଉ ପିଉ ଜଗଦୀଶ କହିଲା,

 

କମଳା, ଆଉ ଏମିତି ଯନ୍ତ୍ରଣା ମୋଟେ ସହିପାରିବି ନି । ହୁଏତ ଏହା ଭିତରେ ମୋତେ ଘରଛାଡ଼ି ଚାଲି ଯିବାକୁ ହେବ ।

 

କେଉଁଠିକି ?

 

କଟକ ।

 

କଟକ କଥା ଶୁଣି ଚମକି ପଡ଼ିଲା କମଳା । ଆଖି ଆଗରେ ଦିନ କେଇଟା ଯାଇନି । କଟକରୁ ଫେରିଛ ପୁଣି ଯିବ କଟକ । ସେ ସବୁ କଥା ଶୁଣା ଯିବ ନି ଭାଇ ।

 

ମୁଁ ବାପାଙ୍କୁ କହିଦେବି ପୁଣି ।

 

ହଁ ବାପାଙ୍କୁ କହି ଦେଉନୁ । କମଳା ! ବାପା ଜାଣନ୍ତୁ ।

 

ମୁଁ କଟକ ଗଲେ ତାଙ୍କୁ ଜଣାଇଁ ଯିବି ଯେ ।

 

ଭାଇ, ତୁମେ ସତ କୁହନି ଯଦି କଟକ ଚାଲି ଯାଅ ନୂଆବୋଉଙ୍କ ମନରେ ଦୁଃଖ ହେବ ନି ?

 

ରଖିଦେ ତୋର ସୋହାଗ । ନୂଆବୋଉ ଅନ୍ତରରେ ଦୁଃଖ ଲାଗିବ ସେଥିପାଇଁ ଆଗରୁ ତୋତେ ଭାରି ବାଧୁଛି ନା !

 

ଜଗଦୀଶ ଖାଲି ଗ୍ଲାସଟା କମଳା ହାତକୁ ବଢ଼ାଇ ଦେଉ ଦେଉ କହିଲା, ବାପା ଘରେ ଅଛନ୍ତି ନା କଚେରୀକୁ ବାହାରି ଗଲେଣି ।

 

କମଳା କହିଲା କଚେରୀକୁ ବାହାରି ଗଲେଣି ।

 

ଖଟ ଉପରକୁ ଉଠିପଡ଼ି ଜଗଦୀଶ କାନ୍ଥରେ ଟଙ୍ଗା ହୋଇଥିବା ଅଇନା ପାଖକୁ ଯାଇ ଭାଙ୍ଗି ଯାଇଥିବା ଟେରିକୁ କୁଣ୍ଡାଇବାରେ ଲାଗିଲା ।

 

ପଦ୍ମା ଧୀରେ ଧୀରେ ସ୍ଵାମୀଙ୍କ ପାଖକୁ ଯାଇ କଅଁଳ ଗଳାରେ କହିଲା–

 

ଖାଇବ ଚାଲ, କାହିଁକି ଏମିତି ରାଗିଛ ?

 

ଜଗଦୀଶ ଅଇନା ଉପରୁ ମୁହଁଟାକୁ ଫେରାଇ ଆଣି ଅବଗୁଣ୍ଠନାବତୀ ପଦ୍ମା ଆଡ଼େ ଥରେ ଅନାଇଲା ।

 

ରାଗର ପ୍ରତିହିଂସା ଅନ୍ତରରେ ଯାର ହୁ’ହୁ ହୋଇ ଜଳୁଛି । ଆଖି ଦୁଇଟାକୁ ରୁକ୍ଷ କରି ଜଗଦୀଶ କହିଲା, ମୋ ପାଖରୁ ଚାଲିଯା ପଦ୍ମା । ତୋତେ ଦେଖିବାକୁ ମୁଁ ଚାହେଁ ନି ।

 

ଦୁମ୍ ଦୁମ ପାଦ ଦି’ଟାକୁ କଚାଡ଼ି ଘର ଭିତରୁ ବାହାରକୁ ଚାଲିଗଲା ଜଗଦୀଶ ।

 

କାଠ ପିତୁଳାପରି ନିର୍ନିମେଷ ନୟନରେ ତା’ର ଗତିପଥକୁ ପଦ୍ମା ଚାହିଁ ରହିଲା । ଆଖିରେ ତା’ର ଲୁହ । ହାୟରେ କପାଳ ।

 

କମଳା ପଦ୍ମାର ଲୁହଭରା ମୁଖମଣ୍ଡଳକୁ ଥରେ ଅନାଇଦେଇ କହିଲା ।

 

ଏ କଣ ନୂଆବୋଉ । ତୁମେ କାନ୍ଦୁଛ ଯେ ! ଛିଃ, କାନ୍ଦନା । ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର ।

 

ପଦ୍ମା କେମିତି ଆଉ ସ୍ୱାମୀଙ୍କ ମନ ସନ୍ତୁଷ୍ଟ କରିବ ? କିଛି ବୁଝି ପାରିଲା ନାହିଁ ।

 

ସେ ଘରୁ କଳ୍ପନାମୟୀ ଡାକିଲେ,

 

କମଳା ।

 

ନୂଆ ବୋଉକୁ ତୋର ଡାକିଦେଲୁ ଏଣିକି ।

 

ପଦ୍ମା ଧୀରେ ଧୀରେ ଆରଖଞ୍ଜା ଭିତରକୁ ଚାଲିଗଲା ।

 

କଳ୍ପନାମୟୀ କହିଲେ,

 

ଜଗଦୀଶ ଘରେ ନାହିଁକି ?

 

ପଦ୍ମା ହାତର ନଖ ଦୁଇଟାକୁ ଘସୁ ଘସୁ କହିଲା–

 

ନା ।

 

ଦେଖନି ତା ଢଙ୍ଗକୁ । ଘରେ କଳି ତକରାଳ ନ ଥିଲେ, ଘରେ ଆଣି ପୁରାଉଛି । କାହାରି ଖିଆପିଆ ନାହିଁ । ତା ପାଇଁ ଭୋକ ଓପାସରେ ସମସ୍ତେ ଆଉଟି ପାଉଟି ହେଉଚନ୍ତି । ଛି–ଛି ।

କମଳା ଦେଖିବୁତି ଲୋ ସେ ଉଦଣ୍ଡିଆ କେଉଁଆଡ଼େ ଯାଇଛି ?

ମଣିଷ ଏପରି ଜାଣିଥିଲେ ଆଉ ପାଞ୍ଚବର୍ଷ ତା ବିଭାଘର ଘୁଞ୍ଚାଇ ଥାଆନ୍ତା ପଛକେ ଏମିତି ଅପଦୁଆ ମୁଣ୍ତାଇ ନଥାନ୍ତା ।

ଆସନ୍ତୁ ସେ କଚେରୀରୁ । ସମାଳନ୍ତୁ ତାଙ୍କର ସୁନାର ସଂସାରକୁ । ଘରେ ଗୋଟାଏ ବୋଲି ପୁଅ, ଦେଖି ଚାହିଁ ଘରକୁ ବୋହୁଟିଏ କରି ଆଣିଲେ ସଂସାର ସୁଖମୟ ହୁଅନ୍ତା କଣ.... ।

ଜଗଦୀଶ ଘରୁ ବାହାରି ଗଲା ଦାଣ୍ଡ ଆଡ଼କୁ । ମନରେ ପଛକଥା ଗୁଡ଼ାକ ଓତପ୍ରୋତ ଭାବରେ ଘାଣ୍ଟି ହେଉଛି । କଟକ ସେ ଚାଲିଯିବ । ଗାଁଟାରେ ରହିବାକୁ ତାକୁ ଆଉ ଭଲ ଲାଗୁନି । କେମିତି ବା ଭଲ ଲାଗିବ । ସବୁବେଳେ ଦୁଶ୍ଚିନ୍ତା ଗୁଡ଼ାକ ମୁଣ୍ଡକୁ ତାର ବିଗାଡ଼ି ଦେଲେଣି ଦୁଶ୍ଚିନ୍ତା ନୁହେଁ ତ ଆଉକଣ ?

ବସନ୍ତବାବୁଙ୍କ କଥା ମନେ ତା’ର ପଡ଼ିଲା । ଯାହା ସେ କହିଥିଲେ ଆଜି ଅକ୍ଷରେ ଅକ୍ଷରେ ସତ ।

“ଜଗଦୀଶ ଏପରି ବିବାହକୁ ତୁ ସିନା ପସନ୍ଦ କରି ବାପ ମାଆଙ୍କର ମନ ରକ୍ଷା କରିଛୁ, କିନ୍ତୁ ତୁ ହୁଏତ ସୁଖି ହୋଇ ପାରିବୁନି ।”

ଅଦେଖା ହାତ ଅଦେଖା ବନ୍ଧନରେ ଅନ୍ତର ପରିତୁଷ୍ଟ ହୁଏନା ।

ଧନ ମୋହରେ ମନ ମୋହ ବାନ୍ଧି ହେଇ ପାରେନା ।

ଜଗଦୀଶ ଗ୍ରାମର ଶେଷ ସୀମା ଆଡ଼େ ଚାଲିଛି । ଅସରନ୍ତି ଭାବନା ଭିତରେ ସେ ଖାଲି ଦେଖୁଛି ତା ଜୀବନର ହା–ହୁତାଶଭରା କରୁଣ ଛବି ।

କିରେ ଜଗଦୀଶ, କେଉଁଆଡ଼େ ଯାଉଛୁ ?

ଜଗଦୀଶ ଅନାଇଲା ସାମନାକୁ–ତାର ବାଲ୍ୟବନ୍ଧୁ ପରେଶ ଠିଆ ହୋଇଛି ।

ମୁହଁରେ ସତେଜ ହସ ଖଣ୍ତେ ଫୁଟାଇ ଜଗଦୀଶ କହିଲା,

ନାହିଁ ପରେଶ, ଯିବି ଆଉ କେଉଁଆଡ଼େ ?

ଏମିତି ଇଆଡ଼େ ଚାଲି ଆସିଥିଲି ।

ପରେଶ,

ଏଇଁ ଗାଁରେ ତା’ର ଘର । ନିକଟରେ ଦିଲ୍ଲୀରୁ ଘରକୁ ଫେରିଛି । ଭାଇ ବିମଳ ଦିଲ୍ଲୀରେ କୌଣସି ଏକ କମ୍ପାନୀରେ ଚାକିରୀ କରେ ।

ଜଗଦୀଶ କହିଲା,

ଆଚ୍ଛା ପରେଶ, ତୋର ବିମଳ ଭାଇ ଠିକଣାଟା କଣ କହିପାରିବୁ ?

ପରେଶ ମୁରୁକି ହସା ଦେଇ କହିଲା–

କାହିଁକି ଜଗଦୀଶ ? ବିମଳ ଭାଇ ଠିକଣାରେ ତୋର କି ଦରକାର ? ତୁତ କଟକରେ ଆଜିକାଲି ରହୁଛୁ । ପୁଣି ଦିଲ୍ଲୀଯାଏ କାହିଁକି ଗୋଡ଼ଟା ଲମ୍ବାଉଛୁ ? ନିକଟରେ ପୁଣି ବିବାହ କରିଛୁ-। ନବଦମ୍ପତି । ଜୀବନଟା ସଉଖିନରେ କଟୁଥିବ । ନୂଆପ୍ରାଣ ସବୁବେଳେ ଖୋଜୁଥିବ ପ୍ରଣୟନୀର ମଧୁବୋଳା ପରଶ । କେମିତି ଦିନ ଯାଇ ରାତି ହେବ । ଏତେ ଚଞ୍ଚଳ ବିଚ୍ଛେଦ ଦାଉ ସହି ପାରିବୁତ-?

 

ଜଗଦୀଶ ନୈରାଶ୍ୟଭରା ମୁଖମଣ୍ତଳରେ ସତେଜ ହସ ଖଣ୍ତେ ଫୁଟାଇ କହିଲା–

 

ପରେଶ, ଏଥିରେ ନୂତନତ୍ୱ କିଛି ନାହିଁ । ଏହା ସ୍ୱାଭାବିକ ହୋଇଥାଏ । ତୁ–ମୁଁ–ସେ–ସମସ୍ତଙ୍କର ପ୍ରାଣରେ ଏମିତି ଗୋଟାଏ ଜୁଆର ମାଡ଼ିଆସେ । ସମୟ ଚାଲିଗଲେ ତାର ଭଟ୍ଟା ପଡ଼େ-। ଯେମିତି ଭଟ୍ଟାରେ ବିରାଟ ନଦୀଗର୍ଭ ରୁକ୍ଷ ଶୁଷ୍କ ହୁଏ ଠିକ୍ ସେମିତି ।

 

ତାହା ଠିକ୍ ଜଗଦୀଶ, ମାତ୍ର ଯାହାକୁ କହୁଛୁ ସେଥିରେ ନୂତନତ୍ୱ ମୋଟେ ନାହିଁ, ମୁଁ କହେ ସେଥିରେ ନୂତନତ୍ୱ ନିଶ୍ଚୟ ଅଛି । ପହିଲି ଜୀବନର ଚହଲା ପାଣିରେ ମନଡଙ୍ଗା ଖଣ୍ଡିକ କାହିଁ ଯେ କେତେ ଦୂରକୁ ଭାସି ଯାଏ–ଯେତେ ଝଡ଼ଝଞ୍ଜା ପ୍ରକୃତିର ବିପର୍ଯୟ ପାଇଁ ବହିଲେ ସୁଦ୍ଧା ତାର ନଥାଏ ଡର ଆଉ ଭୟ । ଗୋପନ ମାଦକତାର ମୋହରେ ଭବିଷ୍ୟତର ଚିନ୍ତା ସେ ମୋଟେ କରେନା । ପହିଲି ଜୀବନରେ ଏହାହିଁ ଗୋଟାଏ ନୂତନତ୍ୱ ।

 

ନୁହେଁ କି ?

 

ଆଚ୍ଛା ଜଗଦୀଶ ତୋ ମୁହଁଟା କାହିଁକି ଶୁଖିଗଲାପରି ଦିଶୁଛି ।

 

କଣ ଖାଇ ନାହୁଁ କି ?

 

କଥୋପକଥନ ଭିତରେ ଦୁହେଁ ଟିକେ ଆଗେଇ ଯାଇ ଗାଁର ଶେଷ ସୀମା ବଉଳଗଛ ମୂଳେ ବସିପଡ଼ିଲେ ।

 

ଭୋକ ଉପାସରେ ପ୍ରକୃତରେ ଜଗଦୀଶର ମୁହଁଟା ଶୁଖି ଯାଇଥିଲା । କୁତ୍ରିମତା ପ୍ରକାଶ, କରି ଜଗଦୀଶ କହିଲା–

 

ପରେଶ, ଦେଖୁନୁ କେମିତି ଟାଣୁଆ ଖରାଟା ପଡ଼ିଛି । ଏଥିରେ ଦେହ ମୁଣ୍ଡ ଶୁଖି ଯିବ ନି ?

 

କଥାଟା ପରେଶ ମନକୁ ପାଇଲା ନି ।

 

ଚିନ୍ତାର ରୂପରେଖ ପ୍ରକୃତରେ ଭିନ୍ନ ପ୍ରକାର । ସେ ବୁଝିପାରିଲା ନିଶ୍ଚୟ ଏହା ମୂଳରେ କିଛିନା କିଛି କାରଣ ନିହତ ଅଛି । ସଦ୍ୟ ବିବାହିତ ଜୀବନରେ ଏକ ବିଷାଦର କାଳିମା । ମନେ ମନେ କିଛିକ୍ଷଣ ଭାବିଲା ପରେଶ । କିନ୍ତୁ ଆପଣା ମନକୁମନ କିଛି ସମାଧାନ କରି ପାରିଲା ନାହିଁ ସେ । ହେଲେ ହୋଇଥିବ କିଛି କାରଣ ।

 

କିଛିକ୍ଷଣ ପରେ ପରେଶ କହିଲା–

 

ଜଗଦୀଶ ଏ ବର୍ଷ ଆଇ, ଏ, ରେ ନାମ ଲେଖାଇଛୁ ତ ।

 

ପୁଣି କଟକ କେବେ ଯିବୁ ?

 

ଭାବିଛି ଦିନେ ଦି’ଦିନ ଭିତରେ ଯିବାକୁ । ପରୀକ୍ଷାଟା ଆସନ୍ତା ଏପ୍ରିଲରେ । ତେଣୁ ପଢ଼ାପଢ଼ି ପାଇଁ ଆଗରୁ ପ୍ରସ୍ତୁତ ହେବାକୁ ପଡ଼ିବତ !

 

ପରେଶ, ଏବେ ବୁଝି ପାରିଲା ଜଗଦୀଶ ବିବାହ କରି ପ୍ରକୃତ ସୁଖୀ ହୋଇ ପାରିନି । ସୁଖୀ ହୋଇ ପାରିଥିଲେ ତା ଅନ୍ତର ଭିତରେ ଏମିତି ଗୋଟାଏ ବିମର୍ଷତାର ଛାୟା ପଡ଼ି ନଥାନ୍ତା । ଏଣୁ ସେ ସକଳ କଥା ଗୋପନ ରଖିବାକୁ ଚେଷ୍ଟା କରିଛି ।

 

ପୁଣି ଜଗଦୀଶ ପଚାରିଲା,

 

ପରେଶ, ବିମଳ ଭାଇ ଠିକଣା କହିଲୁ ନି ?

 

“ବିମଳ ଭାଇ ଠିକଣାରେ ତୋର ଦରକାର କଣ ଆଗ କହ ?”

 

ହଁ ପରେଶ ମୋର ଦରକାର ଅଛି । ତା ନ ହୋଇଥିଲେ ମୁଁ ପଚାରନ୍ତି କାହିଁକି କହନ୍ତି । ଭାବୁଛି ପରୀକ୍ଷା ପରେ ଦିଲ୍ଲୀଆଡ଼େ ବୁଲି ଯିବି । ଏଣୁ ତାଙ୍କ ସାହାଯ୍ୟ ସେଠାରେ ନିଶ୍ଚୟ ନେବାକୁହିଁ ହେବ । ଆଗରୁ ତାଙ୍କ ଆଡ୍ରେସ୍‍ଟା ପାଖରେ ଥିବା ସୁବିଧା ନୁହେଁ କି ?

 

ଦିଲ୍ଲୀ କାହିଁକି ଯିବୁ ?

 

ଦିଲ୍ଲୀ କାହିଁକି ଯିବି ? ମଣିଷ ଜୀବନରେ ରେକୁରେଶନ ପାଇଁ ଟିକେ ଇନ୍‍ଜଏ ଲୋଡ଼ା-। ଯିବି ଏଇଥି ପାଇଁ ।

 

ତୋର ବିବାହିତ ଦାମ୍ପତ୍ୟ ଲାଇଫରେ ଯଦି ଇନ୍‍ଜଏ ନାହିଁ –ତେବେ ଇନ୍‍ଜଏ ଆଉ କେଉଁଠି ପାଇବୁ ? ଦିଲ୍ଲୀରେ ? କାହିଁକି ଏ ଧାରଣା ? “କଣ ନବ ଦମ୍ପତିରେ କଳହ ?”

 

ଧେତ୍ ।

 

ଆଉ କଣ ?

 

ହେଲେ ହେଇଥିବ କିଛି, ତୋର ଏତେ ମୁଣ୍ଡ ବଥା କାହିଁକି ?

 

ମୋର ଏତେ ମୁଣ୍ଡ ବ୍ୟଥା କାହିଁକି ତୁ କ’ଣ ଜାଣିବୁ ଜଗଦୀଶ ?

 

ଛାଡ଼ ଭାଇ ସେଥିରୁ ମିଳିବ କଣ ? ଯାହା ମୋ ଭାଗ୍ୟରେ ଅଛି ।

 

କଣ ତୋ ଭାଗ୍ୟରେ ଅଛି ? ମୁଁ ତ କିଛି ବୁଝି ପାରୁ ନି ତୋ କଥାର ଅର୍ଥଟା ?

 

ତୁ ବୁଝି ପାରିବୁନି ପରେଶ, ବୁଝି ପାରିବୁନି । ଯେ ରୋଗୀ ସେ ବୁଝେ ରୋଗର ଯନ୍ତ୍ରଣା-

 

ପରେଶ ସବୁ ଜାଣେ ।

 

କହିଲା,

 

–ଜଗଦୀଶ, ରୋଗୀ ରୋଗର ଯନ୍ତ୍ରଣା ବୁଝେ । ଏଣୁ ରୋଗ କାହାରିକି ଦୟାକରି ଛାଡ଼ିଦେଇ ଯାଏନି । ଅଳ୍ପେ ବହୁତେ ସମସ୍ତେ ରୋଗର କରାଳ କବଳରେ ପଡ଼ିଥାନ୍ତି ।

 

ନିରୁତ୍ତର ରହିଲା ଜଗଦୀଶ ।

 

ସେ ବୁଝିଲା ବାସ୍ତବରେ ଆଜି ତା ଅନ୍ତର କଥାଟା ପରେଶ ବି ବୁଝି ପାରିଛି ।

 

କିଛିକ୍ଷଣ ପରେ ପରେଶ କହିଲା,

 

–ଜଗଦୀଶ, କାହିଁକି ଆଉ ବୃଥା ଚିନ୍ତା କରୁଛୁ ?

 

ବୃଥା ଚିନ୍ତା ! ବୃଥା ଚିନ୍ତା ମୁଁ କରୁଛି ପରେଶ !!

 

ବିଂଶଶତାବ୍ଦୀର ଯୁବକ ପକ୍ଷରେ ଏହାଠୁଁ ବଳି ଦୁଃଖର କଥା ଆଉ କଣ ଥାଇପାରେ ଜଗଦୀଶ ? ତେବେ ଗତସ୍ୟ ଶୋଚନା ନାସ୍ତି ।

 

ପଛକଥା ଘାଣ୍ଟି ଚକଟି ଲାଭ ନାହିଁ କିଛି, ଜୀବନଟାକୁ ସୁଖମୟ କରିବାକୁ ହେଲେ ତୋତେ ଗୋଟାଏ ଉପାୟ କରିବାକୁ ହେବ ।

 

କି ଉପାୟ କରିବି ପରେଶ ? ଉପାୟ ମୋତେ କିଛି ଦେଖାଯାଉନି ।

 

ହଁ ଜଗଦୀଶ ଉପାୟ ଅଛି – ତୋ ସ୍ତ୍ରୀକୁ ମଣିଷ କରି ଗଢ଼ିବାର କ୍ଷମତା ତୋରି ହାତରେ । ଏଥିପାଇଁ ଅନୁତାପ ନ କରି କର୍ତ୍ତବ୍ୟରେ ଲାଗିପଡ଼ିବା ଉଚିତ୍ ।

 

ନୈରାଶ୍ୟଭରା ମୁଖମଣ୍ଡଳରେ ତାର କ୍ଷଣକ ଭିତରେ ବ୍ୟଥାର ଛାଇ ଲେପି ହୋଇଗଲା । ଚମକିପଡ଼ିଲା ଜଗଦୀଶ ।

 

ହତବାକ୍ୟ ହୋଇ ଜବାବ ସେ ଦେଲା, ମୋ ସ୍ତ୍ରୀ, ମୋ ସ୍ତ୍ରୀ ପଦ୍ମାକୁ ମଣିଷ କରି ଗଢ଼ିବି-? ଅସମ୍ଭବ । ଅସମ୍ଭବ ପରେଶ !

 

ପରେଶ କହିଲା,

 

–ସବୁ ସମ୍ଭବ ଜଗଦୀଶ, ସବୁ ସମ୍ଭବ । ମଣିଷ ଜୀବନରେ ଅସମ୍ଭବ ବସ୍ତୁ ବିଂଶଶତାବ୍ଦୀରେ ବୋଧେ କିଛି ନାହିଁ । ମଣିଷ ବୁଦ୍ଧିରେ ଆଜି ବିଧାତା ହାର ମାନିଛି । ଦେଖୁଛୁ ତ ବିଂଶଶତାବ୍ଦୀର ଅଗ୍ରଗାମୀ ବିଜ୍ଞାନର ଗତିକୁ । କଣ ନ କରିଛି ବିଜ୍ଞାନ । ଆକାଶରେ ଉଡ଼ିବାଠାରୁ ଦରିଆରେ ବୁଡ଼ିବା ପର୍ଯ୍ୟନ୍ତ ବାଦ୍‍ ଯାଇନି । ହିମାଳୟର ଅଭିଯାନଠୁ ଚନ୍ଦ୍ରଲୋକର ଅବସ୍ଥାନ ପର୍ଯ୍ୟନ୍ତ କଣ ନ କରିଛି ଏହି ମଣିଷ ଜାତି ।

 

ତୁ ସଭ୍ୟ ଜଗତର ଜଣେ ଆଦର୍ଶବାଦୀ ଶିକ୍ଷିତ ଯୁବକ । ତୋ ପକ୍ଷରେ ପଦ୍ମାକୁ ମଣିଷ କରି ଗଢ଼ିବା ଅସମ୍ଭବ କାହିଁକି ?

 

ରଖ ଭାଇ ତୋର ବିଜ୍ଞାନ ଚର୍ଚ୍ଚା । ଏଠି ବିଜ୍ଞାନ ଚର୍ଚ୍ଚାକରି ଲାଭ ନାହିଁ କିଛି ।

 

ସଭ୍ୟ ଜଗତର ଆଦର୍ଶକୁ ବଞ୍ଚାଇବାକୁ ହେଲେ ସ୍ଵତନ୍ତ୍ର ବାୟୁମଣ୍ଡଳ ପ୍ରୟୋଜନ । ବର୍ତ୍ତମାନର ସମାଜ ସଭ୍ୟ ଜଗତର ବାୟୁମଣ୍ଡଳ ଉପରେ ବେଳକାଳ ଉଣ୍ଡି ପ୍ରଭାବ ପକାଇବାକୁ ବାଦ ଯାଏନି । ଏପରି ସମାଜକୁ ମୁଁ ଅବୋଧ ସମାଜ କହିବା ଛଡ଼ା କଣ ଆଉ କହିପାରେ ?

 

ଏପରି ଅବୋଧ ସମାଜକୁ କୁଠାର ଘାତ କରି ମୁଁ ଦେଖାଇ ଦେବାକୁ ଚାହେଁ ସଭ୍ୟ ଜଗତର ଆଦର୍ଶ କିପରି ?

 

ବେଶ୍ ତାହାହିଁ ତ ମୁଁ କହୁଛି ।

 

ସେପରି କିନ୍ତୁ ନୁହେଁ ପରେଶ । ପଦ୍ମାକୁ ପାଠ ପଢ଼ାଇ ମଣିଷ କରି ଗଢ଼ିବାର ଅଭିଳାଷ ମୋର ନାହିଁ ।

 

ତେବେ ?

 

ତେବେ ଆଉ କଣ ? ହୁଏତ......

 

ପଦ୍ମାକୁ ଡାଇଭୋର୍ସ କରିବୁ ? ଯଦି ଏହା କରିବାକୁ ଯାଉ ଜଗଦୀଶ, ମନେ ରଖ ଏହା କରିବା ତୋ ପକ୍ଷରେ ଘୋର ଅନ୍ୟାୟ ହେବ । ଜଣକ ଜୀବନକୁ ପୋଡ଼ି ଜାଳି ପାଉଁଶ କରିଦେବାକୁ ଯାଉଛୁ ।

 

କାହିଁକି ? ମୁଁ କାହାରି ଜୀବନକୁ ଜାଳି ପୋଡ଼ି ପାଉଁଶ କରିବାକୁ ଯାଉନି ପରେଶ । ଜାଳି ପୋଡ଼ି ପାଉଁଶ ହେବାକୁ ଯାଉଛି କେବଳ ନିଜେ ନିଜେ ।

 

ଦେଖ ଜଗଦୀଶ । ମୋ କଥାଟାକୁ ହେୟ ମନେକରି ଉଡ଼ାଇ ଦେଏନା । ବର୍ତ୍ତମାନ ସମୟ ଅଛି ଭାବିବାକୁ । ହେଉ ତେବେ ଚାଲ, ବେଳା ଅନେକ ହୋଇଗଲାଣି ।

 

ବଉଳଗଛମୂଳୁ ଜଗଦୀଶ ଉଠିପଡ଼ି ହାଇ ମାରୁ ମାରୁ କହିଲା ପରେଶ; ଭାବିବି ଆଉ କଣ ? ଯାହା ଭାବିଛି ତାହାହିଁ କରିବି ।

 

ଦୁଇବନ୍ଧୁ କଥାବାର୍ତ୍ତା ହୋଇ ଘରଆଡ଼େ ଆଗେଇ ଚାଲିଲେ ।

 

ଦୁଇ

 

ଦେଖୁ ଦେଖୁ ଜଗଦୀଶର କଲେଜ ଛୁଟି ଶେଷ ହୋଇଗଲା ।

 

କଳ୍ପନାମୟୀ କହିଲେ–

 

ଜଗଦୀଶ, ଘରେ ଆଉ କିଛିଦିନ ରହ ।

 

ଜଗଦୀଶ ଅନ୍ତରରେ ଶେଳ ବିଦ୍ଧ କଲାପରି ସେ କଥାଟା ଲାଗିଲା ।

 

ସେ ଦୀର୍ଘ ନିଃଶ୍ୱାସ ପକାଇ କହିଲା,

 

–ରହିବା ପ୍ରୟୋଜନ ନାହିଁ ।

 

ରହିବା ପ୍ରୟୋଜନ ନାହିଁ କଥାଟା କେମିତିକା ଲାଗିଲା କଳ୍ପନାମୟୀଙ୍କୁ । ପୁଅକୁ ଆଉ ସେ କିଛି କହି ପାରିଲେନି । ଧୀର ପଦକ୍ଷେପରେ ଘରକୁ ଚାଲିଗଲେ ।

 

କୃଷ୍ଣମୋହନବାବୁ ପଚାରିଲେ ଆଚ୍ଛା କଳ୍ପନା ମୁଁ ଜଗଦୀଶର ଯେପରି ଢଙ୍ଗଢାଙ୍ଗ ଦେଖୁଛି ଏପରି ଢଙ୍ଗଢାଙ୍ଗ ତାର ତ ଆଗେ ନଥିଲା !

 

ଏହା ଭିତରେ ଆଉ କଣ କିଛି ବ୍ୟାପାର ଘଟିଛି କି ?

 

ବ୍ୟାପାର କଣ ଘଟିଛି ତୁମେ କାହିଁକି ଆଉ ଜାଣିବ ? କେବଳ ପୁଅର ବିବାହଟା କରିଦେବା ପାଇଁ ଭାରି ତତ୍ପର ହୋଇ ପଡ଼ୁଥିଲ ।

 

ଆରେ କଣ କହୁନା ।

 

କଣ କହିବି ମ । ଚମ୍ପାଚାଙ୍ଗୁଡ଼ିପରି ବୋହୂଟା ବୁନିଆଦ ଘର ଝିଅ । ବହୁତ ଦାନ ଯୌତୁକ ଆଣିଛି । ହେଲେ ବେଶୀ ପାଠଶାଠ ପଢ଼ିନି । ଏଇତ ।

 

ଯେ ବେଶୀ ପାଠଶାଠ ପଢ଼ିନି ସେ କଣ ତାର ଯୁଗ ରାଇଜ କରୁନି ? ବେଶୀ ପାଠ ପଢ଼ିଥିଲେ ବୋହୂଟା କଣ ଜମିଦାରୀ ଖଣ୍ଡେ କିଣିଥାନ୍ତା ? କିଏ ତାକୁ ବୁଝାଇବ ଏତେ । ସେଦିନ ତ ଦେଖିଲ ଭୋକ ଓପାସରେ ସାରା ଦିନଟା କେମିତି କାଟିଲା, ଆଜି ପୁଣି ତାର ଜିଦ୍ କଟକ ଯିବ ।

 

ଦିନ ପନ୍ଦରଟାର କଥା, ଲୋକେ କଣ କହିବେ ?

 

ଲୋକେ କଣ କହିବେ କଳ୍ପନା । ଲୋକଙ୍କ କଥାକୁ କାନ ଦେଲେ ଏ ଜଗତରେ ଚଳିବା କଠିନ ହୋଇ ପଡ଼ିବ । ପାଠୁଆ ପୁଅଟା । ତାର ଯେମିତି ଇଚ୍ଛା ହେଉଛି ସେମିତି କରୁ । ଯଦି ସେ କଟକ ଚାଲିଯିବାକୁ କହୁଛି ତେବେ ଚାଲିଯାଉ । ତାର ଯେ ଆଗରେ ପରୀକ୍ଷା ।

 

ହଁ ଚାଲି ତ ଯିବ କହୁଛ । ଏଣେ ପୁଅଟାର ମେଜାଜ ଦେଖି ବିପଦ ମଣୁଛି କାହିଁକି ? ଘରେ ରହୁନା ବୋଲି ଉପର ଠାଉରାରେ କଥା କହୁଛ । ଜଗଦୀଶ ଯେପରି ପୁଅ ଏଣିକି ଦେଖିବ ତାର ଢଙ୍ଗ । ଦିନ ପନ୍ଦରଟା କଥା । ଘରେ ରୋଜ ପାଟିଗୋଳ, ରୋଜ ଜିନିଷ ଫୋପଡ଼ା କଚଡ଼ା, ଭଙ୍ଗାତୁଟା କାହିଁକି ? ଜଗତରେ କଣ ପୁଅ ନାହାନ୍ତି, ଜଗତରେ କଣ ପାଠ କେହି ପଢ଼ି ନାହାନ୍ତି ?

 

ହତବାକ୍ୟ କୃଷ୍ଣମୋହନ ବାବୁ କିଛିକ୍ଷଣ ଭାବି କହିଲେ,

 

–କଳ୍ପନା, ମୋର ଯାହା ଉଦ୍ଦେଶ୍ୟ, ମୋର ଯାହା ଲକ୍ଷ୍ୟ ତାକୁ କାର୍ଯ୍ୟରେ ପରିଣତ କରାଇ ଦେବନି ଜଗଦୀଶ ! ତା’ର ଯଦି ବିବାହ କରିବାରେ ଏକାନ୍ତ ଅନିଚ୍ଛା ଥିଲା ତେବେ ସେ ପରିଷ୍କାର କରି ମୋତେ ନ କହିଲା କାହିଁକି ? ଯାହା ସେ କରୁଛି କରୁ, ତୁମେ ତାକୁ କିଛି କୁହନା କଳ୍ପନା । ମୋତେ କାଲି ମଧ୍ୟ ସେ କହୁଥିଲା କଟକ ଯିବା ପାଇଁ । ତାର କଲେଜ ଛୁଟି ଶେଷ ହୋଇ ଗଲାଣି । କଟକ ଯିବାର ବନ୍ଦୋବସ୍ତ କରିଦିଅ । ମୁଁ କଚେରୀକୁ ଯାଉଛି ବେଳ ହୋଇ ଗଲାଣି ।

 

କଚେରୀକୁ ଚାଲିଗଲେ କୃଷ୍ଣମୋହନବାବୁ ।

 

ଜଗଦୀଶ କଳ୍ପନାମୟୀଙ୍କୁ ପୁଣି ଆସି କହିଲା,

 

–ମାଆ କଣ ବନ୍ଦୋବସ୍ତ କଲ ମୁଁ ପରା କଟକ ଯିବି ।

 

ତେବେ ତୁ ରହିବୁନି ଜଗଦୀଶ ।

 

ନା ।

 

ପୁଣି କେବେ ଘରକୁ ଆସିବୁ ?

 

କହି ପାରୁନି ।

 

ଏହି କହିପାରୁନି କଥା ଭିତରେ ଜଗଦୀଶର ମନସ୍ତତ୍ୱ ପ୍ରକାଶ ପାଇଲା । ଅଭିମାନ ଭରା ପ୍ରାଣ ତାର ବ୍ୟଥାତୁର ହୋଇ ସ୍ନେହମୟୀ ଜନନୀକି ଏହି ଉତ୍ତରଟାଇ ଦେଲା ।

 

କଳ୍ପନାମୟୀ ଛଳ ଛଳ ଆଖି କରି ଅସ୍ପଷ୍ଟ ଗଳାରେ କହିଲେ,

 

–କି କଥାରେ ଜଗଦୀଶ ? ଘରକୁ ଆସିବୁ । କହିପାରୁନୁ କଣ ?

 

କେମିତି କହି ପାରିବି କହନି ।

 

ତା ହେଲେ ଆସିବୁ ନି ?

 

ଜଗଦୀଶ ନୀରବ ରହିଲା ।

 

ଅଭିମାନରେ କଳ୍ପନାମୟୀ ସେଠାରୁ ଉଠି ଚାଲିଗଲେ ।

 

ବାପ ମାଆଙ୍କର କଲ୍ୟାଣରେ ଆଜି ତା ଜୀବନର ବିକାଶ ।

 

କେମିତି ଏମାନଙ୍କ ପ୍ରାଣରେ ଏତେ ବଡ଼ ଗୋଟାଏ ଦାଗ ରଖି ଚାଲିଯିବ ସେ ।

 

ସନ୍ଧିକ୍ଷଣରେ ପଡ଼ି ଜଗଦୀଶ ହତବୁଦ୍ଧି ହୋଇ କେତେ କଣ ଭାବିବାରେ ଲାଗିଛି ।

 

ପଦ୍ମା–ପଦ୍ମାକଥା ସେ ଆଉ ଭାବିବ କଣ ? ପଲ୍ଲୀର ଅଶିକ୍ଷିତା ସରଳା ବାଳିକା । ବୃଥା ରାଗ ତା ଉପରେ କାହିଁକି ସେ କରିଛି ? ପଦ୍ମା ଆଜି ମଣିଷ ହୋଇ ପାରିନି; ସେ ଦୋଷଟା କାର-? ପଦ୍ମାର ନା ତା ବାପ ମାଆଙ୍କର ? ତା ଭବିଷ୍ୟତରେ ଆଜି ସେହିମାନେହିଁ କାଳି ବୋଳିଛନ୍ତି ।

 

ତାରିପାଇଁ ଆଜି ମୋ ଜୀବନଟା ଉତ୍‍ଶୃଙ୍ଖଳ ହୋଇଗଲା, ଜଳିଗଲା, ପୋଡ଼ିଗଲା । ଯାଉ ପୋଡ଼ିଯାଉ ପାଉଁଶ ହୋଇଯାଉ ।

 

ଭାବନା–ଅସରନ୍ତି ଭାବନାରେ ପିଟିହେଉଛି ମନଟା ।

 

ପଦ୍ମା ଖଟ ପାଖରେ ଠିଆ ହୋଇ ଡାକିଲା, ଶୁଣୁଛ । ଶୁଣିବ ନାହିଁ ? ଚାଲ ଗଣ୍ତେ ଖାଇ ଆସିବ । କାଲି ପରା କଟକ ଚାଲିଯିବ । ତଥାପି ତମର ରାଗ ମେଣ୍ଟିଲା ନାହିଁ ।

 

ଶୁଣିଲାନି ଜଗଦୀଶ–ଖାତିରି କଲାନି ପଦ୍ମାର ନିବେଦନ ।

 

ପଦ୍ମା ଜଗଦୀଶର ହାତ ଧରି ଧୀର ଗଳାରେ କହିଲା,

 

–ଖାଇ ନାହଁ ପରା ? ମୋ ସୁନାଟା ।

 

ଜଗଦୀଶ ପଦ୍ମାର ହାତଟାକୁ ଛାଟି ଦେଇ କହିଲା, ରଖ ତମ ଆଦର । ଖାଇ ନାହିଁ, ବେଶ୍ କରିଛି । ଭଲ କରିଛି ।

 

ସ୍ଵାମୀ-ସ୍ତ୍ରୀ ଜଗତରେ ଦୁଇଜଣଙ୍କ ସମ୍ପର୍କ ଅତି ନିଗୂଢ଼ । ଦୁନିଆଟା ଏହି ଦୁହିଁଙ୍କର କାଉଁରୀ ପରଶରେ ହସିଉଠେ । ସ୍ଵାମୀ ସ୍ତ୍ରୀ ହାତରେ ବାଢ଼ିଦିଏ ଜଗତର ସମସ୍ତ କ୍ଷମତା । ସ୍ତ୍ରୀ ପ୍ରାଣ ଦେଇ ଭଲପାଏ ସ୍ଵାମୀକୁ ତାର । ଦୁଇଟି ପ୍ରାଣ ଇହ ପରକାଳର ସାଥୀ ହୋଇ ରହିବା ପାଇଁ ନନ୍ଦନର ପାରିଜାତ ତୋଳି ବସନ୍ତି । ଅସରନ୍ତି ତାଙ୍କର କଳ୍ପନା–ଅଫୁରନ୍ତ ତାଙ୍କର ଆଶା ।

 

ଏହି ମଧୁର ସମ୍ପର୍କ ଦାମ୍ପତ୍ୟ ଜୀବନକୁ ବାସ୍ତବରେ ମଧୁମୟ କରେ ।

 

ଏପରି ମଧୁର ସମ୍ପର୍କ ଯେଉଁଠି ଅଛି, ସେଠାରେ କାହିଁ ଥରକ ପାଇଁ ସୁଦ୍ଧା ଜଗଦୀଶ ପଦ୍ମାକୁ ତ ଭଲ ପାଇ ପାରିଲା ନାହିଁ !

 

ପଦ୍ମା ଅଶିକ୍ଷିତା ହେଲେ ମଧ୍ୟ ତାର ବିବେକ ଅଛି, ଜ୍ଞାନ ଅଛି । ସବୁ ସେ ବୁଝିପାରେ–ଜାଣିପାରେ ।

 

ଆଖି ଦୁଇଟିରୁ ତାର ଥପ ଥପ ହୋଇ ଝରି ପଡ଼ିଲା ଖେଦମିଶା ଲୁହ । ଭାବିଲା କେତେ କଣ ସେ । ବାପ ମାଆଙ୍କର ସ୍ନେହର ଦୁଲାଳୀ । ବଡ଼ ଘରର ଝିଅ ସେ । ଯେତେ ଯାନଯୌତୁକ ଆଣିଥିଲେ ସୁଦ୍ଧା ଆଜି ତାର କଣିକାଏ ଗର୍ବ କରିବାର କ୍ଷମତା ନାହିଁ । ସେ ପାଠ ଦି’ଅକ୍ଷର ପଢ଼ି ପାରିନି । ସ୍ୱାମୀ ତାର ଶିକ୍ଷିତ । ତେଣୁ ସେ ଆଜି ଉପେକ୍ଷିତା । ସ୍ଵାମୀଙ୍କ ଆଖିରେ ସେ କୁତ୍ସିତା । ସ୍ୱାମୀ ତାକୁ ଭଲ ପାଉନାହାନ୍ତି । ଲୁହବୋଳା ଆଖିରେ ପଦ୍ମାଘର ଭିତରୁ ଚାଲିଗଲା ସାଇ ଅଗଣାକୁ । ପ୍ରାଣ ତାର ହନ୍ତସନ୍ତ ।

 

ସତେ, ସତେ କଣ କାଲି ସେ କଟକ ଚାଲିଯିବେ ? ଆଉ ତ ସେ କେବେ ଫେରିବେ ବୋଲି ମନେ ହେଉନି !

 

ଅସରନ୍ତି ଭାବନା ନାରୀ ଜୀବନକୁ ତା’ର ଦୋହଲାଇ ପକାଇଲା । କିଏ ବୁଝିବ ତାର ଅନ୍ତରର ବେଦନା । କିଏ ତାକୁ ଶାନ୍ତ୍ୱନା, ଦେବ ? କାହା ପାଖରେ ବୁଝାଇ କହିବ ସେ ।

 

ଜାଣିଥିଲେ...

 

ନା, ପୋଡ଼ା ଜୀବନଟାକୁ ରଖି କିଛି ଲାଭନାହିଁ । ଯାହାଙ୍କ ପାଇଁ ଏତେ କଥା । ଯାହାଙ୍କୁ ନେଇ ସୁଖର ସଂସାର ପାତିବାକୁ ସେ ଏଘରକୁ ଆସିଥିଲା, ସେ ଯଦି ତାକୁ ପାଦରେ ଠେଲିଦେଲେ ଦୂରକୁ, କେଉଁ ଶ୍ରଦ୍ଧାରେ ସେ ଆଉ ଦିନ ଗୁଡ଼ାକ କାହାକୁ ଦେଖି କଟାଇବ । କିଏ ଅଛି ତାର ଏ ଧନ ଦଉଲତଭରା ସମ୍ପଦରେ । କଣ ହେବ ଏସବୁ ଥାଇ ? ଲୋକେ କହନ୍ତି ଝିଅଙ୍କ ମଥାରେ ସିନ୍ଦୂର ଲାଗିଲେ ଭାଗ୍ୟ ବଦଳେ । କାହିଁ ତା’ର ତ ବଦଳିଲା ନାହିଁ ! ଯେଉଁ କାଚ ପିନ୍ଧିଲେ ନାରୀଜାତି ଛାତି ଫୁଲାଇ ନିଜେ ସୌଭାଗ୍ୟବତୀ ବୋଲି ଗର୍ବ କରେ, ସେହି କାଚ ପିନ୍ଧି ସୁଦ୍ଧା ଆଜି ସେ ଦୁର୍ଭାଗ୍ୟବତୀ । ଦୁର୍ଭାଗ୍ୟବତୀ ନୁହେଁ ତ ଆଉ କଣ ? ନା, ଏମିତି ଘରେ ସେ କାହିଁକି ରହିବ ଆଉ-? କାହାକୁ ଘେନି ସେ ରହିବ ? ଚାଲିଯିବ ବାପ ଘରକୁ । ଜାଣିବ ବାପ ମାଆଙ୍କର ଅଭିଆଡ଼ି ଝିଅଟା –ଭାବନା ପାହାଡ଼ ପଦ୍ମାର ବୁକୁ ଉପରେ ଠିଆହେଲା ଆସି । ମନ ହେଲା ତା’ର ଏ ଘରଦ୍ଵାର ଛାଡ଼ି କେଉଁ ଆଡ଼କୁ ପଳାଇ ଯାଆନ୍ତା । କିନ୍ତୁ କେମିତି ବା ଯାଉଛି ? ବିଭାଘର ଦିନ କେତେଟା ଯାଇଛି । ଲୋକେ କଣ କହିବେ ? ସାରା ଗାଁଟାରେ ନିନ୍ଦାର ଢୋଲ ବାଜିଯିବ । ବାପ ମାଆ ଲାଜରେ ମୁହଁ ଟେକି ପାରିବେନି ।

 

ଶାଶୁ ଶ୍ଵଶୁରଙ୍କ ପ୍ରାଣରେ ଚୋଟ ଲାଗିବ । ତାଙ୍କର ବା ଦୋଷ ଦେବି କାହିଁକି ? ଦିନ କେଇଟାର କଥା, ଝିଅଠାରୁ ବଳି ସ୍ନେହ ଶ୍ରଦ୍ଧାରେ ରଖିଛନ୍ତି । କେମିତି ତାଙ୍କର ନିନ୍ଦା ଗାଇବି ? ଜିଭଟା ମୋର କେମିତି ଓଲଟିବ ଏ କଥା କହିବାକୁ ? ସବୁବେଳେ ପାଖେ ପାଖେ ନଣନ୍ଦଟା । ସେ ବି ଅତି ଆପଣାର କରିଛି ଏଇ ଦିନ କେଇଟାରେ । ଖାଲି ମାୟା, ଖାଲି ବନ୍ଧନ –ଯୁଆଡ଼େ ଚାହୁଁଛି ପଦ୍ମା ସିଆଡ଼େ ଦେଖୁଛି ।

 

ଆପଣା ଆଖିରୁ ଆପଣାଛାଏଁ ଲୁହ ପୋଛିଲା ସେ ।

 

ଘର ଭିତରେ ଖଟ ଉପରେ ଜଗଦୀଶ ଶୋଇ ରହିଛି, ଟିକିକ ପାଇଁ ସୁଦ୍ଧା ସେ ପଦ୍ମାକଥା ଭାବିଲା ନାହିଁ ।

 

କଳ୍ପନାମୟୀଙ୍କ ପ୍ରାଣ ଛଟପଟ ହେଲା । ବାହାରୁ ବୋହୂ ଗଳା ଶୁଣିବାକୁ ପାଇଲେ ।

 

କିଏ ବୋହୂ ?

 

ହଁ ମା ।

 

ଏଠି ବସିଛୁ ? କଣ ଏତେ ବେଳଯାଏ ଶୋଇ ନାହୁଁ ।

 

ଆଉ ଧୈର୍ଯ୍ୟ ଧରି ପାରିଲାନି ପଦ୍ମା ।

 

ଶାଶୁଙ୍କ ପାଦତଳେ ମଥା ରଖି ଛୁଆଙ୍କ ପରି କଇଁ କଇଁ ହୋଇ କାନ୍ଦିଉଠିଲା । କାନ୍ଦଣାର ଅର୍ଥଟା ବୁଝି ପାରିଲେ କଳ୍ପନାମୟୀ । ଆପଣାର ଘର କଥାଟା କାହା ପାଖରେ ବା କହିବେ ? କିଏ ଅବା ତାଙ୍କୁ ସାହସ ଦେବ ? ବୁଦ୍ଧି ଦେବ ? ତାଙ୍କ ଲୁଗା କାନିରେ ପଦ୍ମା ଆଖିରୁ ଲୁହ ପୋଛି ଦେଉଁ ଦେଉଁ କହିଲେ,

 

–ଛି ମାଆ ମୋର, କାନ୍ଦନା !

 

ଶାଶୁଙ୍କ କଥାରେ ପଦ୍ମା କାନ୍ଦ ବନ୍ଦ କରି ଧୀରେ ଘର ଭିତରକୁ ଚାଲିଗଲା ।

 

କଳ୍ପନାମୟୀ ଦୀର୍ଘ ନିଃଶ୍ୱାସ ପକାଇ କହିଲେ,

 

–ହରି ହେ ଜଗଦୀଶକୁ ମୋର ସୁବୁଦ୍ଧି ଦିଅ । ସୁନାର ସଂସାର ତାର ହସି ଉଠୁ ।

 

ରାତ୍ରିର ନିସ୍ତବ୍‍ଧତା ଭିତରେ ଅନେକ ସମୟ ପର୍ଯ୍ୟନ୍ତ ସାଇ ଅଗଣାରେ ଏକୁଟିଆ ବସି କଳ୍ପନାମୟୀ ନୀରବ ଶାନ୍ତ୍ୱନା ଅନୁଭବ କରୁଥିଲେ ।

 

ଜଗଦୀଶ ଶୋଇଛି, ନିଦ ମୋଟେ ତା ଆଖିରେ ଆଜି ନାହିଁ । ଭବିଷ୍ୟତ ସନ୍ଧାନୀ ସେ । ମନେ ମନେ ଭବିଷ୍ୟତ ପାଇଁ କେତେ କଣ ଚିନ୍ତା କରିବାରେ ଲାଗିଛି ।

 

ଭବିଷ୍ୟତ । ଯେଉଁ ଭବିଷ୍ୟତ ମଣିଷ ଜୀବନର ମୂଳଦୁଆ । ଯାହାକୁ ନେଇ ମଣିଷ ଆଗାମୀ ଦୁନିଆଁର ସ୍ୱପ୍ନ ଦେଖେ । ଆଶାର ଅମରାବତୀ ଗଢ଼େ । ପାହାଡ଼ର ବୁକୁ ଚିରି ନିର୍ଝର ବୁହାଏ । ସ୍ୱପ୍ନର ରଙ୍ଗିନ ଚିତ୍ରରେ ବିଭୋର ହୁଏ ।

 

ପୁଣି ଏହି ଭବିଷ୍ୟତକୁ ଭୁଲି ମଣିଷ ଜାତିଟା ଛନ୍ଦ ବାଉଳା ହୋଇଯାଏ । ଭବିଷ୍ୟତ କଥା ମନରୁ ତାର ପାଶୋରି ପକାଏ । ଅତୀତକୁ ଖାଲି ଭାବେ । ଭାବନା ହିଁ ତାର ସାର ହୁଏ । ଯେତେ ସେ ଭାବେ ଅତୀତ କାଞ୍ଚନଜଙ୍ଘା ପାହାଡ଼ ପରି ତା ବୁକୁ ଉପରେ ସେତେ ଠିଆ ହୁଏ ।

 

ପ୍ରାଣଟା ଖାଲି ଦହଜି ହୁଏ ।

 

ଏଇତ ଜୀବନ ।

 

କଣ ସେ ଆଜି କରିବ ? ଏହାହିଁ ଭାବୁଛି ଜଗଦୀଶ । ଅଥଳ ଦରିଆରେ ଥଳକୂଳ କିଛି ସେ ପାଉନି । ସେଦିନର ପରେଶ କଥା ମନେ ପଡ଼ୁଛି । ତୋ ସ୍ତ୍ରୀକୁ ମଣିଷ କରି ଗଢ଼ିବାର କ୍ଷମତା ତୋରି ହାତରେ ।

 

ସତେ କ’ଣ ସିଏ ପଦ୍ମାକୁ ମଣିଷ କରି ଗଢ଼ି ପାରିବ ?

 

ନାଁ ଏ ଚେଷ୍ଟା କରିବା ବୃଥା । ପାରିବ ନାହିଁ ସେ, ମୋଟେ ପାରିବ ନାହିଁ । ପଦ୍ମାକୁ ପାଠ ପଢ଼ାଇ ମଣିଷ କରି ପାରିବ ନାହିଁ । ଲୋକେ କହିବେ ଜଗଦୀଶ ଏତେ ପାଠ ପଢ଼ି ଅପାଠୋଇ ସ୍ତ୍ରୀଟାଏ ପାଇଛି । ବନ୍ଧୁ ମହଲରେ ସେ ମୁହଁ ଟେକି ଚାଲି ପାରିବ ନାହିଁ । ନାଁ ତା ପକ୍ଷରେ ଏସବୁ ଏଡ଼ି ଦୂରକୁ ଚାଲିଯିବା ଭଲ । ତାହାହିଁ ସେ କରିବ । ନିପଟ ପଲ୍ଲୀ ଗାଁଟା । ସେଥିରେ ପୁଣି ସମାଜର କଠୋର ନିର୍ଯାତନା, ନା ସହି ପାରିବ ନାହିଁ ସେ । କାଲିରେ ଜଗଦୀଶ କଟକ ଚାଲିଯିବ ।

 

ପଦ୍ମା ସ୍ଵାମୀ ପାଖରେ ଥାଇ ସୁଦ୍ଧା, ଭଲ ମନ୍ଦରେ କେତେକଥା ପଚାରିଛି ସ୍ଵାମୀଙ୍କୁ, କୌଣସି କଥାରେ ସେ ପ୍ରତ୍ୟୁତ୍ତର ପାଇନାହିଁ । ଅସରନ୍ତି ଭାବନା ଭିତରେ ପଦ୍ମାର ଆଖି ଦୁଇଟି ନିଦରେ କେତେବେଳେ ବୁଜି ହୋଇ ଯାଇଛି । ପଦ୍ମା ସ୍ଵପ୍ନ ଦେଖୁଛି । ସ୍ୱାମୀ ତାର ରାଗ ଅଭିମାନରେ କଥା ନ କହି ଚାଲି ଯାଉଛନ୍ତି କେଉଁ ଆଡ଼େ । ସ୍ଵାମୀଙ୍କ ପାଦତଳେ ମଥାରଖି କେତେ କାନ୍ଦି କୋଡ଼ି ହେଉଛି । ତଥାପି ସ୍ଵାମୀଙ୍କର ଟିକେ ଦୟା ହେଉନି । ଦଣ୍ଡକ ପାଇଁ ସେ ଫେରି ଚାହୁଁ ନାହାନ୍ତି । ନିରିମାଖି କରି ତାକୁ ଛାଡ଼ି ଚାଲି ଯାଉଛନ୍ତି । କେଡ଼େ ନିର୍ଦ୍ଦୟ ସେ । ହଠାତ୍ ନିଦ ଭାଙ୍ଗିଗଲା ପଦ୍ମାର । ସକାଳ ହେଲାଣି । ସତକୁ ସତ ଖଟ ଉପରେ ସ୍ୱାମୀକୁ ସେ ଖୋଜି ପାଉନି । ଅଣନିଃଶ୍ୱାସୀ ହୋଇ ଆର ଖଞ୍ଜାକୁ ଧାଇଁ ଯାଇ ପଦ୍ମା କମଳାକୁ କାନ୍ଦ କାନ୍ଦ ହୋଇ ପଚାରୁଛି–ଭାଇ ସତେ କଣ କଟକ ଚାଲିଗଲେ ।

 

କମଳା ଭାଉଜର ଆଖିରୁ ଲୁହ ପୋଛି ଦେଉ ଦେଉ କହିଲା,

 

–ହଁ ନୂଆବୋହୂ ଭାଇ କଟକ ଚାଲିଗଲେ ।

 

ପଦ୍ମା ଏ କଥା ଶୁଣି ତଳେ କଚାଡ଼ି ହୋଇ ପଡ଼ିଲା ।

 

ଶୁଖିଲା ଆଖିରୁ ତାର ଦୁଇଧାର ଲୁହ ନିଗିଡ଼ି ପଡ଼ିଲା ।

 

ତିନି

 

ପଦ୍ମାର ଲୁହବୋଳା ମୁହଁକୁ ପୋଛି ଦେଉ ଦେଉ କଳ୍ପନାମୟୀ କହିଲେ,–ଛିଃ ମାଆଟା ମୋର ତୁନି ହ । ଏମିତି କାନ୍ଦନ୍ତି ନି କେହି । ଅମଙ୍ଗଳ କଥାଟା ।

 

ହଁ ସବୁବେଳେ କାନ୍ଦିବାଟା ଅମଙ୍ଗଳ । ଆପଣା ମନକୁ ବୁଝାଇ ପଦ୍ମା ତୁନି ହେଲା । ତୁନି ହେଲା ସତ କିନ୍ତୁ ଅନ୍ତରଟାକୁ ତାର ତୁନି କରି ପାରିଲାନାହିଁ ମୋଟେ । ଶତବୃଶ୍ଚିକର ଆଘାତ ଅନୁଭବ କଲା ସେ ।

 

ହସ ହସ ମୁହଁରେ କମଳା ଘର ଭିତରକୁ ପଶିଆସି କହିଲା,

 

–ନୂଆବୋଉ, ଆସ ମ ଆର ଘରକୁ । ଏକା ଏକା ଏମିତି ବିରସ ମନରେ କାହିଁକି ବସିଛ ? ଦି ବାଜି ତାସ୍ ଖେଳିବା ।

 

ନାହିଁ କମଳା ତୁ ଯା, ମୋ ମନଟା ଭଲ ନାହିଁ ।

 

ଭାଉଜର ବିରସ ମନ ଦେଖି କମଳାର ଫୁଟନ୍ତା ହସ କେରାକ ମଉଳି ପଡ଼ିଲା । କମଳା ଜାଣେ, ଭାଉଜଟି ତାର ଏ ଘରକୁ ଆସିଲା ଦିନଠୁ କାନ୍ଦି କାନ୍ଦି କଣ୍ଟାପରି ହେଲାଣି । ଖାଇବା ପିନ୍ଧିବା ପାଇଁ ନୁହେଁ, ଜଗତରେ ଯେଉଁଥି ପାଇଁ ଝିଅ ଗୋଟାଏ ଘରଛାଡ଼ି ଆଉ ଗୋଟାଏ ଘରକୁ ଯାଏ, ଜଣକୁ ଆପଣାର କରିବାକୁ । ସେହି ଆପଣାର ଲୋକଠାରୁ ସେ ଯଦି ସାନ୍ତ୍ୱନା ପାଇବା ଦୂରେ ଥାଉ ତାଡ଼ନା, ଭର୍ତ୍ସନା ପାଏ–ତା ହେଲେ ତାର ଅନ୍ତର ଡହଳ ବିକଳପରି ହେବ ନାହିଁକି । ସେଇଥି ପାଇଁ ।

 

ନାହିଁ ମ ଆସ ନୂଆବୋଉ । ଦି ବାଜି ଖଣ୍ଡେ ଖେଳିବା । ଖେଳୁ ଖେଳୁ ତମେ ଜିତିବ ନାହିଁ ମୁଁ ଜିତିବି ଏଇତ–ସତ କହୁଛି ନୂଆବୋଉ ଯଦି ତମେ ତାସ୍ ଖେଳିବାକୁ ନ ଯିବ, ତେବେ ତମର ମୋର...... ।

 

ପଦ୍ମା ନଣନ୍ଦର ମନ ରକ୍ଷାକରି ତା ସଙ୍ଗରେ ଆର ଘରକୁ ଗଲା ତାସ୍ ଖେଳିବାକୁ । ଖେଳରେ ମୋଟେ ମନ ନ ଥାଏ ।

 

ଦି ଜଣ ବସି ତାସ୍ ଖେଳିଲେ, ବାରମ୍ବାର ପଦ୍ମା ଖେଳରେ ଭୁଲ୍‍କଲା ।

 

ଏକଣ ନୂଆବୋଉ । ତମେ ଭୁଲ୍ କରୁଛ ଖାଲି ।

 

ପଦ୍ମା ମୁରୁକି ହସା ଦେଇ କହିଲା,

 

–କମଳା, ମୋର ଖେଳିବାକୁ ମନ ନାହିଁ ମୋଟେ । ତାଛଡ଼ା ମୁଁ ତାସ୍ ଖେଳି ଜାଣେ ନା ଯେ ।

 

ଖେଳ ଭାଙ୍ଗିଗଲା । ନଣନ୍ଦ ଭାଉଜ ହସ କଉତୁକ ହୋଇ ଗାଧୋଇଗଲେ ନଈକି ।

 

ପଦ୍ମାର ମୁଖରେ ଦଣ୍ଡକ ପାଇଁ ହସ ଫୁଟି ଉଠିଲେ କଳ୍ପନାମୟୀଙ୍କ ପ୍ରାଣ ଆନନ୍ଦରେ ନାଚି ଉଠେ । ବୋହୂଟିକୁ ସବୁବେଳେ ଅଦର ଯତ୍ନରେ ରଖିଥାନ୍ତି ।

 

ହେଲେ କଣ ହେବ । ପଦ୍ମାର ମନକଥା ଗୁଡ଼ାକ ସବୁ ଜଣାପଡ଼ିଯାଏ । ପୁଣି ସନ୍ଦେହ ଦୋଳାରେ ଦୋଳାୟିତା ହୁଅନ୍ତି କଳ୍ପନାମୟୀ ।

 

ଏମିତି ଦିନ ଗଡ଼ିଚାଲେ । ଦେଖୁ ଦେଖୁ ଚାରିମାସ କଟିଗଲା ।

 

ଗ୍ରୀଷ୍ମ ଯାଇ ବର୍ଷା ଆସିଲା, ଧରଣୀର ଉତତ୍ପ ପ୍ରାଣରେ ଶାନ୍ତି ସୁଧାର ସଞ୍ଜୀବନୀ ମନ୍ତ୍ର ଢାଳି ଦେବାପାଇଁ ଆକାଶରେ ମେଘମାଳ ହୁଙ୍କାର ଛାଡ଼ିଲେ ।

 

ସବୁଜ ଧରଣୀ ସୌନ୍ଦର୍ଯ୍ୟରେ ଶୋଭିତ ହେଲା ।

 

ଏଥିରେ କିନ୍ତୁ ଶାନ୍ତି କାହିଁ ତ ପାଇଲା ନାହିଁ ପଦ୍ମା । ଯେତେ ଦିନ ବିତୁଛି ତେତେ ଅଶାନ୍ତିରେ ଦହଜି ହେଉଛି ପ୍ରାଣଟା ତା’ର ।

 

କଳ୍ପନାମୟୀ ବୋହୂଟିର ଚେହେରାକୁ ଲକ୍ଷ୍ୟକରି, ସେଦିନ କହିଲେ–ଆଲୋ ମାଆ ! ତୁ କଣ ଭାତ ଖାଉ ନାହୁଁ । ମାସ କେତେଟାରେ କେଡ଼େ ସୁନ୍ଦର ଚେହାରାଟାକୁ କଣ କଲୁଣି କହନି ।

 

ନିରୁତ୍ତର ହେଲା ପଦ୍ମା ।

 

ଶାଶୁର ଆକଟରେ ମୁହଁ ତଳକୁ କରି ବସିରହିଲା ।

 

ପଦ୍ମାର ପିଠି ଆଉଁସି ଦେଉ ଦେଉ କଳ୍ପନାମୟୀ କହିଲେ–ସତ କରି କହନି ମାଆ, ତୋ ଦେହ କାହିଁକି ଏମିତି ହେଉଛି । କଣ ଜର ହେଉଛି ?

 

ନାହିଁ ମାଆ ।

 

ତେବେ କାହିଁକି ବୋହୂଟାର ଏପରି ଚେହେରା । ମନକୁ ମନ ଭାବୁ ଭାବୁ କଳ୍ପନାମୟୀ କହିଲେ,

 

–ଯାହା କଥାରେ କହନ୍ତି ନୁଣ ଖାଏ ହାଣ୍ଡି–ଚିନ୍ତା ଖାଏ ଗଣ୍ଡି । ତାହା ଠିକ୍ । ଆଜି ବୋହୂଟା ମୋର ଭାବି ଭାବି ଏପରି କଣ୍ଟା ଦଉଡ଼ି ହେଲାଣି ।

 

ସେ ଦିନ କୃଷ୍ଣମୋହନ ବାବୁ କଚେରୀକୁ ବାହାରିଛନ୍ତି କଳ୍ପନାମୟୀ କହିଲେ,

 

–ଶୁଣୁଛ, ଫେରିଲା ବେଳକୁ ଫଳ କିଛି କିଣି ଆଣିବ ।

 

ଆଚ୍ଛା–କହି କୃଷ୍ଣମୋହନ ବାବୁ କଚେରୀକୁ ଚାଲିଗଲେ ।

 

ଜୀବନ ଯୌବନ କେହି ଚିରସ୍ଥାୟୀ ନୁହନ୍ତି । ଜୀଇଥିଲେ ମଣିଷ ସୁଖ ଲୋଡ଼େ । ଏଇ ସୁଖପାଇଁ ସାରା ଜଗତଟା ପାଗଳ । କାହିଁ ସେ ତ ପୁଅ ବୋହୂଙ୍କର ସୁଖମୟ ସଂସାର ଦେଖି ପାରିଲା ନାହିଁ ! ମାଆ ହୋଇ ପୁଅର ମଧୁମୟ ଜୀବନକୁ ସରସ ସୁନ୍ଦର କରାଇ ପାରିଲା ନାହିଁ ତ-! ତେବେ ଜଗଦୀଶର ଜୀବନଟା କଣ ଏମିତି ଡହଳବିକଳରେ କଟିବ । ଭାବନାରେ କଳ୍ପନାମୟୀଙ୍କ ମଥା ଚକ୍ର ଖାଇଲା ।

 

ଦିନ ଯାଏ ରାତି ଆସେ । କିଛି ସେ ଠଉରାଇ ପାରନ୍ତିନି ।

 

ଘରେ ବସିରହି ପୁଅ ବୋହୂଙ୍କର ମଙ୍ଗଳ ମନାସି କେତେ ଦିଅଁ ଦେବତାଙ୍କୁ ଡାକନ୍ତି । ଶୁଖିଲା ଆଖିରୁ ଲୁହ ଗଡ଼ାନ୍ତି ।

 

କୃଷ୍ଣମୋହନ ବାବୁ ଏ ସବୁ ଦେଖି ପଚାରନ୍ତି,

 

ଆଚ୍ଛା କଳ୍ପନା ! ତମର ଆଜିକାଲି କଣ ହୋଇଛି କି ? ଏମିତି ଭାବନା କରୁଛ ବସି ବସି ।

 

ଭାବୁଛି ତମରି ଗୁଣମାନ ପୁଅ ଜଗଦୀଶ କଥା ।

 

ହେଇତ ଦେଖୁଛ ତମରି ଆଖି ଆଗରେ ଘରର ବୋହୂଟା ଆସି କଣ୍ଟା ଦଉଡ଼ି ପରି ହେଲାଣି । ଖାଲି ଭାବି ଭାବି ।

 

ଭାବିଲେ କଣ ହେବ କଳ୍ପନା ! ଯେତେବେଳେ ଯାହା ହବାର କଥା ତାହା ହେଇ ଯାଉଛି । କଣ ମୋତେ ପଚାରୁଛ ସେ ! ସବୁ କଥା । ଜଗଦୀଶ ପରି ଶିକ୍ଷିତ ପୁଅ ଯଦି ଏପରି କରିବାକୁ ଯାଏ, ତାହାହେଲେ ଅନ୍ୟମାନେ କଣ ନ କରିପାରନ୍ତି ?

 

ଅନ୍ୟମାନେ ସବୁ କରି ପାରନ୍ତି । ସେଥିରେ ଆମର କିଛି ଆସେ ଯାଏନା । ମୁଁ ତମକୁ ସେଦିନରୁ କହିବି କହିବି ବୋଲି କହି ପାରୁନି, ଆଖିରେ ଦେଖୁଛତ ବୋହୂଟାକୁ ।

ହଁ କଳ୍ପନା ସେଦିନ ମୁଁ ବି ମନେ ମନେ ଭାବୁଥିଲା ବୋହୂକୁ ଦେଖି, ଚେହରାଟା ଅତି ଖରାପ ଦେଖା ଗଲାଣି ।

କୃଷ୍ଣମୋହନ ବାବୁ ଖଞ୍ଜା ଭିତରୁ ଥାଇ ପଦ୍ମାକୁ ଡାକିଲେ,

ମା ଏଣିକି ଟିକେ ଆସିଲ ।

ପଦ୍ମା ଶ୍ଵଶୁରଙ୍କୁ ବଡ଼ ଭକ୍ତି କରେ, ଲଜ୍ୟାବି କରେ । ମୁଣ୍ଡରେ ଓଢ଼ଣା ଟାଣି ଶ୍ୱଶୁରଙ୍କ ପାଖକୁ ଗଲା ।

ଖଟ ଉପରେ କୃଷ୍ଣମୋହନବାବୁ ବସିଥାନ୍ତି । ଶାନ୍ତ ଗମ୍ଭୀର ମୂର୍ତ୍ତିଟି ପରି । ପଦ୍ମା ଦୂରେଇ ଠିଆ ହେଲା ।

କୃଷ୍ଣମୋହନ ବାବୁ ପଚାରିଲେ ପଦ୍ମାକୁ । ଆଚ୍ଛା ମାଆ ତମର ଏଠାରେ ଚଳିବାରେ କିଛି ଅସୁବିଧା ହେଉଛି କି ? ଯଦି ପ୍ରକୃତରେ ଅସୁବିଧା ହେଉଥାଏ–ଲଜ୍ୟା ନକରି କୁହ ।

ପଦ୍ମା କଣ ବା ଜବାବ ଦେବ । ଏତେ ବଡ଼ କଥାଟା । ଶ୍ୱଶୁର ଦେବତା ସମାନ । ଭଲ ମନ୍ଦରେ ଦେହ ପା’ ହେଲେ ପେଟକୁ ତାଙ୍କର ଭାତ ଯାଏନା । ଔଷଧ ପଥି କେମିତି କେଉଁଠୁ ଆସିବ ଖୋଜି ବୁଲନ୍ତି । ଏମିତି ମଣିଷ କୋଟିକରେ ଗୋଟିଏ ମିଳିବା କଠିନ ।

ପଦ୍ମା ଧୀର ଚଳାରେ କହିଲା–

ଅସୁବିଧା ମୋର କାହିଁକି ହେବ, କେଉଁ କଥାରେ ?

କୃଷ୍ଣମୋହନ ବାବୁ ବୋହୂଠାରୁ ଆଉ କଣ ବା ପ୍ରତ୍ୟୁତ୍ତର ଆଶା କରିଥାନ୍ତେ ? କିଛିକ୍ଷଣ ପରେ କୃଷ୍ଣମୋହନ ବାବୁ କହିଲେ–

ଆଚ୍ଛା ତମେ ଯାଅ ।

ମାଆ କମଳା ।

ସାଇ ଅଗଣାରୁ କମଳା ବାପାଙ୍କ ଡାକଶୁଣି କହିଲା ଯାଉଛି ବାପା ।

କମଳାକୁ ଦେଖି କୃଷ୍ଣମୋହନ ବାବୁ କହିଲେ,

–କମଳା,

ନୂଆ ବୋଉର ଖବର ସବୁବେଳେ ବୁଝୁଥିବୁ । ଯେପରି କୌଣସି କଥାରେ ତାଙ୍କର ମନ ଊଣା ନ ହୁଏ ।

ବୁଝିଲ ମା ପଦ୍ମା ! ତୁମେ ଲାଜ ସଂକୋଚ କରିବ ନାହିଁ । ଏ ଘର ଦ୍ୱାର ତୁମର । ତୁମେ ତୁମର ଇଚ୍ଛା ମୁତାବକ ଯାହା ଚାହିଁବ ତାହା କରିବ ।

ପଦ୍ମା ମୁଣ୍ଡ ତଳକୁ ନୁଆଇଁ ଧୀରେ ଆଉ ଘର ଖଞ୍ଜାକୁ ଚାଲିଗଲା ।

କମଳା ! କମଳା ପାଇଁ ବାସ୍ତବିକ ପଦ୍ମା ମନର ଯାହା କିଛି ବେଦନା ସବୁ ଭୁଲିଯାଏ । କ୍ଷଣକ ଭିତରେ ପୁଣି ତାର ଘର ସଂସାର ପ୍ରତି ମାୟା ମମତା ଜାଗିଉଠେ । ଏତେ ବିରସତା ଭିତରେ କମଳା ପାଇଁ ସେ ମନରେ କେତେ ରଙ୍ଗିନ ଚିତ୍ରଆଙ୍କେ । ସ୍ଵାମୀ ଦେବତା । ଅତି ଆପଣାର ସେ । ସବୁବେଳେ ତାଙ୍କରି କଥା ମନେ ମନେ କେତେ ଭାବେ । ସେଦିନ ମଧୁଶଯ୍ୟାର ରାତି । ଆଦର ସୋହାଗରେ ସ୍ୱାମୀ ତାକୁ ପାଖକୁ ଡାକି କାନେ କାନେ କହିଥିଲେ ପଦ୍ମା ତୁମେ ପ୍ରକୃତରେ ମଣିଷ ହୋଇ ପାରିନା । ତମ ଜୀବନ, ମୋ ଜୀବନ ଭିନ୍ନ ନୁହେଁ ଏକ । ତୁମେ ସୁଖୀ କରି ପାରିବ ମୋତେ ?

ସୁଖୀ କରି ନାହିଁ–ସତେ କଣ ସିଏ ସୁଖୀ କରି ପାରିବ ତାର ପ୍ରାଣ ଦେବତାଙ୍କୁ ଭାବନା ପଥରେ ଆଗେଇ ଯାଏ ପଦ୍ମା ।

ପଦ୍ମା କିଛି କାମ କରୁଥିଲେ, କମଳା ଭାଉଜ ହାତରୁ ଛଡ଼ାଇ ନେଇ ନିଜେ କରି ବସେ । ବଳକା ସମୟରେ ଭାଉଜକୁ ପାଖରେ ବସାଇ ପାଠ ପଢ଼ାଏ । ଯେଉଁ ପାଠ ପଢ଼ା ପାଇଁ ଭାଇଙ୍କର ଭାଉଜ ଉପରେ ଏତେ ରାଗ ଏତେ ଅଭିମାନ । ଆଜି ଭାଇ କଟକରେ ଥାଇ ସୁଦ୍ଧା ନୂଆବୋଉଙ୍କର ଭଲ ମନ୍ଦ ଖବର ଟିକେ ନେଲେ ନାହିଁ । ବାପ ମାଆଙ୍କ ପ୍ରତି ସେହି ରାଗରେ କିଛି ଖବର ବି ଦେଲେନି । ନିଶ୍ଚୟ ସେ ମନପ୍ରାଣ ଦେଇ ପାଠ ପଢ଼ାଇବ । ଭାଇଙ୍କର ଜମାଟ ବନ୍ଧା ଅଭିମାନ ତୁଟାଇବ । ଭାଉଜକୁ ପାଠୋଇ କରିବ । କମଳାର ଜିଦ୍ ।

ପଦ୍ମା ସତକୁ ସତ କମଳା ପାଖରେ ବସି ପାଠ ପଢ଼ିଲାଣି, ମନପ୍ରାଣ ଭରି ପଢିବାକୁ ଲାଗିଲା । ଆଜି ଏଇ ଗୋଟାଏ କଥାରେ ସ୍ୱାମୀ ତାକୁ ହତାଦର କରିଛନ୍ତି । ସେହି ଜିଦ୍ ପାଇଁ ସେ ପଡ଼ିଛି ତାର ପାଠପଢ଼ା ଧନ୍ଦାରେ ।

ଏ ସବୁ ଦେଖି ଗୋପନରେ କଳ୍ପନାମୟୀ ଅତ୍ୟନ୍ତ ଅନନ୍ଦିତ ହେଉଛନ୍ତି । ମନେ ମନେ କହୁଛନ୍ତି ପ୍ରଭୁ ହେ ମୋ ପୁଅ ବୋହୂ ଦୁଇଟିଙ୍କୁ ଭଲବୁଦ୍ଧି ଶିଖାଅ ।

ସେଦିନ କଳ୍ପନାମୟୀ କୃଷ୍ଣମୋହନ ବାବୁଙ୍କୁ କହିଲେ,

–ଶୁଣୁଛ, ଦେଖୁ ଦେଖୁ ତ କେତେମାସ କଟିଗଲାଣି । ଜଗଦୀଶର ଖବର କିଛି ପାଇଛ-? ସେ ଚିଠି ପତ୍ର କିଛି ଦେଇଛି ନା ନାହିଁ ?

ଚିଠି ଆଉ କେବେ ଦେଲା କଳ୍ପନା ? ତା ଚିଠିକୁ ଅନାଇଁ ଅନାଇଁ ଥକିଲିଣି । ନାଁ ଚିଠି ନାଁ ଖବର । ଦେଖୁଛି ବାସ୍ତବିକ୍ ଜଗଦୀଶଟା ପାଠ ପଢ଼ିଲେ କଣ ହେବ । ବଡ଼ ଜିଦ୍ ଖୋର । ତା ମୁଣ୍ଡରେ କିଛିନାହିଁ ।

କଣ ଯେ ତାର ହେଇଗଲା, ମୁଁ ଏପର୍ଯ୍ୟନ୍ତ କିଛି ବୁଝିପାରୁନି କଳ୍ପନା । ଏତେ ଯୌତୁକ ପାଇ ଦିନେ ତାକୁ ଆନନ୍ଦିତ ହେବାର ମୁ ଦେଖିଲି ନାହିଁ । ବେଳେ ବେଳେ ତାରି କଥା ଭାବି ବସିଲେ ମୁଣ୍ଡଟା ବିଗିଡ଼ି ଯାଉଛି । ମନ ହେଉଛି ଘର ସଂସାର ଛାଡ଼ି କେଉଁଆଡ଼େ ପଳାଇ ଯାଆନ୍ତି-

ହଁ ଘର ସଂସାର ଛାଡ଼ି କେଉଁଆଡ଼େ ପଳାଇ ଯିବ ତ ଯିବ, ଏଇଛୁଣି କଣ ତା ବିଷୟରେ ଭାବୁଛ କୁହନି ।

କଣ ଆଉ ଭାବିବି ତା ବିଷୟ କଳ୍ପନା । କିଛି ଭାବି ପାରୁନାହିଁ ।

ତମେ କଣ କହିବାକୁ ଚାହୁଛ ? ମତେ ଟିକେ ବୁଦ୍ଧି ଦେଲ ।

ବୁଦ୍ଧି ତମକୁ କଣ ଦେବି ମ ? ଘରେ ବୋହୂଟାର ଢଙ୍ଗ ତ ଯେମିତି ଦେଖୁଛ । ପୁଅ ଦିନ କେଇଟା ଘରେ ରହି ନାନାଦି କୀର୍ତ୍ତି କରି ଚାଲିଗଲା । ବନ୍ଧୁବାନ୍ଧବଠାରୁ ପଡ଼ା–ପଡ଼ୋଶୀ ଯାଏ କିଏ କେତେକଥା କହିଲେ । ମୁଁ ଖାଲି ଶୁଣି ପଥର ପାଲଟି ଯାଉଛି । ସେ ଦିନ ବୋହୂ ବାପ ଆସି ମୋତେ କହିଲେ ସମୁଦୁଣୀ ଝିଅଟା ମୋର ମାସ କେଇଟାରେ ଏମିତି ଆସି ହେଲାଣି । କଥା କହୁଁ କହୁଁ ଆଖିରୁ ତାଙ୍କର ଲୁହ ନିଗିଡ଼ି ପଡ଼ିଲା ।

ତମେ କଣ କହିଲ ?

ମୁଁ ଆଉ କଣ କହିବି ମ ?

ତାପରେ ଆଖିରୁ ସେ ଲୁହ ପୋଛୁ ପୋଛୁ କହିଲେ,

–ସମୁଦୀଙ୍କୁ କହିଦେବ, ମୁଁ ଝିଅକୁ ଏହି ମାସ ଭିତରେ ନେବି । ଝିଅ ମଧ୍ୟ ଯିବାପାଇଁ ଅଳି କରୁଛି ।

ହଁ କଳ୍ପନା, ଝିଅକୁ ନେବାକୁ କହିଲେ ସେଥିରେ ଆମର ଆପତ୍ତି କରିବାର କିଛିନାହିଁ । ଝିଅ ବାପ ଘରକୁ ଯାଏ, ଯିବ । ଝିଅର ଏ ଯିବାଟା ବାପଘରକୁ ବିବାହିତ ଜୀବନରେ ସର୍ବପ୍ରଥମ । ସବୁ ଝିଅ ବାପଘରର ସେହି ଝାଟିମାଟି କୁଡ଼ିଆ ଅଙ୍କାବଙ୍କା ପଥକୁ ପୁଣି ଥରେ ଯେତେବେଳେ ଫେରି ଯାଆନ୍ତି–ଶାଶୁ ଶ୍ଵଶୁର ଜାଆ ନଣନ୍ଦଙ୍କର ଟାଇଁ ଟାଇଁ କଥା ଆଉ ତାଙ୍କ କାନରେ ସେତେବେଳେ ବାଜେନି । ହସ ହସ ମୁହଁରେ କିଛି ଦିନ ପାଇଁ ପୁଣି ଆପଣାର କରି ବସନ୍ତି ମାଆ–ବାପ, ଭାଇ–ଭଉଣୀ ସଭିଙ୍କୁ । ଏଇତ ସଂସାର । ତମେ କ’ଣ କଳ୍ପନା ଦିନେ ତମ ବାପ ଘରକୁ ଯିବାପାଇଁ ମନ ଉଚ୍ଚାଟ କରୁ ନଥିଲ !

କଳ୍ପନାମୟୀ ମୁହଁରେ କ୍ଷିଣ ହସ ଖଣ୍ଡେ ଫୁଟାଇ କହିଲେ,

–ବୁଢ଼ା ବଅସରେ ପୁଣି ରସିକତା ।

ଦିନ ଗୁଡ଼ାକ ଯେତେ ଟାଉଟାଉ ଚାଲି ଯାଉଥାଏ, କୃଷ୍ଣମୋହନ ବାବୁଙ୍କର ମନର ଉଦବେଗ ତେତେ ବଢ଼ୁଥାଏ ।

କିଛି କୁଆଡ଼େ ନଥିଲା, ପଦ୍ମା ହଠାତ୍ ଜରରେ ପଡ଼ିଲା । ଘରେ ସମସ୍ତଙ୍କର ମନ ମେଜାଜ ଖରାପ ହୋଇଗଲା । କଳ୍ପନାମୟୀ ବୋହୂର ରୋଗ ଶଯ୍ୟା ପାଖରେ ଅଖିଆ ଅପିଆ ପଡ଼ିରହି ଆଖିରୁ ଲୁହ ଗଡ଼ାଇଲେ ।

ପଦ୍ମା ଶାଶୁର ଏପରି ଢଙ୍ଗ ଦେଖି ଧୀର ଗଳାରେ କହିଲା,

ମାଆ ତମେ ଏପରି କାହିଁକି ହେଉଛ ? ମୁଁ ଭଲ ହେଇଯିବି ମ ।

କମଳା ଭାଉଜର ପାତଳା ରୋଗିଣା ଦେହକୁ ସବୁବେଳେ ପାଖରେ ବସି ଆଉଁସି ଦିଏ-। ହସ ହସ ମୁହଁରେ ଶାଗୁ ବାର୍ଲି ତିଆରିକରି ପେଇଦିଏ । ପଦ୍ମା ଔଷଧ ଖାଇବାକୁ ମୁହଁ ମୋଡ଼ିଲେ ତାକୁ ଜିଗର ଲଗାଇ ପେଇଦିଏ ।

ବୋହୂର ଅସୁସ୍ଥତା ଦେଖି କୃଷ୍ଣମୋହନ ବାବୁ ଭୋକଶୋଷ ଭୁଲିଗଲେ ।

ଏଥିପାଇଁ ପଦ୍ମା ଦୁଃଖର ଦିନ ଗୁଡ଼ାକୁ ପ୍ରକୃତରେ ଦୁଃଖବୋଲି ଭାବେ ନାହିଁ ।

ଜରରୁ ଉଠୁ ଉଠୁ ପନ୍ଦର ଦିନ ଲାଗିଲା ପଦ୍ମାକୁ । ବଡ଼ ଦୁର୍ବଳ । ଡାକ୍ତର ଚଲାବୁଲା କରିବାକୁ ବାରଣ କରିଛନ୍ତି ।

 

ଯେତେବେଳେ ଯାହା ଦରକାର ପଡ଼େ ପଦ୍ମାର, ସବୁ ତା ପାଖରେ ଖଞ୍ଜେଇ ରଖେ କମଳା ।

 

ନଣନ୍ଦ, ଭାଉଜ ।

 

ଗୋଟିଏ ବୃନ୍ତରେ ଯୋଡ଼ିଏ ଫୁଟନ୍ତା ଫୁଲପରି । ବାସ୍ତବିକ ଏମାନଙ୍କର ପରସ୍ପର ସ୍ନେହ ଶ୍ରଦ୍ଧା ଦେଖିଲେ ମନରେ ବଡ଼ ଆନନ୍ଦ ଆସେ ।

 

ସ୍ନେହରେ ଜଗତଟା ବନ୍ଧା । ଯେଉଁଠି ସ୍ନେହ ନାହିଁ–ସେଠି ଆଦର ନାହିଁ । ଯେଉଁଠି ସ୍ନେହ ଅଛି–ସେଠି ଆଦର ଅଛି ।

 

ପଦ୍ମା ମାସ କେତେଟାରେ ଏହି ସ୍ନେହରେ ଆଜି ସମସ୍ତଙ୍କୁ ଆପଣାର କରି ପାରିଛି–ନିଜେ ଆପଣାର ବି ହୋଇ ପାରିଛି ।

 

ଯାହା ପ୍ରାଣରେ ସ୍ନେହ ନାହିଁ କିମ୍ବା ମମତା ନାହିଁ, ତା ପ୍ରାଣ ପ୍ରକୃତରେ ପ୍ରାଣ ନୁହେଁ, ମରୂଠାରୁ ହୀନ । ସ୍ୱପ୍ନର ସଂସାର । ବାସ୍ତବତା ଭିତରେ ହସି କାନ୍ଦି, ନାଚି କୁଦି ମଣିଷ ଜୀବନ କଟାଏ । ଏହାରି ଭିତରେ ସେ ପାଏ ସୁଖ ଶାନ୍ତି ଅମୃତର ଧାରା ।

 

ବେଳେବେଳେ ଦୁଶ୍ଚିନ୍ତାରେ ପଦ୍ମାର ମୁଣ୍ଡ ବିଗିଡ଼ି ଯାଏ । ଭାବନା ପୁଣି ତାକୁ ଛନ୍ଦି ପକାଏ ଅଡ଼ୁଆ ତଡ଼ୁଆ କରି ।

 

ଦେହ ଟିକେ ଆଜି ଭଲ ଲାଗୁଛି । ପଦ୍ମାର ଦେହ ପ୍ରତି ମୋଟେ ଲକ୍ଷ୍ୟ ନାହିଁ । ଏଣୁ ଦେହ ଯେତେବେଳେ ପାରି ସେତେବେଳେ ଖରାପ ହୋଇ ଯାଉଛି । ଜର, ପେଟବଥା, ମୁଣ୍ଡବଥା ଏମିତି କେତେ କଣ ଲାଗି ରହିଛି ।

 

କେତେ ଥର ବାପା ତାର ନେଇ ଯିବାକୁ କହିଲେଣି । ବାପ ଘରକୁ ଯିବାପାଇଁ ସେବି ମଧ୍ୟ ମନଟାକୁ ଉଚ୍ଚାଟ କରି ପକାଇଛି । କୃଷ୍ଣମୋହନ ବାବୁ ଦିନବାର ଠିକ୍ କରି ବୋହୂକୁ ପଠାଇ ଦେବାକୁ ସ୍ଥିର କଲେ ।

 

ଆଉ ଦିନ ଆଠଟା ରହିଲା ।

 

ପଦ୍ମା ବାପଘରକୁ ଚାଲିଯିବ । ଏଇକଥା ସେ ଭାବୁଛି । ସ୍ୱାମୀ ସିନା ତାକୁ ଆଜି ଉପେକ୍ଷିତା କରି ଚାଲିଗଲେ । ଶାଶୁ ଶ୍ୱଶୁର ଦେବତା ଏମାନେ ପ୍ରାଣୁ ଅଧିକ ଭଲପାଇଥାନ୍ତି ତାକୁ, ନଣନ୍ଦ, ମାଆ ପେଟର ଭଉଣୀଠୁ ବଳି । କେମିତି ଏମାନଙ୍କୁ ଛାଡ଼ି ସେ ବାପ ଘରକୁ ଯିବ !

 

ପଦ୍ମାର ବାପ ଘରକୁ ଯିବା ଦିନ ଗୋଟାଏ ବାକି ଅଛି, କମଳା ଭାଉଜର ଲୁଗାପଟା ଜିନିଷପତ୍ର ସଜାଡ଼ି ଦେଉଁ ଦେଉଁ କହିଲା–ନୂଆବୋଉ, ତମେ ସତେ କଣ ଆମକୁ ଭୁଲିଯିବ ? ବାପଘର ଗାଁ ମାଟି ମାଡ଼ିଲେ ।

 

କମଳା, ଜଗତରେ ଯିଏ ଯାହାକୁ ଯେତେ ଭଲ ପାଇଥାଏ, ସିଏ ତାକୁ ସେତେ ଭଲପାଏ । ଯିଏ ଯାହାକୁ ଯେତେ ଭାବେ, ସେ ତାକୁ ତେତେ ଆପଣାର କରି ବାନ୍ଧି ରଖେ–ନିଜ ପାଖରେ । ତୋ ପରି ସୁନା ନଣନ୍ଦକୁ ଭୁଲିବାର ଅଛି ?

 

ନାଁ ଥଟ୍ଟା କରୁଛ ।

 

ନାହିଁଲୋ ପାଗିଳୀ ଥଟ୍ଟା କାହିଁକି କରିବି । ତୋରି କଥା ସକାଳେ ସଞ୍ଜେ ସବୁବେଳେ ମନେ ପଡ଼ିବ ।

 

କମଳା ହସି ହସି କହିଲା,

 

–ନୂଆବୋଉ, ଭାଇ ପରା ଏହା ଭିତରେ କେବେ ଘରକୁ ଆସିବେ ?

 

ତୁମେ କେମିତି ଚାଲିଯିବ ମ ?

 

ପଦ୍ମା କହିଲା,

 

–କମଳା, ଆସନ୍ତୁ ତୋର ଭା‍ଇ । କେତେ ଗୁଡ଼ାଏ ପାଠ ସେ ପଢ଼ିଛନ୍ତି । ଅପାଠୋଇ ଝିଅଟାଏ ବୋଲି ସବୁବେଳେ ହତାଦର ମୁଁ । ମୋ ଜୀବନରେ କି ସୁଖ ଶରଧା ଅଳ୍ପ ଲୋ କମଳା-? ଏଠି ତୋ ପାଖରେ ରହିବା ଯିଏ, ବାପ ଘରକୁ ଯାଇ ସାଙ୍ଗ ସାଥୀ ମେଳରେ ରହି ମାସ କେତେଟା କଟାଇ ଦେବା ସିଏ । ରାଗ କରୁଛୁ କି ?

 

କଟା ଘା’ରେ ଚୂନ ବୋଳିଲା ପରି କମଳା ମନେ ମନେ ଯନ୍ତ୍ରଣା ଅନୁଭବ କଲା ।

 

ପଦ୍ମା ବାପ ଘରକୁ ଚାଲିଗଲା ।

 

ଝିଅକୁ ପାଇ ବାପ ମାଆଙ୍କର ଆନନ୍ଦ କହିଲେ ନ ସରେ ।

 

ବୋହୂକୁ ଛାଡ଼ି ଶାଶୁ ଶ୍ୱଶୁରଙ୍କ ଦୁଃଖ କମ୍ ନୁହେଁ । କ୍ଷଣିକ ହର୍ଷ–ବିଷାଦର ଖେଳ ଏ । ଯେଉଁଠି ମମତା ଲାଗିଯାଏ, ସେଠି ଜଣେ ଜଣକୁ ମୂହୁର୍ତ୍ତକ ପାଇଁ ଛାଡ଼ି ପାରେ ନା ।

 

ସେଦିନ କମଳା ଆଇନାଟା ସାମନାରେ ରଖି ନିଜ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ କଳ୍ପନାମୟୀଙ୍କୁ କହିଲା,

 

–ମା, ନୂଆବୋହୂଟି କେଡ଼େ ଖାସା ମଣିଷଟିଏ ମ । ସେ ଘରୁ ଚାଲିଗଲା ଦିନୁ ମନଟା ମୋଟେ ଭଲ ଲାଗୁନି ।

 

ଭାଇ ଘରେ ଥିଲାବେଳେ କେତେ ଉର୍ତ୍ସନା କରି କହନ୍ତି, ଟିକେ ତାର ଛଳ ନ ଥାଏ । ଖାଲି ଗୋଟିଏ ଗୁଣରେ ସିନା କମ୍ ପଡ଼ିଲା । ନୋହିଲେ.... ।

 

କୃଷ୍ଣମୋହନ ବାବୁ ଘରେ ବସି ଗମ୍ଭୀର ହୋଇ କଣ ଗୁଡ଼ାଏ ଭାବୁଛନ୍ତି । କଳ୍ପନାମୟୀ ଘର ଭିତରକୁ ପଶିଆସି ଦେଖିଲେ, ମୁଣ୍ଡରେ ହାତ ରଖିଛନ୍ତି ସେ । ଯେପରି ମନ ପକ୍ଷୀରାଜ ଘୋଡ଼ାଟା ତାଙ୍କର ଉଡ଼ି ବୁଲୁଛି କାହିଁ କେତେ ଦୂର ଦୂରାନ୍ତରେ ।

 

କଣ ଭାବୁଛ ଏତେ ?

 

ଭାବନା ଭାଙ୍ଗିଲା ତାଙ୍କର । କୃଷ୍ଣମୋହନ ବାବୁ ମୁହଁ ଟେକି ଚାହିଁଲେ, ତାଙ୍କ ସାମନାରେ ଠିଆ ହୋଇଛନ୍ତି କଳ୍ପନାମୟୀ ।

 

କିଏ କଳ୍ପନା ?

 

ହଁ ।

 

ନାହିଁ ହେ ଭାବିବି କଣ ? ଅଫିସ ତ ଆଜି ବନ୍ଦ । ବସି ବସି ଏମିତି ଭାବୁଥିଲି ଖାଲି......-

 

କଳ୍ପନାମୟୀ ବିଶେଷ କିଛି ନ କହି ଚାଲିଗଲେ ।

 

କୃଷ୍ଣମୋହନ ବାବୁ ପ୍ରକୃତରେ ଜଗଦୀଶର ଭବିଷ୍ୟତ ପାଇଁ ବଡ଼ ଚିନ୍ତିତ । କାରଣ ସେ ଜାଣନ୍ତି ଏକମାତ୍ର ପୁଅ ସେହି । ତାର ସୁଖ୍ୟାତିରେ ତାଙ୍କର ଗର୍ବ କରିବାର କଥା । କେତେ ଭାବିଆଶାର କଳ୍ପନା–ପୁଅ ପାଠ ପଢ଼ିସାରି ଡେପୁଟି ହେବ, ଦାରୋଗା ହେବ, ଇଞ୍ଜିନିୟର ହେବ, ଏମିତି କେତେ କଣ....

 

ମଣିଷ ବଡ଼ ଆଶାବାଦୀ ।

 

ଏହି ଆଶାକୁ ଆଗରେ ରଖି ସେ ସ୍ୱପ୍ନର ମିନାର ଗଢ଼ୁଛନ୍ତି ।

 

ଚାରି

 

ମଣିଷ ଜୀବନରେ ଏମିତି ଗୋଟାଏ ପରିବର୍ତ୍ତନର ବାତବରଣ ବହିଗଲେ, ସେ ପଥହରା ହୋଇଯାଏ । ପାଗଳଙ୍କ ପରି ଏଣେ ତେଣେ ଘୁରିବୁଲେ, କୁଳକିନାରା ପାଏନା । ସେଇମିତି ଆଜି ଜଗଦୀଶର ଜୀବନ । ସେ ମନେ ମନେ ଭାବୁଛି କିଛି ତାର ନାହିଁ–ଅଥଚ ସବୁ ଅଛି । ବାପମାଆ ତାର ଅନ୍ତର କଥା ବୁଝିଲେ ନାହିଁ । ନିହାତି ଗୋଟାଏ ଅପଦାର୍ଥ ସାଙ୍ଗରେ ନେଇ ଛନ୍ଦି ଦେଲେ ତା ଜୀବନଟାକୁ । ସୁଖୀ ହୋଇ ପାରିଲାନି ସେ । ନିଜ କପାଳକୁ ଧିକ୍‌କାର କରିବା ସାର ହେଲା ଖାଲି । ସୁଖ ଦୁଃଖରେ ଯାହାକୁ ସେ ଜୀବନ ସଂଗିନୀ କରି ସଂସାରର ଦୁର୍ଗମ ପଥ ଅତିକ୍ରମ କରିବ; ସେ କଣ ପଦ୍ମା ? ନା–ନା–ପଦ୍ମାକୁ ନେଇ ସେ ସଂସାରର ଦୁର୍ଗମ ପଥ ଅତିକ୍ରମ କରି ପାରିବନି । ଦୀର୍ଘ ଭାବନା । ସଂଧ୍ୟା ପ୍ରାୟ ଆସନ୍ନ । ଗୋଧୂଳିର ରକ୍ତିମ ଆଭାରେ ଗଛ ଲତା କ୍ଷଣକ ପାଇଁ ହସି ଉଠୁଛନ୍ତି । ଏହି ହସ, ଆଜି ଦିନର ଶେଷ ହସ । ପ୍ରକୃତିର ବୈଚିତ୍ରତା । କାଠଯୋଡ଼ୀର ପଥର ବୁରୁଜ ଉପରେ ବସି ଭାବୁଛି ଜଗଦୀଶ ।

 

ସମୟ ସ୍ରୋତ ତାକୁ କେତେ ଦୂରରେ ଆଣି ଲଗାଇଛି । ହାୟରେ ଜୀବନ !

 

ଏହି ଭାବନାଟା କେବଳ ଆଜି ଦିନ ସଂଧ୍ୟାର ନୁହେଁ । ଜଗଦୀଶ ପ୍ରତ୍ୟେକ ସଂଧ୍ୟାରେ ଏହି ପଥର ବୁରୁଜ ଉପରେ ବସି ଅତୀତ ଆଉ ବର୍ତ୍ତମାନର କଥା ଭାବେ ।

 

କଲେଜ ଛୁଟି ପରେ ଜଗଦୀଶ ଏକା ଏକା ଚାଲିଆସେ ଏହି ଶାନ୍ତିମୟ ସ୍ଥାନଟିକୁ, ଅଶାନ୍ତି ପ୍ରାଣରେ ଶାନ୍ତି ହେଲେ ଟିକେ ପାଇବ ।

 

ଶାନ୍ତି କିନ୍ତୁ ସେ ପାଇ ପାରେନି । ତା ବଦଳରେ ଯେତିକି ସେ ନିଜର ପଛକଥା ଗୁଡ଼ାକ ଭାବେ; ଯେତିକି ଜୀବନଟା ତାର ହାହୁତାଶ ହୁଏ । ଅବୋଧ ମନଟା ତାର ବୁଝେ ନାହିଁ ।

 

ଏକା ଏକା ବସି ଆଖି ଆଗରେ କେତେ ଜୀବନ୍ତ ଚିତ୍ର ସେ ଦେଖି ଯାଉଛି ।

 

କାଠଯୋଡ଼ୀର କୁଳୁ କୁଳୁ ନିନାଦ ଆଜି ଜଗଦୀଶ ପ୍ରାଣରେ ଶେଳ ବିଦ୍ଧ କରୁଛି । ଅନେକବେଳ ଗଡ଼ିଲାଣି ।

 

ନା, ଆଉ ଏମିତି ବସି ବସି ସମୟ କଟାଇବ ନାହିଁ ସେ ।

 

ପଥର ବୁରୁଜ ଉପରୁ ଉଠିପଡ଼ିଲା । ରାତି ନଅଟା ବାଜିଲାଣି । ଧୀରେ ଧୀରେ ବସାଆଡ଼େ ପାଦ ବଢ଼ାଇଲା ।

 

ଆଉ ଦିନକର କଥା । ଜଗଦୀଶ କାଠଯୋଡ଼ୀର ପଥର ବୁରୁଜ ଉପରେ ବସି ଭାବୁଛି । ଅଦୂର ଭବିଷ୍ୟତର ଝାପ୍‌ସା ଆଲୋକ ଅସ୍ପଷ୍ଟ ତା ଆଖି ଆଗରେ ଦେଖାଯାଉଛି । ଛନ୍ଦ ବାଉଳା ମନଟା ତାର ନିଜ କଥାରେ ଛନ୍ଦି ହୋଇ ପଡ଼ୁଛି ।

 

ହଠାତ୍ ତାର ଆଖି ପଡ଼ିଲା ଆଗକୁ । ଗୋଟାଏ ଯୁବତୀ । ବୟସ ଅନ୍ଦାଜ କୋଡ଼ିଏ ଭିତରେ କେଉଁଠି ଦେଖିଲାପରି ତାକୁ ମନେ ହେଉଛି ତାର । ପରିଧେୟ ଶାନ୍ତିପୁରି ଶାଢ଼ୀ ଖଣ୍ଡେ, ଦେହରେ ମଖମଲି ବ୍ଲାଉଜ, ପାଦରେ ଚପଲ ଯୋଡ଼ାଏ । ସେ ଯେପରି ଅପଲକ ନୟନରେ ଚାହିଁ ରହିଛି ଜଗଦୀଶ ଆଡ଼କୁ । ଭଦ୍ରତା ଦେଖାଇ ସହସା ଆଖିଟା ତା ଉପରୁ ଫେରାଇ ଆଣିଲା ଜଗଦୀଶ ।

 

କିନ୍ତୁ ମନଟା କାହିଁକି କେମିତିକା ହୋଇଗଲା । ମନଟାକୁ ଆୟତ କରି ବିବେକ ତାର କହିଲା,

 

–ପର ସ୍ତ୍ରୀ ମାତୃବତ୍ ।

 

ପୁଣି ଟିକେ ଆଖି ଫେରାଇଲା ସୁଦୀର୍ଘ କାଠଯୋଡ଼ୀର ଜଳରାଶୀ ଉପରକୁ । ଆଗକୁ ଆଖି ପାଉନି । ବହୁ ଦୂରରେ ଖଣ୍ତେ ଖଣ୍ତେ ଡଙ୍ଗା ଭାସି ଯାଉଛି । କେବଳ ଦିଶୁଛି ଅସ୍ପଷ୍ଟ ତାର ଛାୟା । ମନେ ମନେ ଭାବିଲା ଜଗଦୀଶ, ବାସ୍ତବିକ ପ୍ରକୃତିର ବୈଚିତ୍ରତା ପ୍ରାଣକୁ ମୁଗ୍‌ଧ କରେ ।

 

କବି ଆଉ ଭାବୁକମାନଙ୍କ ଦୃଷ୍ଟିରେ ଏହା ଯେ କେଡ଼େ ରୁଚିପ୍ରଦ ରାଧାନାଥଙ୍କ ଭାଷାରେ କହିବାକୁ ଗଲେ,

 

“ସୁନ୍ଦର ତୃପ୍ତିରେ ଅବସାଦ ନାହିଁ,

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।”

 

ବଦଳି ଗଲା ତାର ପ୍ରାଣଟା । ଅଚଞ୍ଚଳ ହୋଇ ଆଖିଫେରାଇଲା ପୁଣି ସୁବୃହତ୍ ଆକାଶର ନୀଳିମା ଆଭରଣ ଉପରକୁ । ସେ ଆହୁରି କମନୀୟ । ଉପରେ ଆକାଶ ତଳେ ମାଟି ।

 

କିଏ ଜଗଦୀଶ କିରେ ?

 

ଜଗଦୀଶ ଆଖି ଫେରାଇଲା ଆକାଶ ଉପରୁ ସାମ୍ନାକୁ ।

 

ଦେଖିଲା ଆଗରେ ତାର ଠିଆ ହୋଇଛି ପ୍ରଫୁଲ୍ଲ ।

 

ଜଗଦୀଶ କହିଲା,

 

କେତେବେଳେ ଆସିଲୁ ପ୍ରଫୁଲ୍ଲ ?

 

ବର୍ତ୍ତମାନ ।

 

ପ୍ରଫୁଲ୍ଲ ଜଗଦୀଶର ପଢ଼ାସାଥୀ । ଏକା କଲେଜରେ ପଢ଼ନ୍ତି ।

 

ପ୍ରଫୁଲ୍ଲ ଜଗଦୀଶର ମୁହଁକୁ ଅନାଇଲା ସତେ ଯେପରି ସେ ଗୋଟାଏ ବିରାଟ ଭାବନା ନେଇ ବ୍ୟସ୍ତ ଥିଲାପରି ଜଣା ଯାଉଛି ।

 

କଣ ଭାବୁଛୁ ଏତେ ଜଗଦୀଶ ?

 

ଜଗଦୀଶ କହିଲା,

 

–ପ୍ରଫୁଲ୍ଲ ଏକା ଏକା ବସିଲେ ଏମିତି ମୁଣ୍ଡରେ କେତେ ଭାବନା ଆସି ପହଞ୍ଚେ । ମଣିଷ ଭାବନାକୁ ଛାଡ଼ି ଦଣ୍ଡେହେଲେ ବଞ୍ଚି ରହି ପାରେନି ।

 

ପ୍ରଫୁଲ୍ଲ ଜଗଦୀଶ ପାଖକୁ ଲାଗି ବସି ପଡ଼ିଲା ।

 

ଅଦୂରରେ ଯୁବତୀଟି ଏକା ଏକା ବସି ଜଗଦୀଶ ଆଉ ପ୍ରଫୁଲ୍ଲ ଦୁହିଁଙ୍କର କଥାବାର୍ତ୍ତା ଶୁଣୁଥାଏ ।

 

ମଝିରେ ମଝିରେ ଆଖି ଯୋଡ଼ାକ ତାର ଆଗକୁ ପଛକୁ ଏବଂ ଜଗଦୀଶ ଆଡ଼କୁ ଦଣ୍ଡକ ପାଇଁ ପଡ଼ି ଯାଉଥାଏ । ଏସବୁ ଲକ୍ଷ୍ୟ କରୁଥାଏ ଜଗଦୀଶ ।

 

ସେ ଯୁବତୀଟିକୁ ଦେଖିଲା ବେଳୁ ତା ମନରେ ସ୍ଵତଃ ଗୋଟାଏ ଅଜଣା ଭାବ ଜାଗିଉଠିଛି ।

 

ପ୍ରଫୁଲ୍ଲ ଏସବୁ ଜାଣେନା ।

 

ଦୀର୍ଘ ଦୁଇଘଣ୍ଟା ଭିତରେ ଯୁବତୀଟିର ମନଭାବ ବେଶ୍ ବୁଝି ପାରିଲାଣି ଜଗଦୀଶ । ପଚାରିବାକୁ ଇଚ୍ଛା ହେଉଥିଲେ ସୁଦ୍ଧା ସାହସ କରି କିଛି ପଚାରିପାରୁନି । ପ୍ରଫୁଲ୍ଲର ଉପସ୍ଥିତି ତାର ପ୍ରତିବନ୍ଧକ ହେଉଛି । ସେ ଯୁବତୀଟି କିଛି କହିବା କହିବା ଭାବ ପ୍ରକାଶ କରି କହି ମଧ୍ୟ ପାରୁନି ।

 

ଅସ୍ଥିର ହୋଇ ପଡ଼ିଲା ଜଗଦୀଶର ମନଟା । ସେ କହିଲା,

 

–ପ୍ରଫୁଲ୍ଲ, ଚାଲ ଫେରିଯିବା ବସାକୁ ।

 

–ହଁ ଯିବାତ । ଆଉଟିକେ ବସ ।

 

–ମୁଁ ଆଉ ବସି ପାରିବିନି । ଅନେକ ସମୟ ବସିଲିଣି ।

 

ସେଦିନ ଜଗଦୀଶ ଆଉ ପ୍ରଫୁଲ୍ଲ ଏକ ସଙ୍ଗରେ ବସାକୁ ଫେରିଲେ । ଜଗଦୀଶ ବସାରେ ପହଞ୍ଚି କାମିଜ ଓହ୍ଲାଉ ଓହ୍ଲାଉ ଭାବୁଛି ସେହି ଯୁବତୀଟି ବିଷୟ । କିଏ ସେ ? କାହିଁକି ଏପରି ତାର ଚାହାଣୀ । ମନ ଭିତରେ ପୁଣି ସେହି ଗୋଟାଏ ଉତ୍ତର ପାଉଛି, ଯିଏ ସେ ହୋଇଥାଉ–ସ୍ୱର୍ଗର ମେନକା ହେଉ ବା ମର୍ତ୍ତ୍ୟର ଅନିନ୍ଦ୍ୟ ସୁନ୍ଦରୀ ହେଉ, ଆକାଶର ତାରକା ହେଉ କିମ୍ବା ମେଘର ଚପଳା ହେଉ, ତାର ସେଥିରେ କି ଯାଏ ଆସେ । କାହିଁକି ସେ ଆଜି ତା କଥା ଏତେ ଗୁଡ଼ାଏ ଭାବୁଛି ? ଲୁଙ୍ଘିଟା ପିନ୍ଧି ଜଗଦୀଶ ଟେବୁଲ୍ ଉପରେ ହାତ ଦୁଇଟା ରଖି ନିବିଷ୍ଟ ଚିତ୍ତରେ ଏହି କଥା ଗୁଡ଼ାକୁ ମନେ ମନେ ଘାଣ୍ଟି ଚକଟି ଉଦ୍‍ଗାର କରୁଛି । ସମାଧାନ କିନ୍ତୁ କରିପାରୁନି ।

 

 

ଚାକର ବଳିଆ କେତେବେଳୁ ଚା ଦେଇ ଗଲାଣି । ସେ ପ୍ରତି ତାର ନିଘା ନାହିଁ । ଚା ଥଣ୍ଡା ବି ହୋଇଗଲାଣି ।

 

ବାବୁଙ୍କର ଏପରି ମନମେଜାଜ ଦେଖି ବଳିଆ କିଛି ଠଉରାଇ ପାରୁନି । ଜଗଦୀଶର ପାଖକୁ ଯାଇ ବଳିଆ ଡାକିଲା, ବାବୁ ! ଚା ଥଣ୍ଡା ହୋଇଗଲା ଯେ ।

 

ଜଗଦୀଶ ଆଖି ଖୋଲି ଚାହିଁଲା ଟେବୁଲ୍ ଉପରେ ଚା କପ୍‍ଟା ଥୁଆ ହୋଇଛି । ପାଖରେ ବଳିଆ ଠିଆ ହୋଇଛି ।

 

ଥଣ୍ଡା ଚା କପ୍‍ଟାକୁ ହାତରେ ଧରି ଦି ଢୋକରେ ଜଗଦୀଶ ଚା’ତକ ଶେଷ କରିଦେଲା ।

 

ମାର୍କୋଭିଚ୍ ସିଗାରେଟ ପାକେଟ୍‍ଟା ବଳିଆ ଜଗଦୀଶ ହାତକୁ ବଢ଼ାଇ ଦେଉଁ ଦେଉଁ କହିଲା,

 

–ବାବୁ, ଦିଆସିଲି ସେହି ଡ୍ର ଭିତରେ ଅଛି ।

 

ଜଗଦୀଶ ଡ୍ରରୁ ଦିଆସିଲି କାଢ଼ି ସିଗାରେଟ ଲଗାଇଲା ।

 

ବଳିଆ ରାତ୍ରିର ରନ୍ଧାବଢ଼ା ଯୋଗାଡ଼ରେ ଲାଗିପଡ଼ିଲା ।

 

ମନଟାକୁ ବଦଳାଇବା ପାଇଁ ଜଗଦୀଶ ପଢ଼ା ବହି ଗୁଡ଼ିକର ପୃଷ୍ଠା ଓଲଟାଇବାରେ ଲାଗିଲା । ତଥାପି ମନଟା ମୋଟେ ସ୍ଥିର ହୋଇ ରହିଲା ନାହିଁ ।

 

ପାଞ୍ଚ

 

ଅତୀତର ସ୍ୱପ୍ନରେ ବିଭୋର ହୋଇ କଣ ଗୁଡ଼ାଏ ଭାବି ଯାଉଛୁ ଜଗଦୀଶ ?

 

ଭାବୁଛି ଅତୀତ ଆଉ ବର୍ତ୍ତମାନ । ଯେମିତି ଦିନ ପରେ ରାତି, ପୂର୍ଣ୍ଣିମା ପରେ ଅମାବାସ୍ୟା, ଆଲୋକ ପରେ ଅନ୍ଧାର, ଗ୍ରୀଷ୍ମ ପରେ ବର୍ଷା, ଏ ଦୁଇଟିଙ୍କର ସମ୍ପର୍କ, ଠିକ୍ ସେମିତି । ନେଗେଟିଭ ପଜେଟିଭ ପରି ଏହାଙ୍କର କ୍ଷମତା । ମୁଁ ଅତୀତ ଆଉ ବର୍ତ୍ତମାନ ଦୁଇଟାର ଭାବୁଛି ।

 

ଆଉ ତୁ ?

 

ମୁଁ କେବଳ ବର୍ତ୍ତମାନ ଭାବୁଛି ।

 

ଦୁଇବନ୍ଧୁ ହୋ ହୋ ହସି ଉଠିଲେ । ଚା ଖିଆ ସରିଲା । କଥୋପକଥନ ଭିତରେ ରାସ୍ତା ଆଡ଼କୁ ଆଗେଇଲେ ।

 

ଦୀର୍ଘ କଥୋପକଥନ ଭିତରେ ବହୁତ ବାଟ ଚାଲି ଆସିଲେଣି ।

 

ଜୀବନର ଦୀର୍ଘ ଆଲୋଚନା । କିଏ ବା ବୁଝିବ ତାର ଅର୍ଥ ? କିଏ ବା ବୁଝିବ ତାର ମର୍ମ । ଦୁହେଁ ବୁଝନ୍ତି ଦୁହିଙ୍କ ପ୍ରାଣର ବେଦନା । ମୁଣ୍ଡ ଟେକି ଆଗକୁ ଅନାଇଁଲା ପ୍ରଫୁଲ୍ଲ । ଏଇ ଯେ ସତୀଚଉରା ଆସି ପଡ଼ିଲାଣି । ଏଠାରେ ବସିବା ଟିକେ ଜଗଦୀଶ ।

 

ସତୀଚଉରା ନାଁ ଶୁଣିଲେ ପ୍ରାଣରେ ଗୋଟାଏ କେମିତିକା ଅଜଣା ମମତା ଜାଗିଉଠେ । ଆହାଃ କେଡ଼େ ସୁନ୍ଦର ନାମ । କେଉଁ ଯୁଗର କଥା ସେ । କେଉଁ ସତୀ ସାଧ୍ୱୀର ଏହା ପୁଣ୍ୟପୀଠ ଥିଲା କେଜାଣି–ଏହି ମଧୁମୟ ନାମଟି ତାର ସ୍ମୃତି ରଖି ଯାଇଛି । ଅତୀତ ଯାଇଛି, ଗୌରବର ନମୁନା ରଖି ।

 

ଦୁଇବନ୍ଧୁ କ୍ଷଣକପାଇଁ ହୃଦୟର ଆବିଳତା ଦୂରକରି ବସିଗଲେ ସେଠାରେ ।

 

ସଂଧ୍ୟା ସମାଗମ ।

 

ସାମ୍ନା ରାସ୍ତାରେ ରେକ୍‍ସା, ଘୋଡ଼ାଗାଡ଼ି ଗୁଡ଼ାକ ଗୋଟାକ ପରେ ଗୋଟାଏ ଛୁଟି ଚାଲିଛନ୍ତି । ମଝିରେ ମଝିରେ ମାଲ ବୋଝାଇକରା ବଳଦ ଗାଡ଼ି କଟର କଟର ଶବ୍ଦ କରି ଚାଲିଛି ।

 

କୌଣସି ଟିଣ କାରଖାନା ଆଡ଼ୁ ବିକଟ ଚିତ୍କାର ଶୁଭୁଛି ।

 

ବହୁ ସମୟ ବିତିଗଲା ।

 

ଜଗଦୀଶ କହିଲା

 

–ପ୍ରଫୁଲ୍ଲ ! ସଂଧ୍ୟାଯାଇ ରାତି ତ ହେଲା । ଏବେ ଚାଲ ଫେରିଯିବା । ହଁ ଫେରିଯିବା ଯେ ବସ୍‌ନା ଟିକିଏ । ବସିଲେ ତୋ ମନରେ କଣ ଆନନ୍ଦ ଟିକେ ଆସୁନି । କଣ କରିବୁ ବସାଟାରେ-

 

ଜଗଦୀଶ ହାତକୁ ଗୋଟାଏ ସିଗାରେଟ ବଢ଼ାଇ ଦେଲା ପ୍ରଫୁଲ୍ଲ । ନିଜେ ଖଣ୍ତେ ମୁହଁରେ ଗୁଞ୍ଜି ତହିଁରେ ଅଗ୍ନି ସଂଯୋଗ କରୁ କରୁ କହିଲା,

 

ଜଗଦୀଶ !

 

ତୋର ସେଦିନ କଣ ଘରୁ ଗୋଟାଏ ଚିଠି ଆସିଥିଲା, କାହିଁତ କିଛି କହିଲୁ ନି–

 

କଣ କହିବି ପ୍ରଫୁଲ୍ଲ ? ଚିଠି ଖଣ୍ଡେ ବାପା ଦେଇଥିଲେ, ପଢ଼ାପଢ଼ି ସମ୍ବନ୍ଧରେ ଲେଖିଥିଲେ । ଆଉ କଣ ଲେଖିବେ ?

 

ପଦ୍ମା କିପରି ଅଛି ?

 

ପଦ୍ମା ! ପଦ୍ମା ଖବର ଲେଖିଛନ୍ତି ସେ ତା ବାପ ଘରକୁ ଚାଲି ଯାଇଛି ।

 

ବାପ ଘରକୁ ?

 

ହଁ, ତା ବାପ ଘରକୁ ।

 

ଆଚ୍ଛା ଜଗଦୀଶ ମୁଁ ଗୋଟାଏ କଥା ପଚାରିବି କହିବୁତ ?

 

କି କଥା କହୁନୁ ।

 

ସେଦିନ ମୁଁ ଶୁଣିଲି ତୁ ବିବାହ କରି ପ୍ରକୃତରେ ସୁଖୀ ହୋଇ ପାରିନୁ । ଏହାକଣ ସତ-?

 

ଜଗଦୀଶ ପକେଟରୁ ରୁମାଲ ବାହାର କରି ମୁହଁ ପୋଛୁ ପୋଛୁ କହିଲା, ପ୍ରଫୁଲ୍ଲ, କଥାଟା ନିହାତି ମିଛ ନୁହେଁ । ତେବେ....

 

ତେବେ ଆଉ କଣ କହୁନୁ ?

 

ତୋତେ କହିବି ଆଜି ନୁହେଁ, ଅନ୍ୟ କୌଣସି ଦିନେ ।

 

ଆଜି ଅନେକ ସମୟ ହୋଇଗଲାଣି । ଚାଲ ବସାକୁ ଫେରିଯିବା ।

 

ପ୍ରଫୁଲ୍ଲ ନିହାତି ବାଧ୍ୟ କଲାରୁ ଜଗଦୀଶ କହିଲା,

 

ଆଚ୍ଛା କାଲି କହିବି ।

 

ଦୁଇବଂଧୁ ବସାଆଡ଼େ ଆଗେଇ ଚାଲିଲେ ।

 

ଛଅ

 

କାଠଯୋଡ଼ୀର ପଥର ବୁରୁଜ ଉପରେ ସବୁ ଦିନିଆ ବସିଲା ପରି ଆଜି ବି ବସିଛି ଜଗଦୀଶ । ଆଜିବି ଚାହିଁଛ ସେହି ପୁଣ୍ୟତୋୟା କାଠଯୋଡ଼ୀର ଅତଳ ଗର୍ଭ ବାରିରାଶୀକୁ । ଉପରେ ଆକାଶ, ଆହାଃ କେଡ଼େ କମନୀୟ ସେ ! ଜଗଦୀଶ ଭାବୁଛି ପ୍ରକୃତିର ଏହି ବୈଚିତ୍ରତା ବାସ୍ତବିକ ଭଗବାନଙ୍କ ସୃଷ୍ଟିକି ମଧୁମୟ କରିଛି ।

 

କିଛିକ୍ଷଣ ପରେ ତରୁଣୀଟି ଆସି ପଥର ବୁରୁଜ ଉପରେ ଗୋଟାଏ କଡ଼କୁ ବସି ପଡ଼ିଲା-

 

ଜଗଦୀଶ ଅନାଇଁଲା ସେଦିନର ସେହି ତରୁଣୀଟି ଆଜିବି ଠିକ୍ ଆସି ସେହି ଜାଗାରେ ଆସନ ଜମାଇ ବସି ଯାଇଛି ।

 

ଜଗଦୀଶର ମନଟା କାହିଁକି କେଜାଣି ଗୋଟାଏ ଅଜଣା ଆନନ୍ଦରେ ନାଚି ଉଠିଲା ।

 

ଅନ୍ଧକାର ଯେତେ ଘନିଭୂତ ହୋଇ ଆସୁଥାଏ । ଜଗଦୀଶର ମନଟା ତେତେ ଉଦ୍‌ଗ୍ରୀବ ହୋଇ ଉଠୁଥାଏ । ମନେ ମନେ ଭାବୁଥାଏ । ଯିବକି ତା ପାଖକୁ । ପଚାରିବ କି ତୁମେ କିଏ ? କାହିଁକି ଏଠାରେ ବସିଛ ?

 

ସେଥିରେ ଲାଭଟା ଅଛି କଣ ତାର ?

 

କଥାଟା ନିହାତି ଅର୍ବାଚୀନ ହେବ, ହେଉ ଅର୍ବାଚୀନ ପଚାରିବ ସେ । ନିଶ୍ଚୟ ପଚାରିବ-

 

କିନ୍ତୁ ପଚାରି ପାରିଲାନି ଜଗଦୀଶ କୌଣସି କଥା ତାକୁ ।

 

ସେହି ଅନ୍ଧକାର ଭିତରେ ତାର ଛବିଳ ରୂପଟି କେଉଁଆଡ଼େ ମିଳାଇଗଲା ।

 

ହା–ହୁତାଶ ହେଲା ଜଗଦୀଶର ପ୍ରାଣଟା । ବ୍ୟଥିତ ଆଉ ମନ୍ଥିତ ହେଲା ତୃପ୍ତି–ହୀନ ପରି ।

 

ଖୋଜି ପାଇଲା ନାହିଁ ତାକୁ । ସହସା ଆସି ସହସା ଚାଲିଗଲା ।

 

ଜଗଦୀଶର ପ୍ରତୀକ୍ଷମାଣ ପ୍ରାଣଟା ତାରି ପଥକୁ ଚାହିଁ ରହିଲା ।

 

ସେଦିନ ଜଗଦୀଶ ବସାକୁ ଫେରିଆସିଲା ସତ ମନରେ ତାର ସେହି ଗୋଟାଏ ପ୍ରଶ୍ନ ? ସେହି ଗୋଟାଏ କଥା–କିଏ ସେ ଯୁବତୀ ?

 

ଲୁଗାପଟା ପାଲଟି ପକାଇ ଜଗଦୀଶ ବହି ପଢ଼ାରେ ମନ ନିବେଶ କଲା । ଆଗରେ ତାର ପରୀକ୍ଷା ।

 

ରାତି ଏଗାରଟା ବାଜିଲାଣି ଭାତ ଖିଆ ହୋଇନାହିଁ । ବଡ଼ ନିବିଷ୍ଟ ମନରେ ବହିର ପୃଷ୍ଠା ଓଲଟାଇବାରେ ଲାଗିଛି ସେ ।

 

ବଳିଆ ଡାକିଲା ବାବୁ ରାତି ଏଗାରଟା ବାଜିଲାଣି । ଖାଇବ ଆସ ।

 

ଜଗଦୀଶ ବହି ଉପରୁ ମୁହଁ ଫେରାଇ ହାତରେ ବନ୍ଧା ହୋଇଥିବା ଘଡ଼ି କଣ୍ଟାକୁ ଚାହିଁଲା ଏଗାରଟା ବାଜିଲାଣି ।

 

ଜଗଦୀଶ କହିଲା ସତେତ ଏଗାରଟା ।

 

ତରତର ହୋଇ ଗଣ୍ତାଏ ଖାଇ ଦେଇ ଜଗଦୀଶ ଶୋଇପଡ଼ିଲା ।

 

ବଳିଆ ଖାଇସାରି ସେବି ଶୋଇଲା ।

 

ଜୀବନର ସ୍ରୋତ ଠିକ୍ ନଦୀର ସ୍ରୋତ ଭଳି ବହି ଚାଲିଛି । ଦିନ ଯାଏ ରାତି ଆସେ । ରାତିଯାଏ ଦିନ ଆସେ । ଚାହୁଁ ଚାହୁଁ ବାରଟି ମାସ କଟି ଯାଏ । ପୁରୁଣା ବର୍ଷ ଚାଲିଯାଏ ନୂଆବର୍ଷ ଆସେ । ଜଗଦୀଶ ନିଜ କଥା ଗୁଡ଼ାକ ଖାଲି ଭାବୁଛି । ଭାବନା ଭିତରେ ସେ ଖାଲି ଦେଖୁଛି ତା ଜୀବନଟା କିପରି ପୋଡ଼ିଜଳି ପାଉଁଶ ହୋଇ ଯାଉଛି, ଦଗ୍‍ଧ ପ୍ରାଣଟା ତାର ବ୍ୟଥାତୁର ହୋଇ ପୁଣି ଧାଇଁ ଯାଉଛି କିପରି ପଦ୍ମା ନିକଟକୁ । ମାୟା ମମତା କଠିନ ହୃଦୟରେ ପୁଣି ଥରକ ପାଇଁ ଜାଗି ଉଠୁଛି । ହେଲେ କଣ ହେବ ଦଣ୍ତକ ଭିତରେ ଆଷାଢ଼ର ବୁଦ୍‌ବୁଦ୍‍ ପରି ସେ ସବୁ କେଉଁଆଡ଼େ ମିଳାଇ ଯାଇ ଅନ୍ୟ ଏକ ଭାବନାରେ ତାକୁ ନେଇ ପହଞ୍ଚାଉଛି । ଏହି ଭାବନା ଦିଇନି ଜଗଦୀଶର ମୁଣ୍ଡ ଗୋଳମାଳିଆ କରିଦିଏ । ନିରାଶ ନିର୍ଜୀବ ପ୍ରାଣଟାକୁ ଏ ସବୁରୁ ବଞ୍ଚିତ କରିବାକୁ ସେ ପୁଣି ଧାଇଁଯାଏ ସେହି କାଠଯୋଡ଼ୀର ପଥର ବୁରୁଜ ଉପରକୁ ।

 

ବସନ୍ତର ଗୋଟାଏ ସଂଧ୍ୟା । ଜଗଦୀଶ ବସିଛି ଠିକ୍ ଯେଉଁଠି ଆସି ସେ ନିତ୍ୟ ବସେ । ଯେଉଁଠି ବସି ସେ ତାର ଗତ ଆଉ ଭବିଷ୍ୟତ ଜୀବନର ଚିନ୍ତାକରେ ।

 

ସବୁ ଦିନିଆ ପରି ଆଜି ବି ସେ ଭାବଗମ୍ଭୀର ହୋଇ କେତେ କଣ ଭାବି ଯାଉଛି । କେଉଁ ଆଡ଼କୁ ତାର ଲକ୍ଷ୍ୟ ନାହିଁ ।

 

ତା ସାମନାରେ ଠିଆ ହୋଇ କିଏ ଜଣେ କହିଲା ଜଗଦୀଶ ବାବୁ !

 

ଜଗଦୀଶ ଆଖି ଫେରାଇ ସାମନାକୁ ଚାହିଁଦେଲା, ସେହି ତରୁଣୀଟି ଯେକି ଆସି ନିତ୍ୟ ଏହି କାଠଯୋଡ଼ୀର ପଥର ବୁରୁଜ ଉପରେ ବସି ନିଜର କମନୀୟ ରୂପ ଦେଖାଏ । ସେହି ସେ ।

 

ଜଗଦୀଶ ସ୍ମିତ ହସଟିଏ ହସି ଦେଇ କହିଲା,

 

ଓଃ ତୁମେ !

 

–ହଁ ମୁଁ । ମୋତେ ତୁମେ ଚିହ୍ନିଛ ?

 

ଜଗଦୀଶ କହିଲା,

 

–ହଁ ତୁମକୁ ମୁଁ ବହୁଦିନରୁ ଚିହ୍ନିଛି । ବହୁ ଦିନରୁ ତୁମରି କଥା ମନେମନେ ଭାବୁଛି ।

 

ଅଳ୍ପ ହସିଦେଲା ତରୁଣୀଟି ।

 

କେଜାଣି କଣ ସେ ଭାବିଲା ମନରେ । ତା ପରେ ସେ କହିଲା ତୁମେ କାହିଁକି ଆସୁ ନ ଥିଲ ଆଉ ।

 

ହଁ, ଆସୁ ନଥିଲି ମୁଁ ।

 

ମନେ ମନେ ଭାବିଲା ଜଗଦୀଶ । ମୋ ନ ଆସିବା ଫଳରେ ତାହେଲେ ତରୁଣୀଟି ମୋର ପ୍ରତୀକ୍ଷାରେ ଥିଲା ନିଶ୍ଚୟ । ଭାବୁଥିଲା ମୋତେ ତେବେ ସେ ।

 

କିଛିକ୍ଷଣ ପରେ ସେହି ତରୁଣୀଟି କହିଲା,

 

–ଜଗଦୀଶ ବାବୁ ! ମୋତେ ତୁମେ କିପରି ଚିହ୍ନିଲ ?

 

କିପରି ଚିହ୍ନିଲି ? ଏମିତି । ଚିହ୍ନିବାକୁ କଣ ବେଶୀ ସମୟ ଲାଗେ ।

 

ଆଗ କୁହନି ତୁମେ ମୋ ନାମଟା କାହାଠୁ ଶୁଣିଲ ?

 

ଠୋ ଠୋ ହୋଇ ହସି ସେହି ତରୁଣୀଟି କହିଲା,

 

–ତୁମ ନାମ ମୁଁ ଜାଣିଛି ।

 

କିପରି ଜାଣିଲ ଆଗ କୁହ ?

 

କହୁଛି, ତେବେ ଶୁଣ ।

 

ପ୍ରାୟ ଦୁଇମାସ ତଳର କଥା । ତୁମେ ମୋ ଘରକୁ ଦିନେ ଯାଇଥିଲ, ବନ ବାବୁଙ୍କ ସାଙ୍ଗରେ । ମୁଁ ତୁମ ଦୁହିଁଙ୍କୁ ଆଦର ଅଭ୍ୟର୍ଥନା କରିଥିଲି । କାହିଁକି ଯେ ତୁମେ ସେଦିନ ମୋ ଘରକୁ ଯାଇଥିଲ ଆଜି ତାହା ବୁଝି ପାରୁଥ‌ିବ ।

 

ତାପରେ ତୁମେ ମୋତେ ପଚାରିଥିଲ, ମୋର ନାମ । ମୋର ନାମ କାହିଁକି ଯେ ସେଦିନ ପଚାରିଥିଲ ମୁଁ ଭାବିପାରୁନାହିଁ ଆଜି । ମୋ ନାମଟା କହିଲିନି ତୁମକୁ । ବନ ବାବୁ ହସି ହସି କହିଥିଲେ,

 

–ଫୁଲ ।

 

ମୋ ନାଁ ଶୁଣି ଚମକି ପଡ଼ିଲ ତୁମେ । ମୁଁ ତୁମର ଆଶ୍ଚର୍ଯ୍ୟ ହେବାର କାରଣଟା ପଚାରିଥିଲି–ତୁମେ କାରଣ ସେଦିନ କିଛି କହିଲନି । ବରଂ ମୋତେ ଆଶ୍ଚର୍ଯ୍ୟ କରାଇ ଗୋଟାଏ ମସ୍ତବଡ଼ ପ୍ରଶ୍ନକୁ ଅମୀମାଂସିତ କରି ଚାଲିଆସିଲ । ଏଥି ମଧ୍ୟରେ ଦୁଇ ମାସ ତ ବିତି ଯାଇଛି, ସେହି ଦିନଠାରୁ ତୁମେ କିମ୍ବା ବନବାବୁ ମୋ ଘରକୁ ଆସିନାହଁ ମନେ ମନେ ଖୋଜୁଥିଲି ତୁମକୁ । ଏହି କାଠଯୋଡ଼ୀର ପଥର ବୁରୁଜ ଉପରେ ତୁମକୁ ଯେ କେତେଥର ଦେଖିଛି, ଅନେକ ବାର ଭାବିଛି ଯାଇ ପଚାରିବି ସେହି ଅମୀମାଂସିତ ପ୍ରଶ୍ନଟାର ଜବାବ । କିନ୍ତୁ ପଚାରିବାକୁ ସାହସ କରିନାହିଁ–ଗୋଟାଏ ଦିନ କେତେ ଘଣ୍ଟାର ଦେଖା ସାକ୍ଷାତର ତଫାତ । କାଳେ......

 

କାଳେ ଆଉ କଣ ଫୁଲ ?

 

ତୁମେ ଚିହ୍ନି ପାରି ନଥାନ୍ତ ! କହୁଁ କହୁଁ ତରୁଣୀଟି ଜଗଦୀଶ ପାଖରେ ବସି ପଡ଼ିଲା । ସଂଧ୍ୟା ଚାଲିଗଲାଣି । ରାତ୍ରିର ଘନିଭୂତ କଳେବର ଭିତରେ ଜଗତର ରୂପ ଲୁଚି ଯାଇଛି ।

 

ଜଗଦୀଶ ଦୀର୍ଘ ନିଃଶ୍ୱାସ ପକାଇ କହିଲା,

 

ଫୁଲ–

 

ଫୁଲ କହିଲା, କଣ ?

 

ହଁ ମୋର ମନେ ପଡ଼ିଲା, ସେଦିନ ମୁଁ ତୁମ ଘରକୁ ଯାଇଥିଲି । କାହିଁକି ଯେ ଯାଇଥିଲି ଠିକ୍ ମନେ ଆଜି ମୋର ପଡ଼ୁନି । ମୁଁ ତୁମ ନାଆଁଟା ଶୁଣି ଚମକି ପଡ଼ିଥିଲି । କାହିଁକି ଯେ ଚମକି ପଡ଼ିଥିଲି ତାହା ତୁମକୁ କହିନି । ଆଜି କହିବି ।

 

ତୁମେ ଆଶ୍ଚର୍ଯ୍ୟ ହେବନି ତ ଫୁଲ ?

 

ନାଁ ଆଶ୍ଚର୍ଯ୍ୟ କାହିଁକି ହେବି ?

 

ଆଚ୍ଛା ଫୁଲ, ତୁମେ ଯେତେ ଥର ଆସି ଏହି ପଥର ବୁରୁଜ ଉପରେ ବସିଲଣି, ମୁଁ ତୁମକୁ ଦେଖି ଖାଲି ଦୋ ଦୋ ଚିହ୍ନା ହେଉଛି । ମନେ ମନେ ଭାବୁଛି, ବୋଧେ କୌଣସି କଲେଜର ପଢ଼ୁଆ ଝିଅ ସେ ଭ୍ରମଟା ମୋର ମନରୁ ଦୂରୀଭୂତ ହେଉ ନଥିଲା, ଆଜି ସେ ଭ୍ରମ ଦୂର ହୋଇ ଯାଇଛି । ସେଥ‌ିପାଇଁ ମୁଁ ଲଜ୍ଜିତ ଫୁଲ ।

 

ଫୁଲ ହସିଲା ।

 

ଜଗଦୀଶ କହିଲା,

 

–ଫୁଲ, ତୁମେ ବାସ୍ତବିକ ବଡ଼ ବୁଦ୍ଧିମତୀ ।

 

ନିଜର ସୁଖ୍ୟାତିରେ ଫୁଲର ଛାତି ଫୁଲି ଉଠିଲା । ସ୍ମିତହାସ୍ୟ ବଦନରେ ଫୁଲ କହିଲା,

 

–ଏବେ କୁହ, ମୋ ନାଆଁଟା ଶୁଣି କାହିଁକି ତୁମେ ଆଶ୍ଚର୍ଯ୍ୟ ହୋଇଥିଲ ?

 

ଜଗଦୀଶ କହିଲା,

 

–ହେଉ ତେବେ ଶୁଣ ।

 

ଫୁଲ ! ଫୁଲ ନାଆଁଟି ଶୁଣି ମୋର ମନେପଡ଼ିଲା ଅନେକ ଦିନ ତଳର କଥାଟି । ଆମରି ଗାଁର ବୁଢ଼ାଟିଏ । ଦୁନିଆରେ ଏକମାତ୍ର ଝିଅଟି ବ୍ୟତୀତ ତାର ଆଉ କେହି ନଥାନ୍ତି । କେତେ ଦୁଃଖ ସହି ଝିଅଟିକୁ ବଢ଼ାଇ କୁଢ଼ାଇ ପୋଷି ଆଣିଥିଲା, ବିଚରା ବୁଢ଼ା ବାପ, ମାତ୍ର ଝିଅର ଯେତେବେଳେ ଯୌବନ ଆସିଲା, ଅଙ୍ଗଲତା ଯେତେବେଳେ ତାର ପଲ୍ଲବି ଉଠିଲେ, ସେତେବେଳେ ଝିଅଟିକୁ ବିବାହ ଦେଇ ପାରିଲାନି ସେ । ବାଧ୍ୟ ହୋଇ ଝିଅଟି କେଉଁଆଡ଼େ ପଳାଇ ଗଲା, ବୁଢ଼ା ବୁକୁରେ ପଥର ଲଦି ଦେଇ । ଝିଅଟିକୁ ଝୁରି ଝୁରି ବୁଢ଼ାଟି ଶେଷରେ ମରିଗଲା । ଝିଅଟି କିନ୍ତୁ ଫେରିଲା ନାହିଁ ଆଉ ।

 

ତାରି ନାଁ ଫୁଲ । ସେହି ଫୁଲ କଥା ହଠାତ୍ ମୋର ମନେ ପଡ଼ିଗଲା ତୁମ ନାମଟି ଶୁଣି-

 

ତେବେ ମୁଁ କଣ ସେହି ଫୁଲ ?

 

ଜଗଦୀଶ ମୁହଁରେ ହସ ଫୁଟାଇ କହିଲା,

 

–ଗୋଲାପ ନ ହୋଇଥିଲେ ମାଧବୀ ତ ନିଶ୍ଚୟ ହୋଇଥିବ !

 

ଫୁଲ ହସିଲା ।

 

ହଁ ଗୋଲାପ ନ ହୋଇଥିଲେ ମାଧବୀ ହୋଇଥିବି, ମୁଁ ମାନୁଛି । ତେବେ ଗୋଲାପ ଭଳି ତ ମାଧବୀ ଦେହରେ କଣ୍ଟା ନାହିଁ । ଏଣୁ ପ୍ରଭେଦ ନିଶ୍ଚୟ । ଜଗଦୀଶ ଠୋ ଠୋ ହୋଇ ହସି ଉଠିଲା । କହିଲା, ହେଲେ ହୋଇଥିବ ।

 

ରାତି ପ୍ରାୟ ନଅଟା । ଜଗଦୀଶ କହିଲା

 

ଫୁଲ, ଏବେ ଯିବାଚାଲ ।

 

ଫୁଲ କହିଲା,

 

ରୁହ ମ ଜଗଦୀଶ ବାବୁ ! ମୋଟେ ନଅଟା । ଏତେ ବ୍ୟସ୍ତ କାହିଁକି ?

 

ହଁ ବ୍ୟସ୍ତ ହେବାର କାରଣ ଅଛି ଫୁଲ । ଆଗରେ ପରୀକ୍ଷା, ମୋତେ ପଢ଼ାପଢି ଠିକ୍ କରିବାକୁ ହେବ ।

 

ଫୁଲ କହିଲା,

 

ଜଗଦୀଶ ବାବୁ ! ଏ ବୁଢ଼ା ବଅସରେ ଆଉ ଗୋଟାଏ କି ପାଠ ପଢ଼ୁଛ ମ ?

 

ଜଗଦୀଶ କହିଲା,

 

ଫୁଲ, ପାଠ ପଢ଼ାରେ ବୁଢ଼ା ଟୋକା ବୟସରେ ଅଛି କଣ ?

 

ଫୁଲ ହସିଲା ।

 

କହିଲା,

 

ଆଚ୍ଛା ତେବେ ଜଗଦୀଶ ବାବୁ ଯିବା ଚାଲ ।

 

ଦୁଇଜଣ ପଥର ବୁରୁଜ ଉପରୁ ଉଠି ପଡ଼ିଲେ ।

 

ଫୁଲ କହିଲା,

 

ଜଗଦୀଶ ବାବୁ, କାଲି ସଂଧ୍ୟାରେ ଆସିବ ତ !

 

ହଁ ନିଶ୍ଚୟ ଆସିବି ।

 

ତେବେ ମୋ ଘରକୁ ଆଜି ଯିବନି ।

 

ନାହିଁ ଫୁଲ । ଆଜି ଦିନଟା କ୍ଷମା କର । ଅନ୍ୟ କୌଣସି ଦିନ ଯିବି ।

 

ଫୁଲ ଫେରିଗଲା ତା ଘରକୁ ।

 

ଜଗଦୀଶ ଫୁଲର କଥା ଭାବୁ ଭାବୁ ପାଦ ବଢ଼ାଇ ତା ବସା ଆଡ଼େ ଚାଲିଲା ।

 

ସାତ

 

ପଦ୍ମା, ବାପଘରେ ରହି ଶାନ୍ତିରେ ଜୀବନ କଟାଉଛି ଏକଥା କହିବା ଭୁଲ । ସବୁବେଳେ ମନରେ ତାର ସେହି ଗୋଟାଏ ଚିନ୍ତା, ସେ ଆଜି ବଡ଼ ଘର ଝିଅ ହେଲେ ସୁଦ୍ଧା–ଗରିବ ଘର ଝିଅକୁ ସରିନୁହେଁ ।

 

ବାପ ମାଆ ଝିଅର ଏସବୁ ଢଙ୍ଗ ଦେଖି କିଛି ବୁଝିପାରୁ ନାହାଁନ୍ତି । କାହିଁକି ଝିଅଟାର ଏତେ ବିମର୍ଷତା । ଏତେ ଦେଇ ନେଇ ତେବେ କଣ ଝିଅ ଗଞ୍ଜଣା ସହିଲା ଶାଶୁ ଶ୍ୱଶୁରଙ୍କ ଠାରୁ ।

 

ପଦ୍ମା ବୁଝିଛି ସ୍ୱାମୀ ତାକୁ ପାଦରେ ଠେଲି ଦେଇଛନ୍ତି ଦୂରକୁ । ସେ ଆଜି ଉପେକ୍ଷିତା । ସତେ କଣ ସ୍ୱାମୀ ତାଙ୍କର ପାଦତଳେ ସ୍ଥାନ ଆଉ ଦେବେ !

 

ଏହି ଭାବନାରେ ଦିନ ଯାଇ ରାତି ଆସେ ପଦ୍ମାର । କଣ ହେବ ଭାବିଲେ, ମନକୁ ମନ ବୁଝାଇ ପଦ୍ମା ଯାହା ଲେଖି ପଢ଼ି ଜାଣିଛି, ତାହାଠାରୁ ବେଶୀ କିପରି ଜାଣିବ ସେଥିପାଇଁ ମନଦେଇ ପାଠ ପଢ଼େ ।

 

କେତେଥର ଭାବିଛି ସେ ତାଙ୍କ ପାଖକୁ ଚିଠି ଏମିତି ଅଣାବଣାକରି ଲେଖି ପଠାଇବ । ପୁଣି ଦୁର୍ବଳ ମନଟା ତାକୁ ଆଉ ଲେଖାଇ ଦେଇନି । ଦିନ ଗଡ଼ି ଚାଲିଛି ।

 

ହଠାତ୍ ସେଦିନ କଣ ଚିଠି ଖଣ୍ଡେ ଜଗଦୀଶ ପାଖରୁ ଆସିଥାଏ ।

 

“ପଦ୍ମା ଅପାଠୋଇ ଝିଅଟାଏ, ତାକୁ ନେଇ ମୋ ଜୀବନଟାକୁ ସୁଖମୟ କରି ପାରିବିନି-।” ଏମିତି କେତେ କଣ ଲେଖା ଥାଏ ।

 

ଛୋଟରାୟ ଚିଠି ପଢ଼ି ରାଗରେ ଜଳିଗଲେ ।

 

ପଦ୍ମା ଚିଠି ଖଣ୍ଡିକ ବାପ ହାତରୁ ନେଇ ଭଲଭାବେ ଦେଖିଲା । ଦରଖଣ୍ଡିଆ ଭାବରେ ପଢ଼ି ଦୀର୍ଘ ନିଃଶ୍ୱାସ ପକାଇ କହିଲା–ବାପା ମୋ କପାଳ ମନ୍ଦ । ଦି’ଆଖିରୁ ତାର ଝରି ପଡ଼ିଲା ଲୁହ-। ଆଶା ଆଶ୍ଵସନା ହରାଇ ଛୁଆଙ୍କ ପରି କଇଁ କଇଁ ହୋଇ କାନ୍ଦିଲା ସେ ।

 

ମାଆ ସାନ୍ତ୍ୱନା କଲେ । ଛିଃ ପଦ୍ମା ! ସୁନା ଝିଅଟା ମୋର । କାନ୍ଦନା । ପଦ୍ମା ଆଖିରୁ ଲୁହ ପୋଛିଲା ।

 

ଜଗଦୀଶର ଲେଖିଥିବା କଥା କେଇପଦ ମନରୁ ଭୁଲି ପାରିଲାନାହିଁ ପଦ୍ମା ।

 

ସାଙ୍ଗସାଥୀ ହସଖୁସିରେ ଦିନ ଗୁଡ଼ାକ ଯେତେ ଚାଲି ଯାଉଥାଏ ପଦ୍ମାର, ତେତେ ମନଟା ଛଟପଟ ହେଉଥାଏ ।

 

ଦେଖୁ ଦେଖୁ ଗୋଟାଏ ବର୍ଷ କଟିଗଲା, ପଦ୍ମାର ଶ୍ୱଶୁର ଘରକୁ ଯିବାପାଇଁ ଲୋଡ଼ା ଶଙ୍ଖୁଳା ଭାର ଆସିଲା । ଖବର ଆସିଲା ଲୋକ ପରେ ଲୋକ ଆସିଲେ । ବାପା କିନ୍ତୁ ତାର ଝିଅଟିକୁ ପଠାଇବେନି ବୋଲି ଜିଦ୍ ଧରି ବସିଲେ ।

 

ନିଜେ କୃଷ୍ଣମୋହନ ବାବୁ ଛୋଟରାୟଙ୍କ ଘରକୁ ଆସିଲେ । ସମୁଦୀଙ୍କୁ କହିଲେ କାହିଁକି ଏପରି କରୁଛ ଏବେ ବୋହୂଙ୍କୁ ପଠାଅ ।

 

ଛୋଟରାୟ କହିଲେ–ବୋହୂକୁ ନେବା ଆଗରୁ ମୁଁ କାହିଁକି ଝିଅକୁ ମୋର ପଠାଇବିନି ବୋଲି କହୁଛି ସେ କଥାଟା ପଚାର ?

 

କୃଷ୍ଣମୋହନ ବାବୁ ଦୀର୍ଘନିଃଶ୍ୱାସ ପକାଇ କହିଲେ,

 

ସମୁଦୀ, ତମ ଆମ ଭିତରେ ପୁଣି ବୁଝାବୁଝିର କଥା ଅଛି ? ଛୋଟରାୟ ବିଶେଷ କିଛି ନ କହି ଜଗଦୀଶର ପଠାଇଥିବା ଚିଠି ଖଣ୍ଡିକ ତାଙ୍କ ହାତକୁ ବଢ଼ାଇ ଦେଲେ ।

 

କୃଷ୍ଣମୋହନବାବୁ ଚିଠି ଖଣ୍ଡିକ ଉପରେ ଆଖି ବୁଲାଇ ନେଇ କହିଲେ,

 

ସମୁଦୀ ! ଜଗଦୀଶ କଥାରେ ତୁମେ ଛଳ କରିଛ ! ତାର ଏଡ଼େ ଆସ୍ପର୍ଦ୍ଧା ସେ ପୁଣି ଏପରି ଲେଖିପାରେ !

 

ଛୋଟରାୟ ନୀରବ ହେଲେ ।

 

କୃଷ୍ଣମୋହନ ବାବୁ କହିଲେ,

 

–ସମୁଦୀ କେବେ ବୋହୂକୁ ପଠାଇବ କୁହ ?

 

ଛୋଟରାୟ କ୍ଷଣକ ପାଇଁ ନିର୍ବାକ ହୋଇଗଲେ, ମନରୁ ତାଙ୍କର ସବୁ ରାଗ ଅଭିମାନ ପୋଛି ଦେଇ କହିଲେ ଏଥି ମଧ୍ୟରେ ପଠାଇବି ।

 

କୃଷ୍ଣମୋହନବାବୁ ଘରକୁ ଫେରି ଆସିଲେ । ମନରୁ କିନ୍ତୁ ଜଗଦୀଶର କଥାଟାକୁ ପାଶୋରି ପାରିଲେ ନାହିଁ ।

 

ଆଠ

 

କେତେଦିନ ପରେ, ଦିନେ ସକାଳେ ପ୍ରଫୁଲ୍ଲ ଜଗଦୀଶକୁ ପଚାରିଲା, କହ ଜଗଦୀଶ ତୁ ପଦ୍ମାକୁ ବିବାହ କରି କାହିଁକି ସୁଖୀ ହୋଇ ପାରିନାହୁଁ ?

 

ଜଗଦୀଶ ଗମ୍ଭୀର ହୋଇ ଜବାବଟାଏ ଦେଲା, ନା–

 

ସୁଖୀ ହୋଇ ପାରିନାହିଁ–ଜୀବନରେ କେବେ ସୁଖୀ ହୋଇ ପାରିବି ଏ ଆଶା ମଧ୍ୟ ଦୂରୁହ । ନିଜ କଥା ଗୁଡ଼ାକ କହି ବୁଲିବା ଅସୁନ୍ଦର । ଏଣୁ ମୁଁ କାହାରିକୁ ପଦ୍ମା ସମ୍ୱନ୍ଧରେ କୌଣସି କଥା ଏପର୍ଯ୍ୟନ୍ତ କହି ନଥିଲି ।

Unknown

 

ସେ ଅନେକ କଥା ପ୍ରଫୁଲ୍ଲ–ବାପାଙ୍କର ବାଧ୍ୟବାଧକତାରେ, ମୁଁ ପଥହରା ହୋଇଛି । ଜାଣି ନଥିଲି, ବାପ ମାଆ ମୋର ମଙ୍ଗଳ ମନାସି ଶେଷରେ ଅମଙ୍ଗଳ ରୂପର ପସରା ବାଢ଼ି ଦେବେବୋଲି ମୋ ହାତରେ । ଘର ଦେଖି ଟଙ୍କା ଲୋଭରେ ଅଚଳନ୍ତି ଧନ ମୋହରେ ବାପା ଘରକୁ ଯେଉଁ ବୋହୂଟିଏ ଆଣିଲେ, ତାହା ମୋ ଦେଖାରେ ନୁହେଁ, ମୋ ଜ୍ଞାତସାରରେ ନୁହେଁ । ଉପାୟ ନଥିଲା, ଏ ସବୁ ଏଡ଼ି ଗୋଟାଏ କିଛି କରିପକାଇବାକୁ । ନୀରବରେ ବାପ ମାଆଙ୍କର ମନ ରକ୍ଷା କରି ଅଶିକ୍ଷିତା ଝିଅଟାକୁ ବିବାହ କଲି–ଏ ବିବାହ, ବିବାହ ନୁହେଁ ପ୍ରଫୁଲ୍ଲ । ମନର ପାର୍ଥକ୍ୟ–ଦେହର ପାର୍ଥକ୍ୟ ନେଇ–ହସିବାକୁ କିମ୍ବା ହସାଇବାକୁ ମୋର ତିଳେ ହେଲେ ଶକ୍ତିନାହିଁ । ମଣିଷ ଚାହେଁ ଜୀବନ ପରି ଏକ ଜୀବନ । ଯାହାକୁ ପାଇ ବଞ୍ଚିବାର ମୋହ ବଢ଼େ । ଭଗବାନଙ୍କ ସୃଷ୍ଟିକୁ ମଧୁମୟ କରିବାକୁ ଚଳନ୍ତି ପଥରେ ଫୁଲ ଚନ୍ଦନ ଝରି ପଡ଼େ । ଏହିପରି ଜୀବନକୁ ଜୀବନହିଁ କହନ୍ତି ପ୍ରଫୁଲ୍ଲ । ଝରା ମାଳତୀ ପରି ଝରି ପଡ଼ିଲେ ଆଉ ବା କଣ ଥାଏ ??

 

ମୁଁ କେତୋଟି ଜୀବନକୁ ନେଇ ବଞ୍ଚେଇ ରଖିବାକୁ ନିଜ ଜୀବନକୁ ପୋଡ଼ି ଦେଇଛି । ଏହି ପୋଡ଼ା ଜୀବନକୁ ନେଇ ଯେତେବେଳେ ଦଗ୍ଧ କରିବି, ସେତେବେଳେ ଏକ ନୂଆ ଜୀବନ ପାଇଲେ ଦୁନିଆଁକୁ ଦେଖିବି ଆଉ ଏକ ନୂଆ ରୂପରେ ସବୁଜ, ସରସ, ସୁନ୍ଦର କରି ।

 

ପ୍ରଫୁଲ୍ଲ ମୋ ଜୀବନର ଚଳନ୍ତି ପଥ ଏଇମିତି ।

 

ଏହି ଚଳନ୍ତି ପଥରେ ଚାଲୁ ଚାଲୁ କେତେବେଳେ.....

 

କେତେବେଳେ କଣ ଆଉ ଜଗଦୀଶ !

 

ଯାହା ପାଇଛୁ ସେ ତୋର ଭାଗ୍ୟ ଦତ୍ତ ଧନ ।

 

ଜୀବନ ସରସ ସୁନ୍ଦର ହୁଏନା ସ୍ତ୍ରୀ ପାଠୋଇ ହେଲେ ।

 

ଯେଉଁ ସ୍ତ୍ରୀ ସ୍ଵାମୀକୁ ସ୍ଵାମୀ ରୂପରେ ଦେଖେ, ସଂସାରକୁ ସୁନାର ସଂସାର ପରି ମନେକରେ, ହୃଦୟକୁ ପବିତ୍ର ପରି ସ୍ୱଚ୍ଛ କରେ, ସେ ଏକାଇ ସ୍ତ୍ରୀ । ଏସବୁ ଗୁଣ ଯେଉଁ ସ୍ତ୍ରୀ ହୃଦୟରେ ନାହିଁ ସେ ଯେତେ ପାଠୋଇ ହେଉନା କାହିଁକି ? ଦାମ୍ପତ୍ୟ ଜୀବନ କେବେ ମଧୁମୟ କରି ପାରିବ ନାହିଁ; ଏହା ଜାଣି ରଖ୍ ଜଗଦୀଶ ।

 

ତୁ ଶିକ୍ଷିତ । ବାସ୍ତବିକ୍ ତୋର ଜୀବନ ସହିତ ଖାପ୍ ଖାଇଲାପରି ଏକ ଜୀବନ ଲୋଡ଼ା । ସେଥ‌ିପାଇଁ ଅନୁତାପ ଆଜି କରୁଛୁ, ମୁଁ ସବୁ ବୁଝି ପାରୁଛି ଜଗଦୀଶ ।

 

ହଁ ପ୍ରଫୁଲ୍ଲ ମୁଁ ଅନୁତାପ ହିଁ କରୁଛି, ଖାଲି ଅନୁତାପ ମଧ୍ୟ ନୁହେଁ, ନିଜେ ନିଜ ପାଇଁ ପରିଷ୍କାର ପଥ ଖୋଜି ବୁଲୁଛି । ଯେଉଁପଥ ମୋର ଏହି କଣ୍ଟକମୟ ବେଷ୍ଟନୀକୁ ପଛରେ ପକାଇ ମୋତେ ଆଗେଇ ନେବ ଦୂର, ଖୁବ୍ ଦୂରକୁ । ସେହି ଦୂରଦୂରାନ୍ତରେ ମୁଁ ମୋ ଜୀବନର ମଧୁମୟ ସ୍ଵପ୍ନ ଦେଖିବି । ସେଇଠି ତୋ ପରି ସାଥୀ ପାଇଲେ ପ୍ରାଣ ଖୋଲି ଅନ୍ତରର ସମସ୍ତ କଥା କହିଦେବି, ମୁଁ ଜଗତରେ କେଡ଼େ ସୁଖୀ ।

 

ପ୍ରଫୁଲ୍ଲ ବନ୍ଧୁ ଦୁଃଖରେ ଦରଦ ପ୍ରକାଶ କର–ଜଗଦୀଶକୁ ଅନେକ ବୁଝାଇଲା ।

 

ଜଗଦୀଶ ନ ଶୁଣିଲା ପରି କହିଲା,

 

ପ୍ରଫୁଲ୍ଲ, ଏହିପରି କଥା ସବୁ ବନ୍ଧୁ ମୋତେ କହନ୍ତି ତୁ ବି କହୁଛୁ ।

 

ଏମିତି ଆଶ୍ଵାସନାରେ ଦୁଃଖ ଯନ୍ତ୍ରଣା ଘୁଞ୍ଚିବ ନାହିଁ । ଗୋଟାଏ କିଛି ଝଡ଼ର ସମ୍ମୁଖିନ ନ ହେଲେ ପରିଷ୍କାର–ଉଜ୍ଜ୍ୱଳମୟ ପଥ ମିଳିବା ଅସମ୍ଭବ । ଲମ ଆହ୍ୱାନ କରୁଛୁ । ମୁଁ ସେହି ଝଡ଼କୁ ଆହ୍ୱାନ କରୁଛି ।

 

ନଅ

 

ଜଗଦୀଶ ନୀରବ ଆଉ ନିର୍ବାକ ହୋଇ ବସିଛି । ଏମିତି ସେ କେବେ ଚିନ୍ତାମଗ୍ନ ହୋଇ ବସିଛି ପ୍ରଫୁଲ୍ଲ ଦେଖିନି ।

 

ଜଗଦୀଶ, ଏ ଜଗଦୀଶ ! କଣ ହୋଇଛି କି’ ତୋର ? ଏତେ ବିଷର୍ଣ୍ଣତା କାହିଁକି ? ପ୍ରଫୁଲ୍ଲ କହିଲା ।

 

ତଥାପି ପ୍ରତ୍ୟୁତ୍ତର ପାଇଲାନି ସେ । ଆଜିକାଲି ରୋଜ ପ୍ରଫୁଲ୍ଲ ଜଗଦୀଶ ପାଖକୁ ଆସେ । ଏହି ଆସିବା ଯିବା ଭିତରେ ଦୁହିଁଙ୍କର ସମ୍ପର୍କଟା ଖୁବ୍ ଘନୀଭୂତ ହୋଇଯାଇଛି । ଦଣ୍ତେ କି ମୁହୂର୍ତ୍ତେ ଉଭୟେ ଉଭୟଙ୍କର ଅନୁପସ୍ଥିତ ଅନୁଭବ କଲେ ଦିନଗୁଡ଼ାକୁ କେମିତିକା ଖାପଛଡ଼ା ମନେ କରନ୍ତି ବନ୍ଧୁତ୍ୱର ପରିପକ୍ୱତାରେ ।

 

କିଛି ସମୟ ପରେ ଜଗଦୀଶ ଭାବନା ପଥରୁ ବିଚ୍ୟୁତ ହୋଇ ବନ୍ଧୁର ମୁଖାବଲୋକନ କରି କହିଲା,

 

–କଣ କହୁଛୁ ପ୍ରଫୁଲ୍ଲ ।

 

ନାହିଁରେ କହିବି କଣ ? ରିଜଲ୍ଟ ବାହାରିଛି ଦେଖିଲୁଣି ।

 

ନାଁ ତ ।

 

ତୁ ପରୀକ୍ଷାରେ ଫେଲ ହୋଇଛୁ ।

 

କେଉଁଥିରେ ?

 

ଲେକ୍‍ଚର ସଟ୍ । ଏତେ ଲେକଚର ସଟ୍ କଲେ କେହି କେବେ ପାସ୍ କରିପାରେ ?

 

ଶୁଣିଲା ଜଗଦୀଶ, ଟିକିଏ ବି ମନରେ ତାର ଦୁଃଖ ହେଲାନି । ସେ ଜାଣେ ପାଠ ପଢ଼ା ତାର ଏଇଠୁ ଶେଷ । ତଥାପି ମୁହଁରେ ବିଷର୍ଣ୍ଣତା ଟିକିଏ ଫୁଟାଇ କହିଲା,

 

ତୁ ପାସ୍ କରିଛୁ ତ ପ୍ରଫୁଲ୍ଲ ?

 

ପ୍ରଫୁଲ୍ଲ କହିଲା ହଁ ।

 

କିଛିକ୍ଷଣ ନୀରବତା ଭିତରେ ଜଗଦୀଶ କହିଲା,

 

–ପ୍ରଫୁଲ୍ଲ ! ତା ହେଲେ ଘରକୁ ଯାଉଛୁ ତ ?

 

ହଁ ଘରକୁ ଯାଉଛି ।

 

ଅଳ୍ପଦିନ ପରେ ଘରୁ ଫେରିବି ।

 

କଣ କଟକ ?

 

ନାହିଁ କଲିକତା ଯିବି । ବି. ଏ. ଚେଷ୍ଟା କରିବି ।

 

ଜଗଦୀଶ ଦୀର୍ଘ ନିଃଶ୍ୱାସ ପକାଇ କହିଲା,

 

ତା ହେଲେ କଣ ଆମ ଦୁହିଙ୍କର ବନ୍ଧୁତ୍ୱ ଏଇଠୁ ଖାପ୍‌ଛଡ଼ା ହୋଇଗଲା ।

 

ପ୍ରଫୁଲ୍ଲ କହିଲା,

 

ନାହିଁ ଜଗଦୀଶ, ବନ୍ଧୁତ୍ୱ ଏଇଠୁ ଖାପ୍‌ଛଡ଼ା କାହିଁକି ହେବ ? ପାଖରେ ଥିଲେ–ଟିକେ ଦୂରରେ ରହିବା । ବ୍ୟବଧାନ ଏଥିରେ ଏତିକି ।

 

ଜଗଦୀଶ ଟିକେ ଷ୍ଟେସନ ଆଡ଼େ ବୁଲିଯିବା ଚାଲ ।

 

ଜଗଦୀଶ କମିଜଟା ପିନ୍ଧି ପକାଇଲା । ଚପଲ ଯୋଡ଼ାକ ଗୋଡ଼ରେ ପୁରାଇ ବାହାରକୁ ବାହାରି ଆସିଲା । ଦୁଇବନ୍ଧୁ ବାହାରି ପଡ଼ିଲେ ।

 

ରାସ୍ତାରେ ଚାଲୁଚାଲୁ ପ୍ରଫୁଲ୍ଲ କହିଲା,

 

–ଜଗଦୀଶ,

 

ଆଜି ଗୋଟାଏ ନୂଆ ଜିନିଷ ତୋତେ ଖାଇବାକୁ ପଡ଼ିବ ।

 

ଜଗଦୀଶ କହିଲା–

 

କି ଜିନିଷ ରେ ?

 

ପ୍ରଫୁଲ୍ଲ କହିଲା,

 

ଖାଇଲେ କି ଜିନିଷ ବୁଝି ପାରିବୁ । ଆଗରୁ କାହିଁକି ନାମଟା ଶୁଣିବାକୁ ଏତେ ବ୍ୟସ୍ତ ।

 

ଦୁଇବନ୍ଧୁ ଆଗେଇ ଚାଲିଲେ ।

 

ପ୍ରଫୁଲ୍ଲ କହିଲା, ଏଇ ସାମନାରେ ଯେଉଁ ଦୋକାନଟି ଦିଶୁଛି ସେଇଠାକୁ ଯିବା ।

 

ଆଶ୍ଚର୍ଯ୍ୟ ହୋଇ ଜଗଦୀଶ କହିଲା, ସେଟା ଯେ ମଦ ଦୋକାନ ପ୍ରଫୁଲ୍ଲ !

 

ପ୍ରଫୁଲ୍ଲ କହିଲା, ହଁ ସେଇଟା ମଦ ଦୋକାନ ।

 

ଜଗଦୀଶ ଜୀବନରେ କେବେ ମଦ ଖାଇନି, ସିଏବା କାହିଁକି ମଦ ଦୋକାନ ଭିତରଟାକୁ ଯିବ, ଆପତ୍ତି କଲା ଜଗଦୀଶ ।

 

ପ୍ରଫୁଲ୍ଲ ମଦ ଖାଇବାରେ ବେଶ୍ ଅଭ୍ୟସ୍ତ । ଜୋର ଜବରଦସ୍ତିରେ ଜଗଦୀଶକୁ ସେଇ ଦୋକାନଟା ଭିତରକୁ ଟାଣିନେଲା । କିଛିକ୍ଷଣ ପରେ ଦୁଇ ବୋତଲ ମଦ ଟେବୁଲ ଉପରେ ଦୁଇଟା ଗ୍ଲାସରେ ଢଳାଗଲା ।

 

ପ୍ରଫୁଲ୍ଲ କ୍ଷିଣ ହସ ଖଣ୍ଡେ ମୁହଁରେ ଫୁଟାଇ କହିଲା,

 

ଜଗଦୀଶ ! ଏତ ଗୋଟାଏ ନୂଆ ଜିନିଷ ।

 

ପିଇ ଦିଏ । ଏହାକୁ ପିଇଲେ ଏହାର ଗୁଣ ବୁଝିବୁ । ଅବସାଦ ଗ୍ଳାନି ମନ ମଧ୍ୟରୁ କେଉଁଆଡ଼େ ଦୂର ହୋଇଯିବ ।

 

ଅବସାଦ ଗ୍ଳାନି ମନ ମଧ୍ୟରୁ କେଉଁଆଡ଼େ ଦୂର ହୋଇଯିବ ଭାବିଲା ଜଗଦୀଶ । ବସି ବସି ଭାବିଲା ଅନେକକ୍ଷଣ । ଜଗଦୀଶ ମଦ ଗ୍ଳାସଟା ଏଥର ପିଇବାକୁ ହାତରେ ଧରିଲା । ହାତ ତାର ଥରୁଥାଏ, ମନଟା ତାର ଦବି ଦବି ଯାଉଥାଏ । କାଳେ.... ।

 

ପିଇଦେଲା ଗ୍ଳାସରେ ଥିବା ମଦତକ ।

 

ପ୍ରଫୁଲ୍ଲ ତୋଟାଏ ବ୍ୟଙ୍ଗ ହସ ମୁହଁରେ ଫୁଟାଇ କହିଲା,

 

–ଜଗଦୀଶ ! ଆଜି ବୁଝି ପାରିବୁ । ମୁଣ୍ଡ ତୋର କେତେ ହାଲକା ଲାଗିବ । ମନଟା ତୋର କେତେ ଉଦାସ ହେବ ।

 

ନିଶା ଟିକେ ଟିକେ ଲାଗି ଆସିଲାଣି ।

 

ପ୍ରଫୁଲ୍ଲ କହିଲା ଜଗଦୀଶ ! ସେଦିନ କହୁଥିଲୁ ପରା, ଜୀବନରେ ମଉଜ ମଜଲିସ୍ କରିବା ଦର୍କାର । ଏ ସେହି ମଉଜ ମଜଲିସ୍‌ର ଗୋଟାଏ ଭାଗ ନୁହେ କି ?

 

ଜଗଦୀଶ, ନିଶା ଝୁଙ୍କ୍‍ରେ ବିଶେଷ କିଛି କହି ପାରିଲା ନାହିଁ । ମୁଣ୍ଡ ଦୋହଲାଇ ଏତିକି କେବଳ କହିଲା, ହଁ ।

 

ପ୍ରଫୁଲ୍ଲ ଜଗଦୀଶକୁ ସଙ୍ଗରେ ଘେନି ଶୀଘ୍ର ବସାକୁ ଫେରିଗଲା । କାଳେ ନିଶା... ।

 

ତହିଁଆର ଦିନ ସକାଳେ ଜଗଦୀଶକୁ ଦେଖି ପ୍ରଫୁଲ୍ଲ କିରି କିରି ହୋଇ ହସଟାଏ ହସିଦେଲା ।

 

ଜଗଦୀଶ ଭାବିଲା କାଲି ମଦ ଖାଇଥିଲା ବୋଲି, ନିଶା ଝୁଙ୍କରେ କେତେବେଳେ କଣ କହିଥିବ, ବୋଧେ ସେଥିପାଇଁ ପ୍ରଫୁଲ୍ଲ ଦେଖି ହସୁଛି ! ରାଗହେଲା ଜଗଦୀଶ ମନରେ । କେଡ଼େ ଖରାପ ଲୋକଟାଏ ପ୍ରଫୁଲ୍ଲ !

 

ଅଭିମାନ କରି ପ୍ରଫୁଲ୍ଲକୁ କଥା କହିଲାନି ସେ । ପ୍ରଫୁଲ୍ଲ ଜାଣେ ଜଗଦୀଶ ଛଳନା କରିଛି । ରାଗିଲେ ଏହିପରି ଛଳନା ସେ କରିଥାଏ । ପ୍ରଫୁଲ୍ଲ ଜଗଦୀଶର ପାଖକୁ ଘୁଞ୍ଚି ଆସି କହିଲା–

 

ରାଗିଛୁ ସତେ ଜଗଦୀଶ !

 

–ହଁ ରାଗିଛି ।

 

ପ୍ରଫୁଲ୍ଲ ତାର ହାତ ଦିଟା ଟାଣି ନେଇ କହିଲା,

 

ଆଚ୍ଛା ଭାଇ, ସକାଳଟାରୁ ଏତେ ଗୁଡ଼ା ରାଗିବା ଉଚିତ୍ ନୁହେଁ । ଯଦି ରାଗିଛୁ–ରାଗଟା ଉପଶମ କର । ନଚେତ୍ ପୁଣି ଦି ଆଉନ୍‍ସ... ।

 

ଜଗଦୀଶ ଠୋ ଠୋ ହୋଇ ହସି ଉଠିଲା ।

 

ତା ସଙ୍ଗେ ସଙ୍ଗେ ପ୍ରଫୁଲ୍ଲ ମଧ୍ୟ ଖୁବ୍ ଜୋରରେ ହସି ଉଠିଲା ।

 

ଦଶ

 

ବୁଝିଲୁ ଜଗଦୀଶ ! ମଣିଷ ଯାହା ଲୋଡ଼େ ତାହା ପାଏନା, ଯାହା ପାଏ ତାହା ଲୋଡ଼େନା । ଏଟା ତ ଜଗତର ନୀତି । ଅତୀତକୁ ଭାବି କିଛି ଲାଭ ଅଛି ? ଯାହା ହେବାର ତାହା ହୋଇଯାଇଛି । ଯା ନ ହେବାର କଥା ତାହା ହୋଇନି । କଣ ଅଛି ସେଥିରେ ? ନେ ପିଇ ଦେ । ଆଉ ଟୋପାଏ ଗ୍ଳାସରେ ରହିଲା । ଜୋର କରି ଦୁଇଗ୍ଲାସ ପେଇ ସାରିଲାଣି ପ୍ରଫୁଲ୍ଲ, ପୁଣି ଆଉ ଗ୍ଲାସେ ପିଆଉଛି ତାକୁ ।

 

ପୁଣି ସେହି ମଦ । ପୁଣି ସେଇ ନିଶା । ଆଉ ହେବନି । ଏ ପ୍ରଫୁଲ୍ଲଟା ମୋ ଜୀବନଟାକୁ ସାରିବ । ଜଗଦୀଶ ନିଶା ଝୁଙ୍କରେ ଚେନାଏ ଚେତନାରେ ଏହାହିଁ ଭାବୁଛି ।

 

କିନ୍ତୁ ସମ୍ପୂର୍ଣ୍ଣ ଚେତନା ଅଛି ପ୍ରଫୁଲ୍ଲର । ସେ ଯେତେ ମଦ ପିଉ ତାର କିଛି ହେବନି । ତାକୁ କେବେ ନିଶା ଧରିବନି ।

 

ଖାଲି ଗ୍ଲାସଟା ହାତରେ ଧରି ଜଗଦୀଶ ଯେତେବେଳେ ମଥା ଦୋହଲାଇ ଟେବୁଲ ଉପରେ କଚାଡ଼ି ହୋଇ ପଡ଼ିଲା; ସେତେବେଳେ ପ୍ରଫୁଲ୍ଲ ବୁଝି ପାରିଲା ଭୀଷଣ ନିଶା ଧରିଛି ଜଗଦୀଶକୁ । କଣ କରିବ ? ଏପରି ଅବସ୍ଥାରେ ବାହାରକୁ ଯିବାଟାଇ ବିପଦ । ଧୀରେ ଜଗଦୀଶକୁ ଧରି ଚୌକି ଉପରେ ବସାଇ ଦେଲା ପ୍ରଫୁଲ୍ଲ ।

 

ମନକୁ ମନ ଜଗଦୀଶ ଖୁବ୍ ଜୋରରେ ହସି ଉଠିଲା ।

 

ପ୍ରଫୁଲ୍ଲ ହୋଟେଲ ମେନେଜରକୁ ଅନୁରୋଧ କଲା, ଦୟାକରି ଆଜି ରାତିକ ଆମକୁ ରହିବାକୁ ଦିଅନ୍ତୁ ।

 

ହୋଟେଲ ମେନେଜର କଣ ଭାବିଲା କେଜାଣି କହିଲା,

 

କ୍ଷମା କରିବେ । ଏଠାରେ ରହିବାକୁ ସ୍ଥାନ ନାହିଁ । ଆପଣ କୌଣସି ଗାଡ଼ିର ବନ୍ଦୋବସ୍ତ କରି ଶୀଘ୍ର ନେଇ ଯାଆନ୍ତୁ ।

 

ବିଲ୍ ଟଙ୍କା ହୋଟେଲ ମେନେଜର ହାତକୁ ବଢ଼ାଇ ଦେଲା ପ୍ରଫୁଲ୍ଲ ।

 

ନିଶା ଝୁଙ୍କରେ ଜଗଦୀଶର ପାଦତଳେ ଲାଗୁନି ।

 

ତଥାପି ଯେନତେନ ଭାବେ ବାହାରକୁ ବହୁକଷ୍ଟରେ ଆସିଲା ।

 

ପ୍ରଫୁଲ୍ଲ ଗୋଟାଏ ଘୋଡ଼ାଗାଡ଼ି ଭଡ଼ା କଲା ।

 

ରାତି ବାରଟାରେ, ଘୋଡ଼ା ଗାଡ଼ିଟା ମହମ୍ମଦିଆ ବଜାରରେ ଆସି ଲାଗିଲା ।

 

ପ୍ରଫୁଲ୍ଲ କୋଚମ୍ୟାନ ହାତକୁ ଗୋଟାଏ ଟଙ୍କା ବଢ଼ାଇ ଦେଇ କହିଲା,–ନେ ତୋ ଭଡ଼ାଟା ।

 

ଜଗଦୀଶ ସ୍ଥାଣୁ ଭଳି ଗାଡ଼ିଟା ଭିତରେ ବସି ରହିଛି ।

 

ପ୍ରଫୁଲ୍ଲ ଡାକିଲା, ଜଗଦୀଶ, ଉଠି ଆସିଲୁ ବସାକୁ ଯିବା ।

 

ଜଗଦୀଶ ପ୍ରଫୁଲ୍ଲ କଥାକୁ କାନ ଦେଲାନି ।

 

କୋଚମ୍ୟାନଟା ଗାଡ଼ି ନେଇ ଯିବାପାଇଁ ବ୍ୟସ୍ତ ହୋଇ ପଡ଼ିଲାଣି । ବାଧ୍ୟ ହୋଇ ପ୍ରଫୁଲ୍ଲ ଜଗଦୀଶର ଗୋଟାଏ ହାତଧରି ଟାଣି ଆଣିଲା ବାହାରକୁ ।

 

କୋଚମ୍ୟାନଟା ଗାଡ଼ି ଫେରାଉ ଫେରାଉ ମନକୁ ମନ କହିଲା,

 

–ଏଇମାନଙ୍କୁ କହନ୍ତି ମାତାଲ, ମଦୁଆ, ଗୁଲିଖୋର ।

 

ରାତି ଗୋଟାକରେ ପ୍ରଫୁଲ୍ଲର ନିଦ ଭାଙ୍ଗିଗଲା । ହଠାତ୍ ତାର ଆଖି ଦିଟା ଜଗଦୀଶ ଉପରେ ପଡ଼ିଲା । ଜଗଦୀଶ ଖଟ ଛାଡ଼ି ତଳକୁ ଗଡ଼ିପଡ଼ିଛି । ନିଶା ଝୁଙ୍କରେ ଦେହର ଲୁଗା ମଧ୍ୟ ଠିକ୍ ଅବସ୍ଥାରେ ନାହିଁ, ପ୍ରଫୁଲ୍ଲ ଜଗଦୀଶକୁ ଉଠାଇ ଦେଲା । ଖଟ ଉପରେ ଶୋଇବାକୁ କହିଲା ।

 

ସକାଳ ହେଲା–ଜଗଦୀଶ ବିଛଣାରୁ ଉଠି ଆଖି ମଳୁ ମଳୁ କହିଲା–ପ୍ରଫୁଲ୍ଲ ଏ ପରା ତୋ ଘର ? ମୁଁ ଏଠାକୁ କେତେବେଳେ ଆସିଲି ?

 

ପ୍ରଫୁଲ୍ଲ କହିଲା,

 

କାଲି ରାତିରେ ।

 

ଜଗଦୀଶ ଆଉକିଛି କହିଲା ନାହିଁ । ତାର କାଲି ରାତିର ସବୁ କଥା ଗୁଡ଼ାକ ମନେ ପଡ଼ିଲା । ନିଜକୁ ନିଜେ ଭାବିଲା ସେ ।

 

ହଁ ମଦଟା କେଡ଼େ ଭଲ ଜିନିଷ । ମନଟାକୁ ସବୁବେଳେ ସତେଜ କରି ରଖେ । ଦେହଟା ଉଦାସ ଲାଗେ ।

 

ପ୍ରଫୁଲ୍ଲ ଠୋ ଠୋ ହୋଇ ହସିଉଠି କହିଲା–

 

ଏବେ ବୁଝିଲୁ ଜଗଦୀଶ ! ଏହାକୁହିଁ କହନ୍ତି ମଦ ।

 

ଜଗଦୀଶ ଆଉ ଥରେ ଏହି ପ୍ରଫୁଲ୍ଲ ସଙ୍ଗରେ ବାଧ୍ୟରେ ମଦ ପିଇଥିଲା । ଏଥରକୁ ଲଗାଇ ଦୁଇଥର ହେଲା ।

 

ପ୍ରଫୁଲ୍ଲ କହିଲା,

 

ଜଗଦୀଶ, ଏହି ମଦ ଖାଇଲେ ଜଗତର ସବୁ କିଛି ଦୁଃଖ ଭୁଲିଯିବାକୁ ହୁଏ ।

 

ଜଗଦୀଶ କହିଲା, କଣ କହୁଛୁ ତୋ କଥା କିଛି ବୁଝି ପାରୁନି ।

 

ପ୍ରଫୁଲ୍ଲ ମୁହଁ ଧୋଉ ଧୋଉ କହିଲା–

 

ଜଗଦୀଶ ! ଏଣିକି ଆପେ ଆପେ ବୁଝିପାରିବୁ ।

 

କଣ ବୁଝି ପାରିବି ?

 

ବୁଝି ପାରୁନୁ ମୋ କଥାଟାକୁ ?

 

ନାହିଁତ ।

 

ତୋ ଜୀବନ ଉତ୍‌ସୃଙ୍ଖଳିତ ହୋଇ ଯାଇଛିତ । ଏଇ ଉତ୍‍ସୃଙ୍ଖଳତା ଭିତରେ କ୍ଷଣକ ପାଇଁ ମନର ଦୁଃଖ ମନର ଅବଶୋଷ ଉଭାଇ ଯିବ । ନିରାନନ୍ଦ ଜୀବନରେ ଆନନ୍ଦର ଫଲ୍‍ଗୁଧାରା ଛୁଟିବ । ଏହାହିଁ କହୁଛି ।

 

ଜଗଦୀଶ ଖୁବ୍ ଜୋରରେ ହସିଲା ।

 

ଏଥି ମଧ୍ୟରେ ଦୁଇ ବନ୍ଧୁଙ୍କର ସକାଳର ନିତ୍ୟକର୍ମ ସରିଯାଇଛି । ପାଖ ରେଷ୍ଟୁରେଣ୍ଟରୁ ଦୁଇ କପ୍ ଚା, ଦିଖଣ୍ଡ ଟୋଷ୍ଟ ଆଣି ଥୋଇ ଦେଇ ଗଲା ଟେବୁଲ ଉପରେ ଗୋଟିଏ ବାଳକ ।

 

ଦୁଇବନ୍ଧୁ ହସଖୁସି ଭିତରେ ଚା’ଖିଆ ଶେଷ କରି ଦେଲେ ।

 

ପ୍ରଫୁଲ୍ଲ ଜଗଦୀଶ ହାତକୁ ଗୋଟାଏ ସିଗାରେଟ ବଢ଼ାଇ ଦେଇ କହିଲା, ନିଅ ଜଗଦୀଶ-! ଚା’ଖିଆ ପରେ ଏ ତ ପୁଣି ଦରକାର ।

 

ଜଗଦୀଶ କହିଲା–

 

ନିଶ୍ଚୟ ।

 

ଦଣ୍ଡକ ଭିତରେ ସିଗାରେଟଟା ଜଗଦୀଶ ଜଳାଇ ପାଉଁଶ କରିଦେଲା । ସିଗାରେଟ ଖାଇବାରେ ସେ ବଡ଼ ଅଭ୍ୟସ୍ତ ।

 

ଜଗଦୀଶ କହିଲା–ପ୍ରଫୁଲ୍ଲ ତେବେ ମୁଁ ଯାଉଛି ।

 

ସଂଧ୍ୟାରେ ଆସିବୁ ନିଶ୍ଚୟ ।

 

ଜଗଦୀଶ ଗୋଟାଏ ସାଇକେଲ ରିକ୍‌ସା ଭଡ଼ାକରି ତା ବସା ଘରକୁ ଫେରିଗଲା ।

 

ଏଗାର

 

ବାସ୍ତବିକ୍ ଫୁଲ ତମ ନାଆଁଟି ସାଙ୍ଗରେ ତମ ଗୁଣର ଯଥେଷ୍ଟ ସାମ୍ୟ ଦେଖିବାକୁ ମିଳେ-

 

ତା ମାନେ ?

 

ତା ମାନେ ଆଉ କଣ ? ତମ ନାମକୁ ତମ ଗୁଣ ସାର୍ଥକତା କରିଛି ତାମାନେ ଏଇ ।

 

ଫୁଲ ହସି ଦେଇ କହିଲା,

 

–ଓଃ ଏହି କଥା ।

 

ହଁ ଫୁଲ ଏଇ କଥା ।

 

ଆଚ୍ଛା ଜଗଦୀଶ ବାବୁ ! ମୁଁ ଗୋଟେ କଥା କହୁଛି ।

 

କି କଥା ?

 

ତୁମେ ମୋତେ ଆଉ ତମେ, ତମେ ଡାକିବ ନାହିଁ ।

 

ଆଉ କଣ ଡାକିବି ?

 

ତୁ ଡାକିବ ।

 

ଆଚ୍ଛା ତାହାହିଁ ହେଲା । ତମକୁ ଏଣିକି ତୁ ତୁ ଡାକିବି ।

 

ଫୁଲ–କଟକର ଖ୍ୟାତନାମା ନର୍ତ୍ତକୀ, ଗାୟିକା, ଗଣିକା । ରୂପ ଅଛି–ଗୁଣ ଅଛି–ଯୌବନ ଅଛି । ସେ ପ୍ରାଣ ଦେଇ ପ୍ରେମ କରିପାରେ ସମସ୍ତଙ୍କୁ । ତା ମନରେ ବିକାର ନାହିଁ–ଘୃଣା ନାହିଁ । ଏ ତାର ଗୁଣର ମହତ୍ୱ । ଏଥ‌ିପାଇଁ ମୁହୂର୍ତ୍ତକେ ଫୁଲ ପରକୁ ଆପଣାର କରିପାରେ । ଏହି ଶ୍ରେଷ୍ଠ ମହତ୍ୱ ଦେଖାଇ ସେ ଜଗଦୀଶକୁ ଆଜି ଅତି ଆପଣାର କରିପାରିଛି । ତାଠରୁ ଧନ ଆଶା କରିନାହିଁ–ପ୍ରେମ ଆଶା କରିଛି । ଯେଉଁ ପ୍ରେମରେ ଆବିଳତା ନାହିଁ ମୋଟେ ।

 

ସେ ତାକୁ ଚାହିଁଛି, ତାକୁ ସେ ସମାଦାର କରିଛି । ସ୍ୱଚ୍ଛ ଶୁଭ୍ର ହୃଦୟ ଘେନି ଅନ୍ତରର ବନ୍ଦାପନା କରିଛି । ସେଥିରେ ସେ ପରିତୃପ୍ତି ଆଜି ପାଇନି । ସେମିତି ସେ ଆଉ ପାପ ପଙ୍କରେ ଡ଼ୁବି ରହି ଦୁନିଆଟାର ଲମ୍ପଟ ପୁରୁଷମାନଙ୍କୁ ପ୍ରେମ କରିପାରିବ ନାହିଁ । ଜଣକୁ ସେ ପ୍ରେମ କରି ଶିଖିବ । ଜଣକ ପାଖରେ ଜୀବନ ଗୁଚ୍ଛଟା ତାର ଅଜାଡ଼ି ଦେବ । ଏହି ତାର ମନର ଆଶା–ମନର ସାଧ । ତେଣୁ ଜଗଦୀଶ ସହିତ ଯେଉଁ କେତେଟା ଦିନ ମିଶିଛି ସେ ତାକୁ ଅତି ଆପଣାର ପରି ଭଲ ପାଇଛି ।

 

ଜଗଦୀଶ ଭାବିପାରିନି ପ୍ରକୃତରେ ଫୁଲ ତାକୁ କାହିଁକି ଏତେ ଭଲ ପାଇଛି । କେଇଟା ଦିନର କଥା, ସେଥିରେ ପୁଣି ଫୁଲ ଯେ ଏତେ ଆପଣାର କରି ବାନ୍ଧି ରଖିବ ତାକୁ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ଜଗଦୀଶ ଭୁଲିଗଲା ଜୀବନର ଆପଣାର ଯାହା କିଛି । ନଦୀର ସ୍ରୋତ ସେମିତି ବହିଚାଲେ, କେଉଁ ଏକ ଅଜଣା ସାଗର ବକ୍ଷକୁ; ଠିକ୍ ସେମିତି ସମୟ ସ୍ରୋତ ଭସାଇ ଏକ ଅଜଣା ସାଗରରେ ଆଣି ଲଗାଇଛି ତାକୁ । ଠିକ୍ କରିପାରୁନି ତାର ଲକ୍ଷ୍ୟ କେତେ ଦୂରରେ । ଆଜିକୁ ଠିକ୍ ପନ୍ଦର ଦିନ ହେବ, ସେ ଫୁଲ ଘରେ ରହିଛି । କାହିଁକି ଯେ ରହିଛି, ତାହା ଫୁଲ ଯେମିତି ଜାଣେ, ଜଗଦୀଶ ସେମିତି ଜାଣେ । ଏହି ଜାଣିବା ଭିତରେ ଗୋଟେ ମସ୍ତବଡ଼ ଅମୀମାଂସିତ ପ୍ରଶ୍ନ ଆସି ଠିଆ ହୋଇଛି । ଯାହାକି ଜଗଦୀଶ ପକ୍ଷରେ ସେହି ଅମୀମାଂସିତ ପ୍ରଶ୍ନଟା ଅତି ବିରାଟ ।

 

ଫୁଲ ହସି ହସି କହିଲା,

 

ଜଗଦୀଶ ବାବୁ !

 

କ’ଣ ।

 

ସେଦିନ ଆପଣଙ୍କୁ ଯେଉଁ କଥାଟି ପଚାରିଥିଲି ତାହାର ଜବାବ କଣ ଠିକ୍ କଲେ ।

 

ଜଗଦୀଶ କହିଲା,

 

–ଫୁଲ

 

ତୁ ଗୋଟାଏ ବିରାଟ ପ୍ରଶ୍ନର ବୋଝ ମୋ ମଥା ଉପରେ ଆଣି ଲଦି ଦେଇଛୁ । ଯାହାର ପ୍ରତ୍ୟୁତ୍ତର ମୁଁ ଏତେ ସହସା ତୋତେ ଦେବାକୁ ଅକ୍ଷମ । ମୋତେ ଭାବିବାକୁ ଟିକେ ସମୟ ଦିଏ ।

 

ଜଗଦୀଶ ବାବୁ !

 

ସମୟର ସ୍ରୋତ ଗଡ଼ିଚାଲିଛି । ଜୀବନ କ୍ଷଣସ୍ଥାୟୀ । କେତେବେଳେ ଯେ ଝଡ଼ ଆସି ଜୀବନ ଦୀପଟି ଲିଭାଇ ଦେଇଯିବ, ତାହା କିଏ କହିବ ! ଏଣୁ ଯାହା କରିବା ତାହା ଯେତେ ଶୀଘ୍ର କରାଯାଇପାରେ ସେଥିପାଇଁ ଚେଷ୍ଟା କରିବା ଉଚିତ ।

 

ଫୁଲ ।

 

ଭାବନାଟା ତୋର ମନ୍ଦ ନୁହେଁ । ଏଥିପାଇଁ ପରା ମୁଁ ତୋତେ କହୁଛି–ନାଆଁଟି ସାଙ୍ଗରେ ଗୁଣଟି... ।

 

ସେସବୁ କଥା ଛାଡ଼ନ୍ତୁ ଜଗଦୀଶ ବାବୁ, କଣ କହୁଛନ୍ତି କହନ୍ତୁ ।

 

ଆଚ୍ଛା ଫୁଲ ! କହିବି ଦିନେ ।

 

ଫୁଲ ନୀରୁତ୍ତର ରହିଲା ।

 

ଆଉ ଦିନେ, ରାତି ଆଠଟା ।

 

ଜଗଦୀଶ ଗୋଟାଏ ସୋଫା ଉପରେ ଦେହଟାକୁ ପାରି ଦେଇ ଶୋଇଯାଇଛି । ଅବଶ୍ୟ ନିଦ୍ରିତ ନୁହେଁ । ଗୋଟାଏ କିଛି ଭାବୁଛି ସେ ।

 

ଗୋଡ଼ ଟିପି ଟିପି ଫୁଲ ଘର ଭିତରକୁ ଧୀରେ ପଶିଆସିଲା, ଦେଖିଲା ଜଗଦୀଶ ଚିନ୍ତାମଗ୍ନ ହୋଇ କଣ ଗୋଟାଏ ଭାବୁଛି ।

 

ଡାକିଲା ନାହିଁ ଫୁଲ । କହିଲା ନାହିଁ ପଦେ କଥା । ପାଖ ସୋଫା ଉପରେ ଯାଇ ବସିଲା ।

 

କିଛିକ୍ଷଣ ପରେ ଜଗଦୀଶ ଅନାଇଁ ଦେଲା, ପାଖ ସୋଫା ଉପରେ ଫୁଲ ନୀରବରେ ବସିଛି । କିଛି ତାକୁ କହୁନାହିଁ ।

 

ଜଗଦୀଶ ଉଠି ପଡ଼ିଲା, ଧୀରେ ଫୁଲ ପାଖକୁ ଯାଇ କହିଲା–

 

ଫୁଲ ।

 

ଫୁଲ କହିଲା, କଅଣ ?

 

ତୁ ଏତେ ଗମ୍ଭୀର କାହିଁକି ଫୁଲ ?

 

ହଁ ଗମ୍ଭୀର ମୁଁ ଜଗଦୀଶ ବାବୁ ! ଆପଣ ଅମୀମାଂସିତ ପ୍ରଶ୍ନଟା ଯେ ମୀମାଂସିତ କରିପାରୁ ନାହାନ୍ତି । ସେଥ‌ିପାଇଁ ମୁଁ ଗମ୍ଭୀର ।

 

ଫୁଲ । କଣ ତୁ କହୁଛୁ ? ତୋ ପ୍ରଶ୍ନଟା ମୀମାଂସିତ ଯେ ହୋଇଯାଇଛି ।

 

ଫୁଲ ମୁହଁରେ ହସ ।

 

ସତେ ଜଗଦୀଶ ବାବୁ ?

 

ହଁ ।

 

ଫୁଲ ।

 

କଅଣ ।

 

କିନ୍ତୁ...... ।

 

କିନ୍ତୁ କଣ ?

 

ଜଗଦୀଶ ନୀରବ ରହିଲା । ଯାହା କହିବାକୁ ଯାଉଥିଲା ତାହା କହି ପାରିଲା ନାହିଁ । ଆଉ ଦଣ୍ଡେ ଭାବିଲା ।

 

ନୀରବ ରହିଲେ କାହିଁକି ଜଗଦୀଶ ବାବୁ, କହନ୍ତୁ ।

 

ହଁ ଫୁଲ କହୁଛି । ତୋତେ ମୁଁ ବିବାହ କରିବି, କିନ୍ତୁ ଆଉ ଗୋଟେ କଥା... ।

 

ଫୁଲ ଆଶ୍ଚର୍ଯ୍ୟ ହୋଇ ପୁଣି ପଚାରିଲା କଣ ଆଉ କହିବେ ?

 

ଜଗଦୀଶ କହିଲା,

 

–ଫୁଲ ମୁଁ ଜୀବନକୁ ପୁଷ୍ପିତ କରିପାରେ । ପ୍ରାଣ ଦେଇ ପ୍ରେମ କରିପାରେ ତୋତେ, କିନ୍ତୁ ଏପରି ଅବାନ୍ତର ପ୍ରଶ୍ନଟା କାହିଁକି ଉଠାଉଛୁ ?

 

ଫୁଲ ଆଶ୍ଚର୍ଯ୍ୟ ଆଖିରେ ଜଗଦୀଶ ମୁହଁକୁ ଚାହିଁ କହିଲା,

 

ଜଗଦୀଶ ବାବୁ, ମୁଁ ଏତେ ହୀନ ନୁହେଁ । ଭାବିଛ ପାପ କର୍ଦ୍ଦମାକ୍ତ ଜୀବନଟା ମୋର । ତା ଭାବିପାର ! କିନ୍ତୁ ମୁଁ ପାପ କର୍ଦ୍ଦମାକ୍ତର ବହୁ ଦୂରରେ । ନିର୍ମଳ ସ୍ୱଚ୍ଛ ହୃଦୟ ଘେନି ଆପଣଙ୍କୁ ମୁଁ ଭଲ ପାଇଛି । ଏହି ଭଲ ପାଇବାଟା ଯେ ମୋର ଧର୍ମ । ପବିତ୍ରତାର ଦ୍ୱାହି ଦେଇ ମୁଁ ଆଜି ଜୀବନଟାକୁ ହଳାହଳ କରିବାକୁ ଚାହେଁନି । ଏତିକି କହି ଫୁଲ କାନ୍ଦି ପକାଇଲା ।

 

ଫୁଲ ।

 

ଉଁ ।

 

ତୋ ଆଖିରେ ଯେ ଲୁହ । ତୁ କାନ୍ଦୁଛୁ । ଛିଃ, ତୁନିହ ।

 

ଫୁଲ ଆଖିରୁ ଲୁହ ପୋଛିଲା ।

 

ଫୁଲକୁ ନେଇ ଜଗଦୀଶ ଦିନ ଗୁଡ଼ିକ ବେଶ୍ ଆନନ୍ଦରେ କଟାଇଲା ।

 

ଜଗଦୀଶ ସେଦିନ ବସି ଭାବୁଛି, ବାସ୍ତବିକ ସେ ଆଜି କଣ କରିଛି । ଜୀବନଟା ଯେ ଆଜି ତାର କେଉଁ ଏକ ଶ୍ଵେତ ଦ୍ୱୀପରେ ଭାସି ଆସି ଲାଗିଛି, ପୁନରାୟ ଯେ କେଉଁ ଦିଗକୁ ଭାସି ଭାସି ଚାଲିବ, ତାହା କିଏ କହିବ ?

 

କଲେଜ ଛାଡ଼ିଲା । ଘର ଛାଡ଼ିଲା । ବାପ ମାଆ, ସ୍ତ୍ରୀ ଏମାନଙ୍କୁ ଶେଷରେ ପର କଲା । ଛନ୍ଦଛଡ଼ା ଜୀବନଟାକୁ ଗୋଟାଏ ଆକର୍ଷଣ ମୋହରେ ସେ ଆଜି ବାନ୍ଧି ରଖିଛି କାହିଁକି ? ଏହି ଦୁର୍ଭାବନା ଭିତରେ ବେଳେ ବେଳେ ଜଗଦୀଶ ମୁଣ୍ଡଟା ଗୋଳମାଳିଆ ହୋଇ ଯାଉଛି ।

 

ବାର

 

ଠିକ୍ ବର୍ଷକ ପରେ ପଦ୍ମା ଆସିଲା ଶାଶୁ ଘରକୁ । ପୁଣି ତା’ର ସୁନାର ସଂସାର ଗଢ଼ିବା ପାଇଁ । ଜଗତରେ ସମସ୍ତେ ଜାଣନ୍ତି ଝିଅ ଜନମ ହେଲେ ପର ଘରକୁ ଯାଏ । ସେଇଠି ତା’ର ସୁନାର ସଂସାର ଗଢ଼େ । ସାରା ଜୀବନ ବିତାଏ ।

 

ପଦ୍ମା ସେହି ଗତାନୁଗତିକ ପ୍ରଥାରେ ଫେରି ଆସିଛି, କିନ୍ତୁ ଫେରି ଆସି ନାହାନ୍ତି ପ୍ରାଣର ଦେବତା ସ୍ୱାମୀ ତାର । ସତେ କଣ ସିଏ ଆସିବେ, ପଦ୍ମା ମନକୁ ମନ ପଚାରେ ।

 

ପଦ୍ମାର ବାପଘରେ ବର୍ଷଟାଏ ବିତି ଯାଇଥିଲେ ସୁଦ୍ଧା କଳ୍ପନାମୟୀ ତାର ମନ ମେଜାଜ ଟିକେ ବଦଳିବାର ଦେଖି ପାରିଲେ ନାହିଁ । ସବୁବେଳେ ମନଟା ତାଙ୍କର ବ୍ୟସ୍ତ ହୋଇ ପଡ଼ିଲା । କେମିତି ଜଗଦୀଶକୁ ଘରକୁ ଅଣାଇବେ ସେହି ଚିନ୍ତା ଅନବରତ ତାଙ୍କ ମୁଣ୍ଡକୁ ଅସ୍ଥିର କଲା ।

 

କୃଷ୍ଣମୋହନବାବୁ ରାମଲକ୍ଷ୍ମୀ ପରି ବୋହୂଟିର ଭବିଷ୍ୟତ ଚିନ୍ତାକରି ବିବ୍ରତ ହୋଇ ପଡ଼ିଲେ ।

 

ଦିନେହେଲେ କେବେ ଖୁସିରେ ପଦ୍ମା ଘର ଧନ୍ଦାରେ ମନ ନିବେଶ କରିଛି, ଏପରି କାହାରି ଆଖିରେ ପଡ଼ିନି । ବେଶ ପୋଷାକ ତ ଦୂରର କଥା, ଏପରିକି ଦେଖିବାକୁ ମିଳିଛି ଦେହ ଖଉରିଆ, ମୁହଁ ଶୁଖିଲା ସବୁବେଳେ । କେବଳ ଦି’ହାତରେ ଦି’ପଟ ସୁନା କାଚ ବ୍ୟତୀତ ପଦ୍ମାର ଦେହରେ ପହରଣ କିଛି ନାହିଁ ।

 

କୃଷ୍ଣମୋହନବାବୁ ବୋହୂର ହାତ ଗୋଡ଼ ଫୁଙ୍ଗୁଳା ଦେଖି କହନ୍ତି ମାଆ ପଦ୍ମା ! ଦେହ ହାତ ଏମିତି ଫୁଙ୍ଗୁଳା କରିଛ କାହିଁକି ?

 

ପଦ୍ମା ଶ୍ଵଶୁରଙ୍କ ମନରଖି ତାଙ୍କ ସାମ୍ନାରେ ଗହଣାଗାଣ୍ଠି ଦେହ ହାତରେ ପିନ୍ଧେ । ପୁଣି ଦି’ଦିନ ପରେ ଓହ୍ଲାଇ ରଖିଦିଏ ।

 

ଦେହ ମୁଣ୍ଡକୁ ସଜାଇବ ଏତେ କାହାପାଇଁ ସେ । ଯାହାଙ୍କ ପାଇଁ ସଜାଇ ରଖନ୍ତା ସେଇ ଆଜି ବହୁ ଦୂରରେ । ପଦ୍ମା ଏହି କଥା ଭାବି ଆଖିରୁ ଲୁହ ନିଗାଡ଼େ । ମନରୁ ଦୁଃଖ କିନ୍ତୁ ଦୂର ହୁଏନା । ଯେତେ ଭାବନା କରି ଚାଲେ–ତେତେ ଭାବନା ବଢ଼େ ।

 

କମଳା ଭାଉଜ ପାଖରେ ବସି ସାନ୍ତ୍ୱନା ଦିଏ । ଆଖିରୁ ଲୁହ ପୋଛି ଦିଏ, କହେ ଛିଃ ନୂଆବୋଉ କାନ୍ଦୁଚ ?

 

ପଦ୍ମା କାନ୍ଦ ବନ୍ଦ କରେ । ଦଣ୍ଡକ ପାଇଁ ମୁହଁରେ ତାର ହସର ଉଛୁଳା ଜୁଆର ମାଡ଼ିଯାଏ-। ସାନ ନଣନ୍ଦଟି, ସବୁବେଳେ ଛାଇ ପରିକା ତା’ର ପାଖେ ପାଖେ ଥାଏ । ଭାରି ଖୁସି ଲାଗେ । ନିଜର ଭଲ ମନ୍ଦ କଥା ମନରୁ ପାଶୋରି ପକାଏ । କମଳାର ପିଠିରେ ହାତ ବୁଲାଇ ପଦ୍ମା କହେ କମଳା, ତୋପରି ସୁନା ନଣନ୍ଦଟି ପାଇ ମୋ ଜୀବନ ଆଜି.... ।

 

କମଳା ହସେ । ଆଉ ଜବାବ କିଛି ଦିଏନା । ସେ ବୁଝେ, ନୂଆବୋଉର କଥାଟା ପ୍ରକୃତରେ ସତ । ଭାଇଙ୍କର ମନ ମେଜାଜ ତ ଯେପରି, ଦେଖୁ ଦେଖୁ ଗୋଟାଏ ବରଷ ବିତିଗଲା, ତାଙ୍କର ଦେଖା ନାହିଁ । ବାହାଘରର ସେଇ ଦିନ କେଇଟା ଯାହା ନୂଆବୋଉର ସାଙ୍ଗରେ ତାଙ୍କର ସମ୍ପର୍କ । ଖାଲି ଲୋକ ଦେଖାଣିଆ ସେଇଟା । ପ୍ରକୃତରେ ସେ ନୂଆବୋଉଙ୍କୁ ଭଲ ପାଆନ୍ତିନି, ଏକଥା ନୂଆବୋଉ ଜାଣନ୍ତି । ମନେ ପକାଇ ଦୁଃଖ କରନ୍ତି–କେତେ କାନ୍ଦନ୍ତି–ସତେମ ଦିନ ଗୁଡ଼ାକ କେଡ଼େ କଷ୍ଟରେ ନ ଯାଉଛି ତାଙ୍କର ।

 

ତେର

 

ହଠାତ୍ ଏମିତି ଦିନେ ଅଜଣା ଅଶୁଣା ଭାବରେ ଜଗଦୀଶ ଘରେ ଆସି ପହଞ୍ଚିଗଲା ।

 

କୃଷ୍ଣମୋହନ ବାବୁ ଜଗଦୀଶକୁ ଦେଖି ମନରେ ଅତ୍ୟନ୍ତ ଖୁସି ହେଲେ ।

 

କଳ୍ପନାମୟୀ ପୁଅକୁ ଏତେଦିନ ପରେ ଦେଖି କାନ୍ଦି ପକାଇଲେ । ଦେହରେ ମାଂସ କେଉଁଆଡ଼େ ମିଳାଇଗଲାଣି, ଦି ଖଣ୍ଡି ହାଡ଼ । ପୁଅ ପିଠିରେ ହାତ ବୁଲାଉ ବୁଲାଉ କଳ୍ପନାମୟୀ କହିଲେ,

 

–ବାପ ଜଗଦୀଶ ! ତୁ ଏଡ଼େ ପାଗଳାଟାଏରେ, ଦେଖୁ ଦେଖୁ କେଡ଼େ ସୁନ୍ଦର ଚେହେରାଟାକୁ କଣ କରି ବସିଲୁଣି ?

 

ଜଗଦୀଶ ହତବୁଦ୍ଧି ହୋଇ ନୀରବ ରହିଲା ।

 

ମାଆ ବୁଝେ ପୁଅର ଅନ୍ତର । ପୁଅ ଯେତେ ଉଦଣ୍ଡିଆ ଯେତେ ଉଦ୍ଧତ ହେଲେ ମଧ୍ୟ ମାଆ ଆଖିରେ ସେ ସୁନାପୁଅ–ନୟନର ତାରା–ହୃଦୟର ନିଧି ।

 

କୃଷ୍ଣମୋହନବାବୁ, ଜଗଦୀଶକୁ ବଡ଼ ସନ୍ଦେହ ଚକ୍ଷୁର ଦେଖନ୍ତି । କାଳେ... ।

 

ସତକୁ ସତ ସେଦିନ ଜଗଦୀଶ କଣ କହୁ କହୁ କୃଷ୍ଣମୋହନବାବୁଙ୍କୁ କହିଲା,

 

ବାପା ! ମୁଁ ଏମିତି ଭାବେ ଜୀବନଟାକୁ ପୋଡ଼ି ପାଉଁଶ କରିଦେବାକୁ ଚାହେଁନି, ଏଥିପାଇଁ ମୁଁ ଆପଣଙ୍କୁ ଗୋଟେ ଅନୁରୋଧ କରିବାକୁ ଆସିଛି । ମୋ ଅନୁରୋଧ ଯଦି ରକ୍ଷା କରନ୍ତି ତେବେ କହିବି ।

 

କି ଅନୁରୋଧ ଜଗଦୀଶ ? ଚିନ୍ତାଭିଭୂତ ହୋଇ କୃଷ୍ଣମୋହନବାବୁ କହିଲେ ।

 

ଜଗଦୀଶ କହିଲା,

 

–ବାପା, ମୁଁ ପୁନରାୟ ବିବାହ କରିବାକୁ ଚାହେଁ । ଏପରି ଅଶିକ୍ଷିତା ନିପଟ ପଲ୍ଲୀ ଝିଅଟାକୁ ନେଇ ମୁଁ ସାରା ଜୀବନଟାକୁ ଏମିତି ହଟହଟା କରିବାକୁ ଚାହେଁନି ।

 

ହତବୁଦ୍ଧି ହୋଇ କୃଷ୍ଣମୋହନବାବୁ ଜଗଦୀଶ କଥାର ଜବାବ ଦେଇପାରିଲେ ନାହିଁ ।

 

ନୀରବତା ଭିତରେ ଅନେକ ସମୟ ବିତିଗଲା !

 

କୃଷ୍ଣମୋହନବାବୁ କହିଲେ, ଜଗଦୀଶ ଘରେ ପହଞ୍ଚିଲୁ କି ନାହିଁ ପୁଣି ତୋର ସେହି କଥା ? ଏ ଗୋଟାଏ ଖାମଖେୟାଲ ଜିଦ୍ ଧରିଛୁ ଜଗଦୀଶ ।

 

ମଣିଷ ଜଗତକୁ ଆସି ଜୀବନରେ ଅନେକ କିଛି ଶିକ୍ଷା ଅର୍ଜ୍ଜନ କରେ, ଅହଙ୍କାର ଦେଖାଇ ଅପଯଶ ଅର୍ଜେ । ଆପଣାର ପାର୍ଥିବ ବସ୍ତୁରେ ଲିପ୍ତ ରହି ଧରାକୁ ସରା ମନେକରେ । କାହିଁ କେଉଁଟାର ତ କୀର୍ତ୍ତି ଆଜି ରହିନି । ତେବେ ଅଯଥା ଅବାସ୍ତବ ଭିତରେ କାହିଁକି ମୁଣ୍ଡଟାକୁ ଖେଳାଉଛୁ ? ଯାହା କପାଳରେ ଅଛି ତାହାହିଁ ନିଜର ଭୋଗ୍ୟ । ପଦ୍ମାପରି ସ୍ତ୍ରୀକୁ ଆଜି ଉପେକ୍ଷିତା କରି ପୁନରାୟ ବିବାହ କରିବା ପ୍ରଶ୍ନ ତୋପରି ଶିକ୍ଷିତ ପୁଅ ପକ୍ଷରେ ନିନ୍ଦାର କଥା । ମୁଁ ଆଜି ଅନୁମତି ଦେଇ ପାରିବିନି ଜଗଦୀଶ ! କହୁଁ କହୁଁ କୃଷ୍ଣମୋହନବାବୁଙ୍କ ଆଖିରୁ ଲୁହ ନିଗିଡ଼ି ପଡ଼ିଲା-

 

ଜଗଦୀଶ ହତବୁଦ୍ଧି ହୋଇ ତାଙ୍କ ସାମ୍ନାରେ ଠିଆ ହୋଇ ରହିଲା ।

 

କିଛିକ୍ଷଣ ପରେ ସେ କହିଲା,

 

–ବାପା ! ତା ହେଲେ ମୋତେ ପୁନରାୟ ବିବାହ କରିବାକୁ ଅନୁମତି ଦେବେ ନାହିଁ ?

 

–ନା ଜଗଦୀଶ ! ମୁଁ ଅନୁମତି ଦେଇପାରିବି ନାହିଁ କହି କୃଷ୍ଣମୋହନ ବାବୁ ଦାଣ୍ତଆଡ଼େ ଚାଲିଗଲେ ।

 

ଘର ଭିତରକୁ ଯାଇ ଜଗଦୀଶ ଖଟ ଉପରେ ଶୋଇପଡ଼ିଲା । ବାସ୍ତବିକ ସେ କ’ଣ କରିବ ? ମୁଣ୍ଡ ତାର ଗୋଳମାଳିଆ ହୋଇଗଲା ।

 

ପଦ୍ମା ଘର ଭିତରକୁ ଆସିଲା । ଖଟ ଉପରେ ଶୋଇଛନ୍ତି ସ୍ଵାମୀ ତାର । ଆଡ଼ ଆଡ଼ ହୋଇ ଏମିତି ସେ କଟକରୁ ଆସିବା ଦିନରୁ ଦିନ କେଇଟା କଟେଇ ଦେଲେଣି । ଭଲମନ୍ଦ କଥା ପଦେ ଵି ପଚାରୁନାହାନ୍ତି । ଯେତେ ମାନ ଅଭିମାନ ଥାଉ ପଛକେ ମନରୁ ସେ ପୋଛି ପକାଇବ । ଥରେ ସ୍ୱାମୀଙ୍କ ପାଦତଳେ ମଥା ରଖି କହିବ ସେ, ସ୍ୱାମୀ, ସ୍ଵାମୀ ମୋର, ତୁମରି ଚରଣ ସେବିକା ମୁଁ । ତୁମରି ବିଚ୍ଛେଦରେ ପ୍ରାଣ ମୋର କାନ୍ଦି ଉଠୁଛି । ଅନ୍ତର ବେଦନା ତୁମ ଛଡ଼ା କିଏ ବା ଆଉ ବୁଝିବ ? ସ୍ୱାମୀ ଦେବତା ମୋର ।

 

ଜହ୍ନର କଅଁଳ ହସ ଉପରେ କଳାବଉଦ ଘୋଟିଗଲେ ଯେମିତି ଦଣ୍ତକ ଭିତରେ ହସଟାକୁ ତାର ଲିଭାଇଦିଏ, ଠିକ୍ ସେମିତି ଶତ ବିଷାଦର କାଳିମା ଆଜି ପଦ୍ମାର ହୃଦୟକୁ ଢାଙ୍କି ଦେଇଯାଇଛି ।

 

ଅସରନ୍ତି ବେଦନାରେ ସ୍ୱାମୀର ପାଦତଳେ ମଥା ରଖି କଇଁ କଇଁ କାନ୍ଦିଉଠିଲା ପଦ୍ମା ।

 

କିନ୍ତୁ ଯାହାର ଅନ୍ତର ପାଷାଣରେ ଗଢ଼ା, ସିଏବା କାହୁଁ ବୁଝିବ ତାରି ପାଇଁ ଆଉ ଜଣଙ୍କର ହୃଦୟ କାହିଁକି ଭାଙ୍ଗି ପଡ଼ିଛି ।

 

ଜଗଦୀଶ ପାଦରେ ଠେଲି ଦେଲା ପଦ୍ମାକୁ । ଘୃଣା ଆଉ ହିଂସାରେ ଅନ୍ତର ତାର ଜଳି ଉଠିଲା ଧୂ ଧୂ ହୋଇ ।

 

ଗଙ୍ଗ ଶିଉଳି ଫୁଲ ପରି ସକଳ ଭାବନା ମନରୁ ତାର ମଉଳିଗଲା । ଭାବି ନ ଥିଲା ସେ, ସେହି ପୂର୍ବ ମନୋଭାବ ନେଇ ସ୍ୱାମୀ ତାର ଆଜିବି ସେମିତି ଅଟଳ ରହିବେ ।

 

ଧୀରେ ପାଦ ଉପରୁ ହାତ ଉଠାଇ ଠିଆ ହେଲା ପଦ୍ମା । ଏ ଜଗତରେ ଆପଣାର ଆଉ କାହାକୁ ସେ କହିବ ? କାହିଁକି ଆଉ ଏମିତି ଦହଗଞ୍ଜ କରିବ ଜୀବନଟାକୁ । ନାଁ–ଲୋଡ଼ା ନାହିଁ ଏ ଜୀବନରେ ଆଉ କିଛି । ଜୀଇ ବଞ୍ଚି ରହି–କେଉଁ ସୁଖ ତାର । ଜୀବନ ହରାଇ ଦେବ ସେ । ସବୁଦିନ ପାଇଁ ସୁତାଖିଆ ଅଡ଼ୁଆ ମେଣ୍ଟିଯିବ ।

 

ରାତ୍ରିର ଅନ୍ଧକାର ଭେଦକରି ପଦ୍ମା । ସାଇ ଅଗଣାକୁ ଚାଲିଆସିଲା । ଜୀବନକୁ ଆଜି ନିଶ୍ଚୟ ସେ ହରାଇ ଦେବ ।

 

ଜୀବନ ହରାଇବା ଏଡ଼ିକି ସହଜ ନୁହେଁ ।

 

ଅନ୍ଧକାର ଭିତରେ କୃଷ୍ଣମୋହନବାବୁ ବୋହୂକୁ ଏକୁଟିଆ ଦେଖି–କଳ୍ପନାମୟୀଙ୍କୁ ଡାକିଲେ ।

 

କଳ୍ପନାମୟୀ ଧାଇଁ ଆସି ସାଇ ଅଗଣାରେ ଦେଖନ୍ତି ପଦ୍ମା ଦୋଷୀଟି ପରି ଠିଆ ହୋଇଛି । ଆଖିରୁ ତାର ଥପ୍ ଥପ୍ ହୋଇ ଲୁହ ନିଗିଡ଼ି ପଡ଼ୁଛି ।

 

କଳ୍ପନାମୟୀଙ୍କ ଅନ୍ତର ସନ୍ଦେହରେ ଭାଙ୍ଗି ପଡ଼ିଲା । ସେ ବୁଝି ପାରିଲେ–ପଦ୍ମା ଏତେ ରାତିରେ ସାଇ ଅଗଣାକୁ ଏକୁଟିଆ କାହିଁକି ଉଠିଥିଲା ।

 

କଳ୍ପନାମୟୀ ବୋହୂକୁ ଘର ଭିତରକୁ ନେଇଗଲେ ।

 

ମନଟା ତାଙ୍କର ସେହି ଦିନଠାରୁ କାହିଁକି ପାପ ଛୁଇଁଲା ?

 

କାଳେ..... ।

 

ସେଦନ ହୋଇଥାଏ ପୂର୍ଣିମା । ଗୋଟାଳିଆଜହ୍ନ ନୀଳ ଆକାଶକୁ ମୋହନୀୟ କରି–ଧରଣୀକୁ ଦେଖାଇ ଦେଉଥାଏ ସ୍ଵଚ୍ଛ, ଶୁଭ୍ରତାର କମନୀୟ ରୂପ । ଜହ୍ନର କଅଁଳ ହସ କେରାକ ପଡ଼ିଥାଏ ଜଗଦୀଶର ମୁହଁ ଉପରକୁ । ଖଟ ଉପରେ ଶୋଇ ଶୋଇ ଜଗଦୀଶ ଭାବୁଥାଏ, ଆହାଃ ! ନିର୍ମଳ ଶଶଧର ରୂପଟି ଯେପରି ଆଜି ମନୋହର ଦିଶୁଛି, ସେହିପରି ଆଜି ଯଦି ପଦ୍ମାର ନିର୍ମଳ ହୃଦୟ ମୋତେ ଶାନ୍ତିଦେଇ ପାରନ୍ତା । ଭତା ହେଲେ...... ଶାନ୍ତି ? ଶାନ୍ତି ଦେଇ ପାରିବ ପଦ୍ମା, ଭାବନା ତରଣୀ ଭାସି ଭାସି ଚାଲିଛି ଅଥଳ ଦରିଆ ମଝିରେ ।

 

ପ୍ରାଣର ସୂକ୍ଷ୍ମତନ୍ତ୍ରୀରେ ଆଘାତ ଲାଗିଛି ସେ ସହସା ପ୍ରତ୍ୟୁତ୍ତର ପାଉଛି, ଆହାଃ ଜଗଦୀଶ ତୁ କେଡ଼େ ନିର୍ଦ୍ଦୟରେ । ସୁନାର ପ୍ରତିମା, ହୃଦୟର ରାଣୀ, ଗତ ଭବିଷ୍ୟତର ବାନ୍ଧବୀ, ସେ ଯେ ତୋର ସ୍ତ୍ରୀ । ତା ପ୍ରତି ଏଡ଼େ ନିର୍ମମତା କାହିଁକି ?

 

ମଣିଷ ହୃଦୟ ତ । ନିର୍ମମତାର କଠୋର ଆଘାତ ସହିପାରେନା ପଦ୍ମା । ତଥାପି ଅବୋଧ ମନଟା ଧାଇଁ ଆସେ ଜଗଦୀଶ ପାଖକୁ, ମନ କଥା କେଇପଦ କହିବ ବୋଲି । କହି ପାରେ ନ । । ସ୍ୱାମୀର ବିଷର୍ଣ୍ଣତା ମଳିନ ମୁଖ ଦେଖି ଭାବନା ଭାଙ୍ଗିଯାଏ ।

 

ସେଦିନ ପଦ୍ମା ସ୍ୱାମୀକୁ ହସି ହସି କହିଲା,

 

–ସତେ ! ତମେ ପୁଣି ବିବାହ କରିବ !

 

ଜଗଦୀଶ କ୍ରୋଧ ତ୍ୟାଗ କରି ପାରିଲାନି, କହିଲା ହଁ ପଦ୍ମା ପୁନରାୟ ବିବାହ କରିବି । ତୋ ପରି ଗୋଟାଏ ଅପଦାର୍ଥକୁ ନେଇ ଜୀବନଟାକୁ କେତେ ଦିନ ଏମିତି କଟାଇବି ?

 

ହାୟରେ ଭଗବାନ । ମୁଁ ଗୋଟାଏ ଅପଦାର୍ଥ । ଘରେ ଥିବା ରାଧାମାଧବ ଠାକୁରଙ୍କ ପାଦତଳେ ମଥାପିଟି କଇଁକଇଁ ହୋଇ କାନ୍ଦିଲା ପଦ୍ମା । ହେ ପ୍ରଭୁ ରାଧାମାଧବ ତୁମେ ସତେ କଣ ମୋର ଡାକ ଶୁଣିବ ନାହିଁ । ଏମିତି କଥା ଆଉ ସହି ପାରିବି ନାହିଁ ପ୍ରଭୁ । ସହି ପାରିବି ନାହିଁ ।

 

କଳ୍ପନାମୟୀ ଅଲକ୍ଷ୍ୟରେ ବୋହୂର ଏପରି ଢଙ୍ଗ ଦେଖି ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ଭୋ ଭୋ ରଡ଼ି ଛାଡ଼ିଲେ ।

 

ଜୀବନ ଯାତ୍ରା ଶେଷ କରିଦିଅ ପ୍ରଭୁ ! ଏ ଜଞ୍ଜାଳରୁ ପାର କରିଦିଅ ମୋତେ । ପାପ ନୟନରେ ଏ ସବୁ ଆଉ ମୁଁ ନ ଦେଖେ ।

 

କାନ ପାରି ସାଇ ପଡ଼ିଶା ଭାଇଭଗାରୀ ପଦ୍ମାର ସବୁକଥା ଶୁଣନ୍ତି । ଏ ସବୁ ପଦ୍ମା ଜାଣେ । ଯିଏ ନାହିଁ ସିଏ ଆସି ପଚାରନ୍ତି–କାଳେ ପଦ୍ମା ଘର କଥା ଗୁଡ଼ାକ କହିଦବ । ପଦ୍ମା ଶୁଣି ନ ଶୁଣିଲା ପରି ସେ କଥାକୁ କାନକୁ ନିଏ ନା । ମିଛେ ମିଛେ ଏଣୁ ତେଣୁ କାମରେ ହାତ ମାରି ନୀରବ ରହେ ।

 

କମଳା ଭାଉଜର ପାଖ ଛାଡ଼େ ନା । ପଦ୍ମା ପାଖ ନଈକୁ ଗାଧୋଇ ଗଲେ ଛାଇ ପରି ତା ସଙ୍ଗେ ସଙ୍ଗେ କାଖରେ କଳସୀଟା ଧରି ନଈକୁ ଗାଧୋଇବାକୁ ଯାଏ । କାଳେ ନୂଆବୋଉର ମନ ଊଣା ହେବ, ସେଥିପାଇଁ ଦିନ ଗୁଡ଼ାକ ଏମିତି ହସ ଖୁସିରେ ନଣନ୍ଦଟି ଭାଉଜ ସାଙ୍ଗରେ କଟାଇ ଦିଏ ।

 

ବଡ଼ ଲୋକର ବୋହୂ ବୋଲି ସମସ୍ତେ ପଦ୍ମାକୁ ଆଦର କରନ୍ତି ତା ନୁହେଁ–ପଦ୍ମା ନିଜ ଗୁଣରେ ସମସ୍ତଙ୍କୁ ଆପଣାର କରିଥାଏ । ପାଠ ଦି’ଅକ୍ଷର ସିନା ପଢ଼ି ନାହିଁ ସେ; ନଚେତ୍ ଘରକରଣାରେ ତାକୁ କେହି ବଳାଇ ଯିବ ନା ! ଦାଣ୍ଡରେ ଯୋଗୀ ଭିକାରୀ ଦେଖିଲେ ଘରକୁ ଡାକି ଆଣି ତାଙ୍କ ଥାଳରେ ଖାଇବାକୁ ଭରିଦିଏ । ଚିହ୍ନା ଅଚିହ୍ନା ଥରକ ପାଇଁ ଯା ସହିତ ଦେଖା ହୁଏ ସେ କହେ ଏ ବୋହୂଟି ସାକ୍ଷାତେ ଲକ୍ଷ୍ମୀ । ସମସ୍ତଙ୍କ ଠାରୁ ସୁଖ୍ୟାତି ପାଏ ପଦ୍ମା । ତଥାପି ତା ମନରେ ଟିକେ ଗର୍ବ ନ ଥାଏ, କି ଆନନ୍ଦ ନଥାଏ । ଯେଉଁ ସୁଖ୍ୟାତିରେ ତା’ର ଗର୍ବ କରିବାର କଥା, ଆନନ୍ଦ କରିବାର କଥା, ସେ ସୁଖ୍ୟାତି ଅର୍ଜ୍ଜନ କରି ପାରିଲା ନାହିଁ । ହୀନିକପାଳୀ, ହତଭାଗିନୀ ସେ । ତାରି ସାଙ୍ଗରେ ମହାନ୍ତି ପଡ଼ାର ଟୁନି, ସେ ଆଜି ଗୋଟାକର ମାଆ । ଏକା ସାଙ୍ଗରେ ବାହାଘର । ଏଇ କଥା ଭାବି ଆଖିରୁ ଲୁହ ଢାଳେ ।

 

ରାତି ପାହିଲେ କେତେ ଯୋଗୀ, ଭିକାରୀ, କେଳା-କେଲୁଣୀ ଗାଁକୁ ଭିକ ମାଗି ଆସନ୍ତି । ସେଦିନ ହୋଇଥାଏ କଣ ଗୋଟାଏ ପର୍ବ । ଯୋଗୀ-ଭିକାରୀ ଗୁଡ଼ାକ ହାଉ ଯାଉ ହେଉଥାନ୍ତି । ଗୋଟିଏ କେଲୁଣୀ ଆସି ଭାତ ଗଣ୍ଡାଏ ମାଗିଲା । ତା ବୟସ ଆନ୍ଦାଜ ତିରିଣ ଭିତରେ ହେବ । ସେତେବେଳେ ଟାଣୁଆ ଖରା, ଖଇ ଫୁଟୁଥାଏ । ପଦ୍ମା ଭାତ କଂସାଏ ଆଣି କେଲୁଣୀ ପତରରେ ଢାଳି ଦେଲା । ଡାଲି ତିଅଣ ଭଜାରୁ ମେଞ୍ଚାଏ ଲେଖା ପକାଇ ଦେଲା ତା ଖାଇବା ପତର ଉପରକୁ-

 

କେଲୁଣୀ ପଣ୍ଡା ଉପରେ ଖାଇ ବସିଲା ।

 

ପଦ୍ମା ଖାଲି କଂସାଟା ହାତରେ ଧରି ରୋଷେଇ ଘର ଭିତରକୁ ପଶିଗଲା ।

 

କେଲୁଣୀଟା ଖାଇସାରି ପାଣି ଟୋପାଏ ପିଇବାକୁ ମାଗିଲା ।

 

ପଦ୍ମା ପାଣି ଦେଲା ପିଇବାକୁ ।

 

ପାଣି ପିଉ ପିଉ ସେହି କେଲୁଣୀଟା ମନେ ମନେ କେତେ କଲ୍ୟାଣ ବାଢ଼ିଲା । ପଦ୍ମାର ଶୁଖିଲା ମୁହଁ ଉପରକୁ ଆଖି ପକାଇ କେଲୁଣୀ ଧୀର ଗଳାରେ କହିଲା,

 

–ଆଲୋ ମାଆ ! ତୋ ମୁହଁଟି ଏମିତି ଶୁଖିଯାଇଛି କାହିଁକି ? କଣ ଖାଇନୁ ? ଗେରସ୍ତ ପୁଅ କଣ ଗାଳି ଦେଇଛି ? କିଛି କହିଛି କି ?

 

ପଦ୍ମା ଥରିଲା ଗଳାରେ ଓଠ ଚାପି କହିଲା,

 

ନାହିଁ ମା ଗେରସ୍ତ ପୁଅ କାହିଁକି କିଛି କହିବ ।

 

ଆଉ ତେବେ କଣ ହୋଇଛି ତୋର କହୁନୁ ?

 

କିଛିକ୍ଷଣ ଗୁମ ମାରି କେଲୁଣି ପୁନରାୟ କହିଲା,

 

–ଆଚ୍ଛା ମା, ତୋର ମନ ମେଜାଜରୁ ବୁଝି ପାରୁଛି ତୁ କିଛି ଗୋଟାଏ ଚିନ୍ତାରେ ପଡ଼ିଛୁ । ସେଥିପାଇଁ ତୋ ମୁହଁ ଶୁଖି ଯାଇଛି । ମୁଁ ଗୋଟାଏ କଥା କହିବି କରି ପାରିବୁ ତ ?

 

ଆସ୍ତେ ଆସ୍ତେ କଥାକହ ମା । ଶାଶୁ ଶ୍ୱଶୁର, ସ୍ୱାମୀ, ନଣନ୍ଦ ସମସ୍ତେ ଆର ଖଞ୍ଜାରେ ଅଛନ୍ତି, କାଳେ ଶୁଣିବେ । ସେମାନଙ୍କ କାନକୁ ଗଲେ....ପଦ୍ମା ଜିଭ କାମୁଡ଼ି ପକାଇଲା ।

 

କେଲୁଣୀଟା ପାଖକୁ ପଦ୍ମା ଆହୁରି ଘୁଞ୍ଚି ଆସି କହିଲା

 

–କଣ କହୁଛୁ କହନି ।

 

କେଲୁଣୀ କହିଲା, ମୁଁ ଗୋଟିଏ ଜିନିଷ ଦେବି । ସେ ଜିନିଷଟି ପାଖରେ ରଖିବୁ । ଯେମିତି କରିବାକୁ କହିବି ସେମିତି କରିବୁ । ବେଶୀ ଟଙ୍କା ପଇସା ଖର୍ଚ୍ଚ ତୋର ପଡ଼ିବ ନାହିଁ । ଶାଶୁ, ଶ୍ୱଶୁର, ସ୍ୱାମୀ, ନଣନ୍ଦ ସମସ୍ତେ ତୋତେ ଆଦର କରିବେ । ପୁଣି ଅତି ଆପଣାର ହୋଇଯିବୁ-। ଟିକିକ କଥାରେ ସବୁ ଗୋଳ ତୋର ମେଣ୍ଟିଯିବ । ସୁନାର ସଂସାର ହସିଉଠିବ ପୁଣି । କରି ପାରିବୁ ତ ମା ?

 

ପଦ୍ମା ଯନ୍ତ୍ରଚାଳିତବତ୍ କେଲୁଣୀ କଥାକୁ ଶୁଣିଗଲା । ମନରେ କେତେ କଥା ଭାବିଲା । ସତେ ସ୍ୱାମୀ ତାକୁ ଆଦର କରନ୍ତେ ମ ! ଟିକିକ କଥା, କରି ପାରନ୍ତା ନାହିଁ ସେ ! ପୁଣି ବିବେକ ତାର କହିଲା ନା-ନା-କରି ପାରିବୁ ନାହିଁ । ଏପରି ପାଷାଣ୍ଡି କାମ କରି ପାରିବୁ ନାହିଁ । ଏହି ଜାତୀୟ କେଳା କେଲୁଣୀ ଗୁଡ଼ାକ କେତେ ଲୋକଙ୍କୁ ଭଣ୍ଡାଇ କେତେ ଟଙ୍କା ନ ନିଅନ୍ତି ? ଫଳ କିଛି ହୁଏନା-। ଶେଷରେ ଲୋକେ କହନ୍ତି ସେଟା ଭଣ୍ଡି ଦେଇଗଲା । ଯେତେ ମିଠା କଥା କହୁନା କାହିଁକି, ପଦ୍ମା ମନ ମୋଟେ ସେଥିରେ ମାନିଲା ନାହିଁ । ଆପଣାର ଯିଏ ସବୁଦିନେ ସେ ଆପଣାର ହୋଇ ରହିଥାଏ । ଛି ଛି ଏତେ ବଡ଼ କାମଟାଏ ସେ କରିବ ? ସ୍ୱାମୀ ତାକୁ ଭଲ ପାଆନ୍ତି ନି, ଘୃଣା କରନ୍ତି, ତା ଛାଇ ଦେଖିଲେ ଦୂରକୁ ହଟି ଯାଆନ୍ତି । ତଥାପି, ସେ କେମିତି ଏତେ ବଡ଼ ଅନ୍ୟାୟ କାମଟା କରିବ । ନା-ନା ସ୍ୱାମୀକୁ ତା’ର ବଶୀଭୂତ କରାଇ ପାରିବ ନାହିଁ । ସ୍ଵାମୀ ତାକୁ ନରକକୁ ପେଲି ଦିଅନ୍ତୁ ବରଂ ସ୍ୱାମୀଙ୍କର ଶତ ଅଭିଶାପରେ ଜର୍ଜ୍ଜରିତ ହେଉ ସେ । ତାଙ୍କର କୌଣସି କ୍ଷତି କରିବାକୁ ଯିବ ନାହିଁ । ସେ ଯେ ତାର ଦେବତା । ପଦ୍ମାର ବିବେକ ଏ କଥାକୁ ଘୃଣା କଲା ।

 

ପଦ୍ମା ସଜୋର ଗଳାରେ କେଲୁଣୀକି କହିଲା,

 

ଏମିତି ପାପ କଥା ମୋତେ ଆଉ ଶୁଣାନା । ସ୍ଵାମୀ ମୋର ଦେବତା । ତାଙ୍କରି ପାଇଁ ମୋର ଜୀବନ । ସେ ମୋତେ ନରକକୁ ପେଲି ଦିଅନ୍ତୁ । ଅମୃତରେ ବିଷ ମିଶାଇ ପିଆଇ ଦିଅନ୍ତୁ ବରଂ ତାଙ୍କୁ କଦାପି ପର ବୋଲି ଭାବିବି ନାହିଁ ।

 

କେଲୁଣୀ ଜୋକ ମୁହଁରେ ଲୁଣ ଦେଲା ପରି ଆପଣା ବାଟରେ ଚାଲି ଯାଉଁ ଯାଉଁ ମନକୁ ମନ କହିଲା,

 

–ଏମିତି ଝିଅ ମୁଁ କୋଟିକରେ ଗୋଟିଏ ଦେଖିନି ।

 

ଚଉଦ

 

ଜଗଦୀଶ ସେଦିନ ବାପାଙ୍କ ଠାରୁ ଏହି ପ୍ରତ୍ୟୁତ୍ତର ପାଇଲା ସେ ଯଦି ପୁନରାୟ ବିବାହ କରେ, ବାପା ସେଥିରେ ସନ୍ତୁଷ୍ଟ ହେବେନି; ବରଂ ଘରେ ପୁନରାୟ ଅଶାନ୍ତିର ନିଆଁ ଧୂ ଧୂ ହୋଇ ଜଳିଉଠିବ । ଜଗଦୀଶ ଭାବୁଛି, ସେ କଟକ ଚାଲିଯିବ । ଆଉ ଘରେ ରହି କିଛି ଲାଭ ନାହିଁ । ଥାଅନ୍ତୁ ମାଆ ବାପ ।

 

କୃଷ୍ଣମୋହନବାବୁ, ପୁଅର ସ୍ଵଭାବ ଚରିତ୍ର ଦେଖି ନିଜକୁ ବଡ଼ ଅନୁତାପ କରିବାକୁ ଲାଗିଲେ । ଅସହାୟ ମନେ କଲେ ।

 

କଳ୍ପନାମୟୀ ଜଗଦୀଶକୁ ଅନେକ ବୁଝାଇଲେ, ଅନେକ କହିଲେ, ମନ ତାର କୌଣସି କଥାରେ ମାନିଲା ନାହିଁ ।

 

ସେଦିନ ହଠାତ୍ ଗରମରେ ପଦ୍ମାର ମୁଣ୍ଡଟା ଘୂରାଇ ଦେଲା । ସେ ଲଥ୍ କରି ତଳେ କଚାଡ଼ି ହୋଇ ପଡ଼ିଲା ।

 

କମଳା ଡାକିଲା ଭାଇ, ତମେ ଚଞ୍ଚଳ ଆସ, ନୂଆବୋଉ ଅଜ୍ଞାନ ହୋଇ ତଳେ ପଡ଼ିଛନ୍ତି-

 

ଜଗଦୀଶ ଶୁଣି ନ ଶୁଣିଲା ପରି ସେ କଥାକୁ କାନକୁ ନେଲା ନାହିଁ । କେବଳ ଏତିକି କହିଲା, ସେ ଘରେ ବାପା ଥିବେ ତାଙ୍କୁ ଡାକି ନେ ସେ ଦେଖିବେ ।

 

କମଳା ଭାଇଠାରୁ ନିରାଶ ହୋଇ ସେ ଘରୁ ବାପାଙ୍କୁ ଡାକିବାକୁ ଦୌଡ଼ିଲା ।

 

କୃଷ୍ଣମୋହନବାବୁ ବୋହୂ ଅଜ୍ଞାନ ହୋଇ ପଡ଼ିବା କଥା ଶୁଣି ବ୍ୟସ୍ତ ହୋଇପଡ଼ିଲେ, ଏବଂ ସଙ୍ଗେ ସଙ୍ଗେ ପଦ୍ମା ପାଖକୁ ଧାଇଁଗଲେ ।

 

କଳ୍ପନାମୟୀ କେଉଁଠ ଥିଲେ ସେ ବି ଧାଇଁଗଲେ ।

 

ବହୁ ଚେଷ୍ଟାରେ ପ୍ରାୟ ଅଧଘଣ୍ଟା ପରେ ପଦ୍ମା ପ୍ରକୃତିସ୍ଥ ହୋଇ ଧୀରେ ଉଠି ବସିଲା । ଦେଖିଲା ତାର ଚାରି ପାଖରେ ଜନ ଗହଳି । ଭାରୀ ଲଜ୍ୟା ଲାଗଲା ତାକୁ । ମୁଣ୍ଡରେ ଓଢ଼ଣା ଦେଲା ।

 

କୃଷ୍ଣମୋହନବାବୁ କଳ୍ପନାମୟୀଙ୍କୁ କହିଲେ,

 

–କଳ୍ପନା ! ତମେ ବୋହୂଙ୍କୁ ଘର ଭିତରକୁ ନେଇଯାଅ । ଖଟ ଉପରେ ଶୁଆଇ ଦିଅ । ଦୁର୍ବଳରେ ମଥା ଘୂରାଇ ଦେଇଛି । ପଦ୍ମାର ହଠାତ୍ ଏପରି ଅବସ୍ଥା ଦେଖି ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତେ ଆହାଃ ଆହାଃ କଲେ ।

 

ମାତ୍ର ଜଗଦୀଶର ମନ ଟିକେ ହେଲେ ତରଳିଲା ନାହିଁ ।

 

ପଦ୍ମା ସେଦିନ ଜାଣିଥିଲା ସ୍ଵାମୀଙ୍କ ହୃଦୟଟା କେମିତି ପଥର ପରି କଠିଣ ଆଉ ଶକ୍ତ । କାହାକୁ ବା କହିବ ? ଆପଣା କପାଳ ନିନ୍ଦି ଆଖିରୁ ଖାଲି ଲୁହ ଢାଳିବା ସାରହେଲା ।

 

ସେହି କଥା ଗୁଡ଼ାକ ନଣନ୍ଦ ଆଗରେ କହି ପଦ୍ମା ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଲା ।

 

କମଳା ଭାଉଜର ବାଳକେରାକରେ ତେଲ ମାରି ଦେଉଦେଉ କହିଲା, ନୂଆବୋଉ କାନ୍ଦନା ! ଭାଇ କଣ ଅଣହେଲା କରିବେ ? ଦିନେ ନା ଦିନେ ଆପଣାର ହେବେ ଯେ ।

 

କେଜାଣି ଲୋ କମଳା ! ସେହି ରାଧାମାଧବଙ୍କୁ ଜଣା ।

 

ଅନେକ ଦିନରୁ ହେବ ଯୁଗଳ ରାଧାକୃଷ୍ଣଙ୍କ ଦୁଇଟି ମୁଗୁନି ପଥର ମୂର୍ତ୍ତି, କୃଷ୍ଣମୋହନ ବାବୁ ଘରେ ରଖି ପୂଜା କରି ଆସୁଛନ୍ତି ।

 

ସେହି ଯୁଗଳ ରାଧାକୃଷ୍ଣ ମୂର୍ତ୍ତିକୁ ଲକ୍ଷ୍ୟକରି ପଦ୍ମା ଅନ୍ତରର ନିବେଦନ ଜଣାଇଲା ।

 

କଳ୍ପନାମୟୀ କମଳାକୁ ଡାକିଲେ ସେଘରୁ ଥାଇ ।

 

କମଳା ଭାଉଜର ମୁଣ୍ଡ କୁଣ୍ଡାଇ ଦେଉଁ ଦେଉଁ କହିଲା,

 

–ଯାଉଛି ମା ।

 

କଳ୍ପନାମୟୀଙ୍କ ମନରେ ଆଜିକାଲି ଭାରୀ ଦୁଃଖ । ଖାଇବା, ପିଇବା, ବସିବା, ଶୋଇବାରେ ତାଙ୍କର ମୋଟେ ନିର୍ଦ୍ଦିଷ୍ଟତା ରହୁନାହିଁ । କେତେ ସେ ଜଗଦୀଶକୁ କାନେ କାନେ ବୁଝାଇଲେଣି, ସେହି ଗୋଟାଏ ଜିଦ୍ ତାର । ପଦ୍ମାକୁ ନେଇ ଜୀବନ ମୋର ସୁଖମୟ କରିପାରିବିନାହିଁ । ପୁନରାୟ ମୋତେ ବିବାହ କରିବାକୁ ଅନୁମତି ଦିଅ । କି କୁବୁଦ୍ଧି ତାର । ପୁନରାୟ ବିବାହ କରିବ ? ଲକ୍ଷ୍ମୀପରି ବୋହୂଟି ମୋର ପଦ୍ମା, ତାକୁ ନିନ୍ଦିବାର ଅଛି ? ଯେତେବେଳେ ଏକା ବସି ଯାଉଛନ୍ତି ସେତେବେଳେ ଏହି ଭାବନା, ଏହି ଚିନ୍ତା ।

 

କମଳା କିଛିକ୍ଷଣ ପରେ କଳ୍ପନାମୟୀଙ୍କ ପାଖକୁ ଆସି କହିଲା–

 

କାହିଁକି ଡାକୁଛ ମା ?

 

କଳ୍ପନାମୟୀ କହିଲେ, ମା–କମଳା, ସେ ଘରୁ ରେକାବିରେ ଦି ଖଣ୍ଡ ପାନ ଅଛି ବାପାଙ୍କ ପାଇଁ ଆଣିଲୁ ।

 

କମଳା ପାନ ଦି’ଖଣ୍ଡି ରେକାବିରୁ ଆଣି ବାପାଙ୍କ ହାତକୁ ବଢ଼ାଇ ଦେଇ ପୁନରାୟ ଭାଉଜ ପାଖକୁ ଫେରିଗଲା ।

 

କୃଷ୍ଣମୋହନବାବୁ ଗୋଟାଏ ଚେୟାର ଉପରେ ବସି ଆଖିବୁଜି କଣ ଭାବୁ ଭାବୁ କହିଲେ,

 

–କଳ୍ପନା ! ଜଗଦୀଶ ପାଇଁ ଆଉ କଣ କରିବା କହିଲ ? ସେ ବଡ଼ ଜିଦ୍ କରି ବସିଛି କାଲିରେ ପୁନରାୟ କଟକ ଚାଲିଯିବ ।

 

କାହିଁକି ? କଣ ପାଠ ପଢ଼ିବାକୁ ?

 

କାହିଁକି କଣ ପଚାରୁଛ କଳ୍ପନା ! ଶୁଣିଲେ ମୁଣ୍ଡଖାଲି ବିଗିଡ଼ି ଯିବନାହିଁ ଯେ, ଘର ସଂସାର ଛାଡ଼ି ବଣ ଜଙ୍ଗଲରେ ରହିବାକୁ ମନ ହେବ । ପାଠପଢ଼ା କଥା କଣ ପଚାରୁଛ ? ପାଠପଢ଼ା ଯେ ତାର ଶେଷ ହୋଇଯାଇଛି । ଏତେଗୁଡ଼ାଏ ପାଠ ପଢ଼ାଇ ଶେଷରେ ତାଠାରୁ ଏହି ପ୍ରତିଦାନ ମିଳିଲା ପରା । ସେଦିନ ଏମିତି କଥା ପଡ଼ୁ ପଡ଼ୁ କହିଲି, ଆଚ୍ଛା ଜଗଦୀଶ ! ତୁ ଶିକ୍ଷିତ ପୁଅଟା ହୋଇ ଏପରି ଅଶୋଭନୀୟ କାମ କାହିଁକି କରୁଛୁ । ନୀରୁତ୍ତର ହୋଇ କିଛି ସମୟ ଗୁମମାରି ବସିଲା । କଣ ଭାବି ତାପର କହିଲା, ବାପା, ଜନ୍ମ ଦେଇଛ, ମଣିଷ କରି ଗଢ଼ିବା ପାଇଁ ଅକାତରେ ଟଙ୍କା ମୋ ପାଇଁ ବ୍ୟୟ କରିଛ; ମୁଁ ତୁମ ସ୍ୱପ୍ନର ସଂସାରଟିରେ ଗୋଟାଏ ଅପଦାର୍ଥ ଅସାର ଜୀବ । ମୋ ଦୁଃଖରେ ତମେ ଦୁଃଖୀ ହୋଇ ପାରିନା । ଯେଉଁ ସୁଖର ଦୀପଶୀଖା ଜଳାଇବା ପାଇଁ ମୋ ହାତକୁ ବାଢ଼ି ଦେଇଥିଲ ତାହା ମୁଁ ଜଳାଇପାରିବିନାହିଁ । ଯେଉଁ ଅନ୍ଧକାର ଘେରା ତମସା ପଥରେ କଣ୍ଟାଝଣ୍ଟା ନମାନି ଚାଲିଛି–ସେହି ଘନାନ୍ଧାର ତମସା ପଥରେ ଚାଲିବାକୁ ମୋତେ ଅନୁମତି ଦିଅ । ଏତିକି ମୋର ପ୍ରାର୍ଥନା । କହୁଁ କହୁଁ ଆଖି ଦୁଇଟା ତାର ଲୋତକରେ ଭରିଗଲା । ମୁଁ ହତବାକ୍ୟ ହୋଇ ସ୍ଥାଣୁ ଭଳି ବସି ରହିଲି । ହାୟରେ ଜୀବନ ! କାହାକୁ ନେଇ ଏ ଜୀବନର ଦୁର୍ଗମ ପଥ ପାର ହେବି । କହୁଁ କହୁଁ ଦୀର୍ଘ ନିଃଶ୍ଵାସଟାଏ ପକାଇଲେ କୃଷ୍ଣମୋହନ ବାବୁ-

 

କଳ୍ପନାମୟୀ ସ୍ୱାମୀଙ୍କଠାରୁ ଜଗଦୀଶ କଥା ଶୁଣି କାନ୍ଦିପକାଇଲେ । ମଣିଷର ଦୁର୍ବଳ ମନ ତ; କେତେ ଆଡ଼ୁ କେତେ ଦୁଶ୍ଚିନ୍ତା ତାଙ୍କ ମୁଣ୍ଡରେ ଖେଳିଗଲା ।

 

କୃଷ୍ଣମୋହନବାବୁଙ୍କ ସ୍ୱପ୍ନର ସଂସାରରେ ବାସ୍ତବିକ ଆଉ ସୁଖଶାନ୍ତି ବିରାଜମାନ କରୁନାହିଁ । ଧନରେ ମାନରେ ଖ୍ୟାତି ଲାଭ କରି ସେଥିରେ ବା କି ସୁଖ ? ଲକ୍ଷ୍ମୀ ପରି ବୋହୂ, ନନ୍ଦନ ପରି ଘର ପାଇ ଆଜି ଜୀବନ ତାଙ୍କର ଧନ୍ୟ ହୁଅନ୍ତା ସିନା–କିନ୍ତୁ ଧନ୍ୟ ହୋଇପାରିଲାନାହିଁ ତାଙ୍କର ଜୀବନ ସବୁ ଆଶା ନିରାଶାରେ ଉଭେଇଗଲା ।

 

ପନ୍ଦର

 

ସ୍ୱପ୍ନିଳ ଆଶା ଯେତେବେଳେ ମରୀଚିକା ପଛରେ ଘୂରି ବୁଲେ, ସେତେବେଳେ ମଣିଷ ନିଜକୁ ନିଜେ ଭାବିପାରେନା ସେ କଣ କରୁଛି ? ଏହି ଭ୍ରମରେ ପଡ଼ି ଜୀବନଟାକୁ ଭବଘୁରା ସଦୃଶ କଟାଇଦିଏ । ଶାନ୍ତି ପଛରେ ଅଶାନ୍ତି ଖାଲି ଖେଳକରେ ।

 

ଏଇ ଅଶାନ୍ତି ଭିତରେ ଆଜି ଜଗଦୀଶର ଜୀବନଟା ଖେଳ କରୁଛି । ଗତିପଥ ହରାଇ ଯେତେବେଳେ ହତବୁଦ୍ଧି ହୋଇ ସେ ବାପମାଆଙ୍କର ସ୍ନେହମମତା ଏଡ଼ି ସୁଦୂର କଟକ ସହରକୁ ପୁଣି ଫେରିଆସିଲା । ସେତେବେଳେ ସେ ନିଜକଥା ତିଳେହେଲେ ଭାବିନାହିଁ, ଭବିଷ୍ୟତ ତାର କ’ଣ ହେବ ? କଲେଜ ଜୀବନରେ ସେ ଏହି ସହରର ଆଭିଜାତ୍ୟ ଭିତରେ ଦିନ କଟାଇଛି । ଆଜି ସେ କଲେଜ ଜୀବନ ନାହିଁ, ଫୂର୍ତ୍ତିରେ ସମୟ କଟାଇଦେବ । ପଦ୍ମାକୁ ସେ ଚାହେଁନା, ଏହିକଥା ବାପାଙ୍କୁ ଶତ ଅନୁରୋଧ କରି ସେ ଯେତେବେଳେ ନିରାଶ ହେଲା; ଆଉ କେମିତି ବାପ ମାଆଙ୍କ ନିକଟରେ ଆପଣାର ହୋଇ ରହିପାରନ୍ତା ! ପଦ୍ମାପରି ବୋହୂ ତାଙ୍କର ଯେତେବେଳେ ଲୋଡ଼ା, ସେତେବେଳେ କିପରି ବା ସେ ମଥା ପାତି ସହିନେବ । ଏଣୁ ଘରଛାଡ଼ି ଚାଲି ଆସିବା ଛଡ଼ା ତାକୁ ଉପାୟ ନ ଥିଲା ? କଟକ ସହରରେ ଚଳିବା ତା ପକ୍ଷରେ ଯେତେ କଷ୍ଟକର ହେଉ, ସେ ସେହି କଷ୍ଟତା ଭିତରେ ପେଶିହୋଇ ମରିବ ବରଂ ପୁନରାୟ ଘରିକୁ ଫେରିବନାହିଁ ।

 

ଫେରିବ ନାହିଁ ଘରକୁ ? କେଉଁ ଆଡ଼କୁ ସେ ଯିବ ? କେଉଁଠି ଆଶ୍ରୟ ନେବ ? ଭାବିଲା, ଅନେକ ଭାବିଲା ମନକୁ ମନ । ଶେଷରେ ସ୍ଥିର କଲା ଏକମାତ୍ର ଫୁଲ ଛଡ଼ା ତାର କେହି ଆଶ୍ରୟ ନାହିଁ । ସେହି ଫୁଲକୁ ଆପଣାର କରି ଜୀବନଟାକୁ କଟାଇ ଦେବ । ତାକୁହିଁ କହିବ ଫୁଲ, ମୁଁ ଜୀବନରେ ସବୁ ହରାଇଛି–ଏକମାତ୍ର ଭରସା ତୋତେ କରିଛି । ଅଥଳ ଦରିଆରେ ଭାସି ଯାଉଛି ତୁ ଯଦି ରକ୍ଷା ନ କରିବୁ ତେବେ ଆଉ କିଏ ଅଛି ମୋତେ ସାନ୍ତ୍ୱନା ଦେବ ?

 

ହଁ ଠିକ୍ ଭାବିଛି ସେ–ଫୁଲହିଁ ତାକୁ ପ୍ରାଣରୁ ଅଧିକ ଭଲପାଏ । ପ୍ରତ୍ୟାଶା–ପ୍ରତ୍ୟାଶାତ କେବେ ସେ କରିନାହିଁ । ଆଜି ବା କାହିଁକି କରିବ । ଅଭାବ ତାର ବା କଣ ଅଛି ? ହସି ହସାଇ ନାଚି ଗାଇ ଜୀବନଟାକୁ ଏଇମିତି କଟାଇଦେବ । ଠିକ୍ ପ୍ରଫୁଲ୍ଲ ଯାହା କହିଥିଲା ସବୁ ଠିକ୍ । ଦୁଃଖ ଭୁଲିବାକୁ ହେଲେ ମଦ ଆଉ ନାରୀ ଏହି ଦୁଇଟାଇ ପ୍ରୟୋଜନ । ସବୁ ଭୁଲିଯିବ ମଣିଷ–ଯେତେ ଅବଶୋଷ ଥାଉ ନା କାହିଁକି–

 

ଆଶାର ମରୀଚିକା ପଛରେ ଧାଇଁଲା ପରି ଜଗଦୀଶ ଫୁଲଘର ଆଡ଼କୁ ଧାଇଁଲା ।

 

ଫୁଲ ଘର ଆଡ଼କୁ ଜଗଦୀଶ ଧାଇଁଲା ସତ, କିନ୍ତୁ ସହରର ଗାଡ଼ି ଘୋଡ଼ା, କୋଠା ବାଡ଼ି ସମସ୍ତେ ଯେପରି ଏକ ସଙ୍ଗରେ ତାକୁ ବ୍ୟଙ୍ଗ ବିଦ୍ରୂପ କରି କହି ଉଠିଲେ, ରେ ଭ୍ରାନ୍ତ, ମିଛେ ମିଛେ ମରୀଚିକା ପଛରେ ଧାଁ-ନାଁ । ତୋରି ପରି କେତେ ଭ୍ରାନ୍ତ ପଥ ହୁଡ଼ିଲେଣି । ମାତ୍ର ସେ କଥା ଗୁଡ଼ାକ ଜଗଦୀଶ କାନରେ ପ୍ରତିଧ୍ୱନିତ ହେଲା ନାହିଁ–କେଉଁଆଡ଼େ ଶୂନ୍ୟ ଶୂନ୍ୟ ମିଳାଇଗଲା ।

 

ଷୋହଳ

 

ଜଗଦୀଶ ଫେରି ଆସିଲା ଲାସ୍ୟମୟୀ ଗାଇକା ଅନିନ୍ଦ୍ୟା ସୁନ୍ଦରୀ ଫୁଲ ନିକଟକୁ ।

 

ହାୟରେ ମୋହ ! ହାୟରେ ଆକର୍ଷଣ । ସ୍ୱାର୍ଥପର ମଣିଷ ଯେଉଁଠି ପାଏ ସ୍ୱାର୍ଥ–ସେଠାରୁ ତାର ସ୍ୱାର୍ଥ ହାସଲ କରିନିଏ । ଭାବେନା, ଦେଶ-କାଳ-ପାତ୍ର ସମୟାସମୟ । ପରକୁ ଆପଣାର କରେ– ଆପଣାକୁ ପର କରେ ।

 

ଅଭିମାନିନୀ ଫୁଲ–ମୁହଁରେ ଅଭିମାନ ଫୁଟାଇ କହିଲା,

 

–ଜଗଦୀଶ ବାବୁ ! ଘରୁ ଆସିବାକୁ କଣ ମନ ବଳୁ ନଥିଲା ?

 

ମୁଁ ଜାଣେ ଯେ ତମେ ବଡ଼ କପଟିଆ ।

 

ଜଗଦୀଶ ମୁରୁକିହସା ଦେଇ କହିଲା,

 

–ଫୁଲ ! ଏମିତି କଥା କାହିଁକି କହୁଛୁ ?

 

–ଠିକ୍ କହୁଛି ଜଗଦୀଶ ବାବୁ ! ତମକୁ ମୁଁ ଭାବିଲେ କଣ ହେବ, ତୁମେ ଯେ ମୋତେ ଭାବନା ।

 

ଓଃ, ଏଇ କଥା ! ଜଗଦୀଶ ଫୁଲକୁ ପାଖକୁ ଟାଣି ଆଣି ଅଭିମାନଭରା କପୋଳରେ ତାର ସ୍ନେହ ମିଶା ଚୁମ୍ବନଟାଏ ଦେଲା ।

 

ଫୁଲ ଢଳିପଡ଼ିଲା ଜଗଦୀଶର ଛାତି ଉପରକୁ ।

 

ମାନ ଅଭିମାନ ସବୁ କେଉଁଆଡ଼େ ଉଭାଇଗଲା ଫୁଲର ।

 

ଫୁଲ ମୁହଁରେ ସତେଜ ହସ ଫୁଟାଇ କହିଲା,

 

ଜଗଦୀଶ ବାବୁ ! ତୁମର ଏ କେତେ ଦିନ ବିଚ୍ଛେଦର ଅସହ୍ୟ ଯନ୍ତ୍ରଣାରେ ଜୀବନଟା ଛଟପଟ ହୋଇଛି ଖାଲି । ନା ଥିଲା ସୁଖ ନା ଥିଲା ଶାନ୍ତି । ବାସ୍ତବିକ ସେଦିନ କେତେଟା ତୀବ୍ର ଯନ୍ତ୍ରଣାର ଭିତରେ ମୁ ଖାଲି ଦେଖୁଥିଲି ତୁମର ଅପରୂପର କମନୀୟ ଛବି ଖଣ୍ଡିକୁ । ମୋ ମନରେ ସାନ୍ତ୍ୱନା ଆଣି ଦେଉଥିଲା ସେହି ଛବି ଖଣ୍ଡିକ ।

 

ଜଗଦୀଶ ବିଷ୍ଫାରିତ ନୟନରେ ଫୁଲର ଲୋଭନୀୟ ଯୌବନକୁ ଭଲକରି ଦେଖିଲା ତା ଆଖିରେ ଫୁଲର ଫୁଟନ୍ତା ଯୌବନଟା ଅତି ସୁନ୍ଦର ଦିଶୁଛି । କେଡ଼େ ସୁନ୍ଦର କେଡ଼େ ଲୋଭନୀୟ ଏହି ଯୌବନଟା ମ ! ଭାବୁଛି ଜଗଦୀଶ । ଆହାଃ, ଏମିତି ଚିରଦିନ ରହନ୍ତା କି ଯୌବନ । ମନଟା ତାର ଚାହୁଁଛି, ପୁଣି ଅନ୍ତର ଭିତରୁ କିଏ ତାର କହୁଛି–ଆହାଃ ଯୌବନ ଥରେ ଗଲେ ଆଉ ଫେରେନା ।

 

ସଂଧ୍ୟା ଗୋଧୂଳିର ରକ୍ତ ରଞ୍ଜିତ ଆଭା ଜଗତଟାକୁ ହସାଇ ଦେଉଛି ।

 

ରାତ୍ରି ବଧୂ କଜ୍ଜ୍ୱଳ ମୁଖୋସ ପିନ୍ଧି ଜଗତର ମୋହନୀୟ ବସ୍ତୁକୁ ନିଜ ଗର୍ଭରେ ଲୁଚାଇ ଦେବା ପାଇଁ ଆସି ଗଲାଣି । ଗୋଟି ଗୋଟି ହୋଇ ନୀଳ ଆକାଶର ତାରା କୁମାରୀଏ ଆକାଶ ଦୀପ ଜଳାଇ ଦେବାକୁ ସଜ ହେଲେଣି ।

 

ଫୁଲ ହାରମୋନିୟମ ଧରି ଗୀତଟିଏ ଗାଇଲା, ବଡ଼ କରୁଣପୂର୍ଣ୍ଣ ଗଳାରେ–

 

ତୁମରି ପାଇଁ ହେ ପ୍ରିୟ

ନୀରବେ ନୟନୁ ଢାଳିଛି ଲୋତକ

ଆଜି ଦରଶନ ଦିଅ ।

 

ପଥର ମଞ୍ଜୁଳ ହାଟେ

ଚାଲିଥିଲି ବାଟେ ବାଟେ

ଭେଟ ହେଲ ଯେବେ ସପନ ତୁଟାଇ

ହେ ମୋର ଅନ୍ତର ଦିଅଁ ।

 

କମନୀୟ ତୁମ ଛବି

ନିଶି ଦିନ ଅନୁଭବି

ସୁଖର ପ୍ରଦୀପ ଜଳାଇ ଦେଇଛ

ଛିଣ୍ଡିଛି ତମସା ଖିଅ ।

 

ଗୀତ ଗାଉ ଗାଉ ଫୁଲର ନୟନରୁ ଝର ଝର ହୋଇ ଝରି ପଡ଼ିଲା କେତେ ଟୋପା ଲୁହ ।

 

ଜଗଦୀଶ ତନ୍ମୟ ହୋଇ ଫୁଲର ମୁହଁକୁ ଚାହିଁ ରହିଲା ।

 

ବାସ୍ତବିକ କେଡ଼େ କରୁଣ ସଙ୍ଗୀତଟିଏ ଗାଇଲୁ ଫୁଲ ।

 

ଫୁଲ ମୁଗ୍‌ଧ ନୟନରେ ଚାହିଁ ରହିଲା ଜଗଦୀଶର ମୁହଁକୁ ।

 

ଜଗଦୀଶ ଗୋଟାଏ ସୋଫା ଉପରେ ବସି ପୂନରାୟ ଆଉ ଗୋଟାଏ ସଙ୍ଗୀତ ଗାଇବାକୁ ଫୁଲକୁ ଫରମାସି କଲା ।

 

ଫୁଲ ହାରମୋନିୟମ ଛାଡ଼ି ପୁନରାୟ ଏସରାଜ ଧରି ଗୀତ ଗାଇଲା, ସରଳ ତରଳ ଛନ୍ଦରେ–

 

ମୋର ଚୀର ଜୀବନର ବେଦନାକୁ ତୁମେ

ଏଡ଼ାଇ ଦେଇଛ ଆସି,

କାହିଁ ଥିଲ କାହିଁ ଯୌବନ ପୂଜାରୀ

ଦୂରଦେଶୀ ପରବାସୀ ।

 

ଜୀବନଟା ଏମିତି ଚାହେଁ ସୁଖ–ଏମିତି ଚାହେଁ ସଂଭୋଗ । ଏହି ସୁଖ ସଂଭୋଗ ଭିତରେ ମଣିଷର ପାର୍ଥିବ ସ୍ୱପ୍ନ ସଫଳ ହୁଏ ।

 

ଏମିତି ଦିନପରେ ଦିନ ମାସପରେ ମାସ ଗଡ଼ି ଚାଲିଲା ।

 

ଫୁଲ ବାନ୍ଧି ରଖିଲା ଜଗଦୀଶର ମନଟାକୁ । ଜୋରଜବରଦସ୍ତିରେ ନୁହେଁ – ନିଜର ଆକର୍ଷଣ ବଳରେ । ତାଠାରୁ ସେ ଧନର ଆଶା ପାଇଛି; ତା ବି ନୁହେଁ । ଫୁଲ ପାଖରେ ଧନ ଆଜି ଅଭାବ ନାହିଁ । ପ୍ରଚୁର ଧନ ସେ ଅର୍ଜ୍ଜନ କରିଛି । ତାକୁ ସେ ବିନିମୟ କରିବ । ସେ ବୁଝିଛି ଜୀବନଟା ଅବାସ୍ତବ । କଣ ହେବ ଏ ଗୁଡ଼ା ରଖି, ବିଳାସ–ବ୍ୟସନରେ ସିଗାରେଟର ଧୂଆଁ ପରିକା ଫୁଙ୍କି ଉଡ଼ାଇ ଦେବ ।

 

ଆଉ ଦିନକର ବର୍ଷଣ ସଂଧ୍ୟା । ଜଗଦୀଶ ସୋଫା ଉପରେ ଶୋଇ ରହି ଶୁଣୁଥିଲା ଫୁଲର ପ୍ରାଣ ମତାଣିଆ ସଙ୍ଗୀତ ।

 

ଚଞ୍ଚଳ ମନଟା ତା’ର ନିସ୍ତେଜ ହୋଇ ପଡ଼ିଥିଲା । ସଙ୍ଗୀତର ମଧୁର ଝଙ୍କାର ଶୁଣୁ ଶୁଣୁ ଜଗଦୀଶ ନିଦରେ ଶୋଇ ପଡ଼ିଲାଣି ସୋଫା ଉପରେ ।

 

ଏସରାଜଟା ତଳେ ଥୋଇ ଦେଇ ଫୁଲ ଡାକିଲା, ଜଗଦୀଶ ବାବୁ ! ଆଜି ଗୀତ ଶୁଣୁ ଶୁଣୁ ଶୋଇପଡ଼ିଲ ଯେ ?

 

ଜଗଦୀଶର ଆଖିରେ ଘୋଟି ଆସିଥିବା ପାତଳ ନିଦର ପରଦାଟା ଖୋଲିଗଲା ।

 

ଜଗଦୀଶ ମୁରୁକି ହସା ଦେଇ କହିଲା–ନାହିଁ ମ ଫୁଲ ମୁଁ ଶୋଇନାହିଁ ସେ–ଆଖି ବୁଜି ଶୁଶୁଥିଲି ପରା ତୋରି ବୀଣାଜୀଣା ସୁଲଳିତ ଛନ୍ଦଟିକୁ । ବନ୍ଦ କରିଦେଲୁ ଯେ, ଆଉ ଗୋଟେ ଗାଆ ଫୁଲ ।

 

ଫୁଲ କହିଲା–ଜଗଦୀଶ ବାବୁ ! ରାତି ନଅଟା ବାଜିଲାଣି ଚାଲ ଖାଇବା । ଆଜିରେ ଏତିକି ଥାଉ ।

 

ସତର

 

ଫୁଲ ତୋତେ ଗୋଟେ କଥା ପଚାରିବି, କହିବୁ ତ ?

 

କଣ ପଚାରୁଛ ପଚାର । ଫୁଲ ହସ ହସ ମୁହଁରେ କହିଲା ।

 

ଜଗଦୀଶ ନିରୁବ୍ଦେଗରେ କହିଲା,

 

ଫୁଲ ! ତୁ ଏପରି ମଧୁମୟ ସଙ୍ଗୀତ ଗାଇବା କାହା ପାଖରୁ ଶିଖିଲୁ ?

 

କାହାରି ପାଖରୁ ନୁହେଁ–ଆପଣା ଛାଏଁ ଆପେ ।

 

ମନକୁ ଯାଉନି ଫୁଲ !

 

ହାରମୋନିୟମ ବଜାଇବାଠାରୁ ଏସରାଜ ବଜାଇବା ପର୍ଯ୍ୟନ୍ତ ଯେ ତୁ ବାଦ ଯାଇନୁ ।

 

ଫୁଲ ମୁରୁକି ହସା ଦେଇ କହିଲା,

 

ଜଗଦୀଶ ବାବୁ ! ସବୁ ବିଷୟ ଶିଖିବାକୁ ପଡ଼େ । ନ ଶିଖିଲେ କୌଣସି କାମ ଆୟତ୍ତ କରି ହୁଏନା । ନାଚ କୁଦ, ଗାନ କୁହ, ସବୁ ଏହି ଶିକ୍ଷାରୁ ଉତ୍ପତ୍ତି । ମୁଁ କେମିତି ଶିଖିଲି ଏହି କଥା ପଚାରୁଛ ? ଶିଖିଛି ବଡ଼ କଷ୍ଟପାଇ ଜଗଦୀଶ ବାବୁ । ସେତେବେଳେ ମୁଁ ଆଠ ନଅ ବର୍ଷର ହୋଇଥାଏ । ଗାଁରୁ ଆସିଥାଏ ବାପାଙ୍କ ସହିତ ପୁରୀର ରଥଯାତ୍ରା ଦେଖିବାକୁ । ରଥଯାତ୍ରା ଦେଖିବାକୁ ଆସିଥାନ୍ତି ହଜାର ହଜାର ଲୋକ ପୁରୀକୁ । ଭୀଷଣ ଭିଡ଼ । ସେହି ଭିଡ଼ ଭିତରେ ବାପା ମୋର ହାତ ଧରି ଜଗନ୍ନାଥଦେବଙ୍କର ମୌମ୍ୟମୂର୍ତ୍ତି ଦେଖାଇ ଦେଉଁ ଦେଉଁ ଜନଗହଳି ଭିତରେ କେଉଁଠି ମୋତେ ହଜାଇଦେଲେ । ଖୋଜି ଖୋଜି ପାଇଲେ ନାହିଁ । ମୁଁ ବାପାଙ୍କୁ ହଜାଇ ଭୋ ଭୋ ହୋଇ ରଡ଼ିଛାଡ଼ିଲି । ମୋ କନ୍ଦଣା କାହାରି କାନକୁ ଗଲାନାହିଁ । କେହି ଟିକେ ଦରଦ ପ୍ରକାଶ କରି କହିଲେନି, ଆଚ୍ଛା ମା ତୋ ବାପକୁ ଆମେ ଏହି ଭିଡ଼ ଭିତରୁ ଖୋଜି ଦେଉଛୁ ।

 

ଶେଷରେ ଜଣେ ବୃଦ୍ଧ ମୋର ଅସହାୟ ଅବସ୍ଥା ଦେଖି ମୋତେ ପଚାରିଲେ ଆଲୋ ମା’ତୁ ଏଠାରେ କାନ୍ଦୁଛୁ କାହିଁକି ? କଣ ଆପଣାର ଲୋକକୁ ହଜାଇ ଦେଇଛୁ ?

 

ମୁଁ କାନ୍ଦି କାନ୍ଦି ମୋର ବାପକଥା କହିଲି । ସେ ବହୁ ଚେଷ୍ଟାକରି ବାପାଙ୍କୁ ମୋର ଖୋଜିଲେ, ପାଇଲେ ନାହିଁ । ଶେଷରେ ମୋତେ କୋଳକରି ସଙ୍ଗରେ ଘେନିଗଲେ । ମୁଁ ନିରୁପାୟ ହୋଇ ତାଙ୍କ ଘରେ ରହିଲି । ତାଙ୍କର ଦୁଇଟି ଝିଅ ଥାଆନ୍ତି । ଶୋଭା ଆଉ ପ୍ରଭା । ସେ ଦୁଇଟି ମୋର ସମବୟସୀ ହେବେ –ବର୍ଷେଖଣ୍ଡ ଏପଟ ସେପଟ ହେଲେ ହୋଇପାରେ । ତାଙ୍କୁ ନାଚ ଶିଖେଇବା ପାଇଁ ଜଣେ ମାଷ୍ଟର ଆସୁଥାନ୍ତି । ମୁଁ ତାଙ୍କରି ସାଙ୍ଗରେ ରହି ଖେଳି, ବୁଲି ବାପା କଥା ଭୁଲିଗଲି । ସେ ମାଷ୍ଟରଟି ମୋତେ ଭଲପାଇ ନାଚ ଶିଖାଇଲେ । ମୁଁ ନାଚ ଗାନରେ ବେଶ୍ ନିପୁଣା ହୋଇଗଲି ।

 

ଏମିତି ଦିନ ପରେ ଦିନ, ମାସ ପରେ ମାସ ଗଡ଼ିଚାଲିଲା । ଜୀବନର ପହିଲି ପାହାଚରେ ଗୋଡ଼ ଦେଉ ନ ଦେଉଶୁ ଏକ ତୁମୂଳ ଝଡ଼ରେ ପିଟି ହୋଇ ଜୀବନ–ଚକ୍ର ଘୂରି ଘୂରି ଆସି ଲାଗିଲା–ଏହି କଟକର ଅନ୍ଦି ସନ୍ଧି ଏକ ଗଳିରେ । ନିରୁପାୟ ଅବସ୍ଥାରେ ଜୀବନଟା ପରର ଉତ୍ସର୍ଗରେ ଲଗାଇଲି । ଭରା-ଯୌବନ ନେଇ ଜୀବନଟାକୁ ଏମିତି କଟାଉଥିଲି–ସତ, ମନଟା ତହିଁରେ ତୃପ୍ତି ହେଉ ନଥିଲା । ଅତୃପ୍ତିଭ‍ରା ପ୍ରାଣରେ ତୃପ୍ତିର ଉତ୍ସ ତୁମେଇ ଆସି ଢାଳି ଦେଇଛ । ତୁମେ ମୋର ଦେବତା ତୁମେ ମୋର ସବୁ । ଫୁଲ କହୁଁ କହୁଁ କାନ୍ଦି ପକାଇଲା । ବିଗତ ଜୀବନର କାହାଣୀ ଆଜି ତା ଅନ୍ତରପଟରେ ଏକ କଳାଦାଗ ଲଗାଇ ଦେଇଛି ।

 

ଜଗଦୀଶ ଶୁଣୁ ଶୁଣୁ ଆବେଗଭରା କଣ୍ଠରେ କହିଲା–ଫୁଲ, ବ୍ୟଥାତୁରା ହେଉଛୁ କାହିଁକି-। ତୋରି କଞ୍ଚା-ଯୌବନ ନାରୀ-ମାଂସର ଗନ୍ଧ ମୋତେ ବିଭୋର କରିଛି । ତୋତେ ମୁଁ ଭଲ ପାଏ–ପ୍ରାଣ ଦେଇ ଭଲପାଏ ଫୁଲ ।

 

ଫୁଲ ହସିଲା ଆଖିରେ ଅନାଇଁଲା ଜଗଦୀଶର ମୁହଁକୁ ।

 

ଜଗଦୀଶ ଫୁଲର ବଳିଲା ବଳିଲା । ଦେହକୁ ଲୋଭିଲା ଆଖିରେ ଅନାଇଁ କହିଲା ଫୁଲ-!

 

ଗାଆ ଗୋଟେ ସଂଗୀତ ।

 

ଫୁଲ ଏସରାଜ ଧରି ସେହି ଗୀତଟି ଗାଇଲା ।

 

ମୋର ଚୀର ଜୀବନର ବେଦନାକୁ ତୁମେ......

 

ଅଠର

 

ଛିଃ ନୂଆବୋଉ ତମେ ଭାଇଙ୍କ ପାଇଁ କାନ୍ଦନା ଏତେ !

 

କାନ୍ଦି କାନ୍ଦି ତମ ମୁହଁଟା ଫୁଲି ଗଲାଣି । ମୋ ରାଣ ତୁନି ହୁଅ । ଚାଲ ଖାଇବ ।

 

ପଦ୍ମା ଅଖିଆ ଅପିଆ ଚାରିଦିନ ହେଲାଣି ଶୋଇଛି । ଲୁଗା କାନିରେ ଲୁହ ପୋଛୁ ପୋଛୁ ପଦ୍ମା କହିଲା

 

କମଳା ! ମୋ ସୁନା ନଣନ୍ଦଟା, ଭୋକରେ ମୋ ପାଇଁ କାହିଁକି ଆଉଟି ପାଉଟି ହେଉଛୁ-? ଯା ଖାଇ ଦିଏ । ମୁଁ କହିଲି ପରା ଖାଇବି ନାହିଁ ।

 

କମଳା ଭାଉଜର ହାତ ଧରି ଜୋର ଜବରଦସ୍ତିରେ ଉଠାଇ ଖୋଇବାକୁ ନେଲା ।

 

ପଦ୍ମା ଭାତ ଥାଳିରେ ଦି’ଥର ହାତ ମାରି ଉଠିଆସିଲା ।

 

କମଳା ଭାଉଜକୁ ଖୁଆଇ ପାରିଲା ନାହିଁ ।

 

ପ୍ରାଣର, ଆବେଗ ପ୍ରାଣର କୋହ ଆଉ ସେ ଚାପି ରଖି ପାରିବ ନାହିଁ, ଜୀବନଟା ସତେ କଣ ତା’ର ଏମିତି ଡହଳବିକଳରେ ଛଟପଟ ହୋଇ କଟିବ ? ସତେ ରାଧାମାଧବ ଦୁଃଖ ଘୁଞ୍ଚାଇବେ ?

 

ଦିନ ଦିନ ରାତି ରାତି ରାଧାମାଧବଙ୍କ ଚରଣ ତଳେ ମଥା ରଖି ପଦ୍ମା ଆଖିରୁ ଲୁହ ଢାଳେ । ତଥାପି ପଥର ଦେବତାର ଧିଆନ ଭାଙ୍ଗେନାହିଁ ।

 

ପଦ୍ମା ଭାବେ ପାଷାଣ ଦେବତା କଳି ଯୁଗରେ ସ୍ଵପ୍ନରେ କଥା କହେ, ସତେ କଣ ରାଧାମାଧବ ତାର ପ୍ରାଣର ବେଦନା ଲାଘବ କରି ସ୍ୱପ୍ନରେ ସଜୀବ ପରି ତାକୁ କଥା କହିବେ ।

 

ସତକୁ ସତ ପଦ୍ମା ସ୍ଵପ୍ନ ଦେଖେ ରାଧାମାଧବଙ୍କ ଚରଣ ତଳେ ସେ ମଥା କୋଡ଼ି କାନ୍ଦୁଛି, ତାର ବ୍ୟଥିତ ପ୍ରାଣରେ ସାନ୍ତ୍ୱନା ଦେଇ ରାଧାମାଧବ କହୁଛନ୍ତି–

 

“ତୁନିହ ପଦ୍ମା ! ଦୁଃଖ ତୋର ଘୁଞ୍ଚିଯିବ । ଅଦିନିଆ ମେଘଟା ତୋ ହୃଦୟାକାଶକୁ ଘୋଡ଼ାଇରଖି ଅନ୍ଧକାର କରି ପକାଇଛି; ଅଚିରେ ତାହା ମିଳାଇ ଯିବ । ସୁଖର ସଂସାର ହସି ଉଠିବ ତୋର ।”

 

ନିଦ ଭାଙ୍ଗି ଯାଏ । ସ୍ଵପ୍ନ କଥା ମନେ ପକାଇ ପଦ୍ମା ମନକୁମନ ହସି ଉଠେ ।

 

ଭାବେ ନିଶ୍ଚୟ ତାର ଦୁଃଖ ରାଧାମାଧବ ଘୁଞ୍ଚାଇବେ ।

 

ଦିନ ଗଡ଼ିଚାଲେ ।

 

ସବୁଦିନେ ସବୁକଥା ନଥାଏ । କୁଆଡ଼େ କିଛି ନଥିଲା ପଦ୍ମାକୁ ହେଲା ଜର । ଅଖିଆ ଅପିଆ ବିଛଣାରେ ପଡ଼ିରହିଲା । ଡାକ୍ତର ଔଷଧ ଖାଇବାକୁ ଦେଲା–ଓଷଧ ବି ଖାଇଲା ନାହିଁ । ଏଣୁ ତେଣୁ ବକିବାକୁ ଲାଗିଲା । ଯେତେ ବୁଝାଇଲେ ଶାଶୁ ଶ୍ଵଶୁର ଆସି ମୋଟେ ସେ ବୁଝିଲା ନାହିଁ–ବାଚାଳତା ହୋଇ ଖାଲି ଜଗଦୀଶକୁ ଖୋଜିଲା ।

 

ଏ ସବୁ ଦେଖି କଳ୍ପନାମୟୀ ଭୋ ଭୋ ରଡ଼ି ଛାଡ଼ିଲେ । କୁଳର ବୋହୂ – ଅଖିଆ ଅପିଆ ଜର ବାଧକାରେ ପଡ଼ି ରହିଛି ।

 

କୃଷ୍ଣମୋହନବାବୁ ବୋହୂର ପିଠି ଆଉଁସି ଦେଇ କହିଲେ, ମାଆ ମୋର ! ତମେ ଔଷଧ ଖାଅ । ଭଲ ହୋଇଯାଅ । ମୁଁ କଟକ ଯାଇ ଜଗଦୀଶକୁ ଘରକୁ ଫେରାଇ ଆଣିବି । ତମେ ଏମିତି ହୁଅନା । ହେଇ ଦେଖନି ଶାଶୁ ତମର କାନ୍ଦି କାନ୍ଦି ଧୂଳିରେ ଲୋଟୁଛନ୍ତି କିପରି ?

 

ପଦ୍ମା ଆଖିମେଲି ଅନାଇଁଲା, ଶାଶୁ ତାର କାନ୍ଦୁଛନ୍ତି । ନଣନ୍ଦଟି ଗୋଡ଼ ଆଉଁସି ଦେଉଛି ପାଖରେ ବସି ।

 

ଶୁଷ୍କ କଣ୍ଠରେ ପଦ୍ମା କହିଲା, ତେବେ ଦିଅ ବାପା ! ଔଷଧ ମୋତେ ପିଆଇ ଦିଅ । ମାଆଙ୍କୁ କୁହ ସେ ତୁନି ହେବେ ।

 

କୃଷ୍ଣମୋହନବାବୁ, ପଦ୍ମାକୁ ଔଷଧ ପିଆଇ ଦେଲେ ।

 

ପଦ୍ମାର ପତଳା ଚେହେରା ଶୁଖିଗଲାଣି, ଜର କେଇଦିନ ଭିତରେ । ନିଜେ କଳ୍ପନାମୟୀ ଶାଗୁ, ବାର୍ଲି ପିଆଇଲେ । ଠିକ୍ ମାସକ ପରେ ପଦ୍ମାକୁ ଟିକେ ଜର ଛାଡ଼ିଲା । ଜର ସିନା ଛାଡ଼ିଗଲା, ଦୁର୍ବଳରେ ତା’ର ମୁଣ୍ଡ ସବୁବେଳେ ଘୁରାଇଲା ।

 

କମଳା ଯେତେବେଳେ ପଦାର ମୁଣ୍ତରେ ଓଡ଼ିଓକଲମ ମାଲିସ କରେ–

 

ପଦ୍ମା କହେ କମଳା ଲୋ, ତୁ କଣ ପାଗିଳିଟା କି ? କାହିଁକି ଏ ସବୁ ମୋ ମୁଣ୍ତରେ ଲଗାଉଛୁ ।

 

ସତେ କଣ ମୁଁ ଆଉ ବଞ୍ଚିବି ?

 

କମଳା ଜିଭ କାମୁଡ଼ି ପକାଇ କହେ–ଛିଃ ନୂଆବୋଉ ଏମିତି କାଳ କଥା କୁହନାହିଁ । ତମେ ବଞ୍ଚି ରୁହ । ଭାଇ ଫେରି ଆସିବେ । ଭାଇଙ୍କୁ ନେଇ ଯୁଗ ରାଇଜ କରିବ ।

 

ପଦ୍ମା ଶୁଣେ ମୁହଁରେ ତାର ହସ ଫୁଟେନାହିଁ–କି କୌଣସି କଥା କହେ ନାହିଁ ।

 

ପଦ୍ମାର ଏ ଘରକୁ ଆସିବା ଦି’ବରଷ ହେଲାଣି । ସ୍ୱାମୀ ସମ୍ଭୋଗ ସେ କଣ ଜାଣିଲା ନାହିଁ । ବାର ମାସରେ ତେର ବ୍ରତ କରି ଭୋକ ଉପାସରେ ଦିନ କାଟେ । ଗୋରୁ ବ୍ରାହ୍ମଣ ଦୁଃଖୀ ରଙ୍କିଙ୍କ ସେବା କରେ ପଦ୍ମା–ଦୁଃଖରେ ସମସ୍ତେ ଆହାଃ ଆହାଃ କରନ୍ତି, ବୁଢ଼ା ବୁଢ଼ୀଏ କହନ୍ତି ସତେ ଲକ୍ଷ୍ମୀ ପରି ସ୍ତ୍ରୀକୁ ଜଗଦୀଶ ଅଣହେଲା କରୁଛି ।

 

ସେଦିନ ଗାଁରେ ହୁରି ପଡ଼ିଥାଏ ଜଗଦୀଶ କୁଆଡ଼େ କଟକରେ ଗୋଟାଏ ବେଶ୍ୟା ରଖିଛି ।

 

କୃଷ୍ଣମୋହନବାବୁ ଶୁଣି ଶୁଣି କାନ ଦି’ଟାକୁ ପଥର କରିଦେଲେ–କଳ୍ପନାମୟୀ କହିଲେ, ଧାନ କିଆରୀରେ ବାଳୁଙ୍ଗା ଉତ୍ପତ୍ତି ହେଲା ପରି ଜଗଦୀଶ ଶିକ୍ଷିତ ପୁଅଟା ହୋଇ ବାଳୁଙ୍ଗା ହୋଇଗଲା ।

 

ପଦ୍ମା ସ୍ୱାମୀର ଦୁଶ୍ଚରିତ୍ର କଥା ଶୁଣି କାନ ଦି’ଟାକୁ ବିଶ୍ଵାସ କରି ପାରିଲା ନାହିଁ, ସେ ଭାବିଲା ସତେ ଯେପରି ଆକାଶ ତା ମୁଣ୍ଡ ଉପରେ ଭାଙ୍ଗି ପଡ଼ୁଛି । ବସୁଧାଟା ଫାଟି ଯାଉଛି ଦି’ଫାଳ ହୋଇ । କାଳର କରାଳମୂର୍ତ୍ତି ଜିଭ ଲହଲହ କରି ତାର ଭବିଷ୍ୟତକୁ ଛାରଖାର କରି ଦେଉଛି । ସେ ଆଉ କେଉଁ ଆଶାରେ ବଞ୍ଚି ରହିବ ? କାହା ଆଗରେ ଡହଳ ବିକଳ ସନ୍ତତ୍ପ ପ୍ରାଣର ଆର୍ତ୍ତନାଦ ଶୁଣାଇବ ?

 

ତଥାପି ତାର ଆଶା ନିଶ୍ଚୟ ଜଗଦୀଶ ଫେରିବ । ସ୍ଵାମୀ ପ୍ରତି ତାର ଯଦି ଅଟଳ ବିଶ୍ଵାସ ଥାଏ–ସ୍ୱାମୀ ସେବାକୁ ସେ ଯଦି ଜଗତର ପରମ ଶ୍ରେଷ୍ଠ ବୋଲି ମନେ କରୁଥାଏ, ଦିନେ ନା ଦିନେ–ତା ଭାବନାହିଁ ସତ୍ୟରେ ପରିଣତ ହେବ । ସେ ପୁଣି କହିବ ରାଧାମାଧବ ତୁମରି କଥା ସତ୍ୟ । ତୁମେ ଏ ଯୁଗରେ ପାଷାଣ ରୂପରେ ସଜୀବ ଦେବତା ।

 

ଛନ୍ଦ ବାଉଳା ଜୀବନଟା ଛନ୍ଦି ହୋଇପଡ଼େ ଏଇସବୁ ଭାବନା ଭିତରେ ।

 

କଳ୍ପନାମୟୀ ଜଗଦୀଶ ପାଇଁ କାନ୍ଦି କାନ୍ଦି ଆଖି ଲୁହ ଆଖିରେ ମାରୁଛନ୍ତି । ପେଟ ଭୋକ ପେଟରେ ମାରୁଛନ୍ତି–ମନଟାକୁ ମୋଟେ ବିଶ୍ୱାସ କରି ପାରୁ ନାହାଁନ୍ତି । ସତେ କଣ ଜଗଦୀଶ ମୋର ଆସିବ ? ଯୁଗ ରାଇଜ କରିବ ? ଏଇ ଭାବନା କରି କରି ସକାଳ ଯାଇ ସଞ୍ଜ ହେଉଛି । ତାଙ୍କ ପାଖରେ ଜଗଦୀଶର ଭଲ ମନ୍ଦ କଥା କେହି ଯଦି ଶୁଣାଇବାକୁ ଆସୁଛି ସେ କାହାରି କଥା କାନକୁ ନେଉ ନାହାନ୍ତି ।

 

ସେ ଦେଖୁଛନ୍ତି ଆଜି ତାଙ୍କର ସଂସାରଟି କେମିତି ଅସାର ହେଇଯିବାକୁ ବସିଲାଣି ।

 

ଗାଁ ଲୋକଙ୍କ କଥାରେ କଣ ବା ସେ କାନଦେବେ ? ସେ ଜୀବନରେ କେବେ ଭାବି ନଥିଲେ ଏମିତି ଘଟିବ ବୋଲି ।

 

କୃଷ୍ଣମୋହନବାବୁ ଏଇ ଚିନ୍ତା ଏଇ ଭାବନାରେ ଚାକିରୀ ମଧ୍ୟ ଛାଡ଼ି ଦେଲେଣି । କଣ ହେବ, ଚାକିରୀ କରି ? ଜୀବନସାରା ଯଥେଷ୍ଟ ଅର୍ଥ ସେ ଉପାର୍ଜ୍ଜନ କରିଛନ୍ତି–ଅର୍ଥ ଲାଳସା କରିବା ଆଉ ପ୍ରୟୋଜନ ନାହିଁ ।

 

ସ୍ଵପ୍ନର ସଂସାର । ମଣିଷ ଦିନ କେଇଟାରେ ନିଜ ଜୀବନର ଖେଳା ଲୀଳା ସାଙ୍ଗକରେ । ନିଜର ଈପ୍‌ସିତ କାମନା ପୂରୁ ନ ପୂରୁଣୁ ସେ ଫେରିଯାଏ ଏ ଜଗତରୁ ଆଉ ଗୋଟାଏ ଜଗତକୁ । ତା କାମ ସେଇଠୁ ଅପୂରଣ ରହିଯାଏ । ଏଇ ତ ସଂସାର । ହସ–କାନ୍ଦ ହର୍ଷ–ବିଷାଦ ଭିତରେ ମଣିଷର ଜୀବନ ଦୀପ ଲିଭିଯାଏ । ଅର୍ଜିତ ପାର୍ଥିବ ଧନ ପଡ଼ିରହେ ।

 

ବୈରାଗ୍ୟ ଅନ୍ତରରେ କୃଷ୍ଣମୋହନବାବୁ ଏହାହିଁ ଭାବୁଛନ୍ତି । ସତେ ଯେପରି ମାୟା ମମତା ତାଙ୍କର ସଭିଙ୍କ ଉପରୁ ତୁଟି ଯାଉଛି ।

 

ଗୋପାଳପୁରରୁ ସେଦିନ ଝିଅର ଅସୁସ୍ଥ ଖବର ଶୁଣି ଝିଅକୁ ଦେଖିବାକୁ ଆସିଥିଲେ ଛୋଟରାୟ । ଜୋଇଁର ସମସ୍ତ ଖବର ତାଙ୍କ କାନରେ ବାଜିଲାଣି । ଲୁଚାଇ ଛପାଇ ରଖିବାର ନୁହେଁ, କିଏ ଲୁଚାଇ ରଖିବ । ସମୁଦୀ ଛୋଟରାୟ ଜୋଇଁର ସ୍ଵଭାବ ଚରିତ୍ର କଥା କୃଷ୍ଣମୋହନ ବାବୁଙ୍କୁ କହି ବଡ଼ ଅନୁତାପ କଲେ, ଏବଂ ମନଦୁଃଖ ମନରେ ଚାପି କହିଲେ ସମୁଦୀ, ମୁଁ ଝିଅଟିକୁ ନେଇ ଯାଉଛି, ଏଠାରେ ତାର ଦେହପାଆ ଭଲ ରହୁନି । ସେଠାରେ ଲୋକ ଅଛନ୍ତି ଦେଖାଚାହାଁ କରିବେ ।

 

କୃଷ୍ଣମୋହନବାବୁ ହତବୁଦ୍ଧି ହେଲା ପରି ଜବାବ ଦେଲେ ସମୁଦୀ ବୋହୂଟି ମୋର ଜରରେ ପଡ଼ି ବଡ଼ ବେହାଲିଆ ହୋଇ ଯାଇଛି । ଏଠାରେ ତ ଦିନରାତି ଆମେ ଦେଖା ଚାହାଁ କରୁଛୁ । ଦେଖୁ ଦେଖୁ ମାସ ଗୋଟାଏ ହେଇଗଲା । ଆମଠାରୁ ତୁମେ କଣ ବେଶୀ ଦେଖିବ ?

 

ଛୋଟରାୟ କହିଲେ, ମୁଁ କଣ ନାହିଁ କରୁଛି ତୁମେ ଦେଖା ଚାହା କରୁନା–ଏଠାରେ ପ୍ରାୟ ତାର ଦେହ ଭଲ ରହୁନି । ଝିଅଟା ମୋର କଣ୍ଟାପରି ହେଲାଣି । କଣ ତା’ର ହେଉଛି ମୁଁ କିଛି ବୁଝି ପାରୁନି । ସେ ଯା ହେଉ ମୁଁ କାଲିରେ ସବାରୀ ପଠାଇ ଦେବ କହି ଛୋଟରାୟ ଚାଲିଗଲେ ।

 

ତାଙ୍କ କଥାଟା ଯେପରି ଶେଳବିଦ୍ଧ କଲାପରି କୃଷ୍ଣମୋହନ ବାବୁ ଅନୁଭବ କଲେ । ଗୁମ୍ମାରି କିଛି ସମୟ ଆକାଶ ପାତାଳ ଭାବିଲେ । ଛୋଟରାୟ ଝିଅକୁ ନେଇଯିବେ ବାରଣ କେମିତି ବା କରିବି ନେଇ ଯାଆନ୍ତୁ । ଦୁଃଖ ସେଥିପାଇଁ ସେ କରୁ ନାହାନ୍ତି, ମାତ୍ର ଏତିକି ମନରେ ପ୍ରଶ୍ନ ଜାଗୁଛି କାଳେ ଜଗଦୀଶ ପାଇଁ ତାଙ୍କର କିଛି ଭିନ୍ନ ଧାରଣା ଯଦି ଥାଏ । ବୋହୂଟିକୁ ଯଦି ନ ପଠାନ୍ତି ଆଉ । ପାପ ମନଟା ଛୁଇଁଲା ତାଙ୍କର । କଳ୍ପନାମୟୀଙ୍କୁ ପଚାରିଲେ–କଳ୍ପନା, ସମୁଦୀ ଝିଅଟିକୁ ତାଙ୍କର ନେଇଯିବେ, ପଠାଇବାକୁ ତୁମେ ଏକମତ ଅଛତ ?

 

କଳ୍ପନାମୟୀ କହିଲେ ଜୋର ଜବରଦସ୍ତିରେ ଆଜିକାଲି କୌଣସି ବିଷୟ କରିବାର ନୁହେଁ । ଝିଅ ତାଙ୍କର । ନେବାକୁ କହୁଛନ୍ତି ନେଇ ଯାଆନ୍ତୁ । ଏଥିପାଇଁ ଭାବିବାର କଣ ଅଛି ?

 

ଝିଅ ତାଙ୍କର । ବୋହୂ ହିସାବରେ ସେ କଣ ଆମର ନୁହେଁ ? ଏତିକି କହି କୃଷ୍ଣମୋହନବାବୁ ନୀରବ ରହିଲେ ।

 

ତହିଁ ଆରଦିନ ଛୋଟରାଏ ସବାରୀ ପଠାଇ ଝିଅକୁ ନେଇଗଲେ ।

 

ପଦ୍ମା ଗଲାବେଳକୁ ସବାରୀ ଫାଙ୍କରେ ଆଖିରୁ ଲୁହ ଢାଳି କାନ୍ଦୁ କାନ୍ଦୁ ଶାଶୁଙ୍କୁ ତାର କହିଥିଲା ମୋ ପାଇ ମନଦୁଃଖ କରିବ ନାହିଁ ମାଆ । ଜାଣିବ ମୁଁ ତମର ଗୋଟାଏ ଝିଅ, ପେଟ ଭୋକ ପାଇଁ ନୁହେଁ ମଥାରେ ସିନ୍ଦୂର ହାତରେ କାଚ ପିନ୍ଧି ଜୀବନଟାକୁ ସୁଖମୟ କରି ପାରିଲି ନାହିଁ ବୋଲି ଆଜି ବାପ ଘରକୁ ଯାଉଛି । ତମ ସ୍ନେହ, ତମ ଆଦର ଭୁଲି ପାରିବି ନାହିଁ–ବଞ୍ଚି ରହି ଜୀବନରେ ଥିଲେ ଫେରିବି ।

 

ଉଣେଇଶ

 

ଜଗଦୀଶ ଫୁଲର ଚିବୁକରେ ଅଙ୍ଗୁଳି ଚାଳନା କରୁ କରୁ କହିଲା, ଫୁଲ ସେଦିନ ତୋର ପ୍ରଲୋଭନରେ ପଡ଼ି ମୁଁ ଆଜି ଜଗତର ସବୁ କିଛି ପରିତ୍ୟାଗ କରିଛି–ତୋ ଛଡ଼ା ନିଜର ବୋଲି କେହି ଆଜି ନାହିଁ । ଅକପଟ ପବିତ୍ରତା ଜୀବନ ଭିତରେ ତୁ ମୋତେ ଯେପରି ଦେଖି ଆସିଛୁ, ମୁଁ ଆଜି ସେଇଥି ପାଇଁ ଭାବୁ ନାହିଁ ତୁ ପର ବୋଲି ।

 

ତେବେ ମୁଁ କଣ ଭାବୁଛି ତୁମେ ପର ।

 

ଜଗଦୀଶ କିଛି ସମୟ ଗୁମ୍‍ମାରି କହିଲା ଫୁଲ, ପବିତ୍ରତାର ଦ୍ୱାହି ଦେଇ ଯିଏ ଅନେକ ଅଶୋଭନୀୟ କାମ ଆଚରି ଥାଏ, ସେ କଣ ଯେଡ଼େ ଆପଣାର କହିଲେ, ଆପଣାର ହୋଇଥାଏ-? ବିଶ୍ୱାସରେ ବିଷ ଥାଏ ।

 

ଫୁଲ କହିଲା, ଜଗଦୀଶବାବୁ ! ତୁମେହିଁ ଦିନେ ମୋତେ କହିଥିଲ ଟିକିକ କଥାରେ କାହାରିକୁ ଅବିଶ୍ଵାସ କରିବା ଉଚିତ୍ ନୁହେଁ । ଆଜି ତମେ ସନ୍ଦେହ ଦୋଳାରେ କାହିଁକି ଦୋଦୂଲ୍ୟମାନ ?

 

ଜଗଦୀଶର ଆଖିରୁ ନିଆଁହୁଳା ଜଳିଉଠିଲା । ସେ କହିଲା, ଫୁଲ ତୋରି ଶପଥ–ଆଜି ମୋତେ ଏତେ ଦୂର ଆଗରୁ ଟାଣି ଆଣିଛି । ଅକପଟ ହୃଦୟରେ ତୋତେ ମୁଁ ପ୍ରେମ କରେ । କିନ୍ତୁ ଅବିଶ୍ୱାସଟାକୁ ବଢ଼ାଇ ଦେଇଛୁ ଆଗ ତୁ I

 

ଫୁଲ ଆଶ୍ଚର୍ଯ୍ୟ ହୋଇ କହିଲା, ମୁଁ ବଢ଼ାଇଛି ?

 

ହଁ ଫୁଲ ତୁ । ମନେ ଅଛି ସେଦିନ ତୋତେ ମୁଁ ଶପଥ କରାଇ କହିଥିଲି ଫୁଲ, କେବେ ଯେପରି ଏ ଘରେ ମୁଁ ଅନ୍ୟ କାହାକୁ ଦେଖିବାକୁ ନ ପାଏ । ମାତ୍ର ସେ କଥାର ତାତ୍ପର୍ଯ୍ୟ ଆଜି ବୁଝି ପାରିଛି ।

 

ଫୁଲ ଆଶ୍ଚର୍ଯ୍ୟ ହୋଇ ସିଂହିଣୀ ସଦୃଶ ଜଗଦୀଶ ମୁହଁକୁ ଅନାଇଲ ।

 

ତିନି ଦିନ ତଳର କଥା ମନେ ତାର ପଡ଼ିଲା । କିଏ ତା ନିକଟକୁ ଆସିଥିଲା ? କେଉଁ ଅଭିଳାଷରେ । କଣ ପ୍ରେମ ପାଇଁ ? ମଦ ଖାଇଲେ ଯେପରି ମଦୁଆ ମାତାଲ ହୋଇ ଏଣୁତେଣୁ କଥା କହେ–ଠିକ୍ ଫୁଲ ସେହିପରି କଥା କହୁଁ କହୁଁ ଜଗଦୀଶକୁ କହିଲା, ଜଗଦୀଶ ବାବୁ ! ପବିତ୍ରତା ଭିତରେ ଅପବିତ୍ରତାର ସ୍ଥାନ ନାହିଁ । ନିର୍ମଳ ହୃଦୟରେ ତୁମକୁ ଆରାଧନା କରିବାକୁ ଯାଇ ଦେଖିଲି ତୁମେ କପଟତା ଆଚରଣ କରି ମୋତେ ଠକାଇବା ପାଇଁ ଆଗେଇ ଆସିଛ ମୋ ନକକୁ । ସେହି ଦନଠୁଁ ତୁମକୁ ଆଉ ବିଶ୍ଵାସ କରି ପାରିନି । ତୁମେଇ ପ୍ରଚାରକ – ତୁମେଇ ଅବିଶ୍ଵାସୀ । ଭାବିଥିଲି ନିଷ୍କପଟ ହୃଦୟରେ ଜୀବନଟାକୁ ତୁମରି ଜୀବନରେ ଛନ୍ଦି ବକୟା ସମୟତକ କଟାଇ ଦେବା ପାଇଁ, ମାତ୍ର ତାହା ପାରିଲି ନାହିଁ । ଏଣୁ ମୁଁ ମୋର ପୁର୍ବ କର୍ତ୍ତବ୍ୟରେ ପରକୁ ଆପଣାର କରିବାକୁ ଯାଉଛି ।

 

କ୍ଷମା କରିବ ଜଗଦୀଶ ବାବୁ ! ମୋର ଏହି ଶ୍ରଦ୍ଧା ପାଇଁ ମୁଁ ନିଜକୁ ନିଜେ ଦାୟୀ ।

 

ଜଗଦୀଶ ନିର୍ବାକ ହୋଇ ଗୋଟାଏ ସୋଫା ଉପରେ ବସି ପଡ଼ିଲା । ଫୁଲକୁ କଣ ସେ ଜବାବ ଦେବ ଖୋଜି ପାଇଲା ନାହିଁ ।

 

କିଛିକ୍ଷଣ ପରେ ଜଗଦୀଶ କହିଲା,

 

ଫୁଲ, ତେବେ ମୁଁ କଣ ଅବିଶ୍ୱାସୀ ?

 

ହଁ ତୁମେ ଅବିଶ୍ଵାସୀ ।

 

ତୁମେ ଜଗତକୁ ଠକାଇବା ପାଇଁ ବସିଛ । ନିରୀହା ସରଳା ବାଳିକା ବଧୂର ପାଣିଗ୍ରହଣ କରି ଶେଷରେ ତାକୁ ହଟହଟା କରି ଜୀବନସାରା କନ୍ଦାଇବା ପାଇଁ ଷଡ଼ଯନ୍ତ୍ର କରିଛ–ପବିତ୍ର ଦାମ୍ପତ୍ୟ ଜୀବନକୁ ଅସାର କରି ଆଶାରୁ ଅମରାବତୀ ଗଢ଼ିବାକୁ ଧାଇଁଛ ଆଉ ଏକ ନୀଡ଼କୁ ଆଶ୍ରା କରି । ସରଳା ବାଳିକାର ହା-ହୃତାଶ କରୁଣ ଆର୍ତ୍ତନାଦରେ ତୁମେ ସୁଖୀ ହୋଇ ପାରିବ ନାହିଁ । ଏଣୁ ତୁମକୁ ମୁଁ ଫେରାଇ ଦେଉଛି । ମୁଁ ମରୀଚିକା–ମୋ ପଛରେ ଗୋଡ଼ାଇ ଶେଷରେ ହତାଶ ହେବ–ଆଶା ମେଣ୍ଟିବ ନାହିଁ–ଭୋକ ମରିବ ନାହିଁ–ସାହାଟା ଖାଲି ଦହଗଞ୍ଜ ହେବ । ପ୍ରେମ ପ୍ରଣୟକୁ ମଧୁମୟ କରିବାକୁ ଫେରିଯାଅ ତୁମେ ସେହି ନିଷ୍କପଟା ସରଳା ପଲ୍ଲୀବଧୂର ଆଳୟକୁ । ସେଇଠି ପାଇବ ଶାନ୍ତି, ସୁଖ, ଐଶ୍ୱର୍ଯ୍ୟ ।

 

ମୋତେ ଆଜି ଯେପରି ଭଲ ପାଇଛ ସେହିପରି ଭଲ ପାଇବାକୁ ଚେଷ୍ଟାକର ପଦ୍ମାକୁ ।

 

ଜଗଦୀଶ ଆଶ୍ଚର୍ଯ୍ୟ ଆଖିରେ ଅନାଇଁଲା ଫୁଲର ଯୌବନାଭରା ମୁହଁକୁ । କହିଲା–

 

ନାଁ–ନାଁ–ଫୁଲ, ପଦ୍ମାକୁ ଭଲ ପାଇ ପାରିବି ନାହିଁ । ପଦ୍ମା ମୋତେ ସୁଖୀକରି ପାରିବ ନାହିଁ । ତା କଥା ଆଉ କହନା ମୋତେ । ବରଂ ଜୀବନଟା ନରକରେ ପଡ଼ି ଘାଣ୍ଟି ଚକଟି ହେଉ–ତା ପାଖକୁ ଯିବିନି ଫୁଲ–ମୋଟେ ଯିବିନି । ସେ କଥା ମୋତେ କହନା ।

 

କୋଡ଼ିଏ

 

ସଂଧ୍ୟା–ଆକାଶରେ ତାରା କୁମାରୀଏ ଉଜ୍ଜ୍ୱଳ ଦୀପ ଜଳାଇ ଦେଲେଣି । ଜହ୍ନର ଫୁଟନ୍ତା ହସକେରାକ ବିଞ୍ଚିହୋଇ ପଡ଼ିଛି ଧରଣୀରେ ।

 

ଜଗଦୀଶ ସେହି ପୂର୍ବ ପରିଚିତ ପ୍ରିୟତମ କାଠଯୋଡ଼ୀ ପଥର ବୁରୁଜ ଉପରେ ବସି ଭାବୁଛି କଣ କରିବ, କେଉଁଆଡ଼କୁ ଯିବ ?

 

ସମୟ ସ୍ରୋତରେ ଭାସି ଭାସି ସେ ଆସି ଲାଗିଥିଲା ଏକ କୂଳରେ, କିନ୍ତୁ... ।

 

ଭାବନାରେ ଛନ୍ଦି ହୋଇ ପଡ଼ୁଛି ସେ । ଅତୀତ...ବର୍ତ୍ତମାନକୁ ପରିହାସ ଯେପରି କରୁଛି-। ଫୁଲ କଥା ମନେ ପଡ଼ୁଛି ତାର । ଏହି ନାରୀଟା ମୋହରେ ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ଭୁଲିଛି ସେ ।

 

ଏହି କଥା ଗୁଡ଼ାକ ତା ପ୍ରାଣରେ ଶେଳବିଦ୍ଧ କଲାପରି ଲାଗିଛି–ଗୋଟାଏ ପତିତା ନାରୀ-। ତାର ଭର୍ତ୍ସନା ।

 

ନାଁ ଆଉ ସହି ପାରିବିନି ଏପରି ଯନ୍ତ୍ରଣା । ଭୋକ ଉପାସରେ ଛଟପଟ ହେିବ ବରଂ, ଆଉ ସେ ନରକର ପୁତିଗନ୍ଧମୟ ଆଳୟକୁ ଯିବନି । ଜଗଦୀଶ ମନରେ ଏହି ଭାବନା । ସୀମାହୀନ ପଥରେ ଅସୀମ ଭାବନା କରି ବସିଲେ ଯେପରି ଭାବୁକ ପଥହୁଡ଼େ; ସେହିପରି ଜଗଦୀଶ ଭାବିଯାଉଛି ମନକୁ ମନ । କିନ୍ତୁ କଣ ସେ କରିବ କେଉଁଠିକି ଆଜି ଯିବ ? ଠିକ୍ କରିପାରୁନି ।

 

ରାତି ଦଶଟା । ଧୀରେ ଧୀରେ ଜଗଦୀଶ ଆଗକୁ ପାଦ ବଢ଼ାଇଲା । ପଥ ଚାଲୁଚାଲୁ ଭାବୁଛି, ଆହାଃ ଜୀବନଟାକୁ ନିଜେ ଜାଣି ଜାଣି କଣ କରି ଦେଲି ମ ! ସବୁମୋର ଅଛି–ଅଥଚ ସବୁ ମୁ ହରାଇ ବସିଛି । ମାଆଙ୍କର ସେଇ କେଇ ପଦ କଥା ମନେପଡ଼ିଲା, ଜଗଦୀଶ ସବୁଦିନେ କଣ ତୋର ଏହି ପିଲାଳିଆ ଢଙ୍ଗ ରହିଥବ । ପଦ୍ମାପରି ଲକ୍ଷ୍ମୀ ବୋହୂଟିକୁ ମୋର ଅଣହେଲା କରିବୁ ନାହିଁ ।

 

ଜଗଦୀଶ ଛଳ ଛଳ ଆଖିରେ ବାଟ ଚାଲିବାରେ ଲାଗିଛି । ଦୀର୍ଘ ଭାବନା ଭିତରେ ଅନେକ ବାଟ ଚାଲୁ ଆସିଲାଣି ସେ ।

 

ଜଗଦୀଶ ଦେଖିଲା ସେ ଆସି ଫୁଲ ଘର ନିକଟରେ ପହଞ୍ଚିଲାଣି ।

 

ଫୁଲ ଘରକୁ ଅନାଇଁ ଚମକି ପଡ଼ିଲା । ଆରେ ଏ ଯେ ଫୁଲ ଘର । ପୁଣି ମଣିଷ ଆସି ପହଞ୍ଚିଲା ଏଠାରେ । ଆଉ କେଉଁଆଡ଼େ ଫେରି ଯିବାକୁ ମନ ହେଲାନି । ଫୁଲର ଛୋଟିଆ କୋଠା ଘରର ବିଜୁଳୀବତୀର ଆଲୁଅ ଖିଡ଼ିକି ରନ୍ଦ୍ରଦେଇ ବାହାରକୁ ଅସ୍ପଷ୍ଟଭାବେ ଦେଖାଯାଉଛି । ବୋଧେ ଫୁଲ ଶୋଇନି....ଚେଇଁଛି । କିଛିକ୍ଷଣ କାନପାରିଲା ଜଗଦୀଶ । ସେହି କ୍ଷୀଣ ବିଜୁଳୀବତୀ ଆଲୋକ ସହିତ ନୂପୁରର ରୁଣୁଝୁଣୁ ତବଲାର ଝଙ୍କାର ତା କାନରେ ବାଜି ଉଠୁଛି...ବୋଧେ ଫୁଲ ନର୍ତ୍ତକୀ । ହଁ, ହଁ ଫୁଲ ନର୍ତ୍ତକୀ । ଜଗଦୀଶ ବିଶ୍ଵାସ କରି ପାରିଲାନି ନିଜ କାନକୁ ।

 

ଆଜିକି ତିନିଦିନ ହେଲେ, ଫୁଲ ଘରୁ ସେ ଚାଲି ଆସିଛି । ସେହି ଦିନଟାର ଅପମାନକୁ ସେ ସହ୍ୟକରି ନ ପାରି; ଫୁଲକୁ ସନ୍ଦେହ ଆଖିରେ ଦେଖି । ଫୁଲ ସତେ କଣ ତାକୁ ଆଉ ଚାହେଁନା-!

 

କେତେ ରାତିରେ ନାଚ ବନ୍ଦ ହୋଇଯାଇଛି । ନୂପୁରର ରୁଣୁଝୁଣୁ ଆଉ ଶୁଭୁନି–ତବଲାର ପ୍ରାଣମତାଣିଆ ସ୍ୱର ଥମି ଯାଇଛି । ଆଗନ୍ତୁକମାନେ ଚାଲିବି ଯାଇଛନ୍ତି । ଫୁଲ ଖିଡ଼ିକିର ଫାଙ୍କରେ ଅନାଇଁ ରହିଛି ଜଗଦୀଶକୁ ।

 

କ୍ଳାନ୍ତ ଅବସନ୍ନ ଶରୀରଟାକୁ ରାସ୍ତାର ଗୋଟାଏ କଡ଼କୁ ବିଛାଇ ଦେଇଛି । ହାୟରେ ଭ୍ରାନ୍ତ ପଥିକ......ହାୟରେ ମୋହ । ଟିକିଏ ମନରେ ଦ୍ଵିଧା ନାହିଁ । ବିକାର ନାହିଁ ।

 

ଲୁହ ଛଳ ଛଳ ଆଖିରେ ଫୁଲ ଅନାଇଁ ପାରିଲା ନାହିଁ ଆଉ ତାକୁ । ଖଟ ଉପରେ ଆସି ଲଥହୋଇ ଶୋଇପଡ଼ିଲା । ଆଖିକୁ ନିଦ ନାହିଁ । ଶୋଇ ରହି ଛଟପଟ ହେଲା ପ୍ରାଣଟା ତାର । କାହିଁକି ସେ ଜଗଦୀଶକୁ ଏମିତି ଦଣ୍ଡକ ଭିତରେ ଆପଣାର କରି ବସିଥିଲା ? ଭୁଲ କରିଛି ସେ । ମସ୍ତବଡ଼ ଭୁଲ କରିଛି । ଆପଣାର କରି ଆଜି ପୁଣି ପର କରିଦେଇ ଦୂରକୁ ଫିଙ୍ଗିଦେଲେ ତା ଅନ୍ତରରେ ନିଶ୍ଚୟ ଆଘାତ ଲାଗିବ । ଦାରୁଣ ଆଘାତ । ସେ କଣ ସହି ପାରିବ ? ସେଇଥିପାଇଁ ସେ ଆଜି କେତେ ଭଲପାଏ–ଦେଖାଇ ଦେଇଛି ରାସ୍ତାର ଗୋଟାଏ କଡ଼କୁ ଦେହଟାକୁ ବିଚ୍ଛାଇ ଦେଇ । ତଥାପି ସେ ନିଦ୍ରିତ । ହଁ ସେ ନିଦ୍ରିତ । ଏହି କଥା ଭାବୁ ଭାବୁ ଫୁଲ ଶୋଇ ପଡ଼ିଲା ।

 

ତହିଁଆର ଦିନ ସକାଳ । ଫୁଲ ବିଛଣାରୁ ଉଠି ଦେଖିଲା, ଜଗଦୀଶ ସେଠାରେ ଆଉ ଶୋଇ ରହିନାହିଁ–କେଉଁ ଆଡ଼କୁ ଚାଲି ଯାଇଛି । ପ୍ରାଣରେ ତାର ବଡ଼ ଆଘାତ ଲାଗିଲା । ମନସ୍ତାପରେ ଆଖିଟାକୁ ଆଡ଼େ ସାଡ଼େ ଟିକେ ବୁଲାଇଲା । ବୋଧେ ଜଗଦୀଶକୁ ଖୋଜିବା ପାଇଁ-?

 

ଜୀବନଟାକୁ ଆଜି ସେ କଣ କରି ପକାଇଛି–ଏହିକଥା ଭାବୁ ଭାବୁ ଜଗଦୀଶ କଣିକର ବଡ଼ ଗୁପ୍ତା ଦେଇ ଚାଲିଛି । ବୁନିଆଦି ଘରର ପୁଅ । କଣ ତାର ବା ଆଜି ଅଭାବ ଅଛି ? ସବୁ ପରିତ୍ୟାଗ କରି ସେ ଆଜି କାଙ୍ଗାଳ ପରିକା ଏଠି ସେଠି ଘୂରିବୁଲୁଛି କାହିଁକି ? ଅତୀତ କଥା ଗୁଡ଼ାକ ମନକୁ ତାର ବିବ୍ରତ କରି ପକାଉଛନ୍ତି । କାହିଁକି ସେ କଲେଜର ପାଠପଢ଼ା ଛାଡ଼ିଲା । ମଣିଷ ବୁଦ୍ଧିଭ୍ରଷ୍ଟ ହେଲେ ଯାହାକି କରିଥାଏ, ସେ ଆଜି ତାହାହିଁ କରିଛି, ମଦଖାଇଛି ବେଶ୍ୟାର କବଳରେ ପଡ଼ିଛି । ଏହାଠାରୁ ବଳି ନିନ୍ଦା ମଣିଷ ଜୀବନରେ ଆଉ କଣ ଅଛ ? ଏପରି ଅବସ୍ଥାରେ ସେ କଣ ଘରକୁ ଫେରିଯିବ ?

 

ନାଁ ନାଁ–ଘରକୁ ଫେରିବ ନାହିଁ ସେ । ଏହି ଅବସ୍ଥାରେ କିପରି ବାପ ମାଅଙ୍କୁ ଯାଇ ମୁହଁ ଦେଖାଇବ ?

 

ଚାଲିଛି, ଅନିର୍ଦ୍ଦଷ୍ଟ ତାର ପଥ । ଆଉ ଟିକେ ଆଗକୁ ପାଦ ବଢ଼ାଇଛି ଦେଖିଲା, ଅପର ଫୁଟ୍ ପାଥରେ ତାରି କଲେଜ ବନ୍ଧୁ ପ୍ରଫୁଲ୍ଲ ଠିଆ ହୋଇଛି । ଆଖିରେ ରୋଲ୍‍ଡ଼ ଗୋଲ୍‍ଡ଼ ଫ୍ରେମର ଚଷମା–ଫୁଲ୍ ପ୍ୟାଣ୍ଟ, ଗଳାରେ ଟାଇ, ମୁଣ୍ଡରେ ହ୍ୟାଟ, ଗୋଡ଼ରେ ଫ୍ଳେକ୍‌ସ ସୁ । ସମ୍ପୂର୍ଣ୍ଣ ସାହେବ । ଚିହ୍ନିହେବାର ଜୁ ନାହିଁ । ତଥାପି ଜଗଦୀଶ ଚିହ୍ନିଲା ପ୍ରଫୁଲ୍ଲ । ଏହି ପ୍ରଫୁଲ୍ଲ ପ୍ରିୟତମ ବନ୍ଧୁ ତାର । ପାଖକୁ ତାର ଆଗେଇ ଗଲା – ଯଦିଓ ତାଠାରୁ ତାର ବେଶ ପୋଷାକ ଢେର ତଫାତ । ତଥାପି ସେ ତାର ବନ୍ଧୁ ।

 

ହସ ହସ ମୁହଁରେ ଜଗଦୀଶ କହିଲା,

 

ପ୍ରଫୁଲ୍ଲ ! ଚିହ୍ନି ପାରୁଛୁ ମୋତେ ।

 

–ପ୍ରଫୁଲ୍ଲ ମୁହଁରେ ପ୍ରତିହସ ଫୁଟିଲା ନାହିଁ । ନ ଚିହ୍ନିଲା ପରି କଥାଟାକୁ ଥରେ ଶୁଣିଗଲା ସେ ।

 

ପୁଣି ପଚାରିଲି ଜଗଦୀଶ ! ପ୍ରଫୁଲ୍ଲ ମୋତେ ତା ହେଲେ ଚିହ୍ନିପାରୁନୁ ।

 

ପ୍ରଫୁଲ୍ଲ ବର୍ଷ ଗୋଟାଏର ତଫାତ ତୁ ଚିହ୍ନିପାରୁନୁ ! ଆଚ୍ଛା ଭାଇ ତୋର ବଡ଼ଲୋକୀ ଅଭିଜାତ୍ୟରେ ଡ଼ୁବି ରହିଥା, ମୁଁ ତୋ’ରି ପଢ଼ା ସାଥୀ ଜଗଦୀଶ । ଯାହାକୁ ଜାଣି ଜାଣି ଅପଥକୁ ଟାଣିନେଇ ଜୀବନଟାକୁ ତାର ନରକକୁ ଫିଙ୍ଗି ଦେଇଥିଲୁ ମୁଁ ସେହି । ସେହି ନରକରେ ପଡ଼ି ଘାଣ୍ଟିଚକଟି ହୋଇ ମରୁଛି । ତଥାପି ମୁଁ ଏଥିରେ ଆନନ୍ଦିତ । ଏତିକି କହି ଜଗଦୀଶ ପୁଣି ଆଗେଇ ଚାଲିଲ ଷ୍ଟେସନ ଆଡ଼କୁ ।

 

ପ୍ରଫୁଲ୍ଲର ସବୁକଥା ମନେପଡ଼ିଲା । ତଥାପି ସେ ଜଗଦୀଶକୁ ପାଖକୁ ଡାକିପାରିଲା ନାହିଁ । ସେ ଆଜି ବେଶ୍ୟାଘରେ ଆଶ୍ରିତ, ଲମ୍ଫଟ, ଚରିତ୍ର ଭ୍ରଷ୍ଟ । ଶିକ୍ଷିତ ହୋଇ ନୈତିକଶକ୍ତି ତାର ହରାଇଛି । ଆଉ ସେ, ବର୍ତ୍ତମାନ ବଡ଼ଲୋକର ଜୋଇଁ–ଭୁବନେଶ୍ଵର ରାଜଧାନୀରେ ନୂଆ ଓଭରସିଅର । ପାଖରେ ଠିଆ ହୋଇଛନ୍ତି ଶଳା ବିଭାଶ, ସାନ ଶଳା ବିକାଶ । କଥାବାର୍ତ୍ତାରେ ବ୍ୟସ୍ତ । କେମିତି ସେ ଜଗଦୀଶର ଏମିତି ବେଶ ପୋଷାକ ଦେଖି ବନ୍ଧୁ ବୋଲି ପରିଚୟ ଦେବ !

 

ଜଗଦୀଶର ସେଇ କେଇପଦ କଥା ତା ପ୍ରାଣରେ ବଡ଼ ଆଘାତ ଦେଲା । ମୁଁ ତୋରି ସେହି ପଢ଼ାସାଥୀ ଜଗଦୀଶ । ଯାହାକୁ ଜାଣି ଜାଣି କୁପଥକୁ ଟାଣି ନେଇ ଜୀବନ ଟାକୁ ନରକକୁ ଫିଙ୍ଗି ଦେଇଥିଲୁ ମୁଁ ସେହି ।

 

ପ୍ରଫୁଲ୍ଲ ଏହି କଥାକୁ ଘୋଡ଼ାଇ ନେବାକୁ ଶଳା ବିଭାଶକୁ କହିଲା, ବୁଝିଲ ସେହି ଲୋକଟି ସେ ମୋତେ ପଚାରୁଥିଲା–ସେ ଗୋଟାଏ ଲମ୍ପଟ, ମଦ୍ୟପୀ, ବେଶ୍ୟାଶକ୍ତ । ଏପରି ଲୋକ ସହିତ ବନ୍ଧୁତା ଗୋଟାଏ କଣ ? ବରଂ ନିଜ ଆଭିଜାତ୍ୟରେ ଆଞ୍ଚା ଲାଗିବ । ନୁହେଁକି ? କଥାବାର୍ତ୍ତା ହେଉ ହେଉ ଆଗେଇ ଚାଲିଲେ ସେମାନେ ।

 

ପ୍ରଫୁଲ୍ଲ କିନ୍ତୁ, ଭାବିଲାନି ସିଏବି ଦିନେ ମଦକୁ ସଦ୍‌ବ୍ୟବହାର ନିଜେ କରିଥିଲା । ସିଏବି ଦିନେ ଜଗଦୀଶକୁ ଟାଣି ନେଇ ମଦଖିଆ ଶିଖାଇଥିଲା ।

 

ଜଗଦୀଶ ଷ୍ଟେସନ ଭିତରେ ଗୋଟାଏ ବେଞ୍ଚ ଉପରେ ବସିଛି । କଣ କରିବ ? କେଉଁଆଡ଼େ ଯିବ । ଏହାହିଁ ସେ ଭାବୁଛି । କେତେ ଚିହ୍ନା ଜଣା ବନ୍ଧୁ ତାକୁ ଦେଖି ମଧ୍ୟ କିଛି କହୁନାହାନ୍ତି–ଆଡ଼ ଆଡ଼ ହୋଇ ଚାଲିଯାଉଛନ୍ତି । ମଣିଷ ଜାତିଟା ପ୍ରତି ସନ୍ଦେହ ତାର ଆହୁରି ଘନିଭୂତ ହେଉଛି । ଗୁଡ୍‌ସ ଟ୍ରେନ ତାଳଚେର ଆଡ଼ୁ ଛୁଟି ଆସୁଛି ତର୍ଜନ ଗର୍ଜନ କରି । ଖୁବ୍ ନିକଟେଇ ଆସିଲାଣି । କେନ୍ଦ୍ରାପଡ଼ା ରୋଡ଼ରେ ହେବ । ମହାନଦୀର ସୁ-ବୃହତ୍ ଲୌହ ସେତୁଟା ସାଇଁ ସାଇଁ ହୋଇ ଉଠୁଛି । ମଣିଷ ଛାତିଟା ମୁହୂର୍ତ୍ତକ ପାଇଁ ଥରିଯାଉଛି ।

 

ଦେଖୁ ଦେଖୁ ଆଖି ଆଗରେ କେତେ ଟ୍ରେନ ଚାଲିଗଲା–ଜଗଦୀଶ ସେହି ବେଞ୍ଚଟା ଉପରେ ସ୍ଥାଣୁ ଭଳି ବସିରହିଛି ।

 

ପାଗଳ...ପ୍ରକୃତରେ ପାଗଳ ହୋଇଛି । ନା ନା ପାଗଳ ନୁହେଁ ସେ । ମନର ଗୋଟାଏ ଦାରୁଣ ଆଘାତରେ ସେ ଆଜି ଏପରି ହୋଇଯାଇଛି ।

 

ଝିପି ଝିପି ବର୍ଷା ବର୍ଷିଲା ଆକାଶରୁ ସୂର୍ଯ୍ୟ କେଉଁଆଡ଼େ ଉଭାଇଗଲା ।

 

ଜରାଦୀଶ ପ୍ଳାଟଫର୍ମ ଭିତରୁ ବାହାରି ଆସିଲା । ଭୋକରେ ପେଟଟା ତାର ଜଳୁଥାଏ । ପୁଣି ଆଗେଇଲା ସହରର ପରିଚିତ କେଉଁ ଏକ ଗଳିକୁ ।

 

ଏକୋଇଶ

 

ଦୁଃଖ ନୈରାଶ୍ୟଭରା ଜୀବନଟା ଭାଙ୍ଗି ପଡ଼ିଛି–ସୁନାର ସଂସାର ଚୂନା ବି ହୋଇଯାଇଛି-। ଜୀବନଟା ଥାଇ ଖାଲି ଛଟପଟ ହେଉଛି ଯାହା । ଏକମାତ୍ର ସନ୍ତାନ ଜଗଦୀଶ ସେ ଆଜି ନିରୁଦ୍ଦେଶ । ହାୟରେ କପାଳ ! ମୁଣ୍ଡରେ ହାତ ଦେଇ କୃଷ୍ଣମୋହନବାବୁ ଭାବୁଛନ୍ତି । ବୋହୂ ପଦ୍ମା ସେ ଆଜି ଆଖିର ଆଢ଼ୁଆଳରେ ରହିଲା । ଶେଷ ସମୟଟା ଏମିତି କଣ ଦହଗଞ୍ଜରେ କଟିବ ତାଙ୍କର, କହି ଦୀର୍ଘ ନିଃଶ୍ୱାସ ପକାଇଲେ ।

 

କଳ୍ପନାମୟୀ ବାଷ୍ପରୁଦ୍ଧ କଣ୍ଠରେ କହିଲେ,

 

କେଜାଣି ସେହି ରାଧାମାଧବ ଜାଣନ୍ତି । ତାଙ୍କରି ଏସବୁ ଖେଳ ।

 

ଆଜିକୁ ଛ ମାସ ହେବ କୃଷ୍ଣମୋହନ ବାବୁ ଝିଅ କମଳାକୁ ଘରଯୋଗ୍ୟା ହେବାଦେଖି ବାଲେଶ୍ଵରରେ କାନ୍ତିବାବୁଙ୍କ ପୁଅ ପ୍ରଭାତ ସହିତ ବିବାହ ଦେଇ ସାରିଲେଣି । ପ୍ରଭାତ ବାଲେଶ୍ୱରରେ ଲ ପ୍ରାକ୍‍ଟିସ କରେ । କାନ୍ତିବାବୁଙ୍କର ନାମ ସାରା ଓଡ଼ିଶାର ଲୋକେ ଜାଣନ୍ତି । ସେ କଟକ ଜିଲ୍ଲାର ଅବସରପ୍ରାପ୍ତ ମାଜିଷ୍ଟ୍ରେଟ । ପୁଅ ପ୍ରଭାତର ବିବାହ ପରେ–ସମୁଦୀଙ୍କୁ ସେ ଚିଠି ଲେଖିଥିଲେ–ମୁଁ ଜଗଦୀଶବାବୁଙ୍କ ମନ ମେଜାଜ ବଦଳାଇ ନିଶ୍ଚୟ କଟକରୁ ତାଙ୍କୁ ଘରକୁ ଫେରାଇ ଆଣିବି । ଏଥ‌ିପାଇଁ ମନ ଦୁଃଖ କରନ୍ତୁନାହିଁ ।

 

କାହଁ ଦେଖୁ ଦେଖୁ ଛ’ମାସ ହୋଇଗଲାଣି କମଳା ଶାଶୁଘରକୁ ଗଲା । ଜଗଦୀଶର କୌଣସି ସମ୍ବାଦ ସେ ଦେଲେନି । କମଳା ବିବାହ ବେଳକୁ ବୋହୂ ପଦ୍ମାକୁ ଆଣିବାକୁ ଗୋପାଳପୁରକୁ ଯାଇ ଯେଉଁ ଅପମାନ ଜଗଦୀଶ ପାଇଁ ସହି ଆସିଥିଲି, ସେ କଥା ମନେ ପଡ଼ିଲେ କଳ୍ପନା, ଆଖି ମୋର ଲୁହରେ ଭରିଯାଉଛି । କାହିଁ କାହାରି ପାଖରୁ ମୁଁ ତ ସହାନୁଭୂତି ପାଇଲିନାହିଁ-। ଜଗତଟା ଖାଲି ଫାଙ୍କି–ଖାଲି ଧପାବାଜୀ କୃଷ୍ଣମୋହନ ବାବୁ କହିଲେ ।

 

ତମେ କଣ ଜାଣିନା ଛୋଟରାୟ କହିଛନ୍ତି ଝିଅକୁ ଆଉ ପଠାଇବେ ନାହିଁ । ତମ ପୁଅ ହାତରେ ସେ ଝିଅକୁ ଦେଇ ସୁଖୀ ହୋଇଥାନ୍ତେ କଣ ଓଲଟା ଡହଳ ବିକଳରେ ତାଙ୍କ ଜୀବନ କଟୁଛି । ଝିଅ ତାଙ୍କର ଚିରଦିନ ପାଇଁ ତାଙ୍କରି ପାଖରେ ରହିବ, ସେ ଝିଅକୁ ପଠାଇବେ ନାହିଁ । ସେଥ‌ିପାଇଁ କମଳା ବାହାଘରକୁ ସେ ଝିଅକୁ ପଠାଇଲେ ନାହିଁ । ତମେ କଣ ବୁଝିପାରୁନା ?

 

ଦୀଘ ନିଃଶ୍ୱାସ ପକାଇ କୃଷ୍ଣମୋହନ ବାବୁ କହିଲେ–

 

ହଁ କଳ୍ପନା ! ସବୁ ବୁଝିପାରୁଛି–ମୁଁ ସବୁ ବୁଝିପାରୁଛି । ଜୀବନର ଶେଷ ପହରରେ ଉପାୟ ଆଉ କଣ...... ?

 

ବାଇଶ

 

ଜାଣି ଜାଣି ଯିଏ ପଥହୁଡ଼ି ଅପଥରେ ପଡ଼େ–ଜାଣି ଜାଣି ଯିଏ ସାପ ପାଟିରେ ହାତ ଗୁଞ୍ଜେ–ତା ଜୀବନଟା ଏଇମିତି ଦହଗଞ୍ଜରେ କଟେ–ଏମିତି ହା-ହୁତାଶରେ ଦଗ୍ଧ ହୁଏ ।

 

ତାହାହିଁ ହୋଇଛି ଜଗଦୀଶର । ଜଗଦୀଶ ଆଜି ନିଜ ପାଇଁ ନିଜେ ଦାୟୀ । କଣ ତାର ନାହିଁ ? ସବୁ ଅଛି–ଜାଣି ଜାଣି ସେ ସବୁକୁ ପରିତ୍ୟାଗ କରିଛି । ଜାଣି ଜାଣି ଝଡ଼ର ବାତ୍ୟାରେ ସେ ଭାସି ଆସିଛି । ବୈରାଗ୍ୟ ? ନାଁ–ନାଁ–ବୈରାଗ୍ୟ ତ ନୁହେଁ, ଅଭିମାନ, ହଁ ଅଭିମାନ କରି, ସେ ଆଜି ଅଭିଯାନ କରୁଛି ଜୀବନ ସହିତ ।

 

ନାଁ ଆଉ ସହିପାରିବ ନାହିଁ । ଏମିତି କଷ୍ଟ ସହିପାରିବ ନାହିଁ । ମନର ଅସ୍ଥିରତା–ପ୍ରାଣର ବ୍ୟାକୁଳତାରେ ସେ ଘୂରି ବୁଲୁଛି ଖାଲି ।

 

ଆଶ୍ରୟହୀନ ଅବସ୍ଥାରେ ଏମିତି କେତେଦିନ କଟାଇବ । କଟକ ସହର । ବେକାର ସମସ୍ୟା ବଢ଼ି ଉଠିଛି । ଚାକିରୀ ଖଣ୍ଡେ ଯଦି କାହିଁ ମିଳନ୍ତା ଚାକିରୀ କରନ୍ତା, ଏହାହିଁ ଭାବୁଛି ସେ । ଚାକିରୀ ମିଳିଲା ନାହିଁ, କି କେଉଁଠି ଆଶ୍ରୟ ମିଳିଲା ନାହିଁ । ଜଗଦୀଶ ପିନ୍ଧିଥିବା ଧୋତି କମିଜ ଅସମ୍ଭବ ମଇଳା ହେଲାଣି । ପାଖରେ ଟଙ୍କା ପଇସା ନାହିଁ । ମୁହଁରେ ଦାଢ଼ି । ମୁଣ୍ଡଟା ବିଗିଡ଼ି ଗଲାଣି ତାର । ଏମିତି ସହରଟାଯାକ ଘୂରି ବୁଲୁଛି । ସେଦିନ ପୁଣି ହଠାତ୍ ଫୁଲକୁ ଭେଟିଲା ରାସ୍ତାରେ । ଫୁଲ ଦେଖି ନ ଦେଖିଲା ପରି ଚିହ୍ନି ନ ଚିହ୍ନିଲା ପରି ମୁହଁ ମୋଡ଼ି ଚାଲିଗଲା ଆଗକୁ । ଜଗଦୀଶର ମନଟା ବ୍ୟାକୁଳ ହୋଇ ଉଠିଲା । ଯିଏ ତାକୁ ପ୍ରାଣ ଦେଇ ଏତେ ଭଲ ପାଇ ଆସିଥିଲା ଯାହାର ଆଶ୍ରୟ ପାଇ ସେ ଆପଣାର ମାଆ ବାପ ସ୍ତ୍ରୀକୁ ପର କରିଦେଇଛି...ସେଇ ଫୁଲ । ମୁହଁ ମୋଡ଼ି ଦେଇ ଆଗକୁ ଚାଲିଗଲା ।

 

ଦିନେ ତାରି ପାଇଁ ଅଙ୍କ ପଲଙ୍କ ତାର ସଜାଡ଼ି ରଖିଥିଲା । ପ୍ରାଣର ମଧୁମୟ କଥା କାନରେ ତାର ଶୁଣାଇଥିଲା । ଦିନେ ବି ସେ ଜଗଦୀଶ ପାଦତଳେ ମଥାରଖି କହିଥିଲା, ତୁମେ ମୋର ଦେବତା– ତୁମେ ମୋର ସବୁ । ସେ ଦିନ ଆଜି ନାହିଁ । ଚଳଚ୍ଚିତ୍ରର ରଙ୍ଗିନ୍ ପରଦା ଯେପରି ଦଣ୍ଡକ ଭିତରେ ବଦଳିଯାଏ, ଦର୍ଶକ ଆଶ୍ଚର୍ଯ୍ୟ ହୋଇ ପରଦାର ଅନ୍ତରାଳକୁ ଚାହିଁ ରହେ; ଠିକ୍ ମଣିଷ ଜୀବନଟା ବି ସେଇଆ । ବିଚିତ୍ର ଦୁନିଆଁ, ଭାବିଲେ ହସମାଡ଼େ । ଏଥିରେ ଫୁଲର ପରିବର୍ତ୍ତନ ଅସମ୍ଭବ ବା କଣ ?

 

ଜଗଦୀଶ ଆଜି ଏହାହିଁ ଭାବୁଛି । ସେ ଖାଲି ଦେଖୁଛି ତା ଜୀବନର ହା-ହୁତାଶଭରା ବେଦନାର ଛବିକୁ । ଭାବୁଛି ସେ କାହିଁକି ଏମିତି ପୋଡ଼ି ଜାଳିଦେଲା ତା ଜୀବନର ଭବିଷ୍ୟତଟାକୁ ।

 

ଦିନ ଦିନକର କଥା ଯୁଗ ଯୁଗ ପାଇଁ ବେଦନା ରଖିଯାଏ । ଜଗଦୀଶ ଭବଘୁରା ପରି ଏଣେ ତେଣେ ଘୂରି ବୁଲିଲା । ତଥାପି ଅବୋଧ ମନଟାକୁ ତାର ସାନ୍ତ୍ୱନା ଦେଇପାରିଲାନାହିଁ । ଦିନ ଯେତେ ଚାଲି ଯାଉଥାଏ ତେତେ ଡହଳ ବିକଳ ହେଉଥାଏ ପ୍ରାଣଟା । ଏତେ ବିପଦ, ଏତେ ଅସୁବିଧାରେ ଘର କଥା ତାର ମନେପଡ଼ୁନି । କେଡ଼େ କଠିଣ ହେଇଯାଇଛି ତାର ପ୍ରାଣଟା ।

 

କାହିଁକି ଏ ବିଷାଦ ? କାହିଁକି ଏ ରାଗ–ଅଭିମାନ ? ଜଗଦୀଶର ବିବେକ ଥରକୁ ଥର ଏଇ କଥା ଭାବି ବସେ । ତଥାପି ଘରକୁ ସେ ଫେରି ଯାଏନା । ଭାବନା ମଉଳେ ।

 

ତେଇଶ

 

ଆକାଶରେ ଜହ୍ନ ହସେ–ତାରା ଫୁଟେ । ବଉଦ ଖେଳେ–ବିଜୁଳି ଚମକେ–ଢୋ ଢୋ ଶବ୍ଦ କରି ବଜ୍ର ରଡ଼ିଦିଏ । ମୟୂର ନାଚେ । ପ୍ରକୃତିର ଏ ସବୁ ଖେଳ ଭିତରେ ମଣିଷ ଜାତି ଆପଣାକୁ ହଜାଇ ଦିଏ । ଚିରନ୍ତନ ବାସ୍ତବତା ଭିତରେ କ୍ଷଣଭଙ୍ଗୁର ପରି ମଣିଷ ନିଜର ସ୍ଵପ୍ନ ରଚେ-। ମଣିଷର ଭାବନା–ମଉଳେ ନାହିଁ–ସବୁଦିନ ଏମିତି ସେ ଖେଳେ ହସେ, କାନ୍ଦେ, ଶେଷରେ ମାଟିରେ ମିଶାଇ ଦିଏ ଆପଣାର ଶରୀରଟାକୁ । ଏଇ ତାର ସ୍ୱାଭାବିକ ଆନନ୍ଦ । ଏଇଥିରେ ସେ ପାଏ ଶାନ୍ତି ଆଉ ସୁଖ ।

 

ପଦ୍ମା ଆଜି କାନ୍ଦୁଛି । କାନ୍ଦିବାଟା ଆଜି ତାର ନୂଆ କଥା ନୁହେଁ । କାନ୍ଦି କାନ୍ଦି ଏମିତି ଦୁଇ ବରଷ କଟାଇଲାଣି । କାନ୍ଦଣା ତଥାପି ତାର ବନ୍ଦ ହେଉନି । ମନଟା ତଥାପି ତାର ସ୍ଥିର ହେଉନି । ଏଇଥିପାଇଁ ବାପ ମାଆ ଘେନି ଆସୁଥିଲେ ଶାଶୁଘରୁ; କାଳେ ଝିଅର ମନ ମେଜାଜ ଏଠାରେ ରହିଲେ ବଦଳିଯିବ । ମାତ୍ର ପଦ୍ମାର ମନ ମେଜାଜ ବଦଳିଲା ନାହିଁ । ଆଖିରୁ ଲୁହର ଦାଗ ଲିଭିଲା ନାହିଁ । ଛୋଟରାୟଙ୍କ ମନରେ ଛନକା ପଶିଲା । ଝିଅ ପାଇଁ ଭାବି ଭାବି ପ୍ରାଣଟା ତାଙ୍କର ଛଟପଟ ହେଲା ଖାଲି । ଅଧେ ଦିନ ଖାଇଲା ତ ଅଧେ ଦିନ ଉପାସ । ଏଥିରେ ପୁଣି ବାରମାସରେ ତେର ପର୍ବ । କାହିଁକି ଏ ସବୁ ଆଚାର ? କାହିଁକି ଏପରି ନୈଷ୍ଠିକତା । ବୁଝି ମଧ୍ୟ ବୁଝି ପାରେନା ଛୋଟରାୟଙ୍କ ମନଟା ।

 

ପଦ୍ମାର ଆଖି ଲୁହ ଲିଭେନା । ମନ କୋହ ତୁଟେନା ।

 

ରାତିରେ କେତେ ଯେ ଅସାର ସ୍ୱପ୍ନ ଦେଖେ–ମାଆ ଆକଟ କରି କହନ୍ତି ପଦ୍ମା ଲୋ ମନଟାକୁ ତୁ ଏମିତି ଛଟପଟ କର୍‍ନା । ଦିନଯାଇ ରାତି ଆସେ ତଥାପି ଭାବନା ମଉଳେ ନାହିଁ । କେତେଥର କୃଷ୍ଣମୋହନ ବାବୁ ଆସିଲେଣି ବୋହୂକୁ ନେବାପାଇଁ, କେତେ ଅନୁନୟ ବିନୟ ହୋଇ କହିଲେଣି ବୋହୂକୁ ପଠାଅ । ଛୋଟରାୟ ସେକଥା କାନକୁ ନିଅନ୍ତି ନାହିଁ । କହନ୍ତି ଝିଅ ମୋର ଏଇଠି ଥାଉ, କାହିଁକି ଯିବ ତମ ଘରକୁ ? କେଉଁ ସୁଖ ଶ୍ରଦ୍ଧା ସେଠାରେ ତାର । କୃଷ୍ଣମୋହନ ବାବୁ ଫେରିଯାଆନ୍ତି ମନଦୁଃଖରେ ।

 

ସେଦିନ ପଦ୍ମା ହଠାତ୍ ପୁଣି ପଡ଼ିଲା ଜରରେ । ମାସରେ ଦଶଥର ଜରରେ ପଡ଼ି ପଡ଼ି ପଦ୍ମାର ଦେହ ଭାଙ୍ଗିଗଲାଣି । ଦିନକୁ ଦିନ ଦେହଟା ଦୁର୍ବଳ ହୋଇଯାଉଛି ।

 

ପଦ୍ମା ନିଜକୁ ନିଜେ ବିଶ୍ୱାସ କରିପାରୁନି ସତେ ସିଏ ଭଲହେବ । ଦେଖୁ ଦେଖୁ ପନ୍ଦର ଦିନ ବିତିଗଲା, ପଦ୍ମାକୁ ଜର ଛାଡ଼ିଲାନାହିଁ । ଡାକ୍ତର ବୈଦ୍ୟ ଆସି ଔଷଧ ଦେଲେଣି, କେଉଁଥିରେ ଉପକାର ହେଉନି, ରୋଗ ବଢ଼ି ଚାଲିଛି । ଝିଅର ଏପରି ଅସୁସ୍ଥତାରେ ଛୋଟରାୟ ଖାଲି ଭଗବାନଙ୍କୁ ଡାକୁଛନ୍ତି ହେ ଭଗବାନ ତୁମେ ଭରସା । ଝିଅଟିକୁ ମୋର ବଞ୍ଚାଅ ।

 

ଦିନ ଯାଇ ରାତି ଆସେ–ପଦ୍ମାର ଶୁଖିଲା ଦେହଟା ବିଛଣାରେ ପଡ଼ି ରହିଥାଏ । ଶାଗୁ ବାର୍ଲି କିମ୍ବା ଔଷଧ ସେ ମୋଟେ ଖାଏନା । ଡାକ୍ତର ନାଡ଼ି ଦେଖି କେତେ ଆଡ଼ୁ କେତେ ଔଷଧ ଦେଇଯାଏ–ସେମିତି ସେ ଔଷଧଗୁଡ଼ାକ ପଡ଼ିରହେ । ଦିନ ଯେତେ ଯାଉଥାଏ, ପଦ୍ମାର ରୋଗ ତେତେ ବଢ଼ୁଥାଏ ।

 

କୃଷ୍ଣମୋହନ ବାବୁ ବୋହୂର ଅସୁସ୍ଥତା ଖବର ପାଇ ଆସି ପହଞ୍ଚିଲେ । ବୋହୂର ଆଉ ସେ ଆଗ ଚେହେରା ନାହିଁ । ଗୋଡ଼ ହାତ ଗଳିଗଲାଣି । ଦେହର ପଞ୍ଜରା ହାଡ଼ ଦିଶୁଛି । ବୋହୂ–କୁଳର ବୋହୂ ତାଙ୍କର । ବାସ୍ତବିକ ଆଜି କଣ ତାର ଅବସ୍ଥା ।

 

କଳ୍ପନାମୟୀ ନିଜେ ବୋହୂକୁ ଦେଖିବା ପାଇଁ ଗୋପାଳପୁରେ ପହଞ୍ଚିଲେ । ବୋହୂକୁ ଦେଖି ତାଙ୍କର ଲୁହ ଝରିଲା ।

 

ଛି, କାନ୍ଦୁଛ ଗୋଟା କଣ ? ତୁନି ହୁଅ । ବୋହୂଟା ମୋର ଜରରେ ଏପରି ହୋଇଯାଇଛି–ଭଲ ହୋଇଯିବ, କହି କୃଷ୍ଣମୋହନ ବାବୁ କଳ୍ପନାମୟୀକୁ ଶାନ୍ତ୍ୱନା ଦେଲେ । ପଦ୍ମାର ରୋଗ କିନ୍ତୁ ଉପଶମ ହେଇନାହଁ–ନୈରାଶ୍ୟର ଅନ୍ଧକାର ସକଳ ପ୍ରାଣକୁ ଗ୍ରାସ କଲା । ଦିନ ଗଡ଼ିଚାଲିଲା ।

 

ପଦ୍ମା ବିଛଣାରେ ପଡ଼ିରହି ରୋଗ ଯନ୍ତ୍ରଣାରେ ଛଟପଟହୋଇ ଚିତ୍କାର କରିଉଠିଲା–ବାପ ମରିଗଲି, ମାଆ ମରିଗଲି; ଆଉ ଏମିତି ଯନ୍ତ୍ରଣା ସହି ପାରିବିନି । ସ୍ଵାମୀଙ୍କୁ ମୋର ଖବର ଦିଅ । ସେ ଆସନ୍ତୁ । ଥରେ ତାଙ୍କୁ ମୁଁ ଦେଖେ ।

 

ଧୈର୍ଯ୍ୟଧରି ରହି ପାରିଲେନି କଳ୍ପନାମୟୀ । ଭୋ, ଭୋ କାନ୍ଦି ଉଠିଲେ ।

 

ଜୀବନର କ୍ଷୀଣ ଦୀପ ନିଭି ନିଭି ଆସିଲାଣି । ମାୟା ମରୀଚିକା ପଛରେ ଯେପରି ଭ୍ରାନ୍ତ ମାନବ ଗୋଡ଼ାଇ ଶେଷରେ ନିରାଶ ହୁଏ; ସେହିପରି ଆଜି ପଦ୍ମା-ଜୀର୍ଣ୍ଣ ଶରୀର–ଯେ କି ଶକ୍ତିରହିତ ହୋଇ ବିଛଣାରେ ପଙ୍ଗୁପରି ପଡ଼ିରହିଲାଣି, ସେହି ଭ୍ରାନ୍ତ ଶରୀରଟାକୁ ପଳାତକ ସ୍ୱାମୀ–ଯେ କି ପାଦରେ ଠେଲି ଦେଇ ଉପେକ୍ଷିତ କରି ଚାଲିଯାଇଛି, ତାରି ଦର୍ଶନ ଅଭିଳାଷରେ ଆଜି ଧାଇଁଛି । ହାୟରେ ମୋହ । ହାୟରେ ଆକର୍ଷଣ !

 

ଜଣେ ଜଣଙ୍କ ପାଇଁ ଜୀବନକୁ ଏମିତି କଠୋର ସଂଗ୍ରାମ ଭିତରେ ଉତ୍ସର୍ଗ କରିଦେଇ ପାରେ ? ଯାହା ପଦ୍ମାକୁ ଦେଖିଲେ ବେଶ୍ ବୁଝାଯାଏ ।

 

କିନ୍ତୁ ତାର ଏହି କଠୋର ସଂଗ୍ରାମ ଯାହାଙ୍କ ପାଇଁ ସେ ଯଦି ଥରକ ପାଇଁ ଦେଖା ଆଜି ନ ଦିଅନ୍ତି, ତାହେଲେ ତା ଜୀବନ ନିରର୍ଥକ ! ସେଥ‌ିପାଇଁ ମରିବା ପୂର୍ବରୁ ଥରକ ପାଇଁ ସେ ସ୍ୱାମୀକୁ ଦେଖାଇ ଦେବ–ସେ ଆଜି ତାଙ୍କରି ପାଇଁ ଏ ଜଗତକୁ ଛାଡ଼ି ପରିପାରକୁ ଚାଲିଯାଉଛି । ଶୁଖିଲା ଆଖିରୁ ଲୁହ ନିଗିଡ଼ି ପଡୁଛି । କଣ୍ଠ ତାର ରୁଦ୍ଧ ହୋଇଆସୁଛି, ତଥାପି ପଦ୍ମ । ଘରର ଚତୁର୍ଦିଗ ଭିତରେ ଜଗଦୀଶର ଛବି ଖାଲି ଦେଖୁଛି ।

 

ଲୁହଭରା ଅକପଟ ନୟନରେ ଜଗଦୀଶର ପଥକୁ ଚାହିଁ ରହିଲେ କଳ୍ପନାମୟୀ । ସତେ କଣ ଜଗଦୀଶ ମୋର ଫେରି ଆସିବ !

 

ଶାଶୁ, ଶ୍ୱଶୁର, ମାଆ, ବାପ ସମସ୍ତେ ଜଗଦୀଶ ପାଇଁ ବ୍ୟାକୁଳ । ଡାକ୍ତର କହିଛି–ପଦ୍ମା ରୋଗମୁକ୍ତ ଯଦି ହୁଏ, କେବଳ ଜଗଦୀଶର ସାକ୍ଷାତରେ ହେଲେ ହୋଇପାରେ । ତାର ହୃଦୟ ଭିତରେ ଗୋଟାଏ ମସ୍ତବଡ଼ ଅବଶୋଷ ରହିଯାଇଛି । ତାହାକୁ ଦମନ କରିବା କଠିନ । ରାଗ ରୋଷ, ଅଭିମାନ ଦୂରକୁ ଫିଙ୍ଗିଦେଲେ ସମସ୍ତେ । ଝିଅ ଆଜି ରୋଗମୁକ୍ତ ହେବ କିପରି ମାଆ ବାପଙ୍କ ପ୍ରାଣ ସେଥିପାଇଁ ବ୍ୟାକୁଳ ହୋଇଉଠିଲା । ଜଗଦୀଶର ପଥକୁ ଚାହିଁ ରହିଲେ ସେମାନେ । ଦିନ ଯେତେ ଚାଲି ଯାଉଥାଏ–ସମୟଗୁଡ଼ାକ ତେତେ ଦୁଃଖରେ କଟୁଥାଏ ତାଙ୍କର ।

 

ନିବୁଜ ଅନ୍ଧାର ଭିତରେ ଆଗେଇ ଚାଲିଛି ଜଗଦୀଶ । ସ୍ୱପ୍ନିଲ ଆଶା ମନରେ ଆଜି ତାର ଜାଗ୍ରତ । ନିରୁପାୟ ଅବସ୍ଥାରେ ଘରକୁ ଆଜି ସେ ଫେରୁଛି । ସତେ ପଦ୍ମା ତାକୁ ଅନ୍ତରରେ ସ୍ଥାନ ଦେବ ଭାବୁଛି ? ଭାବନାର ଅସରନ୍ତି ଜୁଆର ତାକୁ ଭସାଇ ନେଉଛି ଅବହେଳିତା ପଲ୍ଲୀ ବାଳିକାର କୋଳକୁ । ଭ୍ରାନ୍ତ ପଥିକର ମୋହ ତୁଟିଯାଇଛି–ଅବଚେତନ ହୃଦୟରେ ଚେତନାର ଡିଣ୍ଡିମ ବାଜିଉଠିଛି । କିନ୍ତୁ ହାୟ-ଦୀପରୁ ଯେ ତୈଳ ନିଃଶେଷ ହୋଇଯାଇଛି–ଅସ୍ପଷ୍ଟ ଜଳୁଛି ସଳିତାଟି, ନିଭି ନିଭି ଆସିଲାଣି । ସମସ୍ତ ଅନ୍ଧକାର ହୋଇଯିବ ।

 

ଆଗେଇ ଚାଲିଛି ଜଗଦୀଶ । ଘର ନିକଟେଇ ଆସିଲାଣି । ଆଶାର ଦୀପ ଉଜ୍ଜ୍ୱଳ ଉଠୁଛି, ଅଦମ୍ୟ ସାହସ ଅଫୁରନ୍ତ ଆଶା ପୁଣି ତାକୁ ଫେରାଇ ଆଣିଛି ବନ୍ଦନୀ ଭିତରକୁ । ପଦ୍ମାର ସତ୍ ସାହସ ସ୍ଵାମୀ ଶ୍ରଦ୍ଧା ମନେପଡ଼ୁଛି ଜଗଦୀଶର । ଯୁଗେ ଯୁଗେ ହୁଏ ସତୀର ଜୟ ।

 

ଏତେ ବଡ଼ ଭୁଲଟା ଭିତରେ ତାକୁ ସତେ କଣ କ୍ଷମା ଦେଇ ପାରିବ ପଦ୍ମା ? ? ବ୍ୟଥିତ ହୃଦୟକୁ ଭାବନାର ରଙ୍ଗିନ ଛାୟା ମୋହନୀୟ କରି ଦେଉଛି । ବର୍ଷ କେଇଟା ତଫାତ୍ । ଏହାରି ଭିତରେ ଜୀବନଟାକୁ ସେ ଅସାର କରି ଦେଇଛି । ଆଜି କିନ୍ତୁ ଶୁଷ୍କ ପ୍ରାଣ ଶୁଷ୍କ ମନ ଘେନି ଫେରି ଆସିଛି ପୁଣି ଚଢ଼ିବା ପାଇଁ ସ୍ୱପ୍ନମୟ ସଂସାର । ଶିକ୍ଷିତ ସେ । ଆଜି ଆପଣାର ନୈତିକ ଶକ୍ତି ହରାଇ ଅବାସ୍ତବ ଭିତରେ ବାସ୍ତବତାର ସ୍ୱପ୍ନ ଦେଖୁଥିଲା ସେ । କେଡ଼େ ନିର୍ବୋଧ । ମଣିଷ ପଥ ହୁଡ଼ିଲେ ଏମିତି ହୋଇଥାଏ ।

 

ସବୁ ଦୂରରେ । ବହୁ ଦୂରରେ ପଡ଼ି ରହିଲାଣି ।

 

ପଥଚଲା ସରିଆସିଲାଣି, ଗ୍ରାମ ଯେତେ ନିକଟେଇ ଆସୁଛି–ଜଗଦୀଶର ପ୍ରାଣ ସେତେ ଅସ୍ଥିର ହୋଇ ପଡ଼ୁଛି ।

 

ଘରେ ପହଞ୍ଚିଲା ଜଗଦୀଶ । ବାପମାଆଙ୍କ ପାଦତଳେ ମଥାରଖି ନିଜକୁ ଦୋଷୀ ବୋଲି କହିଲା । ଜାଣି ଜାଣି ମାୟା ମରୀଚିକା ପଛରେ ଗୋଡ଼ାଇ ସେ ଭ୍ରମରେ ନିଜ ବାଟକୁ ହୁଡ଼ିଛି-। ଛଳ ନାହିଁ–ରାଗ ନାହିଁ–ହସ ହସ ଅମ୍ଳାନ ବଦନରେ ପିତା ମାତାଙ୍କ ହୃଦୟ ପୁତ୍ରର ପ୍ରତି ସ୍ନେହ କରୁଣାରେ ବିଗଳିତ ହୋଇଗଲା । ଏତେ ଦିନ ପରେ ଆଜି ପୁଅର ବିରାଟ ପରିବର୍ତ୍ତନ ଦେଖି ଆନନ୍ଦରେ ବିଭୋର ହୋଇଗଲା ଦୁଇଟି ପ୍ରାଣ, ମାତ୍ର ହେଲେ କଣ ହେବ–ବୋହୂ ପଦ୍ମାର ଅସୁସ୍ଥତାରେ ସେମାନଙ୍କର ଆଶାର ବନ୍ଧ ଭାଙ୍ଗିପଡ଼ିଛି । ସତେ କଣ ପଦ୍ମା ରୋଗମୁକ୍ତ ହେବ ? ବୋହୂ ହୋଇ ପୁଣି ଏ ଘରକୁ ଆସିବ ??

 

ଜଗଦୀଶର ଭୋକିଲା ଆଖି ଶୁଖିଲା ପ୍ରାଣ ଖୋଜି ବୁଲିଲା ପଦ୍ମା କାହିଁ ? ପଦ୍ମାର ଅନୁପସ୍ଥିତିରେ ଦଣ୍ଡକ ଭିତରେ ପ୍ରାଣଟା ତାର ଛଟପଟ ହେବାକୁ ଲାଗିଲା । ଭାବିଥିଲା ସେ ଘରେ ନ ପହଞ୍ଚୁଣୁ ପଦ୍ମା ହସ ହସ ମୁହଁ କରି ଦାଣ୍ତରୁ ପାଛୋଟି ନେବ ତାକୁ । ଘର୍ମାକ୍ତ ସ୍ୱେଦ ବିନ୍ଦୁ ମୁହଁରୁ ପୋଛି ଦେବ ତାର ।

 

ମାତ୍ର ପଦ୍ମା ଆସିଲା ନାହିଁକି ଘର୍ମାକ୍ତ ସ୍ୱେଦ ବିନ୍ଦୁ ମୁହଁରୁ ତାର ପୋଛି ଦେଲା ନାହିଁ । କିଛି ବୁଝି ପାରିଲା ନାହିଁ ଜଗଦୀଶ-ସନ୍ଦେହରେ ମନଟା ତାର ଭାଙ୍ଗି ପଡ଼ିଲା । ତା ଦେଲେ କଣ ପଦ୍ମା ଅଭିମାନ କରି ମୋତେ ଦେଖି କେଉଁଆଡ଼େ ଲୁଚି ଯାଇଛି ? ସନ୍ତତ୍ପ ପ୍ରାଣଟା ଏଇମିତି ଛଟପଟ ହେଲା ଖାଲି । ଜଗଦୀଶ ପ୍ରକୃତ ସନ୍ଧାନ ଯେତେବେଳେ ପାଇଲା, ସେତେବେଳେ ବୁଝିଲା ପଦ୍ମା ତାଙ୍କ ଘରେ ନାହିଁ । ସଂଧ୍ୟା ଘନେଇ ଆସୁଛି । ପକ୍ଷୀମାନଙ୍କର କାକଳି ଆକାଶ ବତାସକୁ ମୁଖରିତ କରି ଦେଉଛି, ଗୋକୁଳ ପଲ ଗୋଷ୍ଠକୁ ଫେରି ଆସୁଛନ୍ତି । ଦଣ୍ଡକ ଭିତରେ ଅନ୍ଧକାର ଘୋଟି ଆସିବ । ସ୍ତବ୍‌ଧ ଧରଣୀର କଲେବର ଅନ୍ଧାର ପରଦାରେ ଢାଙ୍କି ହୋଇଯିବ ।

 

ଅବଚେତନ ହୃଦୟରେ ଜଗଦୀଶ ଧାଇଁ ଯିବାକୁ ଉଦ୍ୟତ ହେଲା ପଦ୍ମା ନିକଟକୁ । କାହିଁ ପଦ୍ମା ? ଗୋପାଳପୁର ବାଟ ତିନି କୋଶ ହେବ । ଥକ୍‌କା ଲାଗିଲାଣି ତାକୁ । ପାଦ ଦି’ଟା ବଥା ହୋଇଗଲାଣି । କେତେ ଆଶାବାନ୍ଧି ଘରକୁ ଫେରିଥିଲା ସେ । ସବୁ ବୃଥା, ସବୁ ବ୍ୟର୍ଥ ।

 

ତଥାପି ସେ ପଦ୍ମାକୁ ଦେଖିବାକୁ ଯିବ ।

 

ବାପ ମାଆ ଯେତେ ବୁଝାଇଲେ–ମୋଟେ ବୁଝିଲା ନାହିଁ ଜଗଦୀଶର ମନଟା । ପଦ୍ମା ଆଉ ବଞ୍ଚି ପାରିବ ନାହିଁ–ସବୁ ବୁଝିଲା ଜଗଦୀଶ । ଆଶା ଭରଷା ଛାଡ଼ିଛନ୍ତି ସମସ୍ତେ, ଦଗ୍‌ଧ ପ୍ରାଣଟା ନେଇ କାହାକୁ ଆଉ ସେ ଦେଖାଇବ ଆଜି ! ପଦ୍ମା ବଞ୍ଚିବ ନାହିଁ, ସେଥିପାଇଁ ଗୋପାଳପୁର ଛାଡ଼ି ବାପ ମାଆ ତାର ଘରକୁ ପଳାଇ ଆସିଛନ୍ତି । ସତେ ପଦ୍ମାକୁ ଆଉ ଆଶାନାହିଁ-! ଜଗଦୀଶର ମନଟା ଗୁମୁରି ଉଠିଲା । ପଦ୍ମା ସେ ତାର ସହ–ଧର୍ମିଣୀ-ପ୍ରେୟସୀ । କେମିତି ସେ ଗୋଟାଏ ରାତି ଏଠାରେ ତା ବିହୁନେ କଟାଇବ ? ନାଁ-ନାଁ–ପାରିବ ନାହିଁ ସେ । ଆସୁ ଝଡ଼, ଆସୁ ବତାସ, କମ୍ପୁ ଆକାଶ, ତଥାପି ସେ ପଦ୍ମା ପାଖକୁ ଯିବ । ଯେଉଁ ପଦ୍ମାକୁ ଆଖି ସାମନାରେ ଦେଖିଲେ ରାଗରେ ଜଳି ଉଠୁଥିଲା ତାର ପ୍ରାଣଟା, ହିଂସାରେ ଥରି ଉଠୁଥିଲା ତାର ଛାତିଟା । ଭୁଲ୍‌ରେ ତାକୁ ସେ ଧିକ୍‌କାରିଛି, କେତେ କଷ୍ଟ ଦେଇଛି । ହାୟଃ ହାୟଃ କେଡ଼େ ନିର୍ବୋଧ ସେ । ନାଁ-ନାଁ ପଦ୍ମା ମୋର ସ୍ତ୍ରୀ ନୁହେଁ–ସେ ଦେବୀ । ଅନ୍ଧକାର ରାତିରେ ଉରଭୟ ନମାନି ଜଗଦୀଶ ଧାଇଁଗଲା ପଦ୍ମା ନିକଟକୁ ।

 

ଅଙ୍କାବଙ୍କା ପଥ ନମାନି ବଣ ବୁଦା କାଟି ଅଥଳ ନଦୀ ପାର ହୋଇ ଜଗଦୀଶ ପହଞ୍ଚିଲା ଗୋପାଳପୁରେ । ଝାଳ ଦେହରୁ ଗମ ଗମ ହୋଇ ବହୁଛି । ଅଜଣା ଧକ୍‌କାରେ ଭାଙ୍ଗି ପଡ଼ିଛି ମନଟା ତାର । ପ୍ରିୟତମା ସ୍ତ୍ରୀ ଆଜି ରୋଗ ଶଯ୍ୟାରେ । ସତେ କଣ ସେ ବଞ୍ଚିବ ନାହିଁ ! ସତେ କଣ ସେ ହସ ହସ ମୁହଁରେ କହିବ ନାହିଁ ସ୍ୱାମୀ, ସ୍ୱାମୀ ମୋର ତୁମେ–ଯେତେ ଅପରାଧ କରିଥାଅ ପଛେ ମୋ ନିକଟରେ ପବିତ୍ର-ଭାବନା ଅସୀମ ଭାବନା ସେ । ଜଗଦୀଶ ଘର ଭିତରକୁ ପଶିଗଲା । ଶାଶୁ ଜଗଦୀଶକୁ ଦେଖି କହିଲେ, ବାପ ଏତେ ଦିନ ପରେ ମନରେ ପଡ଼ିଲା; ଏତେ ଦିନପରେ ସୁନାର ସଂସାର ଗଢ଼ିବା ପାଇଁ ଧାଇଁ ଆସିଲୁ ? ଘନାନ୍ଧକାର ମାଡ଼ି ଆସିଲାଣି । ବିପଦ ଯେ ଘନେଇଁ ଆସିଲାଣି–ଆଉ ସେ ସୁଦିନ ସତେ ଫେରି ଆସିବ ମନେ ହେଉ ନାହିଁ । ବର୍ଷ ବର୍ଷ ଧରି ଅନାଇ ବସିଥିଲା ମୋର ପଦ୍ମା–ଅନ୍ତରର ଆବେଗକୁ ଘୋଡ଼ାଇ ରଖି ପିଞ୍ଜି ଦେଉଥିଲା ଶରୀରଟାକୁ । ସବୁ ସରି ଯାଇଛି ବାପ, ସବୁ ସରି ଯାଇଛି । ପଦ୍ମା ? ପଦ୍ମା ଆଜି ମୃତ୍ୟୁ ଶଯ୍ୟାରେ–ସେ କ’ଣ ଆଉ ସତେ ବଞ୍ଚିବ...ସୁନାର ସଂସାର ଗଢ଼ିବାକୁ ଧାଇଁ ଆସିଛୁ । ସୁନାର ସଂସାର ଚୂନା ଆଜି ହୋଇ ଯାଇଛି । ସଂସାରଟିକୁ ସଜାଇ ଗଢ଼ିବା ସହଜ ନୁହେଁରେ ବାପ-ସହଜ ନୁହେଁ । ରୁଦ୍ଧ ବେଦନା ସମ୍ଭାଳି ନ ପାରି କଇଁ କଇଁ ହୋଇ କାନ୍ଦି ଉଠିଲେ ସେ । ଆଉ କିଛି କହି ପାରିଲେ ନାହିଁ ।

 

ଏହି ସମୟରେ ପଦ୍ମା ବିଲବିଳେଇ ହେଇ ଥରିଲା କଣ୍ଠରେ କହି ଉଠିଲା, ସ୍ୱାମୀ ଦେ...ବ...ତା ।

 

ଜଗଦୀଶର ହୃଦୟ ବନ୍ଧ ଫଟାଇ ଦେଲା ସେ ଆବେଗ ଭରା ଅସ୍ପଷ୍ଟ କଣ୍ଠର ସଙ୍କେତ ସ୍ଵାମୀ ଦେ...ବ...ତା । ସମ୍ଭାଳି ହୋଇ ପାରିଲା ନାହିଁ ଜଗଦୀଶ । ହୃଦୟ ସରିତରୁ ଅଝର ଅଶ୍ରୁ ଝର ଝର ହୋଇ ଝରିବାକୁ ଲାଗିଲା । ପଦ୍ମାର ରୋଗ ଶଯ୍ୟା ପାଖକୁ ଯାଇ ଆବେଗ ଭରା କଣ୍ଠରେ ଡାକିଲା, ପଦ୍ମା, ପଦ୍ମା ମୋର; ଥରେ ଆଖି ଖୋଲି ଅନା । ମୁଁ ସେହି ପତୀତ ଜଗଦୀଶ, କ୍ଷଣିକ ସୁଖରେ ଭୁଲି ଯାଇଥିଲି ବାସ୍ତବତା । ଏବେ ଉଠ୍ କଥା କହ, କଥା କହ, ମୁଁ ସେହି ନର୍ଦ୍ଦମାର ନରକର କୀଟ । ହେଇ ଅନାନି ଆକାଶ କିପରି ହସି ଉଠିଲାଣି । ଚାନ୍ଦର ଗୋଲାପ ଆଭା କିପରି ଫୁଟି ଉଠିଛି–ଆମକୁ ଇସାରା ଦେଇ । ଉଠିବୁ ନାହିଁ ? ପଦ୍ମା, ପଦ୍ମା ମୋର ।

 

ଜଗଦୀଶର ଡାକ ପଦ୍ମାର କର୍ଣ୍ଣ ଭେଦ୍ କରି ଇସତ୍ ଚେତନା ଆଣିଲା । ବର୍ଷ ବର୍ଷ ଧରି ହୃଦୟ ଯାହାକୁ ଖୋଜୁଥିଲା ତାହାରି କଣ୍ଠ ଶବ୍ଦ ଶୁଣି ସେ ଖୁବ୍ କଷ୍ଟରେ ଜଗଦୀଶର ମୁହଁକୁ ଟିକିଏ ଅନାଇ ଥରିଲା କଣ୍ଠରେ କହିଲା ।

 

ତୁମେ ଆ..ସି.. ଛ ସେହି ପାପୀ ପିଶାଚିନୀ ଅଶିକ୍ଷିତା ରମଣୀ ପାଖକୁ । ଏଠାକୁ ଆସିଲେ ସେ ପାପ ହେବ–ତୁମର ସୁନାର ସଂସାର ଭାଙ୍ଗିଯିବ । ସୁଖୀ ହୋଇ ପାରିବ ନାହିଁ ତୁମେ-। କିନ୍ତୁ ମନେରଖ ମୁଁ ତ ଆଜି ମୃତ୍ୟୁ ଶଯ୍ୟାରେ । ତୁମର ଅର୍ଜିତ ଫଳ ତୁମେ ଭୋଗ କଲ ଯେତେବେଳେ କୌଣସି କୁଳକିନାରା ପାଇଲା ନାହିଁ । ନାନା ଯାତନା ନିର୍ଯାତନା ଭୋଗିଲ । ଯାହାକୁ ପ୍ରକୃତ ବୋଲି ମନେ କରିଥିଲ ସେ ମରୀଚିକା ବୋଲି ଜାଣିଲ ସେତେବେଳେ ତୁମେ ପଡ଼ିଲ ‘‘ଦ୍ୱନ୍ଦ୍ୱ”ରେ । ଆଉ କହି ପାରିବି ନାହିଁ । ଶମନ ଡାକରା ଖୁବ୍ ନିକଟେଇ ଆସିଲାଣି । ମୁଁ ଚାହିଁ ନଥିଲି ସଂସାର ସୁଝର ସୌଧ ଗଢ଼ିବା ପାଇଁ । କେବଳ ମୋର କାମନା ଥିଲା ତୁମରି କୋଳରେ ଶେଷ ନିଦ୍ରା... । ଭଗବାନ ତାହାହିଁ କରିଛନ୍ତି । ଦିଅ ତୁମର ପାଦ ମୋର ମଥାରେ ଦିଅ-। ଶାନ୍ତିରେ ମୁଁ ନିଦ୍ରା ଯାଏ ।

 

ଆଉ କିଛି କହି ପାରିଲା ନାହିଁ ପଦ୍ମା ଦୁଇ ଆଖିରୁ ଶୁଖିଲା ଗାଲ ଉପରେ ଦୁଇଧାର ଅଶ୍ରୁ ଗଡ଼ି ପଡ଼ିଲା । ଛାତିରେ ହିକ୍‌କା ଅଟକି ଗଲା ପରି ଉର୍ଦ୍ଧ୍ୱଶ୍ଵାସ ଚାଲିଲା । କିଛିକ୍ଷଣ ପରେ ଆଖିପତା ପଡ଼ିଗଲା ।

 

ଜଗଦୀଶ ପଦ୍ମାର ଲୋଟିତ ମୁଣ୍ଡକୁ କୋଳରେ ଜାବୁଡ଼ି ଧରି କାନ୍ଦି ପକାଇ ପାଗଳଙ୍କ ପରି କହି ଉଠିଲା ପଦ୍ମା ପଦ୍ମା ସତୀ ମୋର ।

 

ଗଗନ ପବନ ଭେଦ କରି ସେହି ଡାକ ଜଗଦୀଶ କାନରେ କେବଳ ପ୍ରତିଧ୍ୱନିତ ହେଲା-

Image